ବାସନ୍ତୀ ଲତା ଜେନା
ଗାଆଁଟି ମୋର କେଡେ ସୁନ୍ଦର
ସବୁଜ ବନ ଭୂଇଁ
ସକାଳ ସୂର୍ଯ୍ୟ ଉଇଁ ଆସଇ
ମୁରୁଜ ବୁଣି ଦେଇ l 1l
ସେଇଠି ମୋର ଏନ୍ତୁଡ଼ି ଶାଳ
ସେଇଠି ଷଠି ଘର
ତା ଧୂଳି ମାଟି ପାଣି ପବନ
ଚନ୍ଦନ ହୁଏ ମୋର l2l
ସଞ୍ଜ ସକାଳେ ଆଳତି ହୁଏ
ଗାଁ ମନ୍ଦିର ଠାରେ
ଶଙ୍ଖ ଘଣ୍ଟାର ଶବଦ ଶୁଭେ
ଗାଁ ମୁଣ୍ଡ ସେପାରେ l3l
ମୋ ଗାଁ ନଈ ବହି ଯାଉଛି
କୁଳୁ ତlନର ସ୍ୱର
ନଦୀ ପଠାରେ କାଶ ତଣ୍ଡିର
ହୋଇଛି ଫୁଲ ଘର l 4l
ଗାଆଁ ପୋଖରୀ କଇଁ ଫୁଲରେ
ଦିଶୁଛି ଶୋଭା ବନ
ମଲ୍ଲୀ ମାଳତୀ ଗୋଲାପ ରାଣୀ
କିଣି ନେଉଛି ମନ l 5l
ଭାଇ ଚାରରେ ମୋ ଗାଆଁ ପରା
ସଭିଙ୍କୁ ବଳି ଯାନ୍ତି
ଦୁଃଖ ସୁଖରେ ଦୁଆରେ ଆସି
ସହାୟ ହୋଇ ଥାନ୍ତି l 6l
ମୋ ଗାଁ ଲୋକ ସରଳ ପରା
ଛନ୍ଦ କପଟ ନାହିଁ
ପୁନେଇ ପର୍ବ ପାଳିଣ ଥାନ୍ତି
ଗୋଟିଏ ମନ ହୋଇ l7l
ଗୋଧୂଳି ବେଳେ ଗୋପାଳ ଆସେ
ଗୋରୁ ପଲ ଅଡେ଼ଇ
ସୂର୍ଯ୍ୟ ଲୁଚିଲେ ତୁଳସୀ ମୂଳେ
ମାଆ ସଞ୍ଜ ଦିଅଇ l 8l
ଫୁଲ ଫଳରେ ପୂରି ରହିଛି
ଭଳି କି ଭଳି ଯେତେ
ଜାମୁ ଖଜୁରୀ ତୋଳି କି ଖାଉ
ଇଛା ଯାହାର ଯେତେ l 9l
ବରଷା ଦିନେ ଗାଆଁ ପିଲାଏ
ପାଣିରେ ଖେଳି ଥାନ୍ତି
ଝଡି ବରଷା ଆନନ୍ଦ ଦିଏ
ଡ଼ଙ୍ଗା ଭାସଇ ଥାନ୍ତି l10l
ଗାଆଁରେ ଚାଷ ଅଧିକ ହୁଏ
କୃଷକ କୃଷି କରେ
ପିଠା ପଣା ତା ଘରେ ହୁଅଇ
ହୃଦେ ପୁଲକ ଭରେ l11l
ସ୍ୱର୍ଗ ସୁଷମା ମର୍ତ୍ତ୍ୟରେ ଅଛି
ମୋ ଗାଆଁ ରୂପ ରେଖ
ଯେତେ କହିଲେ ମନ ନ ପୁରେ
ସୌନ୍ଦର୍ଯ୍ୟ ଆଭା ଦେଖ l12l
ଗାନ୍ଧିନଗର, ନବରଙ୍ଗପୁର l
No comments:
Post a Comment