Tuesday, January 19, 2021

ସୋମାର ଦୁଃଖ

  ସରୋଜ କୁମାର ସାହୁ


ଦାଣ୍ଡଦୁଆରରେ ସୋମାକୁ ଗୋଡାଇ ଗୋଡାଇ ପିଟୁଥାଏ" ରଞ୍ଜିତା"।"ମରିଗଲି", "ମରିଗଲି" ବୋଲି ଯେତେ ଚିତ୍କାର କରୁଥାଏ ତଥାପି ସେ ଶୁଣିବାକୁ ନାରାଜ।ଯେତିକି କାନ୍ଦୁଥାଏ ସେତିକି ପିଟୁଥାଏ ଖାଲି ଆଖି ଦିଟାକୁ ଛାଡି।ନୋଳାଫାଟି ରକ୍ତ ବି ଝରୁଥାଏ ପିଠିରୁ।ଦଶବର୍ଷର ପିଲାଟା କେତେ ବା ସହିବ।ଥରିଲା ଥରିଲା କଣ୍ଠରେ କହୁଥାଏ "ତୋର ସବୁ କଥା ମାନିବି, ସବୁ କାମ କରିବି ,ଥରୁଟିଏ କ୍ଷମା କରିଦେ ଲୋ ବୋଉ "।ବୋଉ, ରାଗିଲେ କାହାରିନୁହେଁ ମୋ ସାଙ୍ଗରେ ପୁଣି ଏତେ "ନଖରାମୀ"।ମୁଁ, ଦି କାନକୁ ଧରି ଛିଡା ହୋଇଥିଲା ବେଳେ ଭୟରେ ଗୋଡ ଥରି ଏପାଖ ସେପାଖ ହଉଥାଏ।ଲୁହ ବି ଝରୁଥାଏ ଆଖିରୁ।

  ଜେଜେମା, ଜେଜେବାପା ସବୁ ଶୁଣି ନ ଶୁଣିଲା ଭଳି ଛିଡା ହୋଇଥାନ୍ତି।କଣ ବା ସେ କରିବେ ? ସତୁରିବର୍ଷ ପରେ ପେଜ ତୋରାଣିରେ ଭୋକ ମେଣ୍ଟି ସାହାରା ଲୋଡୁଥିବା ମଣିଷର କି ବା ଅଧିକାର, ପ୍ରତିରୋଧ କରିବାର। 

କ୍ଷୀର ଗରମ କରି ବୋଉ କାମରେ ବ୍ୟସ୍ତ ରହିଲା।ଘଣ୍ଟାଏ ଯାଇ ଦି ଘଣ୍ଟା ହେଲା।ମୁଁ ସେଇଠି ଛିଡା ହୋଇ ଭାବୁଥାଏ, ମୋର ଭୁଲ୍ ରହିଲା କୋଉଠି? ହସଖୁସି, ଖେଳକୁଦ ତ ନାହିଁ ..... ଦିନସାରା ଘରେ।ସ୍କୁଲ୍ ଖୋଲୁଥିଲା ବୋଲି ତ ଦିନଟା ସେଇଠି କଟିଯାଏ ପିଲାଙ୍କ ମେଳରେ। ସ୍କୁଲ୍ ଛୁଟି ହେଲା ଦିନଠୁ ଡୋରି ବନ୍ଧାହେଲା ଖୁସିରେ।ଗାଳିମନ୍ଦ କରି ଘରକାମରେ ଲଗାଇଲା ବୋଉ।ବାସନ ମାଜିବା ,ଘର ଝାଡୁ କରିବାଠୁ ଆରମ୍ଭ କରି ରୋଷେଇ କରିବାଯାଏ।ଅାଜି ଘର ଝାଡୁ କରିବା ସମୟରେ ଦେଖିଲି, ବହିରେ ଅଳନ୍ଧୁ ସହିତ ଉଈ ଲାଗିଛନ୍ତି ଯେଉଁଥିରେ ବହିର ଅଧାଅଂଶ ପୂରା ନଷ୍ଟ।ମନ ଦୁଃଖରେ କ୍ଷୀର ଗରମ କରିବା କଥା ଏକଦମ ଭୁଲିଗଲି ଯାହାର ଏଇ ଦଶା।

ରୋଷେଇ ସରି ମାଛ ଭଜା ସହ ଡାଲମା ବି ହେଲା।ସୋମୁ, ଶୋଇଲା ପରେ ବୋଉର ରାଗ ଶାନ୍ତ ହେଲା କି କଣ? ମୋତେ ଡାକିଲା ,ହାତଧୋଇ ଖାଇବାକୁ।ମୁହଁ ଧୋଇ ହାତ ଧୋଇଲାବେଳେ ଦେଖିଲି ମୁହଁରେ କଳାକଳାର ଦାଗର ଚିହ୍ନ।ଦେହ ଦରଜରେ ଭରା।ଆଖି ଖୋଜୁଥିଲା ଶେଜ ଟିକିଏ ବିଶ୍ରାମ।ପେଟରେ ଭୋକ ନଥିଲା ଆଉ .....ଅଧା ଖାଇ ଚାଲି ଆସିଲି।ଶେଷରେ ମାଛ ଖଣ୍ଡିଏ ଯାଚିଲାବେଳେ ମନାକଲି ଯୋଉଟା ଏବେବି ଗିନାରେ।

ମୁହଁମାଡି ଶୋଇଲି ସତ ହେଲେ ଆଖିରେ ନିଦ ନଥିଲା .... ଥିଲା ଖାଲି ଭାବନା।ମୋ ପ୍ରତି ବୋଉର ଘୃଣାଭାବ କେତେ ଆଗକୁ ଆଗକୁ ଯାଉଛି ଜଳଜଳ ଦିଶୁଥିଲା ମୋତେ।ବୋଉର ଆଗଭଳି ଆଦର ନାହିଁ ଆଉ।ଧନ ଗଲ୍ଲୀର କଅଁଳିଆ ଡାକ କାନରେ ଅାଉ ବାଜୁନି।ଛୋଟ ଖଣ୍ଡିଆରେ ଯିଏ ଓଳିଏ ଓପାସ ରହୁଥିଲା ସେ ଆଜି ବଦଳିଗଲା କେମିତି? ସତରେ ସେ ମୋର ବୋଉ କି ସାବତ ବୋଉ, ଏମିତି ଅନେକ ପ୍ରଶ୍ନ?

ସୋମୁ ହେଲା ଦିନଠୁ ସବୁ ଅଧିକାର ହେଉଛି ତାର।ପୁନେଇ ପରବରେ ନୂଆ ଜାମା ଗିଫ୍ଟ୍।ଯେଉଁଦିନଠୁ ତାର ଜନ୍ମଦିନ ପାଳନ ହେଲା ମୋର ଜନ୍ମ ଦିନକୁ ଭୁଲିଗଲା ବୋଉ।ବାପା, ବୋଉକୁ ନ ଜଣେଇ କେବେ କେବେ ଛୋଟମୋଟ ଉପହାର ଦିଅନ୍ତି ଯେଉଁଥିରେ ମନ କୁଣ୍ଢେମୋଟ ହୋଇଯାଏ।ଏମିତି ଭାବୁଭାବୁ ଆଖିକୁ କେତେବେଳେ ଯେ ନିଦ ଆସିଗଲା ଜାଣିନି।

ଶୋଇଛି ଯେ ଶୋଇଛି... ନିଦ ଭାଙ୍ଗିଲା ବେଳକୁ ଦେଖିଲି ବାପାଙ୍କ ହାତ ମୋ ଉପରେ।ଧୀରେଧୀରେ ସାଉଁଲୋଉଛନ୍ତି ତାଙ୍କର ବଧିରା ହାତରେ।ଆଖିରୁ ଲୁହ ଜକେଇ ପଡୁଛି ମସିଣାରେ।ସେତେବେଳକୁ ଦେହରେ ପ୍ରବଳ ଜ୍ବର।ବାପାକୁ ଦେଖି କାନ୍ଦି ଉଠିଲି.... ସେ ବି କାନ୍ଦିଲେ ଆଖିରେ ଆଖି ମିଶେଇ।କୋଳେଇ ନେଲେ ପାଖକୁ ଆହୁରି ପାଖକୁ।ହାତରେ କାନଫୁଲଟିଏ ଧରେଇ ଦେଇ କହିଲେ " ତୋ ଜନ୍ମଦିନର ଉପହାର "।ତୋର ବୋଉ, ସାକ୍ଷୀ ଥିଲେ ମସିଣାରେ ନୁହେଁ କୋଳରେ ଶୁଆଇଥାନ୍ତା।ଏମିତି ଲୁହରେ ନୁହେଁ ହସରେ ଭିଜୁଥାନ୍ତୁ।ବାପା ଶୁଆଇଦେଇ ଜଡିବୁଟି ପାଇିଁ ଗଲାବେଳେ ଭାବୁଥାଏ, ବୋଉ ସାକ୍ଷୀର କଥା... ଦିଶୁଥାଏ ତାର ହସହସ ପ୍ରତିଛବି।


ସରୋଜ କୁମାର ସାହୁ

ଆଠଗଡ,କଟକ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy