Monday, January 25, 2021

ଜଗନ୍ନାଥ ନାମ ନେଇ


ତାପ୍ତିମୟୀ ପଣ୍ଡାମିଶ୍ର, ମେଲଛାମୁଣ୍ଡା ବରଗଡ ।।

ଜଳୁଅଛି ମୁହିଁ ଜଳୁଥିବି ନିତି 
ମଙ୍ଗଳ ଦୀପାଳି ସାଥେ 
ଆସୁ ଯେତେ ଝଡ ବାଆ ଓ ବତାସ 
ମୋହରି ଜୀବନ ପଥେ ।।

ସକାଳ ଦୀପରେ ସଂଜ ଆଳତିରେ 
ଜଳିବାଟା ଦେଖୁଥିବୁ 
ଜାଳି ଜାଳି ମୋତେ ସଳିତାଟି ଭଲି 
ପାପ ସବୁ ଧୋଇଦେବୁ ।।

ଜୀବନରେ ଯେବେ ଜଳିବା ଲେଖାରେ 
ତିଳେ ଦୁଃଖ କରିବିନି 
ତୋର ଦାନ ଭାବି ଦୁଃଖ ଚାପି ଦେବି 
ଅଭିଯୋଗ ବାଢିବିନି ।।

ଶ୍ରୀଅଙ୍ଗରେ ତୋର ଲାଗି ହେଉଥିବି 
ଅପ୍ରାକୃତିକ ପ୍ରେମ ସାଥେ 
ତୋଳି ଧରିନେବୁ ବାହୁରେ ତୋହର 
ଅବିର ଲଗାଇ ମାଥେ ।।

ହସୁଥିବି ମୁହିଁ ତୋ' ହୃଦୟେ ଥାଇ 
ତୋ' ଶୀତଳ ସ୍ପର୍ଶ ପାଇ 
ଜୀବନ ସଫଳ ହେଲା ବୋଲି ଭାବି 
ଜଗନ୍ନାଥ ନାମ ନେଇ ।।
************************

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy