ଘନିଆଁ ବନାମ ଘନଶ୍ୟାମ
ଘନିଆଁର ଚିନ୍ତା ଖଟି ଖଟି ମଧ୍ୟ
ପେଟ ତାର ପୂରି ପାରୁନି
ଘନଶ୍ୟାମ ଚିନ୍ତା ଖାଇଥିବା ଖାଦ୍ୟ
ଜମା ତ ହଜମ ହେଉନି ।
ଘନିଆଁ ଚିନ୍ତା ତା ପିନ୍ଧା କପଡାରେ
ପ୍ୟାଚ୍ ଖଣ୍ଡେ ପଡି ପାରୁନି
ଘନଶ୍ୟାମ ଚିନ୍ତା ତା ସୁଟ୍ ବୁଟ୍ କୁ
ଟାଇ ଟା ମ୍ୟାଚ୍ କରୁନି ।
ଘନିଆଁ ଦେଖୁଛି କିରୋସିନି ଦର
ହୁ ହୁ ହୋଇ ବଢୁଛି
କାର୍ ପାଇଁ ତ ପେଟ୍ରୋଲର ଦର
ଘନଶ୍ୟାମଟାକୁ ଘାରୁଛି ।
ଘନିଆଁ ଝିଅକୁ ବାହା ଦେବା ପାଇଁ
ଦିନ ରାତି ବସି ଭାଳୁଛି
ଘନଶ୍ୟାମ ଝିଅ ଘରୁ ପଳାଇବ
ଦରୱାନ ଜଗି ବସିଛି ।
ଘନିଆଁ ଭାବିଛି ଝିଅ ବାହା ପରେ
ପୁଅ ପାଇଁ ବୋହୂ ଖୋଜିବ
ଘନଶ୍ୟାମ ଚିନ୍ତା ବିଦେଶ ମାଟିରୁ
ପୁଅ ବୋହୂ ଧରି ଫେରିବ ?
ଘନିଆଁର ଚିନ୍ତା ସରକାର କାଳେ
ତେଲ ଲୁଣେ ଟ୍ୟାକ୍ସ କଷିବ
ଘନଶ୍ୟାମ ଚିନ୍ତା ଆୟକର ବଢି
ଥିବା ସଂପତ୍ତି ଟା ଭାସିବ ।
ଘନିଆଁକୁ ନିଦ ମାଡୁନାହିଁ ଜମା
ମଶା, ଛାରପୋକ କାଟୁଛି
ଘନଶ୍ୟାମ ଆଖି ପତା ପଡୁନାହିଁ
ବଂଗଳା କୁ ଜଗି ବସିଛି ।
ଘନିଆଁର ପୁଅ ସୁରାଟୁ ଫେରୁନି
ଟିକଟ ଟଙ୍କା ସେ ପାଉନି
ଘନଶ୍ୟାମ ପୁତ୍ର ବିଦେଶରେ ବ୍ୟସ୍ତ
ତା ପାଇଁ ସମୟ ହେଉନି ।
ପିତୃ ଶ୍ରାଦ୍ଧ ପାଇଁ ଯୋଗାଣ ପାଉନି
ଘନିଆଁର ମନ ବିସନ୍ନ
ଜନମ ଦିନକୁ କିପରି ପାଳିବ
ଘନଶ୍ୟାମ ମନ ଉଚ୍ଛନ୍ନ ।
ଦାରିଦ୍ର୍ଯ ରେଖାର ତଳେ ଥାଇ ମଧ୍ୟ
ଘନିଆଁର ଚିନ୍ତା ନାହିଁ
ସାଙ୍ଗ ସାଥୀ ସବୁ ଧନୀ ହୋଇଗଲେ
ଘନଶ୍ୟାମ ହାଇଁପାଇଁ ।
ଭୋଜି ଖାଇଯିବ ଘନିଆଁର ସ୍ତ୍ରୀ
ଶାଢୀ ଖଣ୍ଡେ ଭଲ ନାହିଁ
ଘନଶ୍ୟାମ ସ୍ତ୍ରୀ ଗୁମାନେ ବସିଛି
ବଡ ରାଣୀ ହାର ପାଇଁ ।
ଜ୍ୱର ରୋଗେ ଷଢି ଘନିଆଁ ଜୀବନେ
ଆପଲ୍ ଖଣ୍ଡେ ଖାଇନି
ଛିଙ୍କ ପଡିଗଲେ ଘନଶ୍ୟାମଙ୍କର
"ଆପୋଲୋ" ନ ଗଲେ ହେଉନି ।
ଘନିଆଁ ବାପୁଡା ସଦା ଅସ୍ତବ୍ଯସ୍ତ
"ଆଜି କଥା" ଭାବି ମରୁଛି
ବାବୁ ଘନଶ୍ୟାମ ପଲଙ୍କରେ ଶୋଇ
" କାଲି ପାଇଁ " ବେଶି ଝୁରୁଛି
କାଲି ପାଇଁ ବେଶି ଝୁରୁଛି !!!
ଡଃ•ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ
ଦିଗପହଣ୍ଡି । ଗଞ୍ଜାମ୍ (ଓଡ଼ିଶା)
For all support related issues or to reach our team, Please check below details.
Spread Happiness Foundation, Pune Maharashtra, Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy
ଦିଗପହଣ୍ଡି । ଗଞ୍ଜାମ୍ (ଓଡ଼ିଶା)
For all support related issues or to reach our team, Please check below details.
Spread Happiness Foundation, Pune Maharashtra, Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy
No comments:
Post a Comment