Monday, January 4, 2021

" ଆମ ଜିଲ୍ଲା ବୌଦ୍ଧ "

ସ୍ରଷ୍ଟା - ସୁଧିର ଦୀପ 


ଏ ମାଟି ଆମକୁ ଦେଇନି ଯୁଦ୍ଧ 

ଦେଇଛି ଆମକୁ ବୁଦ୍ଧ ,

ସବୁଜ ସୁନ୍ଦର ଓଡ଼ିଶାର କେନ୍ଦ୍ର 

ଏଇ ଆମ ଜିଲ୍ଲା ବୌଦ୍ଧ !!୧

ଏ ମାଟି ବୀରଙ୍କ କାହାଣୀ କହେ

ଖୋଜିଲେ ଅତୀତ ଫର୍ଦ୍ଦ,

ଐତିହ୍ୟକୁ ଅନୁଶୀଳନ କରିଲେ 

ନିଅଣ୍ଟିଆ ହୁଏ ଶବ୍ଦ !! ୨

ଅମେଇ ମୁହାଣୁ କମେଇ ମୁହାଣ 

ଥିଲା ଏ ରାଜ୍ୟ ବିସ୍ତୀର୍ଣ୍ଣ,

ଉତ୍ତରରେ କଷାକେନ୍ଦୁ ଠାରୁ ପୁଣି 

ଦକ୍ଷିଣେ ପାଣି ଝରଣ !! ୩

ଅନଙ୍ଗ ଦେବଙ୍କ ଠାରୁ ଶେଷ ରାଜା

ନାରାୟଣ ପରସାଦ,

ସମାୟାନୁସାରେ ଶାସିତ ହେଇଛି

ଗଡଜାତ ରାଜ୍ୟ ବୌଦ୍ଧ !! ୪

ବାଘନଦୀ-ତେଲନଦୀ-ସାଲୁଙ୍କିଟି 

ବହୁଅଛି ଅଙ୍କାବଙ୍କା ,

ଏ ମାଟିର ନିତି ପାଦ ଧୋଉଥାଏ 

ଓଡ଼ିଶାର ପୁଣ୍ୟ ଗଙ୍ଗା !! ୫

ଜୁହାର ଜୁହାର ଚରଣରେ ତୋର 

ଆଦିମାତା ତୁ ଭୈରବୀ ,

ପୁରୁଣାକଟକ ଅଧିଷ୍ଠାତ୍ରୀ ଦେବୀ 

ତୁ ବଉଦ ର ଇଷ୍ଟଦେବୀ !! ୬

ଏ ମାଟିର କଳା-ସଂସ୍କୃତି-ଐତିହ୍ୟ

ନିଆରା ତ ପରମ୍ପରା ,

ନୂଆଁଖାଇ-ଚୁଡାଖାଇ-ଡାଲଖାଇ 

କରମସାନୀ-ଛେରଛେରା !! ୭

ପାତାଳୀ ଶ୍ରୀକ୍ଷେତ୍ର ନାଏକପଡା

ରାମଲୀଳା-ରାମେଶ୍ୱର ,

ରେଘାମୁଣ୍ଡା ସ୍ଥିତ ପଥର ଖଣ୍ଡ 

ଭାଇବୋହୁ ଦେଢଶୁର !! ୮

ପ୍ରଭୁ ଜଗନ୍ନାଥ , ମାଁ ମହେଶ୍ୱରୀ ,

ଚାରିଶମ୍ଭୁ ଗନ୍ଧରାଢ଼ୀ,

ରାମଗଡ଼ ସ୍ଥିତ କେଦାରେଶ୍ଵର 

ପୁଣି ମାଁ ବାଉରୀ ବୁଢ଼ୀ !! ୯

କିମ୍ବଦନ୍ତୀମୟୀ ସିଂହାସିନୀ ଦେବୀ 

ପିଠ ଅଟେ ବରପଦର ,

ମହାନଦୀ ଗର୍ଭେ ସହର ନିକଟେ 

ବିରାଜିତ ମହାବୀର !! ୧୦

ପୁଅଜୀଉନ୍ତିଆ ଭାଇଜୀଉନ୍ତିଆ

ଦେବୀ ସତୀକନ୍ୟା ପୂଜା ,

କେଡେ ମନୋହର ଆମ ଦଣ୍ଡନାଚ 

ସଙ୍ଗେ ପଞ୍ଚବାଦ୍ୟ ବାଜା !! ୧୧

ନଦେଖିଲା ଲୋକ ଥରେ ଦେଖିଦେଲେ 

ହୋଇଯାଏ ପୁରା ସ୍ତବଧ,

ମହାନଦୀ ମଧ୍ୟେ ତାର ଅବସ୍ଥିତି

ଦ୍ୱୀପ ଗାଆଁ ମର୍ଯାକୁଦ !! ୧୨

ପୁଣି ଗୋଟିଏ ଭିନ୍ନ ସମ୍ପ୍ରଦାୟ 

ଆଦିବାସୀ କନ୍ଧ ପରଜା ,

ଘୁଷୁରୀ ଚାପାକୁ ମେରିଆ ମରା 

ବୋଦା-ନରବଳୀ ପୂଜା !! ୧୩ 

ହଳିଆ ଗୀତକୁ ପଖାଳ କଂସାରେ

ଆମ୍ବୁଲ ଚକଟା ସଜା ,

ଚଇତି ମୁଗକୁ ମସିଆକନ୍ଦା ଯେ 

ହରଡ଼,କରଡି ଗଜା !! ୧୪

ବୌଦ୍ଧ ଜିଲ୍ଲା ରେ କାନ୍ଦୁଛି ଜନତା 

ହସୁଥାନ୍ତି ରାଜନେତା ,

ଖଟିଖିଆ ଏଠି ମରିକି ପଡୁଛି 

ସର୍କାର ଶୁଣେନା କଥା !! ୧୫

ସରକାର ଙ୍କୁ ତ ବିଶ୍ୱାସ କରିକି

ଜନତା ଖାଉଛି ଧୋକା ,

ଅଚିନ୍ତାରେ ଆଜ୍ଞା ନେତା ଅଫିସର 

କରୁଛନ୍ତି ମଧୁଚନ୍ଦ୍ରିକା !! ୧୬

ଗରିବଙ୍କୁ ଏଠି ଅଣଦେଖା ହୁଏ 

ଐତିହ୍ୟ କୁ ଅବହେଳା ,

ସର୍କାରଙ୍କୁ କିଣି ପୁଞ୍ଜିପତି ମାନେ 

କରୁଛନ୍ତି କେତେ ଲୀଳା !! ୧୭

ବୌଦ୍ଧରେ ବାଲ୍ୟ ବିବାହ କମୁଛି 

ବଢେ ବିକାଶର ନଗ୍ନତା ,

ସବୁ ଜାଣିଶୁଣି ନୀରବ ସଭିଏଁ 

ଘୁରିଯାଉଅଛି ମଥା !! ୧୮

ତଥାପି ଗର୍ବରେ କହିବି - 

" ସାରା ଓଡ଼ିଶାରେ ସବୁଠୁ ଅଲଗା 

ଆମରି ମାନ ବେଭାର ,

ବୌଦ୍ଧ ସଂସ୍କୃତି ର ଗନ୍ତାଘର ଇଏ 

ମୋର ବୌଦ୍ଧ ମତେ ସୁନ୍ଦର ..... " !!

***********

ଆପଣଙ୍କ ସ୍ନେହର 
ସୁଧିର ଦୀପ , 
ଗୁଣ୍ଡୁରିସାହି ,ଛତ୍ରଙ୍ଗ,ଜିଲ୍ଲା-ବୌଦ୍ଧ ।

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy