ଡ.ଗୁରୁ ମୂର୍ତ୍ତି ନାୟକ
ମଣିଷ ହୋଇ ପର ଛିଦ୍ର ଖୋଜ
କଦାପି ହାତଛଡା କର ନାହିଁ
ମିଳିଗଲେ ଫେଡାଣ ,ଗୁଣନ
କର ଅହରହ
କେଉଁ ଆନନ୍ଦ ମିଳେ
କେଉଁ ଖୁସି, ପ୍ରଶାନ୍ତି ଆଣେ
କହି ପାରିବ ତମେ ?
ତିନିହାତ ଚାଖଣ୍ଡେ ନିଜ ହାତେ
ମଣିଷ ଗଛ ତମେ
ତମଛାଇ ସକାଳ, ସଂଜେ ବଢେ
ସଂସାର ବୋଝେ
ଦ୍ବିପହରେ ଏତେ ବକଟେ
ତମଛାଇ ହୁଏ କାହିଁକି?
ପିଲାମାନଙ୍କୁ ଦେଖିଲେ
ଗେଲରେ ଡାକି ଈର୍ଷା କର
ବିଭତ୍ସ କାଣ୍ଡ ତିଆର
କାମନା ମେଣ୍ଟାଅ
ଭୟ କରି ଇହଲୀଳାର
ଅବେଳରେ ଖେଳ ଶେଷ କର
କାହିଁକି ଦେଖିପାର ନାହିଁ
କଢଫୁଲଟିର ସଂଭାବନାର ହସ ?
ପରିଣତ ବୟସରେ ବୁଢାଟି
ଥିରି ଥିରି ବାଡି ଧରି ଚାଲିଲେ
ବାଡି ଛଡାଇ
ପରିହାସ କର
କେଉଁ ଛିଦ୍ର ଦେଖି
ଫେଡାଣ, ଗୁଣନ କର?
ମଧ୍ୟାହ୍ନ ସମୟେ ଠିଆ ହୋଇ
ରକ୍ତବଳେ ମାରୁଛ କୁହାଟ ?
ଦେଖ ସ୍ଥିର ଆତ୍ମା ସୂର୍ଯ୍ୟଙ୍କ
କାଳର ଗତିକୁ
ବୟସ ଉଦୟ ଅସ୍ତକୁ
ନିଜ ପାଇଁ ନିଜେ
ତିଆର ଶାନ୍ତିର ଘର
ପରଠାରୁ ଶିଖି
ହେ ମନୁଷ୍ୟ ପୁତ୍ର ।
ପଶୁପକ୍ଷୀ ଦେଖି ଜାଣ
ନାହିଁ ତାଙ୍କ ଲୋଭ
ପେଟ ପୁରା ହେଲେ
ସଂଚୟ କରନ୍ତି ନାହିଁ
ଏଥିପାଇଁ ତ ଏତେ କଥା
ହତ୍ୟା, ଲୁଣ୍ଠନ ,ଗୁଣ୍ଡାରାଜ
କଳାବଜାର,ନାନା ଭିଆଣ
ଥରେ ହେଜ
ପୁଅ ଯୋଗ୍ୟ ତ ଧନ
କାହିଁକି ସଞ୍ଚ
ପୁଅ ଅଯୋଗ୍ୟ ତ
ଧନ କାହିଁକି ସଞ୍ଚ
ଏଥିପାଇଁ ପର ଛିଦ୍ର କାହିଁକି ଦେଖ?
ମନୁଷ୍ୟ ପୁତ୍ର ନଈଟିକୁ ଦେଖ
ଯୁଗ ଯୁଗ ଧରି ଧର୍ମ ଓ ନିୟମ
ନେଇ ବହୁଛି ତ ବହୁଛି
ଏଇ ଦୃଶଦବତୀର ଶାନ୍ତ ତଟେ
ସାବରମତୀ କୁଟିର କରି
ମହାମାନବ ମହାତ୍ମାଗାନ୍ଧୀ
ବିନା ରକ୍ତପାତେ ସ୍ବାଧୀନତା
ଥିଲା ଆଣି
ଶିଖିଥଲେ ନଈଧାରୁ
ଶାନ୍ତି ଅହିଂସା ବାଣୀ
ତମେ କି କରୁଛ ଆଜି
ଶୁଣି ପାରୁନା
ମହାବନର ମହାସଂଗୀତ
ଗଙ୍ଗା ନଈକୂଳେ ବସି
ଚିର ପିପାସୀ
ରତ୍ନସ୍ତୂପେ ବସି ଚିର ଉପବାସୀ
ପର ଛିଦ୍ର ଖୋଜି
କିବା ପାଉଅଛ ଫଳ
ନିଜେ ଶାନ୍ତି ପାଅ
କରି ନିଜ ଖେଳ ।।
ଅଧ୍ୟାପକ
ଭଂଜନଗର,ଗଂଜାମ
No comments:
Post a Comment