Monday, January 25, 2021

ଗଣତନ୍ତ୍ର ଦିବସ

ନଳିନୀ ପ୍ରଭା ମିଶ୍ର

ଫରଫର ଉର୍ଦ୍ଧେ ଉଡ ଇ ଚିରାଳ
  ଦେଶ ପ୍ରେମ ବାର୍ତ୍ତା ବହି
ଗଣତନ୍ତ୍ର ଦିବସ ଏ ପୁଣ୍ୟ ତିଥି
   ସମସ୍ତଙ୍କୁ ଦିଏ କହି।
ସ୍ଵାଧୀନ ହୋଇଲା ଆମ ଦେଶ ସିନା
  ଶାସନ ନୀତି ବ୍ୟବସ୍ଥା
ନକଲେ ଦେଶରେ ବଢ଼ିବ ନିଶ୍ଚିତେ
  ମହାନ୍ ଅରାଜକତା।
ଚିନ୍ତି ମାନ୍ୟଗଣ କଲେ ପ୍ରଣୟନ
  ଶାସନ ଖସଡ଼ା ନୀତି
ସମ୍ବିଧାନ ରୂପେ ହୋଇଲା ଗୃହୀତ
  ଜାନୁୟାରୀ ଛବିଶି ତିଥି।
ଉଣେଇଶ ପଚାଶ ମସିହା ଏ ଦିନେ
  ହେଲା ସମ୍ବିଧାନ କାର୍ଯ୍ୟକାରୀ
ଦଳିତ , ପଛୁଆ ସବୁ ବର୍ଗ ମନେ
  ଖେଳିଲା ଖୁସି ଲହରୀ।
ସମସ୍ତେ ପାଇଲେ ନ୍ୟାଯ୍ୟ ଅଧିକାର
  ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷେ
ସାର୍ବଭୌମ ଗଣତାନ୍ତ୍ରିକ ବ୍ୟବସ୍ଥା
  ଲାଗୁ ହେଲା ଆମ ଦେଶେ।
ଅଧିକାର ନାମେ ପ୍ରକାର ଭେଦରେ
   ରହିଛି ହୋଇ ନିହିତ
ସମ୍ବିଧାନ ପ୍ରଣେତା ଆମ୍ବେଦକରଙ୍କୁ
  କରୁଅଛୁ ପ୍ରଣିପାତ।
ମହାନ୍ ଭାରତ ଗଣତନ୍ତ୍ର ରାଷ୍ଟ୍ର
  ନିରପେକ୍ଷ ମନୋଭାବ
ବୃହତ୍ ବ୍ୟବସ୍ଥା ଲାଗି ଆମେ ସଦା
  ମନେ ବହିଥାଉ ଗର୍ବ।
ସ୍ଵାଧୀନତା ମତ ବ୍ୟକ୍ତ କରିବାକୁ
  ଅଧିକାର ଅଛି ରହି
ଅନ୍ୟାୟ ବିରୁଦ୍ଧେ ସ୍ଵର ଉତ୍ତୋଳନ
  କରିବା ଉଚିତ ଏହି।
ଏକସ୍ତରିତମ ଏ ପବିତ୍ର ଦିବସ
  ପଲ୍ଲୀଠୁ ଦିଲ୍ଲୀ ସର୍ବତ୍ର
ଜାତୀୟ ଭାବନା ମନେ ବହି ସର୍ବେ
  କରୁଅଛନ୍ତି ପାଳିତ।
ତ୍ରିରଙ୍ଗା ସମୀପେ ସଭିଏଁ ସମାନ
   ସାନ ବଡ଼ ନୁହେଁ କେହି
ଆମରି ନାଆର ଆମେ ହିଁ ନାଉରୀ
  ଶାସନ ନାକକୁ ନେଉଛୁ ବାହି।
ଆଗାମୀ କାଲିର ଦାୟାଦ ଯେତେକ
  ଏ ଦେଶର କର୍ଣ୍ଣଧାର
ତାଙ୍କରି ଦେହରେ ବହୁଛି ସେହି
   ଦେଶ ପ୍ରେମ ରକ୍ତଧାର।
ଭେଦଭାବ ଭୂଲି କର ହେ! ଶପଥ
  ଦେଶର ସୁରକ୍ଷା ଲାଗି
ଦେଶପ୍ରେମ ଭାବ ସବୁରି ମାନସେ
  ଇଠିଆସୁ ସଦା ଜାଗି।
ଦେଶର ଏକତା ଅଖଣ୍ଡତା ରକ୍ଷା
  କରିବା ସବୁରି କାମ୍ୟ
ଭୂଲି ଯିବା ନାହିଁ ଜନ୍ମମାଟିର ମମତା
  ପାଳନୀୟ ନିଜ କର୍ମ।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy