Monday, January 11, 2021

ଜଳକ୍ରୀଡା ଏକାଦଶୀ

**************************
     ଶୀର୍ଷକ:-ଜଳକ୍ରୀଡା ଏକାଦଶୀ 
****************************
           --ସରସ୍ବତୀ ନାୟକ 
ନିଦାଘ ଦାରୁଣୁ  ନିସ୍ତରିବା ଲାଗି
      କମଳାକାନ୍ତ ଶ୍ରୀହରି
ମଦନମୋହନ   ରୂପେ ପ୍ରକଟିତ
      ଅନ୍ୟ ଦେବାଦେବୀ ଧରି  ।।୧।।
ଲଭିବେ ପ୍ରଶାନ୍ତି  କରି ଜଳକ୍ରୀଡା 
         ନରେନ୍ଦ୍ର ପୋଖରୀ ମଧ୍ୟ 
ଜ୍ୟେଷ୍ଠ ମାସ କୃଷ୍ଣ  ପକ୍ଷରେ ପାଳନ
         ଅପରା ନାମରେ ବିଦ୍ୟ  ।।୨।।
ଅଚଳା ନାମରେ   କେ ଜନ ବୋଲନ୍ତି 
       ବିଷ୍ଣୁ ଲକ୍ଷ୍ମୀ  ପୂଜା କରି
ଶତ ଗିରି ସମ   ପାପରୁ ମୁକତି
       କରିବେ ବୋଲି ଶ୍ରୀହରି  ।।୩।।
ସଂସାରେ ପ୍ରସିଦ୍ଧି  ଅପାର ସମ୍ପତ୍ତି
         ପାଳି ଏ ଦିବସେ ମିଳେ
ବ୍ରହ୍ମହତ୍ୟା  ଭୂତଯୋନୀ ପରାନିନ୍ଦା 
         ପାପନାଶ ବ୍ରତବଳେ   ।।୪।।
ଗଙ୍ଗାତଟେ  ପିଣ୍ଡଦାନ  ସମଧର୍ମ
         ଶିବରାତ୍ରି  ପୁଣ୍ୟରାଜି 
କୁନ୍ଦନ ଗୋଦାନ  ଗୋମତୀରେ ସ୍ନାନ 
         ସୁକୃତ ଥାଉ ଅରଜି   ।।୫।।
ପ୍ରାଚୀନେ କଥିତ  ମହୀଧ୍ୱଜ ରାଜା
          ଧର୍ମାତ୍ମା ପୁଣ୍ୟାତ୍ମା ଜନ
ନିହତ ଅଧର୍ମ   ଅନ୍ୟାୟୀ ଅନୁଜେ 
          ବଜ୍ରଧ୍ଵଜ ନାମ୍ନୀ ଜାଣ  ।।୬।।
ହତ୍ୟାନ୍ତେ ପ୍ରେତାତ୍ମା  ସାଜି ଯେ ରାଜନ 
          ନିବସି  ଅଶ୍ୱତ୍ଥ ବୃକ୍ଷ
 ଧୌମ୍ୟ ଋଷି ଜଳ  କ୍ରୀଡା ଏକାଦଶୀ 
           ପାଳନେ ପ୍ରାପ୍ତିଲେ ମୋକ୍ଷ ।।୭।।
ପାପରୂପୀ ବୃକ୍ଷ  ଛେଦନେ କୁରାଢ଼ୀ
           ଅଗ୍ନି ଇନ୍ଧନର ଲାଗି
ପାପ ଅନ୍ଧକାର  ନାଶ ଲାଗି ସୂର୍ଯ୍ୟ 
           ବ୍ରତେ ହୃଦେ ଉଠେ ଜାଗି  ।।୮।।
ପଞ୍ଚ ମହାଭୂତେ    ପଞ୍ଚ ତନମାତ୍ର 
           ଅହଂକାର ମହତତ୍ତ୍ୱ 
ବେଦାଙ୍ଗ ମୀମାଂସା  ଧର୍ମଶାସ୍ତ୍ର ବେଦ
           ନ୍ୟାୟଶାସ୍ତ୍ର ଆୟୁର୍ବେଦ  ।।୯।।
ଅପରା ପ୍ରକୃତି  ହୋଇଥାଏ ଶୁଦ୍ଧ 
            ଏକାଦଶୀ ପାଳନରେ 
ପାପାଚାର ଦୂର  ପ୍ରଭୁ ଶତାଶ୍ଲେଷ
            ସ୍ଥାନିତ ପ୍ରଭୁ ପୟରେ  ।।୧୦।।
ସାରା ଜଗତରେ  ଦିବ୍ୟଧାମ ପୁରୀ 
            ଦିବ୍ୟ ତା' ବିଧିବିଧାନ
ସାରା ଜନତାରେ  ପୁଣ୍ୟ ଭାଵୋଦ୍ରକ
            କ୍ଷଣେ ହୁଏ ସାନ୍ନିଧ୍ୟନ  ।।୧୧।।
ଜଗତ ନିୟନ୍ତା   କୃପା ବାରି ବର୍ଷି
            ଏ ଅଧମ ଜନତାରେ
ପାପ ହେଉ ନାଶ   ମିଳୁ ତବାଶିଷ 
            ଜାଗୁ ଧର୍ମ ହୃଦୟରେ ।।୧୨।।
******************************
                      ପୁରୀ
             

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy