Wednesday, August 12, 2020

*ଆତ୍ମହତ୍ୟା କାହିଁକି*



ଜୀବନର ରାସ୍ତା ଅନେକ ଯେ ବାଟ,
ଚାଲିବା ଆମେରେ କରିତ ସାହସ ।
ଅଧା ବାଟେ ଆମେ ଡ଼ରିଯିବା ନାହିଁ,
ଜୀବନ ଯୁଦ୍ଧରେ କେବେ ହାରିଯିବା ନାହିଁ ।।

ଅନେକ ଯେ ଦାୟିତ୍ୱ ଆମର ରହିଛି,
କେତେଯେ କର୍ତ୍ତବ୍ୟ ଆମର ବାକି ପଡ଼ିଅଛି।
ଆମକୁ ଆତ୍ମନିର୍ଭରଶୀଳ ଯିଏ କରିଥାନ୍ତି ,
ଆମ ବିନା ସିଏରେ ବଞ୍ଚିବେ କେମିତି ।।

ଜନ୍ମ ଦେଇ ଯିଏ ଆମକୁ ଭରସା କରିଛି,
କେତେ ଯେ କର୍ତ୍ତବ୍ୟ ତାପାଇଁ ରହିଛି।  
ବୃଦ୍ଧା ଅବସ୍ଥାରେ ଯଦି ତାଙ୍କୁରେ ଛାଡିବା,
ଦୁଃଖ ସାଗରରେ ତାଙ୍କୁ ଭସାଇଣ  ଯିବା ।।

ଆତ୍ମହତ୍ୟା ନୁହେଁ ସମାଧାନ ବାଟ,
ଅଛିରେ ତା ପାଇଁ ଅନେକ ବିକଳ୍ପ ।
ସମସ୍ୟା ଆସିଲେ ସମାଧାନ ଯେ କରିବା,
ଆତ୍ମହତ୍ୟା କଥା  କାହିଁକି ମନରେ ଭାବିବା ।।

ଆଧୁନିକ ମଣିଷ ଆମେ କାହାକୁ କାହିଁ ଡ଼ରିବା,
 ଅମୂଲ୍ୟ ଜୀବନକୁ ଆମ କାହିଁକି ଯେ ହାରିବା। 
ଭୀରୁ ପରି ଆମେ କାହିଁକି ପଛକୁ ଯେ ହଟିବା ,
ବୀର ପଣେ ସମସ୍ୟାକୁ ସାମ୍ନା ଆମେ କରିବା ।।

ସାଙ୍ଗ ସାଥୀ ସଙ୍ଗେ ଦୁଃଖକୁ ବାଣ୍ଟିବା,
 ମନର ବୋଝକୁ ଯେ ହାଲୁକା କରିବା ।
ମୁକାବିଲା ପାଇଁ ଆଗଭର ହେବା,
ସମାଧାନର ସୂତ୍ର ଟେ ବାହାର କରିବା ।।

ପରିବାର ମଧ୍ୟରେ ଆମେରେ ରହିବା,
ଏକୁଟିଆ କେବେ ପୁଣି ମନେ ନ ଭାବିବା ।
ଆମ କର୍ତ୍ତବ୍ୟ ଯେ ଆମେ କରିଯିବା,
ତାଙ୍କ ସହଯୋଗେ ଆମେ ଆଗକୁ ବଢିବା ।।

ମନକୁ କେବେତ ଆମେ ଦୁଶ୍ଚିନ୍ତା ନଦେବା,
ଭାରାକ୍ରାନ୍ତ ମନେ ଆମେ କେବେ ନ ରହିବା ।
ମନକୁ ହାଲୁକା କରି ଆମେରେ ରଖିବା,
ଜୀବନକୁ ଉପଭୋଗ ନିତି କରୁଥିବା ।।

ଜାଣି ଜାଣି କେବେ ଅଜଣା ହେବାନି,
ଦୁଃଖ ଆଉ କଷ୍ଟକୁ ଯେ ଦେହକୁ ନେବାନି।
ହାରିଯିବା ଭାବି କେବେ ଡରି ଯିବା ନାହିଁ,
ସମସ୍ୟା ଆସିଲେ କେବେ ଭାଙ୍ଗିଯିବା ନାହିଁ ।।

ଦୁଃଖ ପରେ ସୁଖ, ଖାଲ ପରେ ଢ଼ିପ,
ଏକଥା ଆମେ ସମସ୍ତେ ଜାଣିଅଛେ ।
ସବୁ ଜାଣିଶୁଣି ଆତ୍ମହତ୍ୟାର ବାଟଟେ, 
 କାହିଁକି ଆମେ ଯେ ବାଛୁଛେ ।।

ରାସ୍ତାଯେ ଅନେକ ଉଠାଣି ଗଡାଣି,
କେବେ ସିଧା ଥାଏ କେବେ ବଙ୍କା ପୁଣି ।
ଉଠାଣିରେ ଯଦି କଷ୍ଟ ହେଉଅଛି,
ଗଡାଣି ଆମପାଇଁ ଖୁସି ଆଣି ଦେଉଛି।।

ଆସୁ ଯେତେ ଝଡ଼ ଆସୁ ଯେତେ ଝଞ୍ଜା,
ଧୌର୍ଯ୍ୟହରା କେବେ ମନରେ ନ ହେବା ।
 ସମାଧାନ ପାଇଁ ଆମେ ଆଗକୁ ବଢିବା ,
ମନ ମଧ୍ୟରେ ସାହସ  ସଞ୍ଚିକି ରଖିବା ।।

ଜୀବନଟି ଆମର ଏତେ ନୁହେଁରେ ଶସ୍ତା,
କାହିଁକି ବାଛିବା ଆମେ  ମୃତ୍ୟୁର ରାସ୍ତା ।
 ମୃତ୍ୟୁ ନୁହେଁ ଆମ ଜୀବନର ଲକ୍ଷ୍ୟ,
ବାଛି ନେବା ଆମେରେ ଅନେକ ବିକଳ୍ପ ।।


ଶ୍ରୀ ସୁଦାମ ଦଳବରା
ତୁରୁମୁ,ଭଞ୍ଜନଗର, ଗଞ୍ଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy