*ବାସନ୍ତୀ ଲତା ଜେନା*
ସୁନ୍ଦର ସଂସାର ରଚିଲେ ଈଶ୍ବର
ଶାଶ୍ୱତ ପ୍ରେମରେ ଭରା
ମଣିଷକୁ କଲେ ଜୀବରେ ଉତ୍ତମ
ହସି ଉଠେ ଆମ ଧରା l୧l
ଫୁଲରେ ଭରିଲେ ମଧୁର ସୁବାସ
କୋକିଳକୁ ମିଠା ସ୍ୱର
ଜାହ୍ନବୀକୁ ଦେଲେ ଅମୃତର ସୁଧା
ଶୋଷ ମେଣ୍ଟେ ପାନୀୟର l୨l
ସତ୍ୟ ଦୟା କ୍ଷମା ହୃଦୟେ ରହିଲେ
ଶ୍ରେଷ୍ଠ ମଣିଷ ତ ସେହି
ନ୍ୟାୟ ଧର୍ମ ସାଥେ ଗତି କରୁ ଥିଲେ
ଈଶ୍ବର ଖୁସି ହୁଅଇ l୩l
ଦିବ୍ୟ ଭାବନାରେ ବଶିଭୂତ ହେଲେ
ଆତ୍ମା ସ୍ଵଛ ହୋଇ ଯାଏ
ନିଃସ୍ୱାର୍ଥର ସେବା ପରକୁ ନିଜର
ମନ ମଧ୍ୟେ ସ୍ଥାନ ପାଏ l୪l
ମନ ହୁଏ ଯଦି ସ୍ୱାର୍ଥ କବଳିତ
ଲୋଭ ମୋହ ଘେରି ଯାଏ
ଅଧର୍ମରେ ପାଦ ସେ ଲୋକ ସ୍ଥାପଇ
ଧର୍ମ ଲୁପ୍ତ ହୋଇ ଯାଏ l୫l
ପାପ ପୂଣ୍ୟ କଥା ବିଚାର ନ କଲେ
ଦୁଃଖ ଭୋଗିବାକୁ ହୁଏ
ଅମୃତର ସୁଧା ଜହର ହୁଅଇ
ନର୍କ ଭୋଗ ଏଠି ହୁଏ l୬l
ପରଂ ବ୍ରହ୍ମ ଶାନ୍ତି ଯେଉଁଠାରେ ହୁ'ନ୍ତି
ଦେବ ଗୁରୁଜନ ପୂଜା
ସେହି ଠାରେ ସ୍ୱର୍ଗ ବିଦ୍ୟମାନ ହୁଏ
ଉଡ଼ଇ ବିଜୟ ଧ୍ବଜା l୭l
ସୁଚରିତ୍ର ହୋଇ ସଂଯମୀ ଜୀବନ
ଯେଉଁ ବ୍ୟକ୍ତି ଆଚରଣ
ଅନ୍ୟର ଦୁଃଖରେ ଦୁଃଖି ହୋଇ ଥାଏ
ସାର୍ଥକ ତାର ଜୀବନ l୮l
ଘୃଣା ଅବସାଦ ଦୂର କରି ଦେଲେ
ଦୋଷ ମୁକ୍ତ ହୁଏ ମନ
ଶୁଦ୍ଧତା ଯେଉଁଠି ପବିତ୍ର ସେଇଠି
ଚଉବର୍ଗ ଫଳ ଦାନ l୯l
ଏଇଠାରେ ସ୍ୱର୍ଗ ଏଇଠାରେ ନର୍କ
ନିଜ କର୍ମ ଫଳ ମାନ
ଯେମିତି ବୁଣିବ ସେମିତି କାଟିବ
ଏତ ବିଧିର ବିଧାନ l୧୦l
ଗାନ୍ଧିନଗର, ପୋଷ୍ଟ /ଜିଲ୍ଲା : ନବରଙ୍ଗପୁର,
No comments:
Post a Comment