Friday, January 15, 2021

ବ୍ୟାସକବି ସ୍ମରଣେ

କବିସୌରଭ କୈଳାଶଚନ୍ଦ୍ର ବେହେରା

ଆହେ ବ୍ୟାସକବି ଫକୀରମୋହନ ,
      ଆଜିପରା ତୁମ୍ଭ ଶୁଭ ଜନ୍ମଦିନ ।
ଅଠରଶ ତେୟାଳିଶି ମସିହାରେ,
    ଜାନୁୟାରୀ ଚତୁର୍ଦ୍ଦଶ ତାରିଖରେ ।
ବାଲେଶ୍ୱର ଜିଲ୍ଲା ମଲ୍ଲିକାଶପୁରେ ,
      ମକରସ°କ୍ରାନ୍ତି ଶୁଭ ଅବସରେ ।
ଲକ୍ଷ୍ମୀଚରଣ ଥିଲେ ତୁମ୍ଭ ପିତା ,
ତୂଳସୀଦେବୀ ତ ଥିଲେ ତୁମ୍ଭ ମାତା ।
ବାଲ୍ୟନାମ ଥିଲା ବ୍ରଜମୋହନ ,
   ବୁଢ଼ୀ ମା' ନିକଟେ କଟିଥିଲା ଦିନ ।
ମାତାଙ୍କ ଦେହାନ୍ତ ପରେ ବିଳମ୍ବରେ ,
     ବିଦ୍ୟାରମ୍ଭି ନଅ ବର୍ଷ ବୟସରେ ।
କୃତୀଛାତ୍ରରୂପେ ହୋଇଲ ବିଦିତ ,
      ଓଡ଼ିଆ ଭାଷାର ରଖିଲ ମହତ।
ଶିକ୍ଷକତା ଆଉ ଦେଓ୍ବାନ ବୃତ୍ତିକୁ ,    
ଆପଣାଇ ନେଲ ପେଟ ପୋଷିବାକୁ ।
ଓଡ଼ିଆ ଭାଷାର ସମୃଦ୍ଧି ପାଇଁକା ,
     ପ୍ରକାଶ କରିଲ ଦୁଇଟି ପତ୍ରିକା ।
ସମ୍ବାଦବାହିକା ଓ ବୋଧ ଦାୟିନୀ ,
    ଓଡ଼ିଆ ଭାଷାକୁ କଲା ଓଜସ୍ବିନୀ ।
ନୂଆ ଗଦ୍ୟଶୈଳୀ ଉପନ୍ୟାସ ସ୍ରଷ୍ଟା ,
      ଭାଷାର ଜନକ ଥିଲ ଦୂରଦ୍ରଷ୍ଟା ।
ରେବତୀ, ଛମାଣ ଆଠଗୁଣ୍ଠ , ମାମୁ ,
      ପ୍ରାୟଶ୍ଚିତ ଆଦି ଝରିଲା କଲମୁ ।
ଭାରତବର୍ଷର ଇତିହାସ ଲେଖି ,
    ଯୁଗାନ୍ତରେ ରଖିଗଲ ମୂକ ସାକ୍ଷୀ ।
ବାମଣ୍ଡାର ରାଜା ପ୍ରତିଭାକୁ ଦେଖି ,
ଚକିତରେ ଖୋଷି ହୋଇଗଲା ଆଖି ।
ସନ ଉଣେଇଶ ଷୋଳ ମସିହାରେ ,
    ବିଭୂଷିଲେ ସରସ୍ବତୀ ଉପାଧିରେ ।
ସାହିତ୍ୟ ଓ ହାସ୍ୟ ବିଦ୍ରୁପ କଟାକ୍ଷ ,
     ଲେଖି ଓଡ଼ିଆର ସ୍ଫିତ କଲ ବକ୍ଷ ।
ଉଣେଇଶ ଅଷ୍ଟାଦଶ ମସିହାରେ ,
      ଜୁନ୍ ଚଉଦ ରଜ ସ°କ୍ରାନ୍ତିରେ ।
ଇହଲୀଳା ତୁମ୍ଭେ ସମ୍ବରଣ କଲ ,  
ଓଡ଼ିଶାବାସୀଙ୍କୁ ଶୋକେ ଭସାଇଲ ।
ଛତୁଆ ଶ୍ମଶାନେ ହୋଇଲ ଦହନ ,
     ଅଟକିଲା ତୁମ୍ଭ ଅମ୍ଳାନ ଲିଖନ ।
ସାହିତ୍ୟଆକାଶଠାରୁ ଚିରଦିନ ,
  ବ୍ୟାସକବି ତାରା ହେଲା ଅବସାନ ।
ଏ ଶୁଭ ଦିନରେ ହେ ଭାଷା ଦର୍ପଣ ,
     ସମସ୍ତ ଓଡ଼ିଆ କରୁଛୁ ସ୍ମରଣ ।
ପରଲୋକୁ କର ଆଶିଷ ପ୍ରଦାନ ,   
ଦେଶଭାଷା ସେବି ଯାଉ ଏ ଜୀବନ ।
 ----------------------------------------
ବାଲିଗୁଡ଼ା , କନ୍ଧମାଳ ।

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy