କରିଥିଲି ଆଶା ବିଶ୍ୱାସ ଭରଷା
ଦେଲୁ ପୁଣି କାହିଁ ଧୋକା
ସପନରେ କେବେ ଭାବି ମୁଁ ନଥିଲି
ହେବି ବୋଲି ଦିନେ ଏକା ।
ଦେଇଥିଲୁ ଦିନେ ମତେ ପ୍ରତିଶୃତି
ସାଥିରେ ରହିବା ପାଇଁ
ପ୍ରେମ ମନ୍ଦିରକୁ ନିଜ ହାତେ ଆମେ
ନିଜେ ତ ଗଢ଼ିବା ପାଇଁ ।
ଆଶା ଅସୁମାରୀ ରହିଲା ଅଧାରେ
ମିଛ ସମ୍ପର୍କ କୁ ନେଇ
ବଞ୍ଚିବାକୁ ହେବ ବିରହ ବେଦନା
ଗରଳକୁ ଓଠେ ପିଇ ।
ଲିଭିଗଲା ହସ ପୁରୁଣା ଦିନର
ଭାଙ୍ଗିଲା ପ୍ରେମ ନଅର
ପଥହରା ହୋଇ ବଞ୍ଚିବା ଶିଖିଲି
ତୋଠାରୁ ପ୍ରଥମ ଥର ।
ପ୍ରେମ ବାଜୀଗର ଥିଲି ସୌଦାଗର
ପ୍ରୀତି ବଣିକ ହାଟରେ
ସ୍ନେହ ମମତାକୁ ସାଉଁଣ୍ଟୁ ଥିଲି ମୁଁ
ସମ୍ପର୍କ ସୂତା ଖିଅରେ ।
ଛିଡ଼ିଗଲା ଡୋରି ବୁଡ଼ିଆଣି ପରି
ଛନ୍ଦିହେଲି ତୋ ଜାଲରେ
ପାଦରେ ଶିକୁଳି ପାରୁନି ମୁକୁଳି
ପଡ଼ିଗଲି ତୋ ମାୟାରେ ।
. ସମାପ୍ତ
✍ ଅମରନାଥ ବାରିକ୍
💌 କୟାଁ,ମଙ୍ଗଳପୁର, ଯାଜପୁର
No comments:
Post a Comment