Monday, January 25, 2021

ଭାରି ମନେପଡେ


                  --ସରସ୍ବତୀ ନାୟକ 
          ବିରାଟ ପୃଥିବୀ, ଅସୀମ ଏହାର ପରିବ୍ୟାପ୍ତି। ଥଳକୂଳ ମିଳେନା ଚାହିଁଲେ।
ଏଠି ବହୁତ ଲୋକ ଆତ୍ମୀୟ ଭଳି ମନେ ହୁଅନ୍ତି। କଥାରେ ଆପଣାର କରିବାକୁ ଚେଷ୍ଟା କରନ୍ତି। ସବୁ କରିଦେବାର ପ୍ରତିଶ୍ରୁତି ମଧ୍ୟ ଦିଅନ୍ତି। ଆକାଶ କଇଁଆ ଚିଲିକା ମାଛର ସ୍ୱପ୍ନ। ଜହ୍ନ ରାଇଜରେ ଘର କରିବାର ଅଜବ ପ୍ରତିଜ୍ଞା।ତେର ନଈ ସାତ ଦରିଆରେ ପହଁରିବାର ଉଚ୍ଚ ଅଭିଳାଷକୁ ପୂର୍ଣ୍ଣ କରିଦେବାର ଭରଷା। ମାତ୍ର ଏହା କେବେ ବାସ୍ତବରେ ଘଟିବାର ନଜିର ମଧ୍ୟ ନାହିଁ। ଆଉ ଯଦି ବି କିଛି ମାତ୍ରାରେ ଏହା ସଫଳ ହୋଇଛି, ତେବେ ଏହାରି ପଛରେ ବହୁତ ବଡ଼ ସ୍ୱାର୍ଥ ରଚନା ହୋଇଥିବ। ବିନା ସ୍ୱାର୍ଥରେ କିଛି କରିବାକୁ ଏଠି କିଏ ଉଚିତ ମଣନ୍ତି ନାହିଁ, ସବୁ କାର୍ଯ୍ୟ ନିମନ୍ତେ ଭୟଙ୍କର ସ୍ୱାର୍ଥ ବସା ବାନ୍ଧି ଥାଏ।
          ମାତ୍ର ଏଇ ପୃଥିବୀ ବକ୍ଷରେ ଜଣେ ନିଃସ୍ୱାର୍ଥପର ଭାବରେ ସବୁ କରିଥାନ୍ତି।ଜାଣନ୍ତି ସେ କିଏ! ସେ ପରା ବାପା। ଯାହାଙ୍କର ମନ ଆକାଶଠାରୁ ବି ବଡ। ଯାହାଙ୍କ ଛାତି ହିମାଲୟଠାରୁ ଆହୁରି ମଜବୁତ। ଯାହାଙ୍କର କାନ୍ଧ ଶତ କଦମ୍ବର କୋମଳ ପରଶ ଠାରୁ ଆହୁରି ନରମ। ଉପରେ କଠୋର, ହେଲେ ଅନ୍ତରରେ ସର୍ବଦା ସନ୍ତାନର ସୁଖ ନିମନ୍ତେ ବ୍ୟାକୁଳ। ଯାହାଙ୍କୁ ଅନେକ ରାତି ଅନିଦ୍ରା ହେବାକୁ ପଡ଼େ, ସନ୍ତାନର ଲାଗି। ଯାହାଙ୍କର ହାତଧରି ଠୁକୁଠୁକୁ ଚାଲିବାର ସତ୍ସାହସ କରିଥାଏ ସନ୍ତାନ। ସ୍ବର୍ଗୀୟ ଆନନ୍ଦ ଅନୁଭବ କରିହୁଏ, ସେ ପାଖରେ ଥିଲେ। 
କେତେ ଖରା,କେତେ ତରା ବାଧକ ହୋଇନି ବାପାଙ୍କ ମନରେ ଆମ ପାଇଁ ସ୍ୱପ୍ନ ଦେଖିବାର ନିଶା। ଆଜି ବହୁତ ମନେ ପଡ଼ୁଛି ସେଇ ବାପାଙ୍କ କଥା। ଦୁନିଆର ଏତେ ଭିଡ ଭିତରେ ଏତେ ଆପଣାର ଆଉ ଚିହ୍ନା ମୁହଁଟି ବହୁତ ଦୂରରେ। ବହୁତ ଏକା ଆଉ ନିଃସହାୟ ବୋଧ ହେଉଛି, ତାଙ୍କର ସେ ଶୂନ୍ୟସ୍ଥାନ ସବୁବେଳ ପାଇଁ ଶୂନ୍ୟସ୍ଥାନ ହୋଇ ରହିଗଲା। ପୂରଣ ହେବାର ଆଭାସ ମଧ୍ୟ ନାହିଁ। ସ୍ମୃତିଚାରଣରେ କିଛି ସାଉଁଟା ଘଟଣାକୁ ନେଇ ନିଚ୍ଛକ କଥା କିଛି
       
         କଟକଣାର କେନ୍ଦ୍ରବିନ୍ଦୁ ବାପା ବୋଧେ, ଏହା ଅନେକଙ୍କ ମତ। କିନ୍ତୁ ମୋ ବାପା ସମସ୍ତଙ୍କଠାରୁ ସମ୍ପୂର୍ଣ୍ଣରୂପେ ନିଆରା
ଯଦିଓ ଆଦେଶ,ଉପଦେଶ ମିଶ୍ରିତ ବାଣୀ ଆମ ପାଇଁ ରହିଥାଏ। କିନ୍ତୁ ସେତିକି କଡା ପ୍ରହାର ନଥିଲା। କଠୋର ଦଣ୍ଡ ମୁଁ କେବେ ପାଇନି। ସାଧାରଣ ଦଣ୍ଡ ମଧ୍ୟ ପାଇଥିବାର ମନେ ନାହିଁ। ପିଲାବେଳୁ ଜଣେ ଉତ୍ତମ ବନ୍ଧୁଟିଏ ଭଳି ବ୍ୟବହାର କରନ୍ତି, ବହୁତ ସୁନ୍ଦର ସାହିତ୍ୟ ସମ୍ପର୍କିତ କଥା, ପୁରାଣ କଥା କହିଥାନ୍ତି। ଯେତେବେଳେ ବି ଅବଢ଼ା ଖାଇବାକୁ ଯାଆନ୍ତି, ମତେ ସାଙ୍ଗରେ ନେଇ ଯାଆନ୍ତି। ବ୍ରାହ୍ମଣ ଶାସନ ଦୃଷ୍ଟିରୁ ବାର ମାସରେ ତେର ପର୍ବ ପାଳନ ହୁଏ। ମୁଁ ସବୁବେଳେ ନୂଆ ଡ୍ରେସ ପିନ୍ଧି ବାପାଙ୍କ ସହ ଯାଏ। କିଛି ବି ବାଧା ଦିଅନ୍ତି ନାହିଁ ସେ। ସକାଳ ସନ୍ଧ୍ୟା ଦୁଇଥର ସେ ପଢ଼ା ପାଖରେ ଜଗିଥାଆନ୍ତି। ଦିନସାରା ବିଲବାଡ଼ି ଆଉ ଠାକୁରଙ୍କ କାମ, ହେଲେ ଆଖିରେ ଟିକେ ବି ପଲକ ପଡେନି ଆମକୁ ଜଗିବାରେ। ବାଧ୍ୟତାମୂଳକ ଭାବେ ପୁଣି ଚଉରାମୂଳେ ପ୍ରାର୍ଥନା। ଅତି ମନୋମୁଗଧକର ଘଟଣା ଏବେବି ମନକୁ ସେଇ ସମୟର ସ୍ମୃତି ଆନ୍ଦୋଳିତ କରେ।
ସକାଳ ହେଉ ହେଉ ଡାକରା ଶେଯ ଛାଡିବାକୁ । ଦୀପାବଳୀର ଚୌରାମୂଳେ କୋଠିପକାଇ ପୂଜା, କାର୍ତ୍ତିକ ପୂର୍ଣ୍ଣିମାରେ ଅନ୍ଧାରୁ ଉଠି ତାଙ୍କ ସହ ପୋଖରୀକୁ ଗାଧୋଇଯିବା, ଚିତାଲାଗି ଅମାବାସ୍ୟାରେ ଚିତଉ ପିଠା ନେଇ ଗଡ଼ିଆରେ ଗେଣ୍ଡାକୁ ଦେବା ବାପାଙ୍କ ସହ ବାସ୍ତବରେ ବହୁତ ନିଆରା। ବେଶୀ ମନେପଡୁଛି ବାପା ଯେତେବେଳେ ଘାଆ ସଫାକରି ପୋଖରୀରେ ଘଷି ଗାଧେଇଦିଅନ୍ତି। ଟିକେ ବି ଘୃଣା କରନ୍ତିନି। ଦିନେ ମୁଁ ଷଷ୍ଠ ଶ୍ରେଣୀରେ ପଢୁଥାଏ, ବାପା ମତେ ନାଇଟ ଆଙ୍ଗଲର ଓଡ଼ିଆ ଅର୍ଥ ପଚାରିଲେ ମୁଁ କହିପାରିଲିନି। ସେ ମତେ ଚିଡାଇ କହିଲେ ଆରେ ତୋର କଣ ପରା ଇଂରାଜୀ ଭଲହେଉଛି, ଏଇ ଶବ୍ଦ ଆସୁନି। ସାର ତାହେଲେ ମିଛରେ ଭଲପାଉଛନ୍ତି। ମୁଁ ସେଇ ଦିନଠାରୁ ଗୋଟିଏ ୱାର୍ଡବୁକରୁ ଶବ୍ଦ ଘୋଷା ଆରମ୍ଭ କଲି। ଆଉ ଖୁବ କମ ସମୟରେ ସବୁ ଶବ୍ଦ ମନେ ରଖିଦେଲି। ତାଙ୍କର ଏମିତି ଅନେକ କଥା ସିଧା ନହେଲେ ମଧ୍ୟ ପରୋକ୍ଷରେ ଭଲ ହେବାକୁ ବାଟ ଦେଖାଇଥାଏ। ସନ୍ଧ୍ୟା ହେଲେ ଆମେ ଛଅ ଭାଇଭଉଣୀ ଖରାଛାଇ ଖେଳୁ
ବାପା ତାରି ଭିତରେ ଆମକୁ ଅନେକ ଶିକ୍ଷଣୀୟ ଗପ କହନ୍ତି। ଆଜି ସେ ନାହାନ୍ତି ହେଲେ ତାଙ୍କରି ଗପକୁ ଅନ୍ୟକୁ ଉଦାହରଣ ଦେଇ ବୁଝାଏ। କିଛି ନୂତନତ୍ୱ ଏବେବି ମୁଁ ସୃଷ୍ଟି କରେନି। ଯାଦୁଖେଳ ଦେଖିବାକୁ ସେ ବହୁଥର ସାରଙ୍କୁ ଅନୁରୋଧ କରି ପଠାନ୍ତି। ଟ୍ୟୁସନ ପଇସା ଧାନ ଦେଇ ଶୁଝିବାର ମୁଁ ପ୍ରତ୍ୟକ୍ଷଦର୍ଶୀ।
ବୋଉକୁ ସବୁବେଳେ ରାଗନ୍ତି, ସଞ୍ଚୟ କରିବା କିଛି ଦରକାର ନାହିଁ। ମୋ ପିଲା ଭଲ ଖାଇ ଭଲ ପିନ୍ଧି ମଣିଷ ହୁଅନ୍ତୁ। କେତେ ଆତ୍ମୀୟତା କଥା କେହି କହିବାର ମୁଁ ଶୁଣିନି। ଆଜି ମଥାଉପରୁ ସୁରକ୍ଷାବଳୟ ଲିଭିଯାଇଛି, ହେଲେ ବାରମ୍ବାର ତାଙ୍କର ସେ ଅମୃତବାଣୀ ମନେ ପଡୁଛି। ମୁଁ ଅଛି ତୋ ପାଖରେ ଆଶୀର୍ବାଦ ସବୁବେଳେ ତୋ ସହ ଅଛି। ହାରିଯାଆନି, ଭାଙ୍ଗିପଡେନି। ତୁ ମୋର ଝିଅ ନୁହେଁ ମୋ ପୁଅ, ମୋ ଜୀବନ,ମୋ ହୃଦୟ। କେବେ କାହାର ଅନିଷ୍ଟ ନକରି ଭଲ ଚିନ୍ତାକର। ବଡ ନୁହେଁ ଭଲ ମଣିଷ ହୁଅ। ଯାହା ବଂଚିବା ସମୟରେ କହୁଥିଲି, ଆଜି ସ୍ଵର୍ଗରେ ଥାଇ କହୁଛି। 
            ନା ବଡ଼ ମଣିଷ ହେବାର ସ୍ୱପ୍ନ ନାହିଁ ବାପା, ଭଲ ମଣିଷଟିଏ ହେବାକୁ ସବୁବେଳେ ଚେଷ୍ଟା କରୁଛି। କିନ୍ତୁ ତୁମର ଅନୁପସ୍ଥିତି ବେଳେବେଳେ ଦୁର୍ବଳ କରୁଛି ମୋର ଆଶା,ଆକାଂକ୍ଷା ଆଉ ମନୋବଳକୁ 
ବହୁତ ଅସହାୟ ଲାଗୁଛି। କାହିଁକିନା ସେଇ ଆପଣାର ସ୍ନେହ ଆଉ କଟକଣାପୂର୍ଣ୍ଣ ମୁହଁଟି ଦୁନିଆ ଦାଣ୍ଡରୁ ହଜି ଯାଇଛି ସବୁଦିନ ପାଇଁ ମୋ ଜୀବନରୁ। ତଥାପି ଜୀଉଁଛି ତୁମ ଦତ୍ତ ସମସ୍ତ ସ୍ମୃତିକୁ ପାଥେୟ କରି। ଯାହା ମୋର ଶେଷ ନିଃଶ୍ବାସ ଥିବା ଯାଏଁ ରହିବ ମଧ୍ୟ। 
       
          କେଜାଣି ଦୁନିଆର ସବୁ ବାପାଙ୍କ ଠାରୁ ତମେ ସତରେ ନିଆରା ମୋ ପାଇଁ 
ମୁଁ ମୋର ଅନ୍ତରଙ୍ଗ ବନ୍ଧୁକୁ ହରାଇଛି। ଦୀପ ଯେମିତି ଜ୍ୟୋତିବିନା, ଦେହ ଯେମିତି ପ୍ରାଣବିନା , ସେମିତି ତୁମ ବିନା ଏ ଜୀବନ ଜଡ଼ ଆଉ ମୂଲ୍ୟହୀନ ହୋଇପଡିଛି । ଭାରି ମନେପଡୁଛ ତମେ, ଆଉ ପଡୁଥିବ ପ୍ରତି ମୁହୂର୍ତ୍ତରେ। ମୋ ବାପା.........................।

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy