ମାଧବୀ ପଟେଲ।
ପୌଷ ମାସର ରାଜତ୍ବ।ଏବର୍ଷ ଶୀତର ମିଜାଜ ଟିକେ ଗରମ।ସେ କଡାକଡି ଭାବେ ତାର ପ୍ରଭାବ ପକାଉଛି
ବେଚାରା ପୃଥିବୀର ଜୀବଜଗତ ଉପରେ।ସାଙ୍ଗକୁ ସକାଳୁ ଓ ରାତିରେ ଅସରାଏ ବରଷା ବୁଣିଦେଇ ଯାଉଛି।ବର୍ଷା ପ୍ରଭାବରେ କନକନି ଟା ବି ବଢିଯାଇଛି ପ୍ରବଳ ଭାବରେ।ପାଣିକୁତ ଛୁଇଁବାକୁ ଡରଲାଗୁଛି।ଚେଁ କରୁଛି ହାତ ।ବାସନ ଧୋଇଲା ବେଳେ ହାତ ଆଙ୍ଗୁଳି
ମରିଯାଉଛି।ଗାଧୋଇବାକୁ ଇଛାହେଉନି।ଏପରିକି ପାଣି ପିଇବା ମାତ୍ରା ବି କମିଯାଉଛି।ଏପରି ଶୀତରେ ରେଣୁକାର ପଡୋଶୀଜଣେ ନିଜର ଘର ତିଆରି କରୁଛନ୍ତି।ଅନେକ କୁଲି ମଜୁରିଆ ଗାଁରୁ ଆସି ଏଠିରହି କାମ କରୁଛନ୍ତି। ବଙ୍ଗାଳି ମିସ୍ତ୍ରୀସବୁ କାମ ସମ୍ଭାଳୁଛନ୍ତି।ଖୋଲାଆକାଶର ଚାନ୍ଦୁଆ ତଳେ ମିଟିମିଟି ତାରାଫୁଲଙ୍କ ହେପାଜତରେ ରହୁଛନ୍ତି ଭାଗ୍ୟ ଆଦରି।କେବଳ ଚାରିଟା ପ୍ଲlଷ୍ଟିକ ଆଜବେଷ୍ଟସ୍ ର ଛେକା କାନ୍ଥ ଓ ପଲିଥିନ୍ ଚାଦରର ଛାଉଣୀ।ସେଥିରେ ବର୍ଷାପାଣି ଆସି ଚଟାଣସାରା ଓଦା।ସେପରି ପରିବେଶରେ ଚାଲୁଛି ତାଙ୍କ ସଂସାର।ସେଠି କାମ କରୁଥିବା ଯୁବତୀ ଜଣକୁ ତାର ଘର ବାଉଣ୍ଡ୍ରି କଡରେ କାମ କରୁଥିବାର ଦେଖି ରେଣୁକା ପାଖକୁ ଡାକି ପଚାରିଲା କାଲି ରାତିର ବର୍ଷାଓ ଆଜିସକାଳୁ ପୁଣି ଅସରାଏ ବର୍ଷା ହେଇ ସାରିଛି ଏପରି
ଅବସ୍ଥାରେ ତୁମେ ସବୁ ସେ ଝୁମ୍ପୁଡିରେ ରହୁଛ କିପରି?
ରଏବାରିନାମକ ସ୍ତ୍ରୀ ଲୋକଟି କହିଲା କଣ କରିବୁ ଦିଦି ଗରିବ କୁ ଭଗବାନ ଦୁଃଖ ଉପରେ ଦୁଃଖ ଲଦି ଦିଅନ୍ତି।ଆାଉ ସେସବୁ ସହିବାକୁ ବି ଶକ୍ତି ସାମର୍ଥ୍ୟ ବି ଦେଇଥାନ୍ତି।ଏପରି ଶୀତଦିନରେ ମୁଁ ଓ ମୋସ୍ବାମୀ ଭୁତ୍ଲୁ ଆମର ତିନି ଛୋଟଛୋଟ ସନ୍ତାନଙ୍କୁ ଶାଶୁ ନଣନ୍ଦଙ୍କ ଜିମା ଛାଡି ଏ ସହରକୁ କାମ ପାଇଁ ଆସିଛୁ।ଆମପରି ଅନେକ ବି ଆସିଛନ୍ତି ଏଠାକୁ ସାଙ୍ଗରେ।
ଗାଁରେ ପିଲାଙ୍କ ଖାଇବା ପିଇବା ପାଠପଢା ଖର୍ଚ୍ଚ କପଡାଲତା ଯାହା ଦରକାର ଆମେ ଏଠି କାମ କଲେ ତ ପୁରା କରିବୁ।ଦୟନୀୟ ଭାବରେ ଏଠି ପଡିରହିଛୁ ଦିଦି।ଘର ଭାଙ୍ଗିଲାବେଳେ ଯୋଉ ଗଛ ଭାଙ୍ଗିଥିଲା ସେଇ ଗଛର ଝାଟିପତ୍ର ନେଇ ରୋଷେଇ କରୁଥିଲୁ ଏବେ ବର୍ଷାରେ ସେତକ ବି ଭିଜିଗଲା।କପଡା ଲତା ଓଦାକଲେ ଶୁଖୁନି।ଆମ ପାଖେତ ତୁମ ମାନଙ୍କ ପରି ଆଲମିରା ଭର୍ତି କପଡା ନାହିଁ। ଦୁଇ ତିନିଯୋଡି ବାସ୍।ନ ଶୁଖିଲେ ପିନ୍ଧିବାକୁ ନାଇଁ।ଆଉ ଝାଡାଓ ସ୍ନାନପାଇଁ ବିତ ବାହାରକୁ ଯିବାକୁ ପଡେ।ହେଲେ ଏଠି ଏ ସୁବିଧାଟା ଅଛି।ପୁରୁଣା ଘରକୁ ଭାଙ୍ଗିଲାବେଲେ ମାଲିକ ବାଥରୁମ ଓ ପାଇଖାନାକୁ ଛାଡି ଦେଇଛି।ସେଥିରେ ଆମ କାମ ଚଳି ଯାଉଛି।ହେଲେ ବିନା ରେଜେଇ ରେ ଏ ଛୋଟ ପତଳା କମ୍ବଲ ମାନଙ୍କରେ ଶୀତ ଛାଡୁନିି।ତା ଉପରେ ପ୍ରତିରାତି ଏ ସ୍ବାମୀ ମାନଙ୍କ ଉତ୍ପାତ ସହ ।
ଦିନସାରା ଇଟା ସିମେଣ୍ଟ ବୋହି ହାଲିଆ ଲାଗୁଥାଏ।ଏମିତିତ ସକାଳ ପହରୁ ଉଠି ସକାଳଓ ମଧ୍ୟାହ୍ନ ଖାଇବାପାଇଁ ଭାତ କି ପଖାଳ ରାନ୍ଧିବାକୁ ହୁଏ।ଭାତ ରାନ୍ଧିଲାବେଳେ ଆଳୁ ଚାରିଟା ପକାଇ ଦେଲେ ଓ ଟମାଟୋ ଦୁଇଟା ପୋଡି ହେଣ୍ଡୁଆସହ ଚକଟି ଦେଲେ
ଏତେ ଭୋକ ହେଉଥାଏ ଯେ ଅମୃତ ଭୋଜନ ପରି ଲାଗେ।ଏମିତି ଗରିବଙ୍କୁ ଭୋକ ବି ଟିକେ ବେଶି ଲାଗେ
ସେ ପେଟର ଭୋକ ହେଉ କି ଦେହର ଭୋକ ହେଉ।
ଏ ସ୍ବାମୀ ଗୁଡାକ କାମସଲେ ପେଟେ ଖାଇଦେବେ ପାଉଚଟେ ମଦ ପିଇଦେଲେ ଗଲା।ଆମେ ଭିଜା କାଠରେ କେମିତି ରୋଷେଇ କରୁଛୁ ପ୍ରବଳ ଶୀତରେ ଜଲଦି ଉଠି କେତେ କାମକରିବାକୁ ପଡେ ସେ କଥା କେବେ ଅନୁଭବ କରି ପାରନ୍ତିନି।ସେମାନଙ୍କୁ ତ ବାସ୍ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଜଣକର ଦେହ ଉଷୁମ ଦରକାର। ଉଷୁମ ଟାଣିବାକୁ କୋଳକୁ ଟାଣିନେବେ।ଆଉ ଦେହ ସ୍ପର୍ଶ ପାଇଲେତ କାମ ପ୍ରବୃତ୍ତି ବି ଜାଗିବ।ଆଉ ତାଙ୍କର ଉଦିଆତି ସହିବୁ ଆମେ ବେଚାରିଏ।ଥଣ୍ଡା ରାତିରେ ଦରଓଦା କରି ଛାଡିଦେବେ।ତାଙ୍କର ଭୋକ ମେଣ୍ଟିଲେ ଗଲା।ସ୍ତ୍ରୀଟାର ବି କିଛି ଇଛା ଅନିଛା ଭାବିବା ତାଙ୍କ ପାଖରେ ନାହିଁ।ହଁ ଏମିତି କେତେଜଣ ଥାଆନ୍ତି ଯେଉଁମାନେ ସ୍ତ୍ରୀର ସୁଖକୁ ବି ପ୍ରାଧାନ୍ୟ ଦିଅନ୍ତି ହେଲେ ବହୁତ କମ ଥାଆନ୍ତି ସେମିତି ଲୋକ।ଆଉ ଏ ଭୋକ ପାଇଁ ପ୍ରତିବର୍ଷ ଆମକୁ ଗର୍ଭବତୀ ହେବାକୁ ହୁଏ। ପୁଣି ଗର୍ଭ ନଷ୍ଟ କରିବାର ଝାମେଲା ପାପ କରିବାକୁ ହୁଏ।
ରେଣୁକା କହିଲା ତୁମେ ଗର୍ଭ ନିରୋଧ ବଟିକା ଖାଉନ କାହିଁକି?ସେ କହିଲା ଏପରି ବୁଲନ୍ତା ଯାଯାବର ଜୀବନରେ ଓୌଷଧ କେଉଁଠି ଥୋଇବୁ।ମନେ ପଡେନି ଖାଇବାକୁ।ସେଥିପାଇଁ ଆମମାନଙ୍କ ଘରେ ପ୍ରତି ଦୁଇ ବର୍ଷ ରେ ଜଣେ ନୂଆଁ କୁଣିଆର ଆଗମନ ହୁଏ।ଗରିବ ଘରେ ଅନ୍ନ ର ଅଭାବ ଥାଏ ହେଲେ ଜନର ଅଭାବ ନଥାଏ।ଆମର ଜୀବନ କଣ ଜୀବନ ଦିଦି ଦିନ ସାରା ଖଟ ଯାହିତାହି ଯାହା ସସ୍ତାଖାଦ୍ୟ ମିଳିବ ଖାଇ ପେଟପୁରାଅ ପୁରୁଷଙ୍କ ଦେହଭୋକ ମାରି ପିଲାଜନ୍ମକରି
ପୋଷ ବୁଢୀ ହେଲେ ପୁଅ ବୋହୁଙ୍କ ପାଖେ ଦୁଇମୁଠା ଖାଇବା ପାଇଁ ହଠହଠା ହୁଅ ଆଉ ଶେଷରେ ମରିଯାଅ।
ଆମେ ନିଜ ପାଇଁ ଆଉ ଜୀଇଁଲୁ କେତେବେଳ? ତାରି କଥା ଭିତରେ ସମଗ୍ର ନାରୀ ଜାତିର ପ୍ରଶ୍ନଟିଏ ଥିବାର ରେଣୁକା ଅନୁଭବ କଲା।ସାମାନ୍ୟ ରେଜା ଜତୀୟ ସ୍ତ୍ରୀ ଟିଏ ମନରେ ବି ଏବେ ନିଜପାଇଁ ଜାଗରୁକତା ର ଜନ୍ମ ହେଲାଣି।
ମାଧବୀ ପଟେଲ।
No comments:
Post a Comment