Monday, January 25, 2021

ରାଜ ମୁକୁଟ

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଗଛଲତାମାନେ ସତେ ଅବା ଆର୍ତ୍ତନାଦ କରୁଥାନ୍ତି! ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଝଟକି ଉଠୁଥାଏ ।

କିନ୍ତୁ ରାଜା ବିକ୍ରମାର୍କ ତିଳେ ମାତ୍ର ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେହି ଶବଟିକୁ ଉତାରି ଆଣିଲେ । ତେବେ ସେ ତାକୁ ତାଙ୍କ କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜା! ମନେହୁଏ ତୁମେ କେତେକ ସର୍ତ୍ତ ପୂରଣ କରି କିଛି ସିଦ୍ଧି ଲାଭ କରିବାକୁ ଆଶାୟୀ ହୋଇ ରହିଛ । କିନ୍ତୁ ଜାଣିରଖ, ପୃଥିବୀରେ ଏପରି ଲୋକ ବି ଅଛନ୍ତି, ଯେଉଁମାନେ କି ସର୍ତ୍ତ ପୂରଣ କରି ସିଦ୍ଧିଲାଭ ନିମନ୍ତେ ଯୋଗ୍ୟ ବିବେଚିତ ହେବା ସତ୍ତ୍ୱେ ସେ ସିଦ୍ଧିକୁ ଉପେକ୍ଷା କରିଦିଅନ୍ତି । ତୁମେ ଜଣେ ସେଭଳି ଲୋକ ଆଉ ନୁହଁ ତ? ମୋର ଏହି କଥାଟିର ଅର୍ଥ ବୁଝାଇଦେବା ନିମନ୍ତେ ତୁମକୁ ଗୋଟାଏ କାହାଣୀ କହୁଛି । ମନଦେଇ ତାହା ଶୁଣ; ଶୁଣିଲେ ଶ୍ରମଭାର ଲାଘବ ମନେ ହେବ ।”

କୁମ୍ଭଶୀଳ ରାଜ୍ୟର ଗୋଟିଏ ଗାଁରେ ଜଣେ ଯୁବକ ଥାଏ । ତା’ର ନାମ କିଶୋର । ସେ ଗରୀବ ପିଲା । କିନ୍ତୁ ସେ ସତ୍ ତଥା ସାହସୀ । ସେ ସବୁଦିନ ତା’ ମେଣ୍ଢାପଲ ବଣ ଭିତରକୁ ନେଇ ଯାଉଥାଏ । ସେ ବଣ ଭିତରେ ପ୍ରଚୁର ଘାସ । ତେଣୁ ତା’ ମେଣ୍ଢାମାନେ କ୍ରମେ ହୃଷ୍ଟପୁଷ୍ଟ ହେଉଥାନ୍ତି । ଅନ୍ୟମାନେ ସେ ବଣ ଭିତରକୁ ଯିବାକୁ ଆଦୌ ସାହସ କରୁନଥାନ୍ତି । ତା’ର କାରଣ ସେ ବଣ ଭିତରେ ଅନେକ ବିଷଧର ସାପ ଥା’ନ୍ତି । ମାତ୍ର କିଶୋରର ଧାରଣା ହେଲା ମଣିଷ ସାପମାନଙ୍କର କିଛି କ୍ଷତି ନକଲେ ସେମାନେ ମଧ୍ୟ ମଣିଷଙ୍କର ଯମାରୁ କୌଣସି କ୍ଷତି କରିବେ ନାହିଁ । ତେଣୁ ସେ ସବୁଦିନ ନିର୍ଭୟରେ ସେହି ବଣ ଭିତରେ ବୁଲାବୁଲି କରେ ଓ ମନଇଚ୍ଛା ଫଳ ତୋଳି ଖାଏ; ଝରଣା ପାଣିରେ ଶୋଷ ମେଂଟାଏ ।

ଦିନେ ସେ ତା’ ମେଣ୍ଢାପଲ ଧରି ବଣରେ ପଶିବା ବେଳକୁ ଦେଖିଲା, ଗୋଟାଏ ପର୍ବତ ଉପରୁ ଜଣେ ସାଧୁ ଅବତରଣ କରୁଛନ୍ତି । ଏହା ଦେଖି ସେ ଭାରି ଆଶ୍ଚର୍ଯ୍ୟ ହେଲା । କାରଣ ସେ ପର୍ବତ ହେଲା ବିଷଧର ସାପଙ୍କର ସବୁଠାରୁ ବଡ ବାସସ୍ଥାନ । ସେଠାକୁ କେହି ମଣିଷ ଯିବାକୁ କେବେବି ସାହସ କରୁ ନଥିଲେ । ସାଧୁଙ୍କର ନିଶ୍ଚୟ କିଛି ଶକ୍ତି ଅଛି । ନହେଲେ ସେ ସେଭଳି ପାହାଡ ଉପରକୁ ଯାଆନ୍ତେ ବା କିପରି?

କିଶୋର ସେହି ସାଧୁଙ୍କୁ ପ୍ରଣାମ କଲା ଓ କହିଲା, “ମହାଭାଗ! ମୁଁ ଆପଣଙ୍କର କିଛି ସେବା କରିପାରେ କି?” ସାଧୁ ଏ ପ୍ରଶ୍ନର କିଛିବି ଉତ୍ତର ଦେଲେ ନାହିଁ । ଖାଲି ହସି ଦେଇ ସେ ଏତିକି କହିଲେ, “ଟୋକା! ମୋର ସେବା କରିବା କୌଣସି ଆବଶ୍ୟକ ନାହିଁ । କିନ୍ତୁ ତୋ ଭିତରେ ଲୋକଙ୍କ ସେବା କରିବାର ପ୍ରବଳ ଆଗ୍ରହ ରହିଛି । ତାହା ତ ଅତି ସୁଖର କଥା । ମାସକ ପରେ ତୁ ରାଜା ହେବୁ । ସେତେବେଳେ ତୁ ସମସ୍ତଙ୍କ ସେବା କରିପାରିବୁ ।”

ଏତିକି କହି ସାଧୁ ସେଠାରୁ ଚାଲିଗଲେ । ଏଣେ କିଶୋର ଆଶ୍ଚର୍ଯ୍ୟ ହେଲା । ସିଏ କିଏ, ଆଉ ରାଜସିଂହାସନ କିଏ! ଖଣ୍ଡିଏ ଛିଣ୍ଡା ସପ ଉପରେ, ତାଳିପକା ଲୁଗା ଖଣ୍ଡିଏ ଘୋଡି ହୋଇ ସେ ରାତିରେ ଶୁଏ । ମୁଠିଏ ମୁଠିଏ ମୁଢି ବା ପଖାଳ ତା’ର ଖାଦ୍ୟ । ସେ ପୁଣି ରାଜା ହେବ! କିନ୍ତୁ ସାଧୁଙ୍କ କଥାରେ ଏମିତି କିଛି ଶକ୍ତି ଥିଲା, ଯେଉଁଥିପାଇଁ ତାଙ୍କ କଥାକୁ ସେ ମୋଟେ ଅବିଶ୍ୱାସ କରିପାରିଲା ନାହିଁ ।

ସେ ତା’ ଗାଁକୁ ଫେରି ଆସି ଲୋକଙ୍କୁ ସବୁ କଥା କହିଲା । ଲୋକେ ଭଲଭାବେ ଜାଣିଥିଲେ, ସେ ମିଛ କହିବା ପିଲା ନୁହେଁ । ତେଣୁ ସେମାନେ ଭାବିଲେ କି ତା’ ମୁଣ୍ଡ ଖରାପ ହୋଇ ଯାଇଛି । ଗାଁ ପାଖ ବଜାରରେ ଜଣେ ଦରଜୀ ଥିଲା । ସେ କହିଲା, “ଆରେ ବାବୁ, ତମେ ଯଦି ରାଜା ହେବ, ତେବେ ସେହିଭଳି ପୋଷାକ ପିନ୍ଧି ଆଜିଠୁ ବୁଲିବା ଉଚିତ୍ । ପଇସା ପକାଅ । ମୁଁ ରାଜବେଶ ତିଆରି କରିଦେବି ।”

କିଶୋର କିଛି ପଇସା ବହୁ ଦିନରୁ ସଂଚୟ କରି ରଖିଥିଲା । ସେତକ ପଇସା ସେ ଦରଜୀକୁ ଦେଇଦେଲା । ଦରଜୀ ଗୋଟାଏ ଶସ୍ତା ରାଜପୋଷାକ ତିଆରି କରିଦେଲା । ସେମିତି ପୋଷାକ ଯାତ୍ରା ଦଳରେ କେବଳ ଅଭିନେତାମାନେହିଁ ପିନ୍ଧନ୍ତି ।

“ରାଜ-ପୋଷାକ ସିନା ହୋଇଗଲା, କିନ୍ତୁ ଖଣ୍ଡା କାହିଁ? ବିନା ତରବାରୀରେ ସେ ପୁଣି ନିଜକୁ ରାଜା କିପରି ବୋଲାଇବ?” ଗାଁ ପାଖ ବଜାରରେ ଥିବା କମାର ତାକୁ ଏ ବିଷୟରେ ପଚାରିଲା । କିଶୋର ଉତ୍ସାହିତ ହୋଇ କହିଲା, “ଆରେ ଭାଇ, ତୁ ମୋ ପାଇଁ ତରବାରୀଟିଏ ତିଆରି କରି ଦେ । ମୁଁ ରାଜା ହେଲେ ଦୁଇଗୁଣ ଦାମ୍ ଦେଇ ଦେବି ।”

କମାର କହିଲା, “ମୁଁ ପଇସା ନେବି ନାହିଁ । କିନ୍ତୁ ମୋର ତିନୋଟି ମେଣ୍ଢା ବଣ ଭିତରେ କୁଆଡେ ହଜି ଯାଇଛନ୍ତି । ତୁ ଯଦି ସେଗୁଡିକୁ ଖୋଜି ଆଣିଦେବୁ, ତେବେ ମୁଁ ତୋଲାଗି ତରବାରୀ ନିଶ୍ଚୟ ବନାଇ ଦେବି ।”

କିଶୋର ବଣ ଭିତରକୁ ଯାଇ ସତକୁ ସତ ମେଣ୍ଢା ତିନୋଟିଙ୍କୁ ଖୋଜି ବାହାର କଲା । ସେମାନଙ୍କୁ ଧରି ସେ ବଣ ଭିତରୁ ବାହାରି ଆସୁଛି, ଠିକ୍ ସେତିକିବେଳେ ସେ ରାଜ୍ୟର ରାଜକୁମାରୀ ରଥ ଚଢି ସେଆଡେ ଆସୁଥିବାର ଦେଖାଗଲା । କିଶୋରର ବିଚିତ୍ର ପୋଷାକ ଦେଖି ସେ କୌତୁହଳୀ ହୋଇ ପଚାରିଲେ, “ତମେ କିଏ?”

କିଶୋର କହିଲା “ରାଜକୁମାରୀ! ମୁଁ କିଶୋର । ସାଧାରଣ ଗାଉଁଲି ପିଲା । କିନ୍ତୁ ମାସକ ଭିତରେ ମୁଁ ରାଜା ହେବି ।”

“ପାଗଳ?” ରାଜକୁମାରୀଙ୍କ ମୁହଁରୁ ଏ ଶବ୍ଦଟି ବାହାରି ପଡିଲା ।

କିଶୋର କହିଲା “ନା, ନା, ମୁଁ ମୋଟେ ପାଗଳ ନୁହେଁ । ରାଜକୁମାରୀ! ଆପଣ ମୋତେ ବିଭା ହେବେ? କଥା କ’ଣ କି, ଥରେ ରାଜା ହେବା ପରେ ମୁଁ ତ ଜଣେ ରାଜକୁମାରୀକୁ ବିଭା ହେବା ଲୋଡା ପଡିବ!”

ରାଜକୁମାରୀ ରାଗିଯାଇ କହିଲେ “ଏଇଟାକୁ ବନ୍ଦୀ କର!”

ରାଜକୁମାରୀଙ୍କ ଦେହରକ୍ଷୀମାନେ କିଶୋରଙ୍କୁ ବନ୍ଦୀ କରିବାକୁ ଉଦ୍ୟତ ହେଉଛନ୍ତି, ହଠାତ୍ ପଛରୁ ଗୋଟାଏ ପ୍ରଚଣ୍ଡ କଣ୍ଠସ୍ୱର ଶୁଭିଲା । “ତା’ର ଦୋଷ କ’ଣ ଯେ ତୁମେ ତାକୁ ବନ୍ଦୀ କରୁଛ?”

ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପଛକୁ ଅନାଇ ଦେଖିଲେ, ଜଣେ ରାକ୍ଷସ ପର୍ବତ ଉହାଡରୁ ବାହାରି ଗୋଟାଏ ଲମ୍ପରେ ସେମାନଙ୍କ ଆଗରେ ଆସି ଠିଆ ହୋଇଗଲା । ତାକୁ ଦେଖିବା ମାତ୍ରେ ରାଜକୁମାରୀଙ୍କ ଦେହରକ୍ଷୀମାନେ ହଠାତ୍ ଛତ୍ରଭଙ୍ଗ ଦେଲେ । ରାକ୍ଷସ କହିଲା, “ଭୟ ନାହିଁ । କାହାରି ଅନିଷ୍ଟ କରିବା ମୋର କୌଣସି ଉଦ୍ଧେଶ୍ୟ ନୁହେଁ । ମୁଁ ରାକ୍ଷସପୁରୀର ରାଜା । ଥରେ ମଣିଷ ଜଗତର ନିୟମ କାନୁନ, ଆଚାର ବ୍ୟବହାର ଲକ୍ଷ୍ୟ କରି ଦେଖିଯିବା ନିମନ୍ତେ ଆସିଥିଲି । ହଁ, ଯାହା ପଚାରୁଥିଲି, ଏ ଯୁବକର ଦୋଷ କ’ଣ?”

ରାଜକୁମାରୀ କହିଲେ “ଜଣେ ସାଧାରଣ ଗାଉଁଲି ଟୋକା ମୋତେ ବିଭା ହେବାର ଆସ୍ପର୍ଦ୍ଧ ପୋଷଣ କରିବା ଏବଂ ସେକଥା କହିବା ଗୋଟାଏ ଅପରାଧ । ମୋ ପିତାଙ୍କ ମୃତ୍ୟୁ ହୋଇଯାଇଛି । ତାଙ୍କର ଅନ୍ୟ ସନ୍ତାନ ନଥିବା ଯୋଗୁଁ ମୋ ଉପରେ ବର୍ତ୍ତମାନ ରାଜ୍ୟ ଭାର । ମୁଁ ଜଣେ ଯୁଦ୍ଧବିଦ୍ୟା ପାରଙ୍ଗମ, କୁଶଳୀ, ବୁଦ୍ଧିମାନ ଯୁବକକୁ ବିଭା ହେବି । ଇଏ କିପରି ବାମନ ହୋଇ ଚନ୍ଦ୍ରକୁ ହାତ ବଢାଉଛି?”

“ଏ ଯୁବକ ବୁଦ୍ଧିମାନ । କିନ୍ତୁ ଅତ୍ୟନ୍ତ ସରଳ । ଆଉ ଯୁଦ୍ଧବିଦ୍ୟା କଥା ଯେ କହିଲେ, ମୁଁ ଏବେ ଏହାଙ୍କୁ ମୋ ବିଭୂତି ବଳରେ ସେ ଦିଗରେ ମୁହୂର୍ତ୍ତକ ଭିତରେ ସମସ୍ତ ଦକ୍ଷତା ପ୍ରଦାନ କରିପାରେ ।” ଏହା କହି ସେ ରାକ୍ଷସ କିଶୋରକୁ ଧରି ତା’ ଉପରେ କେତେକ ମନ୍ତ୍ର ପଢିଦେଲା । କିଶୋର ମୂର୍ଚ୍ଛା ଗଲା । ତା’ପରେ ସେ ଉଠିପଡି କହିଲା, “ମୁଁ ମୋ ଭିତରେ ନାନା ପ୍ରକାର ଗୁଣ ଓ ବଳର ବିକାଶ ଅନୁଭବ କରୁଛି ।”

ରାକ୍ଷସ ପଚାରିଲା “ରାଜକୁମାରୀ! ବର୍ତ୍ତମାନ ଏହାଙ୍କୁ ବିଭା ହେବ ଟି?”

ରାଜକୁମାରୀ କହିଲେ “ନା । କାରଣ ଇଏ ଖାଲି ଶକ୍ତି ଅନୁଭବ କରିଛନ୍ତି । ସେତିକିରେ ଚଳିବ ନାହିଁ । ସେ ତାଙ୍କ ଶକ୍ତିର ପରୀକ୍ଷା ଦେବା ଆବଶ୍ୟକ । ଆମ ରାଜ୍ୟ ସୀମାନ୍ତରେ କୁଶପତନର ରାଜା ବିଶୁବର୍ମା ଯୁଦ୍ଧ କରିବାକୁ ଆସି ତମ୍ବୁ ପକାଇଛନ୍ତି । ଏ ଯୁବକ ଯାଇ ଯଦି ତାଙ୍କୁ ଯୁଦ୍ଧ କରି ହଟାଇଦେଇ ପାରିବେ, ତେବେ ଯାଇ ମୁଁ ତାଙ୍କୁ ବିଭା ହେବି ।”

ରାକ୍ଷସ କହିଲା, “ବେଶ୍ । ଏ ଯୁବକ ଯେପରି ସେ ଦିଗରେ ସଫଳ ହେବେ, ସେକଥା ମୁଁ ଦେଖୁଛି ।” ଏହା କହି ସେ କିଶୋରକୁ ଧରି ରାକ୍ଷସ ସୀମାନ୍ତକୁ ଗଲା । ରାକ୍ଷସକୁ ଦେଖିବା ମାତ୍ରେ ଓ ତା’ର ସେ ହୁଙ୍କାର ଶୁଣିବା ମାତ୍ରେ କୁଶପତନ ରାଜ୍ୟର ସୈନ୍ୟବାହିନୀ ସେଠାରୁ କୁଆଡେ ପଳାଇଗଲେ । କିନ୍ତୁ ରାଜା ବିଶୁବର୍ମା ସଙ୍ଗେ ସଙ୍ଗେ ତାଙ୍କ ଘୋଡା ଉପରୁ କୁଦିପଡି କିଶୋର ସହ ଲଢେଇ କଲେ । ଭୀଷଣ ଯୁଦ୍ଧ ହେଲା । ଦେଖାଗଲା, କିଶୋର ବିଶୁବର୍ମାଙ୍କ ଅପେକ୍ଷା ଅଧିକ କୁଶଳୀ । ବିଶୁବର୍ମା ମରିଗଲେ ।

ରାକ୍ଷସ ଆସି ରାଜକୁମାରୀଙ୍କୁ ପଚାରିଲା, “ଏଥର ପରୀକ୍ଷାରେ ଉତୀର୍ଣ୍ଣ ହେବାର ବିଶ୍ୱାସ ହେଲା ତ? ଏବେ ତୁମର ତାଙ୍କୁ ବିବାହ କରିବାରେ ଆଉ କୌଣସି ଆପତ୍ତି ନାହିଁ ତ?”

ରାଜକୁମାରୀ କହିଲେ, “ତୁମକୁ ଦେଖି କୁଶପତନର ସୈନ୍ୟଦଳ ସେଠାରୁ ପଳାଇଗଲେ । ସେଥିରେ କିଶୋରଙ୍କର ବାହାଦୁରୀ କ’ଣ?”

ରାକ୍ଷସ କହିଲା, “ରାଜକୁମାରୀ! ତୁମେ ମୋତେ ବିସ୍ମିତ କଲ । ଦୂରରେ ରହି ତୁମେ କିଶୋର ଓ ବିଶୁବର୍ମାଙ୍କ ଲଢେଇ ଲକ୍ଷ୍ୟ କରିଥିବାର ମୁଁ ଠିକ୍ ଜାଣେ । ତା’ପରେ ବି ତୁମେ କିପରି କହୁଛ ଯେ ତୁମ ସର୍ତ୍ତ ପୂରଣ ହୋଇନାହିଁ ବୋଲି?”

ରାଜକୁମାରୀ ଆଉ କିଛି ନକହି ମୁଣ୍ଡ ତଳକୁ କରି ରହିଲେ । ସେତିକିବେଳେ କୁଶପତନ ରାଜ୍ୟର ମନ୍ତ୍ରୀ ଆସି ସେଠାରେ ପହଁଚି କିଶୋରକୁ ଅଭିବାଦନ ଜଣାଇ କହିଲେ, “ଆମର ରାଜପୁରୋହିତ କହୁଛନ୍ତି, ସେ ଆପଣଙ୍କ ଭିତରେ ଯାବତୀୟ ରାଜଗୁଣ ସବୁ ଦେଖିଛନ୍ତି । ରାଜା ଅପୁତ୍ରିକ । ତାଙ୍କର ମୃତ୍ୟୁ ଯାହା ହାତରେ ହେବ, କେବଳ ସେହିଁ ଆମ ରାଜ୍ୟର ନୂତନ ରାଜା ହେବ, ଏପରି ଏକ ଭବିଷ୍ୟତ୍ବାଣୀ ରହିଥିଲା । ଅତଏବ ଆପଣ ଆମ ରାଜସିଂହାସନରେ ବସିବାକୁ ସ୍ୱୀକୃତି ଦିଅନ୍ତୁ ଓ ମୋ ସହ ଚାଲନ୍ତୁ ।”

ରାକ୍ଷସ କହିଲା “ସାବାସ୍!”

ରାଜକୁମାରୀ କହିଲେ, “ମୁଁ ଏ ଯୁବକଙ୍କୁ ବିଭା ହେବାକୁ ପ୍ରସ୍ତୁତ ।”

କିଶୋର କହିଲା “କିନ୍ତୁ ମୁଁ ଆଉ ପ୍ରସ୍ତୁତ ନୁହେଁ ।”

ରାକ୍ଷସ ପୁଣି ଥରେ କହିଲା “ସାବାସ୍!” ଓ ଅଟ୍ଟହାସ କରି ସେ ଚାଲିଗଲା । କୁଶପତନର ମନ୍ତ୍ରୀ ସହ କିଶୋର ଚାଲିଗଲା । ରାଜକୁମାରୀ ଅପମାନରେ ଜର୍ଜର ହୋଇ ଚୁପ୍ଚାପ୍ ଠିଆ ହୋଇ ରହିଲେ ।

ବେତାଳ ଟିକିଏ ଚୁପ୍ ରହି ତା’ପରେ ସେ କହିଲା, “ରାଜା! କିଶୋର ତ ନିଜେ ରାଜକୁମାରୀଙ୍କୁ ବିଭା ହେବାର ପ୍ରସ୍ତାବ ଦେଇଥିଲା । ବର୍ତ୍ତମାନ ରାଜକୁମାରୀ ସେ ପ୍ରସ୍ତାବ ଗ୍ରହଣ କଲା ବେଳକୁ ସେ ପୁଣି ଓହରିଗଲା ଏମିତି କାହିଁକି ସେ କଲା? ପାରିଲେ ମୋ ପ୍ରଶ୍ନର ଉତ୍ତର ଦିଅ । ଉତ୍ତର ଦେବାର କ୍ଷମତା ଥାଇ ମଧ୍ୟ ତମେ ଯଦି ନିରୁତର ରହିବ, ତେବେ ତମ ଶୀର ସ୍କନ୍ଧଚ୍ୟୁତ ହେବ ।”

ରାଜା ବିକ୍ରମାର୍କ ଆଉ ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନକରି କହିଲେ, “ରାଜକୁମାରୀ ଅହଙ୍କାରୀ ଓ ସ୍ୱାର୍ଥପର । କିଶୋର ତାଙ୍କର ସମସ୍ତ ସର୍ତ୍ତ ପୂରଣ କରିବା ସତ୍ତ୍ୱେ ମଧ୍ୟ ସେ ତାକୁ ବିଭା ହେବାକୁ ନାସ୍ତି କରିଦେଇଥିଲେ । କିନ୍ତୁ କିଶୋର ରାଜା ହେବାର ଦେଖି ସେ ରାଜି ହେଲେ । ଅର୍ଥାତ୍ ସେ ରାଜପଦକୁ ବିଭା ହେବାକୁ ପ୍ରସ୍ତୁତ ଥିଲେ, ମାତ୍ର କିଶୋରକୁ ନୁହେଁ, ତା’ ଗୁଣ ପ୍ରତି ସମ୍ମାନ ଯୋଗୁଁ ନୁହେଁ, ଏପରିକି ନିଜ ସର୍ତ୍ତ ପୂରଣ ହେବା ସତ୍ତ୍ୱେ ବି ନୁହେଁ । କିଶୋର ସରଳ, କିନ୍ତୁ ବୁଦ୍ଧିମାନ । ଅତଏବ ସେ ରାଜକୁମାରୀଙ୍କ ଚରିତ୍ର ଠିକ୍ ବୁଝିଗଲା ଓ ତାଙ୍କୁ ବିଭା ହେବାକୁ ସେ ମନା କଲା ।

ରାଜାଙ୍କ ଉତ୍ତରଦାନ ଶେଷ ହେବା ମାତ୍ରେ ଶବ ସହ ଶବସ୍ଥିତ ବେତାଳ ତାଙ୍କ କାନ୍ଧରୁ ଖସି ପୁନର୍ବାର ସେ ବୃକ୍ଷ ଡାଳରେ ଯାଇ ଝୁଲି ପଡିଲା ।

*=============================*
*☘️🌸🌼🙏   ସମାପ୍ତ   🙏🌼🌸☘️*
*=============================*

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy