ମୁଁ ବଞ୍ଚିଛି କି ନାହିଁ ତାକୁ ଦେଖୁ ଦେଖୁ ଜାଣି ହୁଏ
ମୋ ଭଲ ପଣିଆ କେତେ ତା କଥାରୁ ଜାଣି ହୁଏ ।
ସେ ବୃକ୍ଷ ପରି ହେଲେ ମୁଁ ଜଳ ପରି;
ଯେଉଁ ଦିନ ମୁଁ ଶୁଖିଯିବି
ସେ ଦିନ ସେ ପତ୍ର ଝଡା ହୋଇଯିବ ,
ସଫେଦ ଓ ନିଷ୍ପ୍ରଭ ହୋଇଯିବ ତାର ରଙ୍ଗ ।
ବୁଡିଯିବ ସିନ୍ଦୁର ବିନ୍ଦୁ
ଲିଭିଯିବ ଓଠ ର ଲାଲିମା,
ନିସ୍ତବ୍ଧ ହୋଇଯିବ ହସ୍ତ ପଦର ରାଗିଣୀ।
ଚନ୍ଦନ ତୁଳସୀ ନେବ ପ୍ରସାଧନୀ ସ୍ଥାନ
ପରଜୀବୀ ପରି ବଞ୍ଚିବାକୁ ହେବ ତାକୁ ।
ମୋର ଅନୁପସ୍ଥିତିରେ ସେ ବି ହୋଇଯିବ -
ଏକ ଚଳନ୍ତି ଶବ,
ସୁରମ୍ୟ ପ୍ରାସାଦରେ କୋଣଠେଷା ହୋଇ କାଟିବାକୁ ହେବ ବଳକା ସମୟକୁ ।
ପର୍ବପର୍ବାଣୀ କମି ବଢିଯିବ ଓଷା ଉପବାସ
ସହବାସ ଓ ସହାବସ୍ଥାନରୁ
ଏକାନ୍ତ ବାସ ହେବ ଶ୍ରେୟସ୍କର ।
ଏକା ଡାଳରେ ଏକାକିନୀ ପୁଷ୍ପ ପରି
ଝୁରୁଥିବ ସାଥୀ ପୁଷ୍ପଟିକୁ ;
ସେଥିପାଇଁ ମୁଁ ତା ପାଇଁ ଏତେ ଗରଜ,
ତାର ମୋ ପାଇଁ ଏତେ ଦରଦ ।
ଆଉ, ମୁଁ ଥାଉ ଥାଉ ତାର ଯଦି ଅବର୍ତ୍ତମାନ ହୁଏ -
ମୋ କଥା ପଚାରେ କିଏ ?
ମୋ କାହାଣୀ ହେବ ଅବର୍ଣନୀୟ, ଅକଥନୀୟ ,
ଇଟାଭାଟୀ ପରି ମୋତେ ଜଳିବାକୁ ହେବ ଭିତରେ ଭିତରେ ।
ଯା କଥା ମୁଁ ଏତେ କହୁଛି ସେ ଆଉ କେହି ନୁହେଁ -
ସେ ମୋ ଅର୍ଦ୍ଧାଙ୍ଗିନୀ, ମୁଁ ତାର ଅର୍ଦ୍ଧାଙ୍ଗ,
ଆମେ ଜାୟା ଓ ପତି - ଦମ୍ପତି -
ଜୀବନ ଯୂଦ୍ଧର ଦୁଇଜଣ ଲଢୁଆ ସଂଗ୍ରାମୀ ।
ଡଃ•ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ
ଦିଗପହଣ୍ଡି । ଗଞ୍ଜାମ୍ (ଓଡ଼ିଶା)
For all support related issues or to reach our team, Please check below details.
Spread Happiness Foundation, Pune Maharashtra, Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy
No comments:
Post a Comment