Friday, January 15, 2021

ଡ଼ିସେମ୍ବର ଫୁଲ

_*👉ଆସନ୍ତୁ ପଢ଼ିବା ଆଜିର ରାତ୍ରୀ କାହାଣୀ 👈*_

                 *🌹"  "🌹*
             *· · • • • • • • ✤ • • • 
*❀꧁❀꧂❀꧁❀꧂❀꧁❀꧂❀*
*______________________________________*
🌻☘️🌸🌼🌼🙏🌼🌼🌸☘️🌻

ଫୁଲମାନେ କଥା କୁହନ୍ତି,ଗୀତ ବୋଲନ୍ତି......ସବୁ ଫୁଲ ଗୋଟେ ଗୋଟେ ଗପ ନହେଲେ କବିତା.....

   ଚମକି ପଡିଲା ବନାନୀ।କିଏ କହିଥିଲା ଏ କଥା ପଦକ ???
ଅଷ୍ଟ୍ରେଲିଆନ ଗାୟିକା କାଇଲି ମିନୋଗଙ୍କ"ଫ୍ଲାୱାର "ଗୀତକୁ ଇୟର ଫୋନ ଲଗାଇ ଶୁଣୁ ଶୁଣୁ ଏକ ବିମୁଗ୍ଧ ଚାହାଣୀରେ,ବନାନୀ ଅନାଇଥିଲା ନିଜ ବଗିଚାକୁ ।
ଡିସେମ୍ବର ମାସ ର ଶୀତୁଆ ସକାଳ।
ଆଉ ଡିସେମ୍ବର ମାସ ତ ହେଉଛି ଫୁଲଙ୍କ ମାସ...
ରଙ୍ଗ ବେରଙ୍ଗ  ଫୁଲଙ୍କ ସମାରୋହରେ ଲାଗୁଛି ସତେ ଯେମିତି ପୁଷ୍ପ ପ୍ରଦର୍ଶନୀ ହେଉଛି ବଗିଚାରେ।
ଗେଣ୍ଡୁ,ସେବତୀ,ଡାଲିଆ, ଜିନିଆ,ପିଟୁନିଆ,
ଆଷ୍ଟର,ପାନସି, ଆଣ୍ଟିରହିନମ,ଆନ୍ଥୁରିଅମ...ତା ସହିତ ଗୋଲାପ,ସୂର୍ଯ୍ୟମୁଖୀ,ମନ୍ଦାର....ଓହୋ ଭଳିକି ଭଳି ଫୁଲ....
ବିନା ମେଘରେ,ମାଟି ଉପରେ ଇନ୍ଦ୍ରଧନୁ ପଡିଛି ବୋଲି କହିହେବ।
ନା ନା ବରଂ ବର୍ଣ୍ଣ ର ମହୋତ୍ସବ....  
ତୁଳୀ ଧରି କେଉଁ ଚିତ୍ରକର ଯେମିତି ଆଙ୍କିଦେଇଛି ସୁନ୍ଦର ଏକ ଚିତ୍ର....
ଛୋଟବେଳୁ ବଗିଚା ଓ ଫୁଲ ପ୍ରିୟ ବନାନୀ।ବାପା,ବୋଉ ବହୁତ ଗଛ ଲଗାଇ ଯତ୍ନ ନେଉଥିଲେ।ସେଇଠୁ ଆଗ୍ରହ ବନାନୀର।ବାହାହେଲା ପରେ ଯେଉଠିକୁ ବଦଳି ହେଉ ପଛେ ବଗିଚା ନହେଲେ ବାଲକୋନି କିମ୍ବା ଛାତ ଉପରେ କୁଣ୍ଡରେ ଫୁଲ ଗଛ ଲଗାଏ ବନାନୀ।ନିଜ ସୁଖଦୁଃଖ ବାଣ୍ଟେ ଫୁଲଙ୍କ ସହ।ଫୁଲମାନେ ସବୁବେଳେ ପ୍ରାଣବନ୍ତ....
ଆଜିକାଲି ଦୋକାନରେ ଲାଗୁଥିବା ସେଲ  ଯେମିତି ଆଗକୁ ଆସୁଥିବା କୌଣସି ପର୍ବପର୍ବାଣୀ'ର ପୂର୍ବ ସୂଚନା ଦିଏ; ଠିକ ଏଇ ଫୁଲଙ୍କ ମହୋତ୍ସବ ଆଗୁଆ ସୂଚନା ଦେଉଛି ବସନ୍ତ ର ଆଗମନ....
ସତରେ କଣ ସବୁ ଫୁଲଙ୍କ କିଛି ଅଭିବ୍ୟକ୍ତି ଥାଏ !ତାକୁ ତ ଲାଗେ।ହେଲେ କାହିଁକି କେଜାଣି ସ୍ୱାମୀ ଓ ପିଲାମାନେ ଜମା ତାକଥା ବିଶ୍ବାସ କରନ୍ତିନି.....
ଦୀର୍ଘନିଶ୍ବାସ ନେଲା ବନାନୀ।
ପ୍ରଥମେ ଠିଆ ହେଲା ଗେଣ୍ଡୁଫୁଲ ପାଖରେ।ହଳଦିଆ,କମଳା ରଙ୍ଗର ଥୋପା ଗେଣ୍ଡୁ।ଆରପାଖକୁ ପଟାଳୀ ରେ ଲାଗିଛି ଖାଇରିଆ ରଙ୍ଗର କୁସୁମଗେଣ୍ଡୁ।
ଗେଣ୍ଡୁ....ଗେଣ୍ଡୁ....ଗେଣ୍ଡୁମାଳ ଶ୍ୟାମକୁ ଦେବି.... ଚୁଟି କାଟିବି.....
ମନକୁ ମନ ଫେଁ କିନା ହସିଦେଲା ବନାନୀ।
ସ୍କୁଲରେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ଶ୍ୟାମାଚରଣ ଓରଫ ଶ୍ୟାମକୁ କ୍ଳାସ ସାଙ୍ଗମାନେ ନାଁ ଦେଇଥିଲେ  ଗେଣ୍ଡୁ। 
ଶ୍ୟାମ ର ଗୋଟେ ଚୈତନ ଚୁଟି ଥିଲା।ମାନସିକ ରଖି ମୁଣ୍ଡର ପଛପଟକୁ ଚୁଟି ଅରାକ ଗୋଟେ ଗଣ୍ଠି ପଡି ଝୁଲିଥାଏ।ତା ଜେଜେମା କାଳେ ରଖିଥିଲା ମାନସିକ।ସେଇ ଚୁଟି ରେ ବେଳେବେଳେ ଗୋଟେ ଗେଣ୍ଡୁଫୁଲ ଖୋସି ସ୍କୁଲ ଆସୁଥିଲା ବୋଲି ତା ନାଁ ରଖାଯାଇଥିଲା ଗେଣ୍ଡୁ।
ବନାନୀ ପାଖରେ ବସୁଥିଲା ଶ୍ୟାମ।ସାଙ୍ଗ ଝିଅମାନଙ୍କ ସହ ବନାନୀ ବି ଗୀତ ବୋଲି ଚିଡାଉ ଥିଲା ଶ୍ୟାମକୁ....
ଗେଣ୍ଡୁମାଳ ଶ୍ୟାମକୁ ଦେବି, ମନ ତୋଷିବି....
ଶ୍ୟାମ କିନ୍ତୁ ଚିଡେନା, ହସେ।ଥରେ ସ୍କୁଲରୁ ଫେରିଲା ବେଳେ ବନାନୀ ଶ୍ୟାମକୁ କହିଥିଲା,
- ତୁ ଏ ଚଇତନ ଚୁଟି ରେ ଗେଣ୍ଡୁଫୁଲ କାହିଁକି ଲଗାଉଛୁ ?ଚୁଟି କାଟି ଦେଉନୁ ?"
ଧୀର ସ୍ୱରରେ ଶ୍ୟାମ କହିଥିଲା,
- ଜେଜେମା ମନା କରିଛି।ମୋ ଛାତିରେ କାଳେ ଗୋଟେ ଛୋଟ କଣା ଅଛି।ମୁଁ ଆଉ ଟିକେ ବଡ଼ ହେଲାପରେ ମୋର ଅପରେସନ ହେବ ଓ ମୁଁ ପୁରା ଭଲ ହୋଇଗଲେ ଏଇ ଚୁଟି ଠାକୁରଙ୍କ ପାଖରେ ପଡିବ ବୋଲି ମାନସିକ କରିଛି ଜେଜେମା।"
ଆବାକାବା ହୋଇ ବନାନୀ କହିଥିଲା
- ଦେଖା ତୋ ଛାତି,କେଉଁଠି କଣା ହୋଇଛି।"
- ବୋକୀ  କେଉଁଠିକାର।ଛାତି ଭିତର କଣା ,ଉପରେ ନୁହଁ।ସେ କଣା କେମିତି ଦେଖାଇବି ?"

   ସେଇବର୍ଷ ଶ୍ୟାମାଚରଣ ବାପାଙ୍କ ଅନ୍ୟ ସହରକୁ ବଦଳି ହୋଇଗଲା।ତା ଛାତି ର କଣା ବନ୍ଦ ହେଲାକି ନାହିଁ କେଜାଣି !!ଗେଣ୍ଡୁଫୁଲ କଣ ଆଉ ଖୋସୁଥିବ ଶ୍ୟାମଚରଣ ?ଯେଉଁଠିଥାଉ ଭଲରେ ଥାଉ ସେ...ଗେଣ୍ଡୁଫୁଲ ଗୁଡାଙ୍କୁ ଆଉଁଷି ବନାନୀ ଆସି ଠିଆ ହେଲା ସେବତୀ ଫୁଲଙ୍କ ପାଖରେ।ଅନେକ ରଙ୍ଗର ସେବତୀ।
ସେବତୀ ସାହୁ...ସପ୍ତମ ଶ୍ରେଣୀରୁ ସାଙ୍ଗ।ସେବତୀ ନିଜ ମୁଣ୍ଡରେ କ୍ଲିପ ମାରି ବେଳେବେଳେ ଫୁଲ ଖୋସେ।ଭାରି ହସକୁରି ଥିଲା ସେବତୀ।ତାଙ୍କର ଗୋଟେ ଜଳଖିଆ ଦୋକାନ ଥିଲା।ବରା,ପିଆଜି ସହ ମୁଆଁ ବି ଆଣୁଥିଲା ସେବତୀ।
ମୁଢି,ଖଇ,ଚୁଡା ମୁଆଁ,ଧନୁମୁଆଁ।ସେ ବି କାଳେ ନିଜ ହାତରେ ମୁଆଁ ବନାଇବା ଶିଖି ଯାଇଥିଲା।ପାଠ ତାର ଭଲ ହେଉ ନଥିଲା।ଦୁଇ ତିନି ଥର ଫେଲ ବି ହୋଇଥିଲା।
ନିଜ ବୟସ ତୁଳନାରେ ସେବତୀ ବହୁତ ମ୍ୟାଚୁଅର,ଅଭିଜ୍ଞ,ଅନୁଭବୀ ଥିଲା।ସବୁବେଳେ ବଡ଼ଙ୍କ ଭଳି କଥା।କ୍ଳାସର ସବୁ ଝିଅଙ୍କ ଅପେକ୍ଷା ସତରେ ସେ ବଡ଼ ହୋଇଯାଇଥିଲା।
ଦୁଇଦିନ ସ୍କୁଲ ଆସିନଥିଲା ସେବତୀ।ବାନ୍ଧବୀ ଝିନୁ ଚୁପ କିନା ବନାନୀ କାନରେ କହିଥିଲା,
- ସେବତୀ ମାଚୁଆର ହୋଇଛି,ତାର ପିରିଅଡ ମାନେ ଋତୁସ୍ରାଵ ହୋଇଛି।ସେ ବଡ଼ ଝିଅ ହୋଇଗଲା।"
ସେଦିନ ଚମକି ପଡିଥିଲା ବନାନୀ।ଘରେ ବୋଉକୁ ଏବିଷୟରେ ପଚାରିଥିଲା।ବୋଉ ଆଖି ଦେଖାଇ କହିଥିଲା,
- ଏସବୁ କଥା ଆଉ କାହାକୁ ପଚାରିବୁନି।ସବୁ ଝିଅ ବଡ ହୁଅନ୍ତି।ତୁ ବି ହେବୁ...."
ସ୍କୁଲ ଆସିଲାପରେ ସମସ୍ତେ ଅନାଉଥିଲେ ସେବତୀକୁ।ସତରେ କଣ ଋତୁସ୍ରାଵ ହେଲେ ଝିଅମାନେ ବଡ ହୋଇଯାଆନ୍ତି ?
ସେବତୀ ହିଁ ସେମାନଙ୍କ ବ୍ୟାଚରେ ଆଗେ ବାହା ହୋଇଯାଇଥିଲା,ଦଶମ ଶ୍ରେଣୀ ପରୀକ୍ଷା ଦେଲାର ଠିକ ପରେ ପରେ ।ହସିଦେଇ ସେବତୀ କହିଥିଲା,
- ମୋ ଦେଇ ପାଠ କଣ ଆଉ ହେବ ?ମେଟ୍ରିକ ଯଦି ପାସ କରେ ତେବେ ଶାଶୁଘରେ କଲେଜ ଛାଡିବେ କି ନାହିଁ କେଜାଣି ?"
ଶାଶୁଘରକୁ ବିଦା ହେଲା ବେଳେ ସାଙ୍ଗମାନଙ୍କୁ ଧରି ବହୁତ କାନ୍ଦିଥିଲା ସେବତୀ।ମେଟ୍ରିକ ରେ ଫେଲ ହୋଇଥିଲା ସେବତୀ।ସପ୍ଲିମେଣ୍ଟାରୀ ଦେଲାକି ନାହିଁ କେଜାଣି ?କିଏ ଥରେ କହୁଥିଲା ପାଞ୍ଚଟା ଛୁଆ ର ମା ହୋଇ ବିନ୍ଦାସ ଅଛି।ସେବତୀ, ଠିକ ଏଇ ସେବତୀ ଫୁଲ ଭଳି,ହସ ହସ।......
  ଭଲ ହୋଇଛି ସେବତୀ ବାହାହୋଇଗଲା।କିନ୍ତୁ ଗୋଲାପ ?ସେମାନଙ୍କ କ୍ଳାସମେଟ ଗୋଲାପ ମଞ୍ଜରୀ ସ୍ୱାଇଁ।ସବୁ ଝିଅଙ୍କ ଭିତରେ ସୁନ୍ଦରୀ।ସ୍କୁଲ କୁଇନ ବୋଲି ଖ୍ୟାତି ଥିଲା ତାର।
କୁଣ୍ଡରେ ଲାଗିଥିବା ଗାଢ଼ ଲାଲ ରଙ୍ଗ ର ଗୋଲାପ ଫୁଲ ଉପରେ ଆଖି ପଡିଲା ବନାନୀ ର।ଅନେକ ରଙ୍ଗର ଗୋଲାପ ଲଗାଇଛି ସେ।ଗୋଟେ ଭଅଁର ଉଡୁଛି ଗୋଲାପ ଫୁଲ ଉପରେ।
ଫୁଲ ବାସ୍ନାରେ ମହୁମାଛି,ଭଅଁର,ପ୍ରଜାପତି ସମସ୍ତେ ଆସନ୍ତି।ସ୍କୁଲ ସାଙ୍ଗ ଗୋଲାପ ମଞ୍ଜରୀ ପଛରେ ବି ଗୁଡାଏ ବଦମାସ ଗୁଣ୍ଡା ଶ୍ରେଣୀର ଟୋକା ପଡିଥଲେ।
  ହଠାତ ଦିନେ ଉଭାନ ହୋଇ ଯାଇଥଲା ଗୋଲାପ।କିଏ କହିଲା ତାର ଅପହରଣ ହୋଇଛି, କିଏ କହିଲା ରେପ କରି ତାକୁ ମର୍ଡର କରି ଗୁଣ୍ଡାମାନେ ତାକୁ ପୋତି ଦେଇଛନ୍ତି।ଗୋଲାପ ଅଦୃଶ୍ୟ ହୋଇଯାଇଥଲା।ତା ବାପା,ମା କାନ୍ଦୁଥଲେ।ବନାନୀ'ର ମନେପଡୁଥିଲା,କ୍ଲାସରେ କିଏ ଗୋଟେ କହୁଥିଲା, ଗୋଲାପ ପାଇଁ ଶୋକ ସଭା କରିବାକୁ।
ହେଲେ ପରେ  ଜଣାପଡିଲା  ଗୋଲାପ ତା ଟିଉସନ ସାର ସହିତ ଲୁଚି କରି ପଳେଇଛି।ପୋଲିସ ଆରେଷ୍ଟ କରିଥିଲା ଟିଉସନ ସାରଙ୍କୁ ଅପହରଣ ଅଭିଯୋଗରେ।ଗୋଲାପ କିନ୍ତୁ କହୁ ଥିଲା ସେ ଭଲପାଇ ନିଜ ଇଚ୍ଛାରେ ଯାଇଥିଲା ବୋଲି।ଦୁଇଦିନ ପରେ ଗୋଲାପର ଦେହ ଝୁଲୁଥିଲା ଆମ୍ବ ଗଛରେ।ଗୋଲାପ ଫୁଲକୁ ଛିଣ୍ଡାଇ ଦିଅନ୍ତି ଲୋକ।
- ମା,କଫି।"
କଫି କପ ଆଣି ଧରାଇଦେଲା କାମବାଲୀ।।ନିଜ ଫୁଲ ବଗିଚାରେ ବସି କଫି ନହେଲେ ଚା ପିଇବାର ମଜା ନିଏ ସେ।ଏକଥା ସେ ଶିଖିଥିଲା ଜିନୁ ଠାରୁ।କଲେଜ ବେଳ ବାନ୍ଧବୀ।ଗୋଟେ ବଡ଼ ଅଫିସର କୁ ବାହା ହୋଇଥିଲା।ତା ର ବିରାଟ ଏକ ବଗିଚା,ତାରି ବଗିଚାରୁ ଗତବର୍ଷ ଆଣିଥିଲା ଜିନିଆ ତଳି।

ସାମ୍ନାରେ ପଟାଳି ରେ ଲାଗିଛି ସେଇ ଜିନିଆ ଫୁଲ ଗଛ।ଏକଦମ ସୁନ୍ଦର ,କିନ୍ତୁ ବାସ୍ନାହୀନ ଫୁଲ।ଜିନୁ ନିଜକୁ ଜିନିଆ ଫୁଲ ସହ ତୁଳନା କରୁଥିଲା।

- ଏଇ ଜିନିଆ ଫୁଲର ବାସ୍ନା ନାହିଁ, ଠାକୁର ପୂଜାରେ ଲାଗେନା,କିଏ ତାକୁ ମାଳ କରି ମୁଣ୍ଡରେ ଲଗାନ୍ତିନି;  ଖାଲି ବଗିଚାର ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ ବଗିଚାରେ ଲଗାଯାଏ।ଯେମିତି ସୋ ପିସ ଥାଏ କପ ବୋର୍ଡ଼ରେ।ମୁଁ ବି ଗୋଟେ ଜିନିଆ ଫୁଲ ଲୋ...
ଚମକି ପଡି ବନାନୀ ପଚାରିଥଲା,
- କଣ ଏମିତି କହୁଛୁ ?"
- ବାହାଘର ପୁର୍ବରୁ ଓ ପରେ ବି ମୋ ସ୍ବାମୀଙ୍କ ର ଅନ୍ୟ ମହିଳାଙ୍କ ସହ ଆଫେଆର ଥିଲା ଓ ଅଛି।ମୁଁ ଗୋଟେ ଜିନିଆ ଫୁଲ ଭଳି କେବଳ ସଜେଇ ହୋଇଛି।ଡାଇଭର୍ସ ନେବାକୁ ଚିନ୍ତା କଲିଣି, ହେଲେ ଘରେ କହୁଛନ୍ତି ଟିକେ ଆଡ଼ଜଷ୍ଟ କରିନେ।ସେ ବଦଳିବ।"

  ନିଜକୁ ସେଦିନ ବହୁତ ଭାଗ୍ୟବତୀ ଭଳି ଲାଗିଥିଲା ବନାନୀ କୁ।ସ୍ନେହୀ ସ୍ୱାମୀ,ଦୁଇଟା ସୁନ୍ଦର ପିଲାଙ୍କୁ ନେଇ ତାର ହସ ଖୁସି ଭରା ସଂସାର।

   ମନଦୁଃଖରେ ସେଦିନ ବନାନୀ ଘରକୁ ଫେରିଲା ବେଳେ ତାର ମନେ ପଡୁଥିଲା ମିସେସ ମ୍ୟାଥୁସ ଙ୍କ କଥା।ଇଂରାଜୀ ରିଡର।କେରଳୀ ଭଦ୍ରମହିଳା।ବହୁତ ବଗିଚା ସୌକିନ।ଭଳିକି ଭଳି ଡାଲିଆ ଓ ସେବତୀ ଗଛ ଚାରା କରି ଲଗାନ୍ତି।ତାଙ୍କଠୁ ଡାଲିଆ ଗଛ ଆଣି ସବୁ ବର୍ଷ ଲଗାଏ ବନାନୀ।ପ୍ରତି ବର୍ଷ ତାଙ୍କ ବଗିଚା ପ୍ରଥମ ପୁରସ୍କାର ପାଏ।
- ଆପଣଙ୍କ ଡାଲିଆ ଫୁଲ ଦେଖି ମୋତେ ଆପଣଙ୍କ ଉପରେ ଇର୍ଷା ହୁଏ।ଫୁଲ ସବୁ ସେମିତି ରହୁଛି।ମୋ ପୁଅ ଝିଅ ଅଧେ ଛିଣ୍ଡାଇ ଦେଉଛନ୍ତି।"

ସେଦିନ ମୁହଁ ଶୁଖାଇ ମିସେସ ମ୍ୟାଥୁସ କହିଥିଲେ,
- ଫୁଲ ଛିଣ୍ଡାଇବାକୁ ମୋ ଘରେ କିଏ ଅଛି ?ପଚିଶ ବର୍ଷ ହୋଇଗଲା ବିବାହକୁ, ୟୁଟ୍ରସ ରିମୁଭ ବି ହୋଇଗଲା।ଆଡ଼ପ୍ତ ପାଇଁ ମିଷ୍ଟର ରାଜି ନୁହଁନ୍ତି।ଏଇ ଫୁଲ ମାନଙ୍କୁ ଅନାଇ ଖୁସି ହୁଏ।ଏଇମାନେ ମୋ ପିଲା,ଛୁଆ।"
ଭାବନା ରାଜ୍ୟରୁ ଫେରିଆସିଲା ବନାନୀ।ବଡ଼ ବଡ଼ ଡାଲିଆ ଫୁଲ ସବୁ ଚୁପଚାପ ଠିଆ ହୋଇଛନ୍ତି,ମିସେସ ମ୍ୟାଥୁସ ଙ୍କ ଭଳି।

  ପାହାଚ ପାଖକୁ ମନ୍ଦାର ଫୁଲ ସବୁ ଫୁଟିଛି।ବୋଉ ନାଁ ମନ୍ଦାର।ଛିଃ, ଭାରି ବିରକ୍ତ ହୁଏ ବନାନୀ।
- ମା ତାରିଣୀ ଙ୍କୁ ମାନସିକ କରି ଚାରି ପୁଅ ପରେ ମୋତେ ପାଇଥିଲା ବୋଲି,ତୋ ଆଈ ମନ୍ଦାରମାଳା ନାଁ ଦେଇଥିଲା।"
ବାପା ଚିଡାନ୍ତି ବୋଉକୁ ଏଇ ନାଁ ପାଇଁ।ବୋଉ ରଙ୍ଗୀନ ଶାଢ଼ୀ ପିନ୍ଧି ନାଲି ସିନ୍ଦୁର ମୁଣ୍ଡରେ ମାରି ମନ୍ଦାର ଫୁଲ ଭଳି ସୁନ୍ଦର ଦିଶେ।ହେଲେ ବାପା ଚାଲିଗଲା ପରେ ବୋଉ କୁ ଯେତେ ବାଧ୍ୟ କଲେବି ରଙ୍ଗୀନ ଶାଢ଼ୀ ବଦଳରେ ଅଳ୍ପ ଧଡି ଵାଲା ଫିକା ରଙ୍ଗର ଶାଢୀ ପିନ୍ଧୁଛି।ଆଖି ଜକେଇ ଆସିଲା ବନାନୀ ର।

  ବାପାଙ୍କ କଥା ମନେପଡ଼ିଗଲା।ସୂର୍ଯ୍ୟକାନ୍ତ ବାବୁ...ରାଜା ଚେହେରା ଓ ମୁହଁର କାନ୍ତି ଠିକ ସୂର୍ଯ୍ୟ କିରଣ ଭଳି। ବଡ଼ ବଡ଼ ସୂର୍ଯ୍ୟମୁଖୀ ଗଛରେ ପତଳା ବାଉଁଶ କାଠି ସବୁ ଢ଼ିରା ଦେଇ ବାନ୍ଧିଛି ମାଳୀ।ଉଞ୍ଚା ଗଛ ଗୁଡାକ ବାପାଙ୍କ ଭଳି ଡେଙ୍ଗା।ସୂର୍ଯ୍ୟମୁଖୀ ଫୁଲ ସବୁ ବାପାଙ୍କ ମୁହଁ ଭଳି ଦିଶେ।କେତେ ଗେଲ୍ହା କରୁଥିଲେ ତାକୁ ବାପା !!ଆଖି ଲୁହ ପୋଛିଲା ବନାନୀ।ଓଃ,ଏ ଫୁଲ ସବୁ କେତେ ଭାବନା ଭରି ଦିଅନ୍ତି ମନରେ ??

   ଉଠି ଠିଆ ହେଲା ବନାନୀ।କୁଣ୍ଡରେ ଲଗାଇଛି ପିଟୁନିଆ ଏବଂ ପାନସି ଫୁଲ।ବିଦେଶୀ ଫୁଲ,ବହୁତ ସୁନ୍ଦର ବିଭିନ୍ନ ରଙ୍ଗର।କୁନି କୁନି ଫୁଲ ସବୁ ପବନରେ ମୁଣ୍ଡ ହଲାଇ ନାଚୁଛନ୍ତି।

କାହା ହସ ଶୁଭିଲାକି ?କିଏ!!!ପିଣ୍ଟୁ ,ପିହୁ !!! ଦୁହେଁ ତ ଚାକିରୀ କରି ବିଦେଶରେ।ମୋବାଇଲରେ ସେମାନଙ୍କ ଫଟ ପଠାଉଛନ୍ତି।ଘରେ ସେମାନେ ମିଆଁ ବିବି ଦୁଇ ଜଣ।ପୁଣି କାନ୍ଦ ମାଡ଼ିଲା ବନାନୀ କୁ।
ମୁହଁ ବୁଲାଇ ଚାଲି ଆସିଲା ବେଳକୁ ,ଆଖି ପଡିଗଲା ଛାଇରେ ଥୁଆ ହୋଇଥିବା  କ୍ରିସଆନ୍ଥେମମ ଫୁଲ ଉପରେ।ଏଇ ଡିସେମ୍ବରରେ ଫୁଟେ।ସେବତୀ ର ହାଇବ୍ରିଡ଼ ଭେରାଇଟି।
କ୍ରିସ....କୃଷ୍ଣମୋହନ ର ଡାକ ନାଁ ଥିଲା।ବନାନୀ ଓ କୃଷ୍ଣ ଦୁହେଁ ଦୁହିଁଙ୍କୁ ପସନ୍ଦ କରୁଥିଲେ।ପ୍ରଥମ ଥର ଫୁଲ ପ୍ରଦର୍ଶନୀରେ କ୍ରିସଆନ୍ଥେମମ ଫୁଲ ଦେଖାଇ ବନାନୀ କୁ କହିଥିଲା,
-ଏଇଟା ମୋ ଫୁଲ।ମୁଁ ପାଖରେ ନଥିଲେ ୟାକୁ ଦେଖି ମୋତେ ମନେ ପକାଇବ।"
- ସେମିତି ଖରାପ କଥା କାହିଁକି ମୁହଁରେ ଧରୁଛ ?"କହିଥିଲା ବନାନୀ।
ଦୁହେଁ ବାହା ହେବାକୁ ବି ମନେମନେ ସ୍ଥିର କରିଥିଲେ।ଓ ଏଏସ ରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କ ଲିଷ୍ଟରେ କ୍ରିସ ର ନାଁ ଥିଲା।ହେଲେ ସେ ନଥିଲା।ମଟର ସାଇକେଲ ଆକ୍ସିଡେଣ୍ଟରେ....  
- କ୍ରିସଆନ୍ଥେମମ ଫୁଲ ଦେଖି ମୋ କଥା ନା ପିଲାଙ୍କ କଥା ମନେ ପଡୁଛି  ?"
ପଛପଟୁ ସ୍ବାମୀଙ୍କ ସ୍ୱର ଶୁଣି ଚମକି ପଡି,
ଚୁପ କିନା ଆଖି ପୋଛି ବନାନୀ କହିଲା,
- ଗଦାଧର ନାଁ କେଉଁ ଫୁଲର ଅଛି କହିଲ ?ଡିସେମ୍ବରରେ ଫୁଟୁଥିବା ଗୋଟେ ଭଲ ଫୁଲ ସାଙ୍ଗରେ ମ୍ୟାଚ କରି ତମ ନାଁ ବଦଳାଇ କୋର୍ଟରେ ଆଫିଡେବିଡ଼ କରିଦିଅ।ଜାଣିଛ ,ସବୁ ଫୁଲରେ କିଛି କଥା,ଗପ,କବିତା ଲୁଚିକି ଥାଏ।"
ସ୍ତ୍ରୀ କୁ କୁଣ୍ଢାଇ ଗଦାଧର ବାବୁ କହିଲେ,
- ମୁଁ ଏଇ ସିଜିନାଲ ଫୁଲ ନୁହଁ,ବରଂ ମୁଁ ହେଉଛି ତମେ ଫୁଲ ଚାଙ୍ଗୁଡା ରେ ତୋଳି ଆଣୁଥିବା ସବୁଦିନିଆ ଟଗର ଫୁଲ।ଏକଦମ ସଦାସିଧା।ମୋ ପାଇଁ କିଛି ଗପ,କବିତା ଅଛି ନା ଲେଖିବ ?"

   ସ୍ୱାମୀର ଛାତିରେ ଲୋଟିଗଲା ବନାନୀ ଗୋଟେ ଶକ୍ତ ଗଛ ଗଣ୍ଡି ରେ ଫୁଲ ଲଟା ଲୋଟିଲା ଭଳି।ତାକୁ ଲାଗିଲା ସବୁ ଫୁଲ ମାନେ ଯେମିତି ହସୁଛନ୍ତି...

     *ମୋ କଥାଟି ସରିଲା,ଫୁଲ ଗଛଟି ମରିଲା ।*

*=============================*
*☘️🌸🌼🙏ଶୁଭ ରାତ୍ରୀ🙏🌼🌸☘️*
*=============================*

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy