🍂 ଚଢ଼େଇ ବସା🍂
ମ୍ୟାନଜମେଣ୍ଟ ବିଭାଗର କିଛି ଛାତ୍ରଛାତ୍ରୀଙ୍କୁ ଥରେ ସେ ଉଦବୋଧନ ଦେବାବେଳେ ନିଜ ଅନୁଭୂତିରୁ କଥାଟିଏ କହିଥିଲେ। କଥାଟି ଥିଲା ଏହିପରି...👇
ଥରେ ସେ ପତ୍ନୀଙ୍କୁ ସାଙ୍ଗରେ ନେଇ ଏକ ସ୍ଥାନକୁ ବଣଭୋଜି କରିବାକୁ ଯାଉଥିଲେ। ସେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଥିବାରୁ ସୁରକ୍ଷାକର୍ମୀମାନେ ସାଙ୍ଗରେ ବି ଯାଉଥିଲେ। ବାଟରେ ବଡ଼ ଆମ୍ବ ବାଗିଚଟାଏ ପଡ଼ିଲା। ସେ ବଗିଚାର ଡାଳରେ ବହୁ ସଂଖ୍ୟାରେ ପକ୍ଷୀଙ୍କ ବସା ଝୁଲୁଥିଲା। ସେପରି ଦୃଶ୍ୟ ଶେଷାନଙ୍କ ପତ୍ନୀଙ୍କୁ ମୁଗ୍ଧ କରିବାରୁ ସେ ସେହି ବଗିଚା ନିକଟକୁ ଯିବାକୁ ଚାହିଁଲେ।
ଶହଶହ ଚଢ଼େଇ ବସା ମଧ୍ୟରୁ ଦୁଇଟି ସେ ନେଇ ଘରେ ସଜାଇ ରଖିବାର ଇଚ୍ଛା ଜାହିର କଲେ। ଶେଷାନ ଜଣେ ସୁରକ୍ଷାକର୍ମୀଙ୍କୁ ପାଖକୁ ଡକାଇ ସେ କଥା କହିଲେ। ସେତେବେଳେ ବଗିଚା ପାଖରେ ପିଲାଟିଏ ଗାଈପଲକୁ ଚରାଉଥିବା ଦେଖି ସୁରକ୍ଷାକର୍ମୀ ପିଲାଟିକୁ ପାଖକୁ ଡାକିଲେ ଓ ଗଛରେ ଚଢ଼ି ଦୁଇଟି ବସା ତୋଳି ଆଣିବାକୁ କହିଲେ। ପିଲାଟି ରାଜି ହେଲାନି। ପଇସା ଦେଲେ ସେ ରାଜି ହୋଇଯିବ ଭାବି ଶେଷାନ ତାକୁ ୧୦ ଟଙ୍କା ଦେବେ ବୋଲି କହିଲେ। ପିଲାଟି ସେଥିରେ ବି ରାଜି ହେଲାନି। ଶେଷାନ ୫୦ ଟଙ୍କା ଦେବା ପର୍ଯ୍ୟନ୍ତ ଗଲେ, ସେ କିନ୍ତୁ ରାଜି ହେଲାନି।
ସେଠୁ ସେହି ସୁରକ୍ଷାକର୍ମୀ ଟିକେ ଧମକପୂର୍ଣ୍ଣ ଚଢାଗଳାରେ ଶେଷାନଙ୍କୁ ଜଣେ ବଡ଼ ଅଫିସର ବୋଲି କହି ତାଙ୍କୁ ଏମିତି ମନାକରିବା ଠିକ୍ ନୁହେଁ ବୋଲି ପିଲାଟିକୁ ବୁଝାଇବାକୁ ଚେଷ୍ଟାକଲେ।
ଏହା ପରେ ପିଲାଟି ସେମାନଙ୍କୁ କହିଲା ଯେ ସେମାନେ ତାକୁ ଯେତେ ଟଙ୍କାର ଲୋଭ ଦେଖାଇଲେ ବା ଧମକାଇଲେ ବି ସେ ଗଛରୁ ବସା ଦେଇପାରିବ ନାହିଁ। "ଯେଉଁ ବସା ଦୁଇଟି ଆପଣଙ୍କୁ ଦେବି ହୁଏତ ସେଥିରେ ପକ୍ଷୀ ଶାବକ ଥାଇପାରନ୍ତି। ବସା ବାହାରକରିବା ବେଳେ ସେମାନେ ଖସି ପଡ଼ିବେ ବା ମତେ ସେମାନଙ୍କୁ ବାହାର କରି ବସା ଆଣିବାକୁ ହେବ। ସେମାନେ ମରିଯିବେ। ସଂଧ୍ୟାରେ ତା'ର ମା' ଥଂଟରେ ଖାଇବା ଧରି ବସାରେ ପହଞ୍ଚିବା ବେଳକୁ ନା ବସା ଥିବ ନା ତା' ପିଲା ଥିବେ! ସେ ବହୁତ କାନ୍ଦିବ। ସେପରି କାନ୍ଦ ମୁଁ ସହିପାରିବି ନାହିଁ, ମୋର ହୃଦୟ ସେତେ ଟାଣ ନୁହେଁ।"- ପିଲାଟି କହିଲା।
ପିଲାଟିର କଥାଶୁଣି ଶେଷାନ ଦମ୍ପତି ହତବମ୍ବ ହୋଇଗଲେ। ଶେଷାନ କଥାଟି କହିସାରି ମ୍ୟାନେଜମେଣ୍ଟ୍ ପିଲାଙ୍କୁ କହିଲେ - "ମୋର ପଦ, ମର୍ଯ୍ୟାଦା, କ୍ଷମତା ସବୁ ସେହି ପିଲାଟି ପାଖରେ ଅସହାୟ ହୋଇସାରିଥିଲେ। ତା ସମ୍ମୁଖରେ ମୁଁ ଯେମିତି ସୋରିଷ ଦାନାଟିଏ ମାତ୍ର। ବସା ଆଣିବାର ଇଚ୍ଛା ତ ଉଭେଇ ଯାଇଥିଲା, କିନ୍ତୁ ସେହି ଅନୁଭୂତି ମୋ ବିବେକକୁ ବହୁଦିନ ଯାଏଁ ବଡ଼ବଡ଼ ପାହାର ଦେଇଚାଲିଥିଲା। ପିଲାଟିର ବିବେକ, ବିଚାରରେ ମୁଁ କେବଳ ଦୋଷୀଟିଏ ହୋଇ ରହିଯାଇଥିଲି।"
"ଶିକ୍ଷା, ଆଧିପତ୍ୟ ଏବଂ ସାମାଜିକ ପଦପଦବୀ କେବେ ମାନବିକତାର ମାପକାଠି ହୋଇପାରେନା। ଗୁଡ଼ାଏ ଜ୍ଞାନ ଆହରଣ କରି , ପାଠପଢ଼ି ଆମେ ସବୁକିଛି ଜାଣିଗଲେ ବୋଲି ଭାବିବା ହିଁ ମୂର୍ଖତା। ଜୀବନ ସେତେବେଳେ ମଧୁମୟ ହେବ ଯେତେବେଳେ ତୁମର ଜ୍ଞାନ , ଶିକ୍ଷା ତୁମକୁ ସମ୍ବେଦନଶୀଳ ଓ ପ୍ରଜ୍ଞାବାନ୍ କରିବ।"- ଅନୁଭୂତି ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଏପରି ସେଦିନ ପରାମର୍ଶ ଦେଇଥିଲେ ସେତେବେଳର ମୁଖ୍ୟ ନିର୍ବାଚନ ଆୟୁକ୍ତ ସ୍ୱର୍ଗୀୟ ଟି.ଏନ୍.ଶେଷାନ।
For all support related issues or to reach our team, Please check below details.
Spread Happiness Foundation, Pune Maharashtra, Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy
No comments:
Post a Comment