ଜ୍ୟୋତ୍ସ୍ନା ରାଣୀ ଦେବୀ
ଛଳଛଳ ନଈ କଳକଳ ହୋଇ ଘର ଉଛୁଳାଇ ଦିଏ
ଛିଟ ପ୍ରଜାପତି ଉଡି ଦିନରାତି ନାନା ରଙ୍ଗେ ଖେଳୁଥାଏ ।
ପାଦରେ ପାଉଁଜି ହାତରେ କଙ୍କଣ ରୁଣୁଝୁଣୁ ବାଜୁଥାଏ
ହୀରାନିଳା ମୋତି ହେବକି ତା'ସରି କନ୍ୟାରତ୍ନ ପରା ସିଏ ।
ସରଗ ପରୀ ସେ ଅଲିଅଳି ଜେମା ବିଧାତାର ବରଦାନ
ଘରର ଶୀରି ସେ ଚପଳା ଚଞ୍ଚଳା ମଣ୍ଡୁଥାଏ ଗୃହାଙ୍ଗନ
ପିତୃକୁଳ ହିତ ସାଧନକାରୀ ସେ ଶ୍ଵଶୁର କୁଳକୁ ହିତା
ହୋଇଥାଏ ସଦା ସାର୍ଥକ କରଇ ନାମଟି ପାଇ ଦୁହିତା ।
ନାରୀ ଓ ପୁରୁଷ ସୁନ୍ଦର ସୃଷ୍ଟିର ଦୁଇଟି ସୁନ୍ଦର ଧାରା
ଅର୍ଦ୍ଧାଙ୍ଗ ଈଶ୍ଵର ଅର୍ଦ୍ଧାଙ୍ଗ ପାର୍ବତୀ ବିଭୋର କରନ୍ତି ପରା
କନ୍ୟାଟିଏ ସିନା ସୃଷ୍ଟି ମୂଳାଧାର ଏ କଥା ନ ଜାଣେ କିଏ
ତଥାପି ଜନନୀ ଜଠରେ ମରଣ କନ୍ୟାଟିଏ ସହୁଥାଏ ।
ନାରୀ ନାରାୟଣୀ ଜଗତ କଲ୍ୟାଣୀ ଜନନୀ ଭଗିନୀ ମାତା
କନ୍ୟାଟିଏ ସିଏ ଭିନ୍ନ ନାମଧାରୀ ହେଉଥାଏ ଅଭିନୀତା
ପୁତ୍ରଟିଏ କେବେ ହୋଇପାରେ କିରେ ଦୁହିତା ସଙ୍ଗେ ଭାଜନ
ବିଧାତା ଗଢିଛି ଏକ ପାଇଁ ଆନ କରି ନବ ନିରିମାଣ ।
ଶକ୍ତି ସ୍ଵରୁପିଣୀ କନ୍ୟାଟିଏ ସିନା ନୁହେଁ ତ ସିଏ ଅବଳା
ଶୋଷଣ ପେଷଣ ନିର୍ଯାତନା କାହିଁ ତା'ଭାଗ୍ୟ ଆକାଶେ ମେଳା
ଯତନ କରିଲେ ରତନଟିଏ ସେ ଚମକାଏ ଭୂମଣ୍ଡଳ
କନ୍ୟା ନୁହେଁ ସେ ତ କାଠର କଣ୍ଢେଇ ନୁହଁଇ ତ ବିଷଫଳ ।
ସୃଷ୍ଟିକୁ ସୁନ୍ଦର ଝିଅଟିଏ ସିନା ମମତା ନଈର ତୀରେ
ପ୍ରୀତି ବାରାନିଧି ଆଦରି ନିଏ ସେ ପ୍ରଶାନ୍ତିର ସପ୍ତସ୍ଵରେ ।
ଖୋଡାସିଙ୍ଗି, ବ୍ରହ୍ମପୁର, ଗଂଜାମ
No comments:
Post a Comment