Friday, January 15, 2021

ଭାଷା କୁ ଦେଲ ଭରସା

ହେ ସର୍ଜନଶୀଳତାର ସମ୍ରାଟ
କେମିତି ହୋଇପାରିଲ ତୁମେ ଅଦ୍ଵିତୀୟ
ବିବେକ ଶିଳ୍ପୀ ଟିଏ  
ପିତୃମାତୃ ହରା  ଜୀବନ ତୁମର
କିପରି ତୋଳିପାରିଲା ସମ୍ଭାବନାର
ଚୁନା ଚୁନା ସ୍ବପ୍ନ କୁ ....
କିପରି ଆଙ୍କିଦେଲ ନିଖୁଣ ଭାବେ
ଅନ୍ଧବିଶ୍ୱାସର ଦଲିଲ ରେ 
ବିଶ୍ୱାସର ଚିତ୍ରପଟ ।
ନିଃସର୍ତ୍ତ ସମର୍ପିତ ହୃଦୟ ତୁମର
କିପରି ହୋଇପାରିଲା ଧୈର୍ଯ୍ୟ,ସହନଶୀଳତାର
ଗନ୍ତାଘର ,ଜେଜେମା 'ର ସ୍ନେହ ପାଇ
କିପରି ହୋଇଉଠିଲ ତୁମେ 
ରକ୍ତ ମାଂସ ଧାରୀ ମଣିଷରୁ
ଅସାଧାରଣ ମହାଦର୍ଶର  
ଏକ ଶାଣିତ ସତ୍ୟ....   ।
ଏବେ ବି ଭୁଲିନାହିଁ ଆଉ 
ଭୁଲିପାରିବ ବି ନାହିଁ ଏ ସମାଜ 
ସେଇ ନିଛକ ଚରିତ୍ର ରେବତୀ କୁ
ଝିଅଟିଏ ଘାତ ପ୍ରତିଘାତ ଭିତରେ
ଆଗକୁ ପାଦ ବଢାଇବା ବେଳେ 
ସହୁଥିବା ନିନ୍ଦା ପ୍ରତିବାଦର 
ତୀକ୍ଷଣ ଆଘାତ କୁ 
ଆଜି ବି ନିଜକୁ ରାଜରାଜେଶ୍ୱର
ଭାବୁଛି  ଗାଁ ଦାଣ୍ଡ ଧୂଳି ମାଟିର
ଭାଷା ...ତୁମ ଗଳ୍ପ ଆଉ ଉପନ୍ୟାସରେ
ଜୀବନ୍ତ କଠୋର ସତ୍ୟରେ ଏବେ ବି 
ତରଙ୍ଗାୟିତ ଜନ ଜୀବନର କଥା ।
ନୈରାଶ୍ୟ ଭିତରେ ତୁମେ ଦେଖାଇଥିଲ
ଆଶାର କଳ୍ପବଟ ତୁମ କଳ୍ପନାରେ
ଜୀବିତ ହୋଇଉଠିଥିଲା ପ୍ରେମ ପ୍ରକୃତି
ଜୀବନ ବୋଧର ଚିତ୍ର ।
ଜାତିପ୍ରେମର ବହ୍ନି ଭିତରେ
କାଟୁଥିଲ ବର୍ଷ ,ମାସ ,ଦିନ ଦଣ୍ଡ
ଆଉ ତୁମ ଚିନ୍ତା ଚେତନାରେ  ଗଢ଼ା
ଜାତି ସୌଧ ର ପାହାଚରେ 
ଲିଭି ଯାଇଥିଲା ଆୟୁଷର  ଦୀପ
ହେ ଯୁଗ ସ୍ରଷ୍ଟା 
ଫକୀର ମୋହନ
ତୁମ ପାଦ ତଳେ କରେ ଶତ ଶତ 
ପ୍ରଣାମ ନିବେଦନ     ।

ଦୀପ୍ତି  ଦେବଦର୍ଶିନୀ ସୁତାର
ଓରାଳି,ହାଟଡିହୀ,କେନ୍ଦୁଝର --758083

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy