ସୁକାନ୍ତ କୁମାର ନାୟକ
ପ୍ରେମ !
କେବେ
ଅମା ଅନ୍ଧାରର
ଦୀପଟିଏ ପରି
ଆଲୋକିତ କରେ ନିତି,
ପ୍ରେମ !
କେବେ
ଜଳନ୍ତା ଦୀପର
ଶିଖାଟିଏ ପୁଣି
ଜାଳି ଦେଇପାରେ ମତି |
ପ୍ରେମ !
କେବେ
ଦଗ୍ଧ ସଳିତାର
ପାଉଁଶରେ ଥିବା
କାଳିମାର କଳା କୀର୍ତ୍ତି,
ପ୍ରେମ !
କେବେ
ନିସୃତ ଧ୍ଵନିର
ତରଙ୍ଗେ କମ୍ପିତ
ଥରାଇ ଦିଏ ସେ ଛାତି |
ପ୍ରେମ !
କେବେ
ଅମାପ ଯନ୍ତ୍ରଣା
ସହି ହସିପାରେ
ଦୁଃଖକୁ କରିଣ ସାଥୀ,
ପ୍ରେମ !
କେବେ
ଅସମ୍ପୂର୍ଣ ସେହି
ଭାବନାର ସୂତ୍ର
ବାନ୍ଧିରଖେ ନିଜ କତି |
ପ୍ରେମ !
କେବେ
ଅଥଳ ସାଗର
ଶାମୁକା ଭିତରେ
ଶୋଇଥିବା ଏକ ମୋତି,
ପ୍ରେମ !
କେବେ
ମହାଭାରତର
ପଣ କରିଥିବା
ପାଣ୍ଡବଙ୍କ ମା' କୁନ୍ତୀ |
ପ୍ରେମ !
କେବେ
ବାସର ରାତିର
ଲାଜେଇ ଝିଅଟେ
ଦେହେ ଭରିଦିଏ ତାତି,
ପ୍ରେମ !
କେବେ
ପାହାନ୍ତି ରାତିର
ଝରା ଶେଫାଳି ସେ
କାନ୍ଦୁଥାଏ ଲୁହେ ତିନ୍ତି |
>>>>>>>>>>•<<<<<<<<<<<
ଶିକ୍ଷକ, ନୁଣିପଡା ଶାସନ, ଗଞ୍ଜାମ ✒️
ଅଶେଷ ଧନ୍ୟବାଦ sir
ReplyDelete