ମାଧବୀ ପଟେଲ।
ସ୍ମୃତିର ନଅରେ ସେ ପୁରୁଣା ଦିନ
ଉଜାଗର ହୁଏ ଧିରେ।
ଚିତ୍ର ପରଦାରେ ଗୋଟି ଗୋଟି ଭାସେ
ହଜିଛି ଯା ଅତୀତରେ।
ସାଗୁଆ ସେ ବଣ କଳକଳ ନଈ
ବିହଙ୍ଗଙ୍କ ଗୁଞ୍ଜରଣ।
ଗ୍ରୀଷ୍ମର ସେଦିନ ତାସର ଆସର
ଛାୟାସିକ୍ତ ଆମ୍ରବଣ।
ଶୀତର ଉହ୍ମେଇ ଶୋରିଷର କ୍ଷେତ
କୁହୁଡି ପଖଳା ଉଷା।
ବାରମାସେ ତେର ଯାନି ଯାତଥିଲା
ପାଳୁଥିଲେ କେତେ ଓଷା।
ଗାଁ ଚାଟଶାଳୀ ବରଗଛ ଦୋଳି
ସାଙ୍ଗସାଥି ହେଇ ମେଳି।
ସଭିଏଁ ଏକାଠି ମଜା କରୁଥିଲେ
କେତେ ତୋଳିଥିଲେ କୋଳି।
ସେ ନଈ ପହଁରା ମେଲଣ ଦଶରା
ରାବଣ ପୋଡିର ଖୁସି।
ବାଣ ଫୁଟା ହେଲେ ଭୟଭିତ ସଙ୍ଗେ
ହେଉଥିଲେ ପୁଣି ଖୁସି।
ବଡ ଗୁରୁଜନ ଆମର ସମ୍ମାନ
ମାନୁଥିଲେ ତାଙ୍କ କଥା।
ଭାଗବତ ଟୁଙ୍ଗି ପୁରାଣ ଶାସ୍ତ୍ରକୁ
ବୁଝୁଥିଲେ ପୁଣି ଗୀତା।
ବିବାହ ବ୍ରତରେ ଅନ୍ତିମ ସଂସ୍କାରେ
ଯୋଗଦାନ ସଭିଙ୍କର।
ଏକତା ରଜ୍ଜୁରେ ପ୍ରତିମନ ବନ୍ଧା
ସଭିଏଁ ଥିଲେ ନିଜର।
ସଭିଏଁ ମାଉଷୀ ବଡମାଁ ଓ କାକୀ
ଭଉଣୀର ପରିଚୟ।
ସବୁ ନାରୀଥିଲେ ସଂପର୍କଟେ ନେଇ
ସର୍ବେଥିଲେ ପୂଜନୀୟ।
ବବା ବଡୁ କକା ମଉଷା ଓ ଦଦା
ବାଣ୍ଟୁଥିଲେ ସ୍ନେହ ଶ୍ରଦ୍ଧା।
ସୁଖ ଦୁଃଖସବୁ ମିଳି ଭୋଗୁଥିଲେ
ବାଣ୍ଟୁଥିଲେ ଅଧାଅଧା।
ସେ ଜନମ ମାଟି ସବୁଠୁ ନିଆରା
ସେ ଆମର ପରିଚୟ।
ଜଡ ଅଛିତହିଁ ଆମେତ ଅସ୍ଥାୟି
ସେ ଆମର ଅତିପ୍ରିୟ।
ତାହାରି ଆକାଶ ତା ବାୟୁ ନିଶ୍ବାସ
ତା ଜଳପାନରେ ଆମେ।
ତା ଅନ୍ନକୁ ଖାଇ ବଞ୍ଚିଅଛୁ ସୁଖେ
ଭୁଲିକି ପାରିବ ତୁମେ।
ପୁରୁଣା ସେ ଦିନ ମନେପଡିଗଲେ
ପିଲାଟିଏ ହେଇଯାଏ।
ଏ ବୁଢା ବୟସେ ଅସୀମ ଉତ୍ସାହ
ଉନ୍ମାଦନ ଭରିରଯାଏ।
ଝାରସୁଗୁଡା।
No comments:
Post a Comment