ଷୋଳକଳା ନେଇ
ବୈକୁଣ୍ଠର ସାଇଁ
ଦେବକୀ ଗର୍ଭେ ଜନ୍ମିଲେ
ପାପୀ ବିନାଶିବେ
ଧର୍ମ ସଂସ୍ଥାପିବେ
ମାନବ ଲୀଳା ରଚିଲେ |
ଯାଇ ଗୋପପୁରେ
ରହି ନନ୍ଦ ଘରେ
ଯଶୋଦା ଜୀବନ ଧନ
କେତେ ଗୋପୀ ସଙ୍ଗେ
ରାସ କରି ରଙ୍ଗେ
ନଟ ଖଟ ଶ୍ୟାମଘନ |
ପୂତନା, ଶକଟ
ବକା, ତୃଣାବର୍ତ୍ତ
ଅସୁର ବିନାଶ କଲେ
ବଳରାମ ଭାଇ
ସଙ୍ଗତରେ ଯାଇ
ମଥୁରାରେ ପ୍ରବେଶିଲେ |
ମାମୁଁ କଂସାସୁର
ହୋଇ ଭୟାତୁର
କ୍ଷଣିକେ ଛାଡିଲା ପ୍ରାଣ
ଅଜା ଉଗ୍ରେସେନ
ରଖିଲେ ସମ୍ମାନ
କରି ରାଜ୍ୟଭାର ଦାନ |
ମହା ଭାରତରେ
ଯୁଦ୍ଧ ସମୟରେ
ଅର୍ଜୁନ ରଥରେ ରହି
କରି ଧର୍ମ ଯୁଦ୍ଧ
ପାପୀ କଲେ ବଦ୍ଧ
ଗୀତା ଜ୍ଞାନ ଥିଲେ କହି |
ଜରାସନ୍ଧ ନାଶି
ଶିଶୁପାଳ ଧ୍ବଂସି
ଅଷ୍ଟ ପାଟବଂଶୀ ଧରି
ଯଦୁ ବଂଶ ଗର୍ବ
କରିଦେଇ ଖର୍ବ
ଲୀଳା ସମାପନ କରି |
ମହା ଯୋଗେଶ୍ୱର
ଶିଆଳି ଲତାର
ଦୋଳିରେ ଯାଇ ଝୁଲିଲେ
ବ୍ୟାଧ ଶରା ଘାତ
କରି ପ୍ରାଣ ପାତ
ଗୋଲୋକ ଧାମ ଚଳିଲେ |
କୃପାମୟ ହରି
ମର୍ତ୍ତ୍ୟେ ଅବତରି
ଫେଡ଼ିଲେ ଭକ୍ତ କଷଣ
କୃଷ୍ଣ ନାମ ଧରି
ଭବୁ ହୁଅ ପାରି
ଘେନାକର ସୁଜ୍ଞଜନ |
ଶରତ ଚନ୍ଦ୍ର ପଣ୍ଡା,
ଡେଂଗାଡ଼ି, ଗଞ୍ଜାମ |

No comments:
Post a Comment