ମାଧବୀ ପଟେଲ।
ରେଣୁକା ଏକ ପେଡିଏଟ୍ରିକ କନ୍ଫରେନ୍ସ ପାଇଁ ସ୍ବାମୀସହ କଟକ ଯାଇଥାଏ।ତିନି ଦିନର କାର୍ଯ୍ୟକ୍ରମରେ ସେମାନେ ଯାଇଥିଲେ।ପ୍ରଥମ ଦୁଇଦିନ ସେ ବହୁତ ବୋର୍ ହେଲା।ଡାକ୍ତର ମାନଙ୍କ ଆଲୋଚନାରେ ସେ କଣ ବୁଝିବ।ମିଟିଂରେ ବସି ବିରକ୍ତି ଲାଗିଲେ ଛୋଟ ପୁଅଝିଅଙ୍କୁ ନେଇ ବାହାର ପାର୍କକୁ ପଳେଇ ଆସେ।ସେଠି ସବୁଜଘାସରେ ସଜ୍ଜିତ ଲନରେ ବସି ବଗିଚାର ସୁନ୍ଦରତାରେ ବୁଡିଯାଏ।
ଅନେକ ରକମ ଗୋଲାପ ଡାଲିଆ ଗେଣ୍ଡୁ ଓ ଆହୁରି କେତେ ଦେଶୀ ବିଦେଶୀ ଫୁଲରେ ବଗିଚା ଭରିପଡିଥାଏ।ପ୍ରଜାପତିମାନେ ଏଠିସେଠି ଉଡି ମଧୁ ସଂଗ୍ରହରେ ଲାଗିଥାନ୍ତି।ପାର୍କ ମଝିରେ ଏକ କୁତ୍ରିମ ଝରଣା ବହିଆସୁଥିଲା ଯାଫଳରେ ଛୋଟଛୋଟ ଜଳକଣା ସବୁ ଛିଟିକି ଚାରିଆଡକୁ ଶୀତଳତା ପ୍ରଦାନ କରୁଥାଏ।କେତୋଟି ଦୋଳିଓ ସ୍ଲାଇଡିଂ ଲାଗିଥାଏ।ପାଞ୍ଚ ବର୍ଷର ଝିଅ ସ୍ବରୁପା ଓ ଦୁଇବର୍ଷର ପୁଅ ସୌଭାଗ୍ୟ ସେଠି ଯାଇ ଦୋଳି ଖେଳୁଥାନ୍ତି।ଲଞ୍ଚ ଟାଇମ୍ ହେଲେ ତା ସ୍ବାମୀ ଫୋନ କରନ୍ତି।ସେମାନେ ଯାଇ ଯୋଉଠି ଖାଇବାର ବ୍ୟବସ୍ଥା ହେଇଥାଏ ଖାଇ ଆସନ୍ତି।ବହୁତ ପ୍ରକାର ଖାଦ୍ୟ ପ୍ରସ୍ତୁତ ହେଇଥାଏ ଭୋଜିଭଳି।ନିଜ ନିଜ ପସନ୍ଦର କିଛି ଖାଇ ପୁଣି ପାର୍କକୁ ଚାଲି ଆସନ୍ତି ସେମାନେ।ପୁଣି ରାତିଯାଏ ଡାକ୍ତରଙ୍କର ମିଟିଙ୍ଗ ଚାଲେ।ଏପରିଦିନଟେ ବୋର ହେବାପରେ ଦ୍ବିତୀୟ ଦିନ ଲଞ୍ଚସାରି ସେମାନେ କୋଣାର୍କ ଓ କାଳିଯାଇ ବୁଲି ଆସିବା ପାଇଁ ବାହାରିଲେ।ଉପରବେଳା କୋଣାର୍କ ଦେଖି ହୋଟେଲ ଫେରି ପୁଣି ଅନ୍ୟଦିନ ସକାଳୁ କାଳିଯାଇ ଯିବାର ଯୋଜନା ବନେଇଲେ।ଦୁଇଟା ବେଳେ ସେମାନେ କୋଣାର୍କ ବାହାରିଗଲେ ଗାଡିଟେ ଭଡାକରି।ଚାରିଟାବେଳକୁ ପହଞ୍ଚିଗଲେ କୋଣାର୍କରେ।ଖରା ଚାଲିଯାଇଥାଏ ସୁଲୁସୁଲିଆ ପବନ ବହୁଥାଏ।ବହୁତ ମନମୋହିଲାଭଳି ପରିବେଶ ହେଇଥାଏ।ମନ୍ଦିରକୁ ମୁଖଶାଳାରେ ପଶୁପଶୁ ଗୋଟିଏ ପଟେ ନବଗ୍ରହଙ୍କ ମୂର୍ତ୍ତ ସବୁକୁ ରଖାହେଇଥିବା ଦେଖିଲେ।ମନ୍ଦିର ଗାତ୍ରରେ ଆଶ୍ଚର୍ଯ୍ୟ ଚକିତ କଲାଭଳି ଭାଷ୍କର୍ଯ୍ୟର ଜୀବନ୍ତ ଉଦାହରଣ ଧରି ଠିଆ ହେଇଥିଲେ ଅନେକ ମୂର୍ତ୍ତୀ।ନଟନଟୀ ମୂର୍ତ୍ତୀ ରତିକ୍ରୀଡାରତ ଦମ୍ପତିଙ୍କ ପ୍ରତିମୂର୍ତ୍ତୀ ସବୁ ସୁସଜ୍ଜିତ ହେଇଛି ଚାରିଆଡେ।ହାତୀ ଘୋଡା ଯୁଦ୍ଧର ଦୃଶ୍ୟ ପଶୁ ପକ୍ଷୀ କେହି ବାଦ ପଡି ନାହାନ୍ତି।ରଥ ଆକାରରେ ନିର୍ମିତ ହେଇଥିବା ମନ୍ଦିରର ଚକ ମାନେ ହୃତ ଗୌରବର ମୁକ ସାକ୍ଷୀ ପାଲଟି ଦଣ୍ଡାୟମାନ ହେଇଛନ୍ତି।ଉପର ଅଂଶ ଭଗ୍ନ ହେଇ ସାରିଛି କାଳର କରାଳ ଗ୍ରାସରେ।ଯେଉଁ କିଛି ଅଂଶ ବଞ୍ଚିଛି ତାକୁ ଦେଖି ଅନୁମାନ କରିହୁଏ ଦିନେ କୋଣାର୍କ ର ସୋନ୍ଦର୍ଯ୍ୟ କେତେ ଭବ୍ୟ ଥିବ।
ରେଣୁକା ଅତୀତ ଭିତରକୁ ଚାଲିଗଲା।କେମିତି ଦିସୁଥିବ କୋଣାର୍କ।କୋଣାର୍କକୁ ଲାଗି ଥିବ ଚନ୍ଦ୍ରଭାଗା।ଯୋଉଠି ଧର୍ମପଦ ଡେଇଁ ଆତ୍ମବିସର୍ଜନ ଦେଇଥିଲା।ତରଙ୍ଗାୟିତ ଜଳରାଶିରେ ପଡୁଥିବ ମନ୍ଦିରର ଛାଇ।ବାଳସୂର୍ଯ୍ୟ ସାଗରର ନୀଳଜଳରେ ସ୍ନାନ ସାରି ଡିଆଁ ମାରୁଥିବେ କୋଣାର୍କ ଭିତରକୁ।ଅଦୂରରେ ଝାଉଁ ବଣର ସାଇଁସାଇଁ ଶବ୍ଦ ଶୁଭୁ ଥିବ। ଆଉ ଯେତେ ବେଳେ ମନ୍ଦିରର କାମ ଚାଲିଥିବ କେମିତି ଥିବ ସେଠାର ଦୃଶ୍ୟ। ଶୁଖଲା ବାଲୁକା ପ୍ରାନ୍ତରରେ ଖରା ଗରମ ଶୀତ ବର୍ଷା ଖାଇ ଶ୍ରମିକ ମାନେ ଅହରହ କାମ କରୁଥିବେ।ଟିକେ ସୁସ୍ତାଇଲେ ପିଠିରେ ଚାବୁକର ପ୍ରହାର ସହିବାକୁ ପଡୁଥିବ।ସାମାନ୍ୟ କିଛି ଡାଲିଚଉଳ ଫୁଟାଇ ଖାଉଥିବେ ଆଉ ଏତେ ବଡ ବଡ ହାତୀଠୁ ବଡ ପଥର ସବୁକୁ କେମିତି ଉପରକୁ ଟେକି ଉଠାଉ ଥିବେ।ସେତେବେଳେ ତ କ୍ରେନ ବା କିଛି ଯନ୍ତ୍ରର ସୁବିଧା ନଥିଲା ଏସବୁ ଉପରକୁ ଉଠାଇବା ପାଇଁ।ପଥର ସବୁ ନିହାଣରେ ଖୋଦେଇ କରି ଚିତ୍ରିତ କରିବାକୁ ପଡୁଥିଲା ଜୀବନ୍ତ କରି।ଠିକ ସମୟରେ କାମ ନସରିଲେ ମୁଣ୍ଡ କାଟ ର ଭୟ।
ନିଜ ପରିବାର ବର୍ଗଙ୍କୁ ଛାଡି ବର୍ଷବର୍ଷ ରାଜାଙ୍କ କାମରେ ଖଟୁଥିଲେ ସେମାନେ।ଏମିତି ଏକ କାହାଣୀ ଧର୍ମପଦ ।ସମସ୍ତେ ଉଣା ଅଧିକେ ଜାଣିଛନ୍ତି ଏ କାହାଣୀ।ବିଶୁ ମହାରଣା କୋଣାର୍କ ମନ୍ଦିର ତିଆରିପାଇଁ ଡକାହେଇ ଆସିଥିଲେ। ନିଜ ଗର୍ଭବତୀ ସ୍ତ୍ରୀକୁ ଘରେ ଛାଡି ସେ ଦୀର୍ଘ ବାରବର୍ଷ ଦୂରେ ରହିଥିଲେ।ମନ୍ଦିରରେ କାମ କରୁଥିବା ଶ୍ରମିକ ମାନେ ଦିନରାତି ଖଟୁଥିଲେ।ଖାଇବାଓ ସୌଚଛଡା ଆଉ କିଛିପାଇଁ ସମୟ ନଥିଲା।ଏପରିକି ଖିଅରବି ହେଇ ପାରୁନଥିଲେ।ଠିକେ ଭୂଲହେଲେ କଡାଦଣ୍ଡ ମିଳୁଥିଲା।ବିଶୁଙ୍କ ପୁଅଟିଏ ଜନ୍ମନେଲା।ସେ ସ୍କୁଲ ଗଲାପରେ ଦିନେ ସାଙ୍ଗମାନେ ତାକୁ ଅଣବାପୁଆ କହି ଚିଡାଇଲେ।ସେ ସହି ପାରିଲାନି ଏକଥା ନିଜ ବାପାରଖୋଜ ପାଇଁ ବାହାରିଲା।ମାଆ ପୁଅର ଜିଦି ପାଖେ ହାରିତାହାତରେ ବାଡି ବଅଁର କୋଳି ଦେଇ ପଠାଇଲେ।ସାଙ୍ଗରେ ପୋଷାକୁକୁର କାଲୁକୁ ନେବାକୁ ନିର୍ଦେଶ ଦେଲେ।କାରଣ କାଲୁକୁ ବିଶୁ ଚିହ୍ନି ପାରିବେ।ଆଉ କାଲୁବି ବିଶୁପାଖରେ ଧର୍ମପଦକୁ ପହଞ୍ଚେଇବ।ସେମାନେ କାମରେ ସଫଳ ହେଲେ।ପିତାପୁତ୍ରର ମିଳନ ହେଲା।
ପ୍ରଥମ ମିଳନ ହେଉଥିଲା ପିତାପୁତ୍ରର ବହୁତ ଖୁସିଥିଲେ ଦୁଇଜଣ।ସେତେବେଳେ ଖବର ଆସିଲା ସାତଦିନ ଭିତରେ ମନ୍ଦିର ମୁଣ୍ଡି ମରାନଗଲେ ବାରଶହ ବଢେଇଙ୍କ ମୁଣ୍ଡକାଟ ହେବ।ସମସ୍ତ ବଢେଇ ଦୁଃଖିତ ଭୟଭିତ ଥିଲେ।ଧରମା ସେକଥାଜାଣି ନିଜେ ଘରେ ମାଆ ପାଖରୁ ଶିଖିଥିବା ଜ୍ଞାନରେ ମନ୍ଦିରର ମୁଣ୍ଡି ମାରିଦେଲା।ହେଲେ ଏବେ ଆଉ ଏକ ସମସ୍ୟା ଦେଖାଦେଲା ରାଜା ଯେବେ ଜାଣିବେ ମାତ୍ର ବାରବର୍ଷ ଯୁବକ ମୁଣ୍ଡି ମାରିଦେଲା ଆଉ ବଢେଇ ମାନେ ଅକୃତକାର୍ଯ୍ୟ ହେଲେ ତେବେ ରାଜା ପିଲାକୁ ପୁରସ୍କାର ଦେବେ ଓ ତାଙ୍କୁ ମୃତ୍ୟୁଦଣ୍ଡ।ସେତେବେଳେ ବଢେଇ କୁଳ ବିଶୁଉପରେ ଯୋର ଦେଲେ ବଢେଇ କୁଳର ଦାୟ
ବା ପୁଅଳ ଦାୟ।ବାପା କିଂ କର୍ତ୍ତବ୍ୟ ବିମୁଢ ହେଇପଡିଲେ।ସେତେବେଳେ ପୁଅ ନିଜ ପୁତ୍ରଧର୍ମ ପାଳନ କଲା।ମନ୍ଦିର ଶିଖରକୁ ଚଢି ନିଜ ଜୀବନକୁ ଆତ୍ମହୁତି ଦେଇଦେଲା ଅନ୍ଧାର ରାତିରେ।ଏକ ତେଜଦୀପ୍ତ ପ୍ରତିଭା ଅକାଳରେ ଚନ୍ଦ୍ରଭାଗାଗର୍ଭରେ ବିଳୀନ ହେଇ ଯାଇଥିଲା।
ଏଇ ଭଗ୍ନସ୍ତୁପ କୋଣାର୍କ ମାଟିରେ ଏମିତି କେତେ ଯେ କରୁଣ କାହାଣୀ ଲୁଚି ରହିଛି କିଏ ଜାଣେ।ଶହଶହ କାରିଗରଙ୍କର ଲୁହ ଲହୁରେ ଭିଜି ଏହାର ସିମେଣ୍ଟ
ଗୋଡିମାଟି ମଜବୁତ ହେଇଛି।ଏହାର କାନ୍ଥରେ କାନ ଲଗାଇ ଶୁଣିଲେ।କେତେ ଗରିବଙ୍କ କରୁଣ କ୍ରନ୍ଦନ ଶୁଣିପାରିବ।।କେତେ ଗରିବ ବାପାମାଆ ପୁତ୍ରଠାରୁ ଅଲଗା ରହି ଲୁହ ଗଡାଇ ମୃତ୍ୟୁପଥର ଯାତ୍ରୀ ହେଇଛନ୍ତି।କେତେ ପତ୍ନୀ ପତି ସୁଖରୁ ବଞ୍ଚିତ ହେଇ ଅନିଦ୍ର ରଜନୀ ବିତେଇଛନ୍ତି ଅଶ୍ରୁସିକ୍ତ ନୟନରେ।
ରେଣୁକା ସେଇ ଅତୀତର ଦୃଶ୍ୟପଟରେ ହଜି ଯାଇଥିଲା ଏତେ ସମୟ।ପିଲାମାନେ ସବୁ ବୁଲିବୁଲି ମନ୍ଦିରର କାରୁକାର୍ଯ୍ୟ ଦେଖୁଥିଲେ ତାଙ୍କ ବାପାସହ।ସୂର୍ଯ୍ୟ ଅସ୍ତମିତ ହେବା ଉପକ୍ରମରେ ଥିଲେ।ଘରବାହୁଡା ପକ୍ଷୀଙ୍କର କିଚିରିମିଚିରି ଶବ୍ଦ ଭାସି ଆସୁଥିଲା ପାଖ ଗଛ ମାନଙ୍କରୁ।ସମସ୍ତେ ନିଜ ନିଜ ଆଶ୍ରୟ ସ୍ଥଳକୁ ଫେରି ଆସିଥିଲେ। ଆଉ ସିଏ ନିଜ ପରିବାର ନେଇ ନିଜ ଆଶ୍ରୟସ୍ଥଳ ହୋଟେଲ ଅଭିମୁଖେ ଫେରିଆସିଥିଲା।କାଲିକି ପୁଣି ତାଙ୍କୁ କାଳିଯାଇ ଯିବାର ଅଛି।ରାତିରେ ବିଶ୍ରାମ ଦରକାର ସେମାନଙ୍କୁ।
ଝାରସୁଗୁଡା।
No comments:
Post a Comment