Sunday, January 10, 2021

ଜୀବନରେ ଆଲୋକ

ମାଧବୀ ପଟେଲ।
ମଣିଷ ବେଳେବେଳେ ଅବାଟରେ ଚାଲିଯାଏ।ସେ ଜାଣି ପାରେନା କୋଉଟା ଭଲ କୋଉଟା ଖରାପ।ସେତେବେଳେ ଜଣେ ଜ୍ଞାନୀ ଗୁଣି ଲୋକଙ୍କ ଆବଶ୍ୟକତା ପଡେ ତାକୁ ଠିକ୍ ରାସ୍ତା ବିଷୟରେ ଦିଗଦର୍ଶନ ଦେବାପାଇଁ।ଅର୍ଜୁନ ସେମିତି ଧର୍ମ ସଂକଟରେ ପଡିଥିଲେ କୁରୁକ୍ଷେତ୍ର ଯୁଦ୍ଧ ପଡିଆରେ।ଯୁଆଡେ ଆଖି ବୁଲେଇଲେ ନିଜ ପ୍ରିୟ ପରିଜନ ଭରିପଡିଛନ୍ତି।ନିଜ ପକ୍ଷ କୁ ନଜର କଲେ ଅଛନ୍ତି ପାଞ୍ଚଭାଇ।ଶଶୁର ଘରର ଲୋକମାନେ।ନିଜର କୋମଳ କିଶୋର ସନ୍ତାନ ମାନେ ସବୁ।ଆଉ ଅନ୍ୟ ପକ୍ଷକୁ ନଜର କରନ୍ତେ ସେଠି ଅଛନ୍ତି
ହାତଧରି ଚଲାଇ ଶିଖେଇଥିବା ଆଦରର ପିତାମହ ଭୀଷ୍ମ।ଯାହାର ଶ୍ବେତବସ୍ତ୍ରରେ ସେ ଖେଳକୁଦ କରି ଆସିଚଢି ମଇଲା କରିଦେଉଥିଲେ।ଆଉ ପିତାମହ ଖୁସି ହେଉଥିଲେ ଯେ କିଏ ଜଣେତ ଅଛି ଯିଏ ସାହସ କରି ତାଙ୍କ ଶ୍ବେତବସ୍ତ୍ରକୁ  ଭୃକ୍ଷେପ ନକରି ତାଙ୍କ କୋଳରେ ଚଢି ବସି ଯାଉଛି।ତାଙ୍କୁ ମଇଲାକରିବାର ଦମ୍ଭ ରଖିଛି।
ଆଉ ତାଙ୍କ ପାଖରେ ଆଦରର ପ୍ରିୟ ଗୁରୁ ଦ୍ରୋଣାଚାର୍ଯ୍ୟ
ଯିଏ ନିଜ ପ୍ରିୟ ଶିଷ୍ୟ ଅର୍ଜୁନକୁ ଶ୍ରେଷ୍ଠ କରିବାପାଇଁ ନିଜ ଚରିତ୍ରରେ କଳଙ୍କବୋଳିବାକୁ ପଶ୍ଚାତ୍ପଦ ହେଇନଥିଲେ।କାଳେ ଏକଲବ୍ୟ ଅର୍ଜୁନଠୁ  ଶ୍ରେଷ୍ଠ ହେଇଯିବ ଭାବି ଗୁରୁଦକ୍ଷିଣାରେ ତାର ବୃଦ୍ଧାଙ୍ଗୁଷ୍ଠିକୁ ମାଗିନେଲେ।ସେମିତି ଗୁରୁଙ୍କ ବିପକ୍ଷରେ ସେ ଯୁଦ୍ଧ କରିବ କିପରି?ମାମୁ ଶୈଲ୍ୟ ଅଛନ୍ତି ସେହି ଦଳରେ ଯିଏ ନକୁଳର ମାମୁଁମାଦ୍ରୀଙ୍କ ଭାଇ।ସେମାନେ ସମସ୍ତେ ତାର ହିତାକାଂକ୍ଷୀ ।ତାଙ୍କ ସହ ଯୁଦ୍ଧ କରିବାକୁ ତାର ହାତ ଉଠୁନଥିଲା।ସେତେବେଳେ ଶ୍ରୀକୃଷ୍ଣ  ତା ଜୀବନରେ ଆଲୋକ ବର୍ତ୍ତିକାଟେ ପାଲଟି ସତ୍ୟ ଓ ଧର୍ମର ପଥକୁ ଆପଣାଇବାକୁ ଗୀତା ଶୁଣାଇଥିଲେ।ଗୀତା ମଣିଷଜୀବନରେ ଆଲୋକର ପଥ ଦେଖାଏ।ଅର୍ଜୁନର ବି ଅଜ୍ଞାନ ତିମିର ନାଶ ହେଇ ଯାଇଥିଲା।ମୋହ ମାୟାର ଘୋଡେଇ ହୋଇଥିବା ଜାଲ ଧିରେ ଅପସରି ଯାଇଥିଲା।ସେ ଧର୍ମକୁ ପାଥେୟ କରି ନିଜ କର୍ମ କରିଚାଲିଲା।ଏମିତି ଆଉ ଏକ କାହାଣୀ।ଅଙ୍ଗୁଳିମାଳ ବୋଲି ଜଣେ ଦସ୍ୟୁଥିଲା।ସେ ଏକ ବଣରେ  ବାସକରି ରହିଥିଲା।ସେ ବଣରାସ୍ତା ଦେଇ ଯିଏ ଯାଉଥିଲା ତାକୁ ଧରି ଧନ ସମ୍ପତ୍ତି ଲୁଟି ମାରିଦେଉଥିଲା।ତାର ଆଙ୍ଗୁଠି ଗୁଡାକ କାଟି ମାଳ ତିଆରିକରି  ତା ଗଳାରେ ପିନ୍ଧୁଥିଲା।ସେଥିପାଇଁ ତା ନାଆଁ ଅଙ୍ଗୁଳିମାଳ ପଡିଥିଲା।ଥରେ ବୁଦ୍ଧ ଦେବ ସେ ଜଙ୍ଗଲ ରାସ୍ତା ଦେଇ ଯାତ୍ରା କରୁଥିଲେ।ଅଙ୍ଗୁଳିମାଳ ତାଙ୍କୁ ବି ଧରିନେଲା।ଧନ ସମ୍ପତ୍ତିତ ତାଙ୍କ ପାଖରେ କିଛି ନଥିଲା।ସେ ତାଙ୍କର ଆଙ୍ଗୁଠି ସବୁ କାଟିବାକୁ ଉଦ୍ୟତ ହୁଅନ୍ତେ ବୁଦ୍ଧ କହିଲେ ରହରହ ଅପେକ୍ଷା କର।ତୁମେ ଏମିତି ଲୋକଙ୍କୁ ମାରି ଯୋଉ  ଧନ ଲୁଟୁଛ, ମାରି ପାପ କରୁଛ କାହାପାଇଁ କରୁଛ? ସେ କହିଲା ମୋ ପରିବାର ପୋଷିବାକୁ କରୁଛି।ତାହେଲେ ତୁମର ଏ ପାପର ଭାଗିଦାର ତୁମ ପରିବାର ବି ହେବେ ନୁହେଁ?ଯାଅତ ପଚାରି ଆସିବ ସେମାନେ ତୁମ ପାପରୁ ଭାଗ ନେବେକି?ସେଯାଇ ତାର ପିତାମାତା ସ୍ତ୍ରୀ ସନ୍ତାନଙ୍କୁ ପଚାରିଲା।ସମସ୍ତେ ମନାକଲେ ପାପ ଭାଗ ନେବାପାଇଁ।ତୁମେ ଆମପୁତ୍ର,ଆମର ବାପା,ମୋରସ୍ବାମୀ ହିସାବରେ ଆମକୁ ପୋଷିବାର ଦାୟିତ୍ବ ତୁମର।ତୁମେ କମେଇ ଆଣୁଛ କି ଲୁଟି ଆଣୁଛ ଆମେ ଜାଣିନୁ।ତେଣୁ ଆମେ ପାପୀ ନୋହୁ।ତୁମେ ଯଦି ଲୋକଙ୍କୁ ମାରୁଛ ତେବେ ପାପତକ ତୁମର।ସେ ଏକଥା ଯାଇ ବୁଦ୍ଧଙ୍କୁ ଜଣାଇଲ।ବୁଦ୍ଧ କହିଲେ ତାହେଲେ ତୁମେ ତାଙ୍କପାଇଁ ଏ ପାପ କାର୍ଯ୍ୟ କରିବ କାହିଁକି?ସେ ବୁଝି ପାରିଥିଲା ଏ ଜଣେ କେହି ମହାପୁରୁଷ ସେ ତାଙ୍କ ଗୋଡତଳେ ପଡି ଏ ପାପରୁ କେମିତି ମୁକ୍ତିହେବ ସେ ଆଲୋକର ପଥ ଦେଖାଇବାକୁ ଅନୁରୋଧ କରିଥିଲା।
ବୁଦ୍ଧ ତାକୁ ଶିଷ୍ୟ ରୂପେ ଗ୍ରହଣ କରିନେଇଥିଲେଓ ଜ୍ଞାନ ଦାନକରି ମୁକ୍ତିରଆଲୋକ ଦେଖାଇଥିଲେ।ଏମିତ ଦସ୍ୟୁ ରତ୍ନାକର ବି ନାରଦଙ୍କ ପ୍ରେରଣାରେ ବାଲ୍ମିକୀ ପାଲଟିଥିଲେ।ସମସ୍ତଙ୍କ ଜୀବନରେ ଜ୍ଞାନର ଆଲୋକ ଜରୁରୀ ଯିଏ ଜୀବନକୁ ସତ୍ ପଥରେ ଚାଲିବାକୁ ରାସ୍ତାବତାଏ।ସ୍ନେହ ଦୟା କରୁଣା ସହଯୋଗ ଦେବାକୁ ଶିଖାଏ।ହିଂସାଠୁ ଦୂରେ ରହିପରଷ୍ପର ବନ୍ଧୁତା ଡୋରରେ ବାନ୍ଧିହେଇ ସହଯୋଗର ହାତ ବଢାଇବା ବତାଏ।ସତ୍ୟ ପଥରେ ଚାଲି ପୁଣ୍ୟ ଉପାର୍ଜନ ପାଇଁ କର୍ମ କରିବାକୁ ଶିଖାଏ।ଶେଷରେ ମୋକ୍ଷ ପାଇଁ ପଥ ଖୋଲିଦିଏ।
ଝାରସୁଗୁଡା।

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy