ବାସନ୍ତୀ ଲତା ଜେନା
ପିତା ମାତା କୋଳେ ଝିଅଟିଏ ମୁହିଁ
ଅଗଣା ତୁଳସୀ ପରି
ସ୍ନେହ ଶରଧାରେ ବାନ୍ଧି ରଖି ଥାଏ
ସଭିଙ୍କୁ ନିଜର କରି l୧l
ରୁଣୁ ଝୁଣୁ ଚାଲି ଗୁଲୁ ଗୁଲୁ କଥା
ସବୁରି ଓଠର ହସ
ମୋତେ ଦେଖି ମାତା ଦୁଃଖ ଭୁଲି ଯାଏ
ଗେହ୍ଲ କରଇ ଅଶେଷ l୨l
ବାପାଙ୍କର ପରା ଗେହ୍ଲା ଝିଅ ମୁହିଁ
ଜେଜେମା ନୟନ ଜ୍ୟୋତି
ବଡ଼ ଭାଇଙ୍କର ସେନେହର ଡୋର
ଜେଜେଙ୍କର ଟିକି ମୋତି l୩l
ବିଦ୍ୟାଳୟ ଗଲି ସାଙ୍ଗ ସାଥି ହେଲି
ପାଠରେ ଲାଗିଲା ମନ
ଗୁରୁଜୀ ଗୁରୁମା ବିଦ୍ୟା ଶିକ୍ଷା ଦ୍ୟ'ନ୍ତି
ସୁଚରିତ୍ର ନୀତି ଜ୍ଞାନ l୪l
ସାଙ୍ଗ ସାଥି ମେଳେ କୁଆଁର ପୁନେଇଁ
ଖୁଦୁରୁକୁଣୀ ପୂଜନ
ପଞ୍ଚୁକ ପୁନେଇଁ ରଜ ଦୋଳି ଗୀତ
ହରିଛି ସଭିଙ୍କ ମନ l୫l
ସେନେହ ଆଦର ସୁଶୀଲତା ଗୁଣ
ଭକ୍ତି ମଧୁର ବଚନ
ଅତିଥି ଦେବଙ୍କୁ ସନମାନ ଦିଏ
ଖୁଆଏ ଅନ୍ନ ବ୍ୟଞ୍ଜନ l୬l
ଦୁହିତା ମୋ ନାମ ଦୁଇ କୁଳ ହିତା
ସଦା ଥାଏ ମନେ ମୋର
ବାପ ଘର ଆଉ ଶାଶୁ ଘର ମଧ୍ୟେ
ସମାନତା ରଖେ ତାର l୭l
ଦୁହିତା ଭଗିନୀ ଜାୟା ଓ ଜନନୀ
ଚାରି ଗୋଟି ରୂପ ମୋର
ସବୁ ସମ୍ପର୍କକୁ ଯୋଡି ରଖି ଥାଏ
କାହାକୁ ନ କରେ ପର l୮l
ଦୁଃଖ କଷ୍ଟ ସବୁ ନିଜେ ସହି ନିଏ
ସାହସ ଧଇର୍ଯ୍ୟ ଧରି
ସର୍ବଂସାହା ନାରୀ ବସୁମତୀ ଛବି
ମନ ମୋ କୁସୁମ ପରି l୯l
ଶକ୍ତି ପ୍ରଦାୟିନୀ ସୁଜନ କାରିଣୀ
ମମତା ମୟୀ ଜନନୀ
ସନ୍ତାନ ବତ୍ସଳା କରୁଣା ଦାୟିନୀ
ଗୃହ ଲଷ୍ମୀ ସ୍ୱରୂପିଣୀ l୧୦l
ନାରୀ ନାରାୟଣୀ ଅନ୍ନପୂର୍ଣା ରୂପ
ସାହିତ୍ୟ କଳା ବିଜ୍ଞାନ
ଦେଶ ଶାସନରେ ଅଗ୍ରଣୀ ମୁଁ ପରା
ଆବିଷ୍କାର ଉଦ୍ଭାବନ l୧୧l
ଘରକୁ ସମ୍ଭାଳେ ଅଫିସ ଚଳାଏ
ଏକ ହାତେ ବହୁ କାମ
ଦୁର୍ଗାଙ୍କ ସ୍ୱରୂପ ଝିଅଟିଏ ମୁଁ ଯେ
ମର୍ତ୍ତ୍ୟ ହୁଏ ସ୍ୱର୍ଗ ଧାମ l୧୨l
ଶୃଙ୍ଖଳା ସଂଯମେ ନୀତି ଚାଲେ ମୁଁ ଯେ
ମଧୁର ବଚନ କହି
ଦକ୍ଷତାରେ ଭରା ମର୍ତ୍ତ୍ୟର ରମଣୀ
ସେବା ଯତ୍ନ କରୁ ଥାଇ l୧୩l
ଗାନ୍ଧିନଗର, ନବରଙ୍ଗପୁର l
No comments:
Post a Comment