ଓଡ଼ିଶାର ପ୍ରଥମ ଓ ଅଦ୍ୟାବଧି ଏକ ମାତ୍ର ମହିଳା ମୁଖ୍ୟ ମନ୍ତ୍ରୀ ନନ୍ଦିନୀ ଶତପଥୀ ଶୈଶବରୁ ଥିଲେ ସ୍ବାଭିମାନୀ ଓ ସ୍ବାଧୀନଚେତା। ପିତା ପ୍ରସିଦ୍ଧ ଲେଖକ କାଳିନ୍ଦୀଚରଣ ପାଣିଗ୍ରାହୀ ଓ ମାତା ରତ୍ନମଣି ଦେବୀ। କହାଯାଏ, ତାଙ୍କ ମାତା ବ୍ରହ୍ମଗିରିର ଭୀମେଶ୍ବର ମହାଦେବଙ୍କୁ ନିଷ୍ଠାର ସହ ପୂଜା-ଆରାଧନା କରି କନ୍ୟା-ରତ୍ନ ଲାଭକରିଥିଲେ। ବିଛା ରାଶିରେ ଜନ୍ମ ହୋଇଥିବାରୁ, ଜାତକ ନାମ ଥିଲା ନର୍ମଦା। ପିତା, ନାମ ରଖିଥିଲେ ନନ୍ଦିନୀ। ଶ୍ରଦ୍ଧାରେ ସମସ୍ତେ ଡାକୁଥିଲେ- କୁନି। କାଳିନ୍ଦୀଚରଣଙ୍କ ଉପଯୁକ୍ତ ଦାୟାଦ ଥିଲେ କନ୍ୟା ନନ୍ଦିନୀ। ପିତାଙ୍କ ଗୁଣ ଦ୍ବାରା ଶୈଶବ ଆଲୋକିତ ହୋଇଥିଲା। ତେବେ, କୈଶୋରରେ ସେ କକେଇ ଭଗବତୀଚରଣଙ୍କ ସାମ୍ୟବାଦୀ ଚିନ୍ତାଧାରା ଦ୍ବାରା ପ୍ରଭାବିତ ହୋଇଥିଲେ। ନିଜସ୍ବ ପ୍ରତିଭା ବଳରେ ଉପରକୁ ଉଠିଥିଲେ; ଅଳ˚କୃତ କରିଥିଲେ ମୁଖ୍ୟ ମନ୍ତ୍ରୀ ଆସନ। କେହି କେହି କହନ୍ତି ‘ମାଟିର ମଣିଷ’ ପରେ କାଳିନ୍ଦୀଚରଣଙ୍କ ଅନ୍ୟ ଶ୍ରେଷ୍ଠ କୃତି ହେଉଛନ୍ତି କନ୍ୟା ନନ୍ଦିନୀ। ନନ୍ଦିନୀ ଜନ୍ମ ହୋଇଥିଲେ କଟକରେ(ବକ୍ସି ବଜାର ନିକଟସ୍ଥ ଯାଚକ ଲେନ୍ରେ); ବଢ଼ିଥିଲେ ମଧ୍ୟ କଟକରେ। ଶୈଶବରୁ ଭଲ ପଢ଼ୁଥିଲେ। ପିତାଙ୍କର ଇଚ୍ଛା ଥିଲା ଝିଅ ଡାକ୍ତରାଣୀ ହେଉ। ତେବେ, ବିଧାତା ଭିନ୍ନ ବ୍ୟବସ୍ଥା କରିଥିଲେ। ସେ ରାଜନୀତି ପ୍ରତି ଅଧିକ ଆଗ୍ରହୀ ହୋଇଥିଲେ।ଗେଲବସରରେ ବଢ଼ିଥିବା କୁନି ପିଲାଟି ଦିନରୁ ଥିଲେ ଜିଦେଈ; ପୁଣି, ଦୁଃସାହସୀ। ଯାହା ଚାହୁଁଥିଲେ, କରୁଥିଲେ। ମାତ୍ର ତିନି ବର୍ଷର ହୋଇଥିବା ବେଳେ ପିତା କାଳିନ୍ଦୀ ଚରଣ ପାଣିଗ୍ରାହୀ ମୟୂରଭଞ୍ଜରୁ ପ୍ରକାଶିତ ‘ଭଞ୍ଜ ପ୍ରଦୀପ’ର ସ˚ପାଦକ ଦାୟିତ୍ବ ତୁଲାଇବାକୁ ସପରିବାର ବାରିପଦା ଯାଇଥିଲେ। ବାରିପଦାରେ ହିଁ କୁନିଙ୍କ ବିଦ୍ୟାର୍ଥୀ ଜୀବନ ଆରମ୍ଭ ହୋଇଥିଲା। ମାତ୍ର ସାତ-ଆଠ ଦିନ ସ୍କୁଲ୍ ଯିବା ପରେ, ସେଠାରେ ଆଉ ନ ପଢ଼ିବା ପାଇଁ ସେ ଜିଦ୍ କରିଥିଲେ। ପିତା-ମାତା ଚକିତ ହେବା ସ୍ବାଭାବିକ ଥିଲା। କାରଣ ପଚାରିବାରୁ କୁନି ଉତ୍ତର ଦେଇଥିଲେ- ପ୍ରାର୍ଥନାରେ ରାଜାଙ୍କ ସ୍ତୁତି ଗାନ କରାଯାଉଛି; ଯାହା କରିବା, ତାଙ୍କ ପକ୍ଷେ ସ˚ଭବ ନୁହେଁ। ପ୍ରାର୍ଥନାଟି ଥିଲା ଏହି ପରି: ‘ଏହି ମୋର ଜନ୍ମଭୂମି ଏଇ ମହାରାଜା; ଜନ୍ମେ ଜନ୍ମେ କରୁଥିବି ମୁଁ ଏ ଦୁହିଁଙ୍କ ପୂଜା।’ କୁନି ଝିଅ କୁନିଙ୍କ ସ୍ବାଭିମାନ ଦେଖି ପିତା-ମାତାଙ୍କ ଛାତି କୁଣ୍ଢେମୋଟ ହୋଇଯାଇଥିଲା। ତାଙ୍କ କଥା ରହିଥିଲା। କଟକ ଫେରାଇଆଣି, ତାଙ୍କର ଶିକ୍ଷାର ବ୍ୟବସ୍ଥା କରାଯାଇଥିଲା। ସେହି ଦିନର ସ୍ବାଭିମାନ, ନନ୍ଦିନୀ ଆଜୀବନ ବଜାୟ ରଖିଥିଲେ।
କୈଶୋରରେ ତାଙ୍କ ହୃଦୟରେ ଦେଶପ୍ରେମର ବୀଜ ଅଙ୍କୁରିତ ହୋଇଥିଲା। ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ‘ଭାରତ ଛାଡ଼’ ଆନ୍ଦୋଳନରେ ଯୋଗଦେଇଥିଲେ। ସବୁ କିଛି ଘଟିଥିଲା ଅତ୍ୟନ୍ତ ଆକସ୍ମିକ ଭାବେ। ଶ୍ରେଣୀ ଗୃହରେ ବସି କୁନି ଅଙ୍କ କଷୁଥିଲେ। କାନରେ ପଡ଼ିଲା, ‘ଇନକିଲାବ ଜିନ୍ଦାବାଦ’! ଶ୍ରେଣୀ ଗୃହ ଛାଡ଼ି, ପାଚେରି ଡେଇଁ ଶୋଭାଯାତ୍ରାରେ ଯୋଗଦେଇଥିଲେ। ପୁଲିସ୍ ତାଙ୍କ ସହ ଅନେକ ଆନ୍ଦୋଳନକାରୀଙ୍କୁ ଗିରଫ କରି ଚନ୍ଦକା ଜଙ୍ଗଲରେ ଛାଡ଼ିଥିଲା। ସେଠାରୁ ଚାଲିଚାଲି ଫେରିଥିଲେ ସେ। ୧୯୪୬ରେ ରାଭେନ୍ସା କଲେଜ୍ରେ ଜାତୀୟ ପତାକା ଉଡ଼ାଇ ସେ ଦ୍ବିତୀୟ ଥର ଗିରଫ ହୋଇଥିଲେ। ବୟସ ଅଠର ହୋଇ ନ ଥିବାରୁ, ଜେଲ୍ ପଠାଯାଇ ନ ଥିଲା। ଶୈଶବରେ ସେ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସୂତା କାଟି ଖଦଡ଼ ପିନ୍ଧୁଥିଲେ। ତେବେ, ବୟସ ବଢ଼ିବା ସହ କକେଇ ଭଗବତୀଚରଣଙ୍କ ଦ୍ବାରା ପ୍ରଭାବିତ ହୋଇ ବନିଥିଲେ ବାମପନ୍ଥୀ। ନାନା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ବିଚାର ହୋଇଥିଲା କାରାଗାର ଭିତରେ। କାରଣ, ତାଙ୍କୁ ଅତି ବିପଜ୍ଜନକ ମନେକରାଯାଉଥିଲା। ମାଜିଷ୍ଟ୍ରେଟ୍ ଥାଆନ୍ତି, ଔପନ୍ୟାସିକ ଗୋପୀନାଥ ମହାନ୍ତି। ନନ୍ଦିନୀ ନିଜ ମାମଲା ନିଜେ ଲଢ଼ିଲେ। ସମସ୍ତ ଅଭିଯୋଗକୁ ଦୃଢ଼ ଭାବେ ଅସ୍ବୀକାର କଲେ। ତେବେ, ବିଚାର ଶେଷରେ ମିଳିଥିଲା ଛଅ ମାସ ସଶ୍ରମ କାରାଦଣ୍ତ। କାରାଗାରରେ ସେ ବିଭିନ୍ନ ଦାବି ପୂରଣ ପାଇଁ ଅନଶନ କରିଥିଲେ। ଏହାକୁ ନେଇ ବାମପନ୍ଥୀ ମହଲରେ ଉଦ୍ବେଗ ପ୍ରକାଶ ପାଇଥିଲା। କାରଣ, ସେତେ ବେଳେ ବାମପନ୍ଥୀ ନେତୃବୃନ୍ଦଙ୍କ ପାଇଁ ଅନଶନ ଥିଲା ଗାନ୍ଧୀ ପ୍ରବର୍ତ୍ତିତ ପନ୍ଥା। ଏହି କାରଣରୁ ନନ୍ଦିନୀଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ପରେ ସେ କ˚ଗ୍ରେସ୍ରେ ଯୋଗଦେଇ ନିର୍ବାଚନ ରାଜନୀତିର ଶିଖରକୁ ଯାଇଥିଲେ।
ପ୍ରଥମେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଘଟନାକ୍ରମେ ସେ ପଣ୍ତିତ ନେହରୁଙ୍କ ଦୃଷ୍ଟିକୁ ଆସିଥିଲେ। ଇନ୍ଦିରା ଗାନ୍ଧୀଙ୍କ ସହ ପରିଚୟ ହୋଇଥିଲା। ଶାସ୍ତ୍ରୀଙ୍କ ଆକସ୍ମିକ ବିୟୋଗ ପରେ ଯେତେ ବେଳେ ମୋରାରଜୀ ଦେସାଈଙ୍କୁ ସମର୍ଥନ ଦେବା ସପକ୍ଷରେ ବିଜୁବାବୁ ମତ ଦେଇଥିଲେ, ଓଡ଼ିଶାରୁ ଏକ ମାତ୍ର ନନ୍ଦିନୀ, ତାଙ୍କ କଥା କର୍ଣ୍ଣପାତ କରି ନ ଥିଲେ। ସେ, ଇନ୍ଦିରାଙ୍କୁ ସମର୍ଥନ କରିଥିଲେ। ଇନ୍ଦିରା ପ୍ରଧାନ ମନ୍ତ୍ରୀ ହେବା ପରେ ନନ୍ଦିନୀଙ୍କୁ ମିଳିଥିଲା ସୂଚନା ଓ ପ୍ରସାରଣ ବିଭାଗର ମନ୍ତ୍ରୀ ପଦ। ତାହା ପରେ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ହୋଇଥିଲେ। ଜରୁରିକାଳୀନ ପରିସ୍ଥିତି ବେଳେ ତାଙ୍କୁ ‘ଓଡ଼ିଶାର ଲୌହ ମାନବୀ’ କହାଯାଉଥିଲା। ଚାଟୁକାରମାନେ କହୁଥିଲେ- ‘ଏସିଆର ସୂର୍ଯ୍ୟ’। ଜରୁରିକାଳୀନ ପରିସ୍ଥିତିର ଶେଷ ଆଡ଼କୁ କେନ୍ଦ୍ର ନେତୃତ୍ବ ତାଙ୍କୁ କ୍ଷମତାଚ୍ୟୁତ କରିଥିଲା। ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ନିର୍ବାଚନରେ ଜୟ-ପରାଜୟକୁ ଯଦିଓ ସେ ଗୁରୁତ୍ବ ଦେଉ ନ ଥିଲେ, କେବେ ହେଲେ ନିର୍ବାଚନ ହାରି ନ ଥିଲେ। ୧୯୭୨-୧୯୯୫ ମଧ୍ୟରେ ସାତ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
ନନ୍ଦିନୀ ଥିଲେ ଶ୍ରୀମାଙ୍କ ଭକ୍ତ। କୌଣସି ସମସ୍ୟା ଉପୁଜିଲେ ଶ୍ରୀମାଙ୍କ ପରାମର୍ଶ ନେଉଥିଲେ। ଶ୍ରୀମା ଦେଇଥିବା ଲକେଟ୍ଯୁକ୍ତ ଚେନ୍ ସର୍ବଦା ପିନ୍ଧୁଥିଲେ। ପିତାଙ୍କ ସାହିତ୍ୟିକ ରକ୍ତ ଆଜୀବନ ତାଙ୍କ ଶିରା-ପ୍ରଶିରାରେ ପ୍ରବାହିତ ହୋଇଥିଲା। ଅବସର ସମୟ କଟୁଥିଲା ଲେଖା-ପଢ଼ାରେ। ୧୯୪୨ରେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ବାଳିକା ନନ୍ଦିନୀ ‘ଅନାଥ’ ନାମକ ଗପ ଲେଖିଥିଲେ। ସେଇଟି ଏକ ସ୍କୁଲ୍ ପତ୍ରିକାରେ ପ୍ରକାଶିତ ହୋଇଥିଲା। ଛାତ୍ରୀ ଜୀବନରୁ ନିୟମିତ ଲେଖୁଥିବା, କିଛି ଲେଖା ପତ୍ରିକା, ଖବରକାଗଜ ଆଦିରେ ପ୍ରକାଶିତ ହୋଇଥିବା, କିଛି ଅପ୍ରକାଶିତ ପଡ଼ିଥିବା ଏକଦା ଏକ ସାକ୍ଷାତ୍କାର ଅବସରରେ ସେ କହିଥିଲେ। ଜୀବନର କୌଣସି ସମୟରେ ସେ ଲେଖିବା ବନ୍ଦ କରି ନ ଥିଲେ। ସକ୍ରିୟ ରାଜନୀତିରେ ଥିବା ବେଳେ ସୁଦ୍ଧା ରାତି ତିନିଟା ପର୍ଯ୍ୟନ୍ତ ଲେଖାଲେଖି କରୁଥିଲେ। ତସଲୀମା ନସରୀନଙ୍କ ‘ଲଜ୍ଜା’ର ଅନୁବାଦ ସେ ମାସକ ମଧ୍ୟରେ ସାରିଥିଲେ। ‘ସପ୍ତଦଶୀ’ ଓ ‘କେତୋଟି କଥା(ଗଳ୍ପ ସ˚କଳନ), ‘ଉତ୍ତର ପୁରୁଷ’(କବିତା ସ˚କଳନ), ‘ସୁନା ହଜିଗଲା’(ଉପନ୍ୟାସ), ‘ରେଭିନ୍ୟୁ ଟିକଟ୍’ (ଅମୃତା ପ୍ରୀତମଙ୍କ ଆତ୍ମ-ଚରିତର ଓଡ଼ିଆ ଅନୁବାଦ, ଏହି ଅନୁବାଦ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପାଇଥିଲେ) ଆଦି ନନ୍ଦିନୀ ଦେବୀଙ୍କ ଶ୍ରେଷ୍ଠ କୃତି ଅନ୍ତର୍ଭୁକ୍ତ। ସେ ମହାଶ୍ବେତା ଦେବୀଙ୍କ ଗୁଡ଼ିଏ ବାଂଲା ଗଳ୍ପ ଓଡ଼ିଆରେ ଅନୁବାଦ କରିଥିଲେ। ତାଙ୍କର ଅନେକ ଗପ ବାଂଲାକୁ ଅନୂଦିତ ହୋଇଥିବା ମଧ୍ୟ ଜଣାଯାଏ। ୨୦୦୩ ଭୁବନେଶ୍ବର ପୁସ୍ତକ ମେଳାରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ, ଯାହା ଥିଲା ତାଙ୍କ ଜୀବନର ଶେଷ ସାହିତ୍ୟ ସଭା। ୧୯୩୧ ଜୁନ୍ ୯ରେ ସେ ଜନ୍ମ ହୋଇଥିଲେ। ୨୦୦୬ ଅଗଷ୍ଟ୍ ୪ରେ ଓଡ଼ିଶା ରାଜନୀତି କ୍ଷେତ୍ରର ଏହି ‘ବହ୍ନିକନ୍ୟା’ଙ୍କ ପରଲୋକ ହୋଇଥିଲା।
No comments:
Post a Comment