Tuesday, January 19, 2021

ଗରିବର ସ୍ବପ୍ନ

ଗରିବ ଆଖିରେ ସପନର ମାନେ

ପେଟପୁରା ଦିନେ ଭାତ

ରଙ୍ଗୀନ ଲୁଗାଟେ ଶୀତ ସହୁଥିବ

ମୁଣ୍ଡପରେ ଥିବ ଛାତ    ।।


ଖଟିବନି ତା'ର କଅଁଳ ପିଲାଟା

ହୋଟେଲ କାରଖାନାରେ 

ପାଠଶାଠ ପଢି ଶିକ୍ଷିତ ସମାଜେ

ଠିଆହେବ ସମ୍ମାନରେ    ।।


ଘର ଦି'ବଖରା ଛୋଟ ବାଡ଼ିଟିଏ

କରିବ ସେ ଉପବନ

ଅନେକ ରଙ୍ଗୀନ ବାସ ଗଛ ପୋତି

ହରଷ କରିବ ମନ         ।।


ଘରଣୀ କାନିରେ ବାନ୍ଧିଦେଉଥିବ

ସ୍ନେହ ମମତାର ଧନ

ଭୋକିଲା ପେଟରେ ଏହାକି ସମ୍ଭବ

ଗରିବ ଦେଖେ ସପନ         ।।


ନିଜ ପରିବାର ମୁଁହରେ ଫୁଟିଲେ

ହସର କୁସୁମ କଳି

ସୁନାର ରାଇଜେ ଅଭାବ ହେବନି

ଅପସରି ଯିବ କଳି           ।।


ପୂରି ଉଠୁ ସବୁ ହୃଦକନ୍ଦରରେ

ମମତା ଭରା ଆବେଗ 

ଅନ୍ୟର ଖୁସିରେ ଖୁସି ହେଉଥିଲେ

ସପନ ସତ ହୋଇବ          ।।


ଗରିବର ମନ ସିଲଟରେ ଲେଖେ

ସୁବର୍ଣ୍ଣମୟ ତା' ଭାଗ୍ୟ

ଦିନରେ ସନ୍ତୁଷ୍ଟ ଚିତ୍ତ ଅଭିନୟ

ରାତ୍ରିରେ ସ୍ବପ୍ନ ଦେଖିବ          ।।


ଦୀପ୍ତି ଦେବଦର୍ଶିନୀ ସୁତାର

ଓରାଳି ,ହାଟଡିହୀ,କେନ୍ଦୁଝର -758083

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy