ସରୋଜ କୁମାର ସାହୁ
ମାଟିକାନ୍ଥ ମୋର ଲାଗଇ ସୁନ୍ଦର
ଗାଏ ଅତୀତର ଗାଥା
ପୂନେଇ ପରବ ଅବା ଶୁଭଦିନେ
ପଡୁଥିଲା ଝୋଟିଚିତା।
ଭାସି ବୁଲୁଥିଲା ମାଟିର ମହକ
ଗୋବରରେ ଭରା ଦେହ
ସହି ଅଛି ସିନା ଦୁଃଖର ଯନ୍ତ୍ରଣା
ଢାଳିନାହିଁ ଟୋପେ ଲୁହ।
ଖରା ବରଷାକୁ ସହିଛି ଆନନ୍ଦେ
ପରିବାର ଖୁସି ପାଇିଁ
ଛାଇପରି ସଦା ରହିଅଛି ଜଗି
ମୁରବୀର ହାତ ନେଇ।
ହସକାନ୍ଦ ସବୁ ଦେଖିଛି ଆମରି
ତଥାପି ରୁଷିନି ଥରେ
ପିଲାବେଳ ସହ ଯୌବନ ବାର୍ଦ୍ଧକ୍ୟ
କଟିଅଛି ଏଇ ଘରେ।
ଅଲୋଡା ରହିଛି ଆଜିବି ତାପାଖେ
ସୁଖ ସ୍ବାଛନ୍ଦର ଭାବ
ଶାନ୍ତ ପରିବେଶ ମନରେ ଭରିଣ
ସଭିଁଙ୍କୁ ଆଦରି ନେବ।
ସରୋଜ କୁମାର ସାହୁ
ଆଠଗଡ,କଟକ
No comments:
Post a Comment