Wednesday, August 12, 2020

ଯମୁନା ରାଣୀ


ଯମୁନା ରାଣୀ ଲୋ ଯମୁନା ରାଣୀ 
ଆଉ ବେଶି ତୁ ଫୁଲେଇ ହୁଅନି ll
ଦୁଇ କୂଳ ଆଉ ଲଙ୍ଘି ଯାଆନି 
ଡରିଯିବ କାଳେ କଳା କହେଁଇ ll
ସମୟ ଆସୁଛି ଆସିବେ ପାଶେ 
ଖେଳିବେ ତୋ ସାଥେ ହୋଇ ହରଷେ ll
ଭାଦ୍ର କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ 
ଜନ୍ମିବେ ମାତା ଦେବକୀ କୋଳରେ ll
କିଟିମିଟି ସେଇ ଅନ୍ଧାର ରାତି
ମେଘ ଗର୍ଜନରେ ଥରାଏ ଛାତି ll
ସାଥେ ତାଳ ଦେଇ ବରଷା ରାଣୀ 
ଚପଳା ସାଙ୍ଗରେ ଦେଖାଏ ଠାଣି ll
ଜନମିବେ ଏକ ଶୁଭ ବେଳାରେ 
ଖୋଲିବ ଶୃଙ୍ଖଳ ଅଙ୍ଗ ସବୁରେ ll
ପ୍ରହରୀଗଣ ହୋଇ ମୂର୍ଛିତ 
ଖୋଲିଯିବ ଆପେ ଲୌହ କପାଟ ll
ପିତା ବାସୁଦେବ ନେଇ ମସ୍ତକେ 
ପଥ ଦେଖାଇବ ଚପଳା ଆଗେ ll
ରାଜା ଉଗ୍ରସେନ ହୋଇବେ ଉଭା 
ହେବେ ଆଚମ୍ବିତ ଦେଖି ସେ ଆଭା ll
ଆସି ପହଁଚିବେ ତୋହରି କୂଳେ 
ପଥ ଛାଡିଦେବୁ ଉଛୁଳା ଜଳେ ll
ଛାଡି ଆସିବେ ପିତା ନନ୍ଦପୁରେ 
ଘେନି ଆସିବେ ମହାମାୟା ସାଙ୍ଗରେ ll
ମାତାଙ୍କୁ ଦର୍ଶନ କରିବୁ ଦୂରେ 
ଏତେ ପୂଣ୍ୟ ଅଛି ତୋର ଭାଗ୍ୟରେ ll
ଅସହ୍ୟ ହେଲାଣି କଂସ ରାଜୁତି 
ଅତ୍ୟାଚାରିଙ୍କର ହୁଡ଼ିଲା ମତି ll
ଦୁଷ୍ଟ ନିବାରଣେ ଧର୍ମକୁ  ରକ୍ଷା 
ଯୁଗ ଯୁଗକୁ ଲୋ ଦେଇ ତୁ ଶିକ୍ଷା ll

ରଙ୍କନିଧି ସେଠୀ
ରଙ୍କନିଧି ସେଠୀ 
ସେକ୍ଟର-୧୪,
ଘ.ନ-ଏ/୧୨୧

ରାଉରକେଲା

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy