କେତେ କଷ୍ଟ କଲେ ତୁଳସୀ ଗଛଟେ
ବଢ଼ି ଥାଏ ଚଉରାରେ
ବିନା ଯତନରେ ବିଛୁଆତି ଟିଏ
ବଢଇ ଖୋଲା ବୁଦାରେ
ଏଇତ ଦୁନିଆ ରୀତିରେ
କଷ୍ଟ ଯିଏ ସହେ ସେହି ବଡ଼ ହୁଏ
ତା ପାଖେ ଜଗତ ହାରେ
ତୁଠ ପଥରଟେ ଠାକୁର ହୁଅଇ
ନିହାଣର ମାଡ଼ ଖାଇ
ଖଣ୍ଡା କଟୁରୀ ଯେ ଧାରୁଆ ହୁଅଇ
କମାରଶାଳରେ ଯାଇ
ମନେ ରଖିଥିବ ଏହି
ବାଉଁଶରେ ଯେବେ କଣା ହୁଏ ସିନା
ତେବେ ସେ ବଂଶୀ ବୋଲାଇ
ନିଆଁର ଡର ଯେ ସୁନାକୁ ନଥାଏ
ବଢ଼ଇ ତାର ଚମକ
ନିନ୍ଦାକୁ ଚନ୍ଦନ ମଣି ଜ୍ଞାନୀ ଜନ
ଏଡାଇ ଯାନ୍ତି କଣ୍ଟକ
ବଣମଲ୍ଲୀର ମହକ
କେବେ କହେ ନାହିଁ କାହାକୁ ଡାକିଣ
ଧାଇଁ ଆସ ମୋର ପାଖ
ଛୁଞ୍ଚିର ଆଘାତ ସହି ଥାଏ ବୋଲି
ଫୁଲ ମାଳ କି ସୁନ୍ଦର
କୋଦାଳ ଆଘାତ ବାଜିଲେ ମାଟିରେ
ଫଳଇ ଶସ୍ୟ ସମ୍ଭାର
ଏଇ ବିଧାନ ବିଧିର
କଷ୍ଟ କଲେ ସିନା କୃଷ୍ଣ ମିଳି ଥାଏ
ଲୋକ ମୁଖରେ ପ୍ରଚାର
ରଞ୍ଜନ କୁମାର ମହାନ୍ତି
ବାଲେଶ୍ୱର
No comments:
Post a Comment