Monday, August 10, 2020

ଗଳ୍ପ - ରାକ୍ଷୀ

          ଆସନ୍ତା କାଲି ରାକ୍ଷୀ ପୂର୍ଣ୍ଣିମା । ବହୁତ ଦିନ ଆଗରୁ ପ୍ରତ୍ୟେକ ବର୍ଷ ରାକ୍ଷୀ ପଠାଇଦିଏ କୁନି  ।  ଭାଇ ତାର ସୁଦୂର ମହାରାଷ୍ଟ୍ର ରେ ଚାକିରି କରନ୍ତି । ଥରେ ଥରେ ଭାଇ ନିଜେ ଆସି ତା ହାତରୁ ରାକ୍ଷୀ ପିନ୍ଧନ୍ତି ଓ ସୁନ୍ଦର ସୁନ୍ଦର ଡ୍ରେସ୍ ଓ ଵହି ଉପହାର ଦିଅନ୍ତି  । ଏ ବର୍ଷ ......  ଭାଇ ତ ଅଛନ୍ତି ତାଙ୍କ ଘର ପାଖରେ ।  କିନ୍ତୁ ଘର ଲୋକ ସେଠିକୁ ଯିବା ମନା  ।

       କରୋନା ପାଇଁ କମ୍ପାନୀ ବନ୍ଦ ହୋଇଯାଇଥିଲା  ।  ପ୍ରବାସୀ ଓଡ଼ିଆଭାଵେ ଓଡିଶା ସରକାର ତା ଭାଇକୁ ଆଣିଥିଲେ ସୁଦୂରମହାରାଷ୍ଟ୍ରର଼ୁ  ।  ସେଠୁ ଆସି ଚଉଦଦିନିଆ କ୍ବାରେଣ୍ଟାଇନରେ ଗାଁ ସ୍କୁଲରେ ରହିଲା  ।  ଚଉଦ ଦିନ ପରେ ଜଣାପଡିଲା ତା ଭାଇ କରୋନା ପଜିଟିଭ  ।  କରୋନା ଭାଇଭଉଣୀଙ୍କ ମଧ୍ୟରେ ଅଦୃଶ୍ୟ ପାଚେରୀ ପରି ଛିଡ଼ା ହୋଇଥିଲା  । ଏତେ ପାଖରେ ଥିଲେ ବି କେହି କାହାକୁ ଦେଖି ପାରୁ ନ ଥିଲେ ।  କୋଭିଡ୍ ପଜିଟିଭ ଥିବାରୁ ସରକାରୀ ଗାଡି ତାକୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରୁଥିବା ଖବର ପାଇ ସ୍କୁଲ୍ ପାଖରେ ପହଞ୍ଚିଥିଲା କୁନି  ।  ଭାଇ ଗାଡିକୁ ଗଲାଵେଳେ ହାତ ହଲାଇଥିଲା  ।  ଧାର ଧାର ଅଶ୍ରୁ ବହିଯାଉଥିଲା କୁନିର  ।  ବାବା ଗତେଶ୍ବରଙ୍କୁ ଗୁହାରି କରୁଥିଲା ଭାଇଙ୍କୁ ଭଲ କରି ଦେବାକୁ  ।

       ଘରର ସମସ୍ତଙ୍କୁ ରଖାଯାଇଥିଲା ଏକଘରିକିଆ କରି ।  ଘରେ ତାଙ୍କର ମରାଯାଇଥିଲା ଷ୍ଟାମ୍ଫ୍  ।  କାହାରି ଘରକୁ ଯାଇ ପାରୁନ ଥିଲେ ତେଣୁ  ।  ମଝିରେ ମଝିରେ ଫୋନ୍ କରୁଥିଲା ଭାଇ । ବାପାମାଆ ସ୍ଥାଣୁ ପାଲଟି ଯାଇଥିଲେ ।  ଖାଉଥିଲେ ଜୀବନ ଅଛି ଵୋଲି  ।  ଯାହା ଖାଉଥିଲେ ନ ଖାଇବା ସଙ୍ଗେ ସମାନ ।

         ଗୋଟିଏ ପୁଅ ରାଜୁ ଓ ଝିଅ କୁନି  ।  ଵାପା ଗାଁ ପ୍ରାଇମେରୀ ସ୍କୁଲ୍ ରେ ଚାକିରି କରନ୍ତି  । ଏକ ପ୍ରକାର ସ୍ଵଚ୍ଛଳ  ପରିବାର  ।  ତଥାପି ଵିଶେଷ ସ୍ଵଚ୍ଛଳ ନୁହେଁ  ।  ନିମ୍ନ ମଧ୍ୟବିତ୍ତ ପରିବାର ।  ଜୀଵନଯାକ ରୋଜଗାର କରି ଅପର୍ତ୍ତି ସାର ଦୁଇବଖରା ଛାତଘର ସହ ରାଜୁକୁ ପଢାଇବାରେ ସବୁ ସାରିଥିଲେ  ।  ରାଜୁ ଵି ଅତି ସୁଧାର ପିଲା  ।  ଅପର୍ତ୍ତିବାବୁଙ୍କର ଵାପାମାଆ ପରଲୋକ ଗମନ କରିଥିଲେ  ।  ଝିଅଟିକୁ ପଢାଉଥିଲେ ନିଜ ଗୋଡ଼ରେ ଛିଡା କରାଇବେ ଭାବି  ।  ଦୁଇଟି ପିଲାଙ୍କୁ ପଢାଇଲେ ଆଉ ଧନର କି ଆବଶ୍ୟକତା ।  ପେନ୍ ସନ୍ ରେ ଵୁଢାଵୁଢି ଚଳିଯିବୁ  । 

       କିନ୍ତୁ ସବୁ ଓଲଟପାଲଟ କରିଦେଲା ମହାମାରୀ ଭୁତାଣୁ । କାହା ସଂସ୍ପର୍ଶରେ ଆସି ରାଜୁର କରୋନା ପଜିଟିଭ ଵାହାରିଵା ଦିନରୁ ଖୁସି ଏକ ପ୍ରକାର ଚାଲିଯାଇଥିଲା କହିଲେ ଚଳେ । କାଲି ରାକ୍ଷୀ ପୂର୍ଣ୍ଣିମା, କୁନି ମନ ଦୁଃଖ କରି ବସିଥିଲା  ।  ସେମାନେ ଏକଘରିକିଆ ଥିବାରୁ କାହାକୁ ନେଇ ଵି ସେ ଯାଇପାରୁ ନ ଥିଲା  ।  

        ରାକ୍ଷୀ ପୂର୍ଣ୍ଣିମା  ।  ଗାଧୋଇ ପାଧୋଇ ଖୁବ୍ ସକାଳୁ ରାକ୍ଷୀ ଧରି ଵାହାରିଗଲା କୁନି  ।  ବୟସ ପନ୍ଦର ।  ଦୌଡ଼ି ଦୌଡ଼ି ଦୁଇଟି ଗାଁ ପାରି ହୋଇଗଲା  ।  ତାପରେ ଥକିଗଲା କୁନି ।  ହାତରେ ପାଣିଵୋତଲ, ମିଠା ଓ ରାକ୍ଷୀ  ।  ଟିକେ ବସି ପଡ଼ିଲା  ।  ନା, ନା, ଭାଇ ହାତ ଖାଲି ଥିବ  ।  ଆଜି ରାକ୍ଷୀ ପୂର୍ଣ୍ଣିମା କହି ଚାଲିବାକୁ ଲାଗିଲା   ।  ଆଉ 4/5 ଟି ଗାଁ ପାରି ହେବା ପରେ ଜଣେ ଲୋକ ଅଟୋରେ ଯାଉଥିବାର ଦେଖି ହାତ ଟେକିଲା  ।  ଛୁଆଟିଏ ଦେଖି ସେ ଅଟୋଵାଲା ନେଇଗଲା ତାକୁ  ।  

        ସହର  ।  ଗୋଟେ ଗୋଟେ ଗାଡି ଚାଲୁଛି ସଟ୍ ଡାଉନ୍ ଯୋଗୁଁ  ।  କେଡେ ପ୍ରଶସ୍ତ ରାସ୍ତା  !!!  ଚାରିଆଡେ ମୁନିସିପାଲିଟି ଗାଡି ସାନିଟାଇଜ୍ କରୁଥିଲା  ।  ଚାଲିଲା କୁନି  । ନା, ଆଉ ହେବନି, ବହୁତ ବେଳ ହେଲାଣି  । ଦୌଡିଲା ଏଥର କୁନି  ।  ସମ୍ମୁଖରେ ଦେଖିଲା ଜିଲ୍ଲା କୋଭିଡ୍ କେୟାର ସେଣ୍ଟର  ।  ସମ୍ଭାଳି ନ ପାରି ଦୌଡିଲା  ।  ହଠାତ୍ ମୁନିସିପାଲିଟି ଗାଡି ସମ୍ମୁଖକୁ ଆସିଯାଇଥିଲା  କୁନି ।  ଗାଡି ଛାତି ଓ ମୁଣ୍ଡରେ ଚାଲିଯାଇଥିଲା  ।  ରକ୍ତାକ୍ତ ଅବସ୍ଥାରେ ପଡିଥିଲା କୁନିର ଶରୀର  । 

       ଦୁଇଥର ସ୍ବାବ୍ ଟେଷ୍ଟରେ ନେଗେଟିଭ୍ ଆସିବା ହେତୁ ବହୁତ ଖୁସିରେ ଗୋଡ କାଢିଥିଲା କୋଭିଡ୍ କେୟାର୍ ସେଣ୍ଟରରୁ ରାଜୁ  ।  ଏ କ'ଣ  ?? ଏତେ ଲୋକ କାହିଁକି ଗେଟ୍ ପାଖରେ  ।  ପାଖକୁ ଯାଇ ଦେଖେ ତ ତାର ପ୍ରିୟ ସାନ ଭଉଣୀ କୁନି ଆଜି ଧୂଳିରେ ରକ୍ତାକ୍ତ ଅବସ୍ଥାରେ ପଡିଛି  ।  ପାଖରେ ଲଥ୍ କରି ବସି ପଡ଼ିଲା ରାଜୁ ।  ଦେଖିଲା ହାତରେ ଧରିଛି ଜଗନ୍ନାଥ ଥିବା ରାକ୍ଷୀଟିଏ ଓ କିଛି ମିଠା  ।   ତୁ କାହିଁକି ଆସୁଥିଲୁ ଚଣ୍ଡାଳୁଣୀ ??  ମୁଁ ତ ଭଗବାନଙ୍କୁ ଡାକୁଥିଲି ତୋ ପାଖରେ ପହଞ୍ଚିବାକୁ  ।  ତୋତେ ବାରମ୍ଵାର ମନା କରିଥିଲି ଆସିବାକୁ  ।  କାହିଁକି ଆଉଥିଲୁ  ?? ରାକ୍ଷୀ କୁନି ହାତରୁ ନେଇ କାନ୍ଦୁଥିଲା ରାଜୁ  । ହଁ, ଏଇ ତୋ ମୋ ଭିତରେ ମିଳନର ସେତୁ  । କିନ୍ତୁ ଏ କଣ କଲା  ???  ତୋ ଜୀ......ଵ......ନ.........


କଳ୍ପନା ରାୟ ,ସହକାରୀ ଶିକ୍ଷୟିତ୍ରୀ,
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର  ।

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy