Sunday, August 2, 2020

ନିସ୍ତବ୍ଧ ରାତି

ଲୋକେ କୁହନ୍ତି
ରାତି ନିସ୍ତବ୍ଧ,
ଶୂନ୍ ଶାନ୍ ଆଉ ନିଛାଟିଆ ବୋଲି I
କିନ୍ତୁ ଶୁଣିଛ କି କେବେ,
ରାତିଟା ଭାରି ଦୁଷ୍ଟ,
ବହୁ ପ୍ରଳାପି ମୂଖରା ସେ
ତା ଗର୍ଜନେ ନିଦ ଯାଏ ଭାଜି ,
ଆଉ ଆଖି ଯାଏ ଖୋଲି I

ନୀରବତା ଭାଙ୍ଗିଯାଏ ,
ନିସ୍ତବ୍ଧତା ଭୁଲ୍ ପ୍ରମାଣିତ ହୁଏ,
ଝିଙ୍କାରିର ନିରବଚ୍ଛିନ୍ନ ଗର୍ଜନରେ I
ପୁଣି ପ୍ରହରାନ୍ତେ ବିଲୁଆର
ବିଲ ମଧ୍ଯେ କୋଳାହଳ I

ଓଃ ! ଅସହ୍ୟ ଏ କୋଳାହଳ
ଚକ୍ ଚକ୍ କରୁଥିବା
ଶାଗୁଆନ କାଠର କବାଟକୁ କିଳି
ପ୍ରମାଣିତ ହେବ,
ରାତିଟା ଶାନ୍ତିର ପ୍ରତୀକ ବୋଲି I
କିନ୍ତୁ ଏ କି ବିଡମ୍ବନା !
ବିଦ୍ୟୁତ୍ ପଙ୍ଖାର
ଘର୍ଘର ନାଦ ତ
ସବୁ ଶବ୍ଦଠୁ ଗଲା ବଳି I

ପଙ୍ଖାକୁ ବିଶ୍ରାମ ଦେଇ ,
ରାତି ହେଲା ନାହିଁ ଶାନ୍ତ,
କଲା ସିଏ ଥଟ୍ଟା,
ଟିକ୍ ଟିକ୍ ଶବ୍ଦ କରି
ଅଟ୍ଟହାସ୍ୟ କରୁ ଥିଲା ଘଣ୍ଟା I

ଘଣ୍ଟାକୁ ମଧ୍ୟ କରି ଦେଇ ନିଷ୍କ୍ରିୟ,
ରାତିଟା ହୋଇପାରନ୍ତା ନିସ୍ତବ୍ଧ,
କିନ୍ତୁ, ଜେଜେଙ୍କ ବୟସ୍କ କାଶ,
ବାପାଙ୍କ କ୍ଲାନ୍ତ ନିଃଶ୍ଵାସର ଘୁଙ୍ଗୁଡ଼ି ,
ଅଙ୍କଶାୟିନୀ ପ୍ରିୟାର
ଚୁଡ଼ିର ଆନମନା ଶବ୍ଦ,
ସ୍ଵପ୍ନବିଭୋର କୋମଳ ଶିଶୁର
ଭୟାର୍ତ୍ତ ହାଉଳି ,
ଭୁଲ୍ ପ୍ରମାଣିତ କରେ,
ରାତିଟା ନିସ୍ତବ୍ଧ ବୋଲି I


ଶିଶିର କୁମାର ସ୍ଵାଇଁ
ଶିକ୍ଷକ, ଗାଙ୍ଗପୁର

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy

1 comment:

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy