Monday, January 11, 2021

ଚାଲ୍ ଫେରିଯିବା ଗାଆଁକୁ

   *ସତ୍ୟବ୍ରତ ଧଳ*

କୋଳାହଳ ପୂର୍ଣ୍ଣ   
ସହରକୁ ଛାଡି
   ଚାଲ୍ ଫେରିଯିବା ଗାଆଁକୁ
ମାୟା ନଗରୀର   
ପ୍ରତାରଣା ଭୁଲି
   ଗାଆଁ ଆମ୍ବତୋଟା ବାଆକୁ 

କଳ କାରଖାନା   
ପ୍ରଦ୍ୟୁଷଣ ସବୁ
    ଗାଡିଘୋଡା ପେଁଏ ପାଆଁକୁ
ଏହାଠୁ ଦୂରେଇ  
ଫେରିଯିବା ଆମେ
     ଶଗଡ଼ର କେଏଁ କାଆଁକୁ

ସୁଉଚ୍ଚ ପ୍ରସାରୀ   
ଅଟ୍ଟାଳିକା ଛାଡି
      ନଡା ଛପରର ଛାୟାକୁ
ଯେଉଁଠି ଜନମି   
ଜୀବନ ସାର୍ଥକ
      ରଖିଯିବା ତାର ନାଆଁକୁ

ନିଦ୍ରାହୀନ ଆଖି   
ଆଜି ବି ଝୁରୁଛି
      ଜେଜେମା'ର ସେଇ କୋଳକୁ
କର୍ଣ୍ଣ ଫଟା ଡିଜେ   
ସାଉଣ୍ଡଠୁଁ ଦୂରେ
       ଧୋଓରେ ବାୟା ଧୋ ଗୀତକୁ 

ଆଖି ଝଲସିଆ    
ଏଲ୍ଇଡି ବଲ୍ ରୁ
        ଡିବିରି ବତୀ ଆଲୁଅକୁ
ଆକର୍ଷଣ ପୂର୍ଣ୍ଣ   
ପାଆର୍କକୁ ଛାଡି
        ଗାଁ ସାଙ୍ଗ ଖେଳ ପଡିଆକୁ

ସାମ୍ପୁ ଫେଣଭରା   
ଗାଧୁଆ ଟବ୍ ରୁ
        ପଙ୍କ ପୋଖରୀର ପାଣିକୁ
ଆରାମ ଦାୟକ   
ଡ଼ନଲପ ଗଦିରୁ 
         କନ୍ଥା-ଦଉଡ଼ିଆ ଖଟକୁ 

ଚାକଚକ୍ୟ ଭରା   
ମଅଲ ଭିଡରୁ
          ସାପ୍ତାହିକ ଗାଆଁ ହାଟକୁ 
ଅଦର ଦରରେ   
ନିତି ନକିଣି କି
          ଚାଲ ଚଷିଯିବା କ୍ଷେତକୁ

ରଙ୍ଗୀନ ଆଲୋକ   
ପବ୍ କ୍ଲବ୍ ଛାଡି
          ଗାଆଁ ଭାଗବତ ଟୁଙ୍ଗିକୁ
କୋଳାହଳ ପୂର୍ଣ୍ଣ     
ସିଇ ବିଚ୍ ଭୁଲି
          ଖରସ୍ରୋତା ନଇ କୂଳକୁ

ହୋଟେଲର ତେଲ   
ମସଲା ଖାଦ୍ୟରୁ
          ପଖାଳ ଓ ଶାଗଭଜାକୁ
ସହରୀ ମଟନ   
ଚିଲି ଚିକେନରୁ
          ଗଡିଆ କେରାଣ୍ଡି ମାଛକୁ

ମିଷ୍ଟର ମିଷ୍ଟ୍ରେସ୍
ମିଇସିକୁ ଭୂଲି
          ଶ୍ରୀମାନ୍ ଶ୍ରୀମତୀ ନାଆଁକୁ
ପ୍ରେମ ନାମେ ଏଠି  
ପ୍ରତାରଣା ମିଳେ
          ଚାଲ୍ ଫେରିଯିବା ଗାଅାଁକୁ


*ମଧୁସୂବନପୁର, ବିଂଝାରପୁର, ଯାଜପୁର, ୭୫୫୦୦୪*

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy