ମାଆ ମୁଁ ଏବେ ବହୁତ ସୁରକ୍ଷିତ।
ମୁଁ ଜାଣିଛି ତୋର ଏଇ ବିଶାଳ ସୁରକ୍ଷା ପାଚେରୀକୁ ଭେଦ କରି କେହି ମୋର କ୍ଷତି କରିପାରିବେ ନାହିଁ। ନିର୍ଭୟ,ନିଃସନ୍ଦେହ ଆଉ ବିପଦମୁକ୍ତ। କେତେ ସୁନ୍ଦର ଜୀବନ।
ସଂସାରର ବାହ୍ୟ ସୌନ୍ଦର୍ଯ୍ୟ ସମ୍ପର୍କରେ ମୁଁ ଅଜ୍ଞାତ। ମୁଁ ଜାଣିପାରୁନି ଏ ସୃଷ୍ଟିର ବାସ୍ତବ ରହସ୍ୟକୁ। ସୁରକ୍ଷିତ ହେଲେ ବି ମୁଁ ବାହ୍ୟ ଜଗତର ମାଧୁରୀକୁ ସ୍ୱଚକ୍ଷୁରେ ଉପଭୋଗ କରିବାକୁ ଚାହେଁ। ଦେଖିବାକୁ ଚାହେଁ, ଏଇ ମୁକ୍ତାକାଶ,ତାରକାମେଳରେ ଶୋଭାବର୍ଦ୍ଧନ କରୁଥିବା ସୌନ୍ଦର୍ଯ୍ୟମୟୀ ଜହ୍ନକୁ, ତାର ଶୀତଳ ପରଶକୁ। ପ୍ରଭାତରେ କନକକିର- ଣ ବିଛୁରିତ କରୁଥିବା ନିରଂଜନ ଆଭାକୁ।
ବିହଙ୍ଗମକୂଳର କାକଳି, ଗୋଠବାହୁଡ଼ାର ଦୃଶ୍ୟ,ଇନ୍ଦ୍ରଧନୂର ସପ୍ତରଙ୍ଗ,ଦିଗନ୍ତବିସ୍ତାରୀ ସବୁଜ ଶସ୍ୟକ୍ଷେତ୍ର,ନଦୀନୀର କଳକଳ ନାଦ, ସାଗରର ନୀଳ ଉର୍ମିମାଳା,ବସନ୍ତର ମୃଦୁମଳୟ,ବୈଶାଖର ତତଲା ଝାଞ୍ଜିଖରା, ପହିଲି ଶ୍ରାବଣର ମର୍ମରିତ ବର୍ଷାପାତ, ଶୀତୁଆ ସକାଳର ମନୋରମ କାକରବିନ୍ଦୁ
ଘନବନାନୀ,ହ୍ରଦ ଓ ହ୍ରଦତୀର,ବିଲ, ପାଟ
ଆଉ ସରସୀ ଭର୍ତ୍ତି କୁମୁଦପୁଷ୍ପର ସମ୍ଭାର। ତାଳବଣର ଅପୂର୍ବ ଶୋଭା...…..........।
ଆଉ ବି ଚାହେଁ ମୁଁ ଠୁକୁଠୁକୁ ଚାଲିରେ ଧରଣୀ ବକ୍ଷରେ ବିଚରଣର ମଜ୍ଜା ନେବାକୁ,ସମସ୍ତଙ୍କର ସ୍ନେହରାଜ୍ଜିରେ ନିଜକୁ ଉତ୍ତମରୂପେ ଗଢି ତୋଳିବାକୁ, ଶିକ୍ଷା, ଦୀକ୍ଷାରେ ଅଗ୍ରଣୀ ହେବାକୁ, ଦେଶ ଓ ଜାତିର ଗୌରବ ଅକ୍ଷୁର୍ଣ୍ଣ ରଖିବାକୁ, ବାପାଭାଇଙ୍କର ଗେହ୍ଲା ହେବାକୁ,ସମସ୍ତଙ୍କ ଆଦର ଓ ଯତ୍ନ ପାଇବାକୁ।
ଦୀର୍ଘ ୯ମାସ ୧୦ ଦିନ ପ୍ରତୀକ୍ଷାର ଅନ୍ତକୁ ମୁଁ ଆଗ୍ରହର ସହ ଅପେକ୍ଷା କରିଛି। ନିଶ୍ଚୟ ଏ ସଂସାରର ଆଲୋକ ଦେଖିବି ବୋଲି ମୁଁ ଅତ୍ୟନ୍ତ ବ୍ୟଗ୍ର। ମୋର ବି ସମାଜ ପାଇଁ ଅନେକ ଆବଶ୍ୟକତା ଅଛି ବୋଲି ମୁଁ ପ୍ରସ୍ତୁତ। ଏଇକଥା ଭାବି ଖୁସି ଯେ ମୋର ବିଭିନ୍ନ ରୂପରେ ମୋତେ କିଛି ମଙ୍ଗଳ କରିବାରେ ଅଛି ସମସ୍ତଙ୍କ ପାଖେ।
ଦେଖିବୁ ମାଆ ମୁଁ ଭାଇ ପାଇଁ ରାକ୍ଷୀ ହୋଇ ସାରା ଜୀବନ ସ୍ନେହ ବାଣ୍ଟିବି,ବଧୂ ହୋଇ ସାଥି ସାଜିସାତଜନ୍ମର ସୁଖଦୁଃଖକୁ ଆପଣାର କରିନେବି, ମମତା ବୋଳା ମୋର ପଣତକାନୀରେ ସନ୍ତାନ ଲାଗି ଆକାଶଠାରୁ ମଧ୍ୟ ବଡ଼ ହୋଇ ସବୁ ସୁଖ ସାଉଁଟି ଆଣି ହାତରେ ପରସି ଦେବି। ଲୁହରେ, ଖୁସିରେ,ବିପଦରେ ବିପଦବାରିଣୀ ହୋଇ ଠିଆ ହେବି। ନିଜର ନୁହେଁ , ବରଂ ସର୍ବସଂହା ଧରିତ୍ରୀ ଭଳି ସ୍ୱୟଂ କଷ୍ଟକୁ ଆପଣି ସମସ୍ତଙ୍କୁ ସୁଖର ପାହାଡ଼ରେ ଠିଆ କରାଇବି। ଠିକ୍ ତୋରି ପରି ସବୁ ଭୂମିକାକୁ ସଠିକ ଆଉ ସୁନ୍ଦର ଭାବେ ନିଭାଇବି।
କିନ୍ତୁ ମତେ ବହୁତ କଷ୍ଟ ହେଉଛି ମାଆ। ବେଳେବେଳେ ବାପା ତୋ ସହିତ କଥାହେବାର ଶୁଣାଯାଏ, କି ଆମର ଏ ସନ୍ତାନର ଆବଶ୍ୟକତା ନାହିଁ। କାଳେ ତତେ ଔଷଧ ଦେଇ ମୋତେ ଧ୍ଵସଂ କରିବାର ପ୍ରୟାସ ଚାଲିଛି। ମୁଁ କନ୍ୟାଟେ ବୋଲି ତୁମ ମନରେ ଅଜସ୍ର ଦୁଃଖ। ମୁଁ ପୁଅଠାରୁ ବହୁତ ପଛରେ। ମୋ ପାଇଁ ଦିନେ ତୁମକୁ ଯୌତୁକଭାର ଗ୍ରହଣ କରିବା ପାଇଁ ପଡ଼ିବ। ପୁଅ ହେଲେ ବାପାମାଆଙ୍କ ମୁହଁରେ ନିଆଁ ଦେଵ। ବାର୍ଦ୍ଧକ୍ୟ ବୟସରେ ସାହାରା ହେବ। ଝିଅ ତ ଶାଶୁଘରକୁ ଯିବ।
ପୁଅ ଜନ୍ମ କଲେ ପୁଣ୍ୟ। ମାତ୍ର ମୁଁ ତୁମ ପାଇଁ ପାପର ସଂକେତ। ହେଲେ ମାଆ ତୁ କ'ଣ ଦିନେ ମୋ ପରି କନ୍ୟାଭ୍ରୁଣ ନଥିଲୁ?
ଆଜି ଏ ଜଗତକୁ ସନ୍ତାନର ଉପହାର ତୁ ତ ଦେଇଛୁ। ଜାୟା,ଜନନୀ,ଭଗିନୀ ହୋଇ ତୁ ତ ଏ ପୃଥିବୀର ସମ୍ପର୍କର ସେତୁକୁ କାଳଜୟୀ କରାଇପାରିଛୁ। ମିଠା ସ୍ନେହର ପରଶ ବାଣ୍ଟିଚାଲିଛୁ ଅହରହ। ତୋର ମଧୁର ପଣତର ଛାଇରେ ସାରା ଜଗତକୁ ଘୋଡେ଼ଇ ରଖିଛୁ। ତେବେ ମୋର ଜଘନ୍ୟ ବିନାଶରେ ବାପାଙ୍କ ସହ ହାତ ମିଳାଇଛୁ କେମିତି ! ବାପା ବି ବୁଝୁନାହାନ୍ତି ମୁଁ ଦିନେ ତାଙ୍କର ଅଲିଅଳି ଝିଅ ହୋଇ ପୁଅର କର୍ତ୍ତବ୍ୟ ପାଳନରେ ମଧ୍ୟ ପଛଘୁଞ୍ଚା ଦେବିନାହିଁ। ମାନ,ଧନ,ସମ୍ମାନ କୌଣସି ଗୋଟିଏରେ ଅଭାବ ଅନୁଭବ କରିବାକୁ ଦେବିନାହିଁ। ଆକାଶରେ ଉଡ଼ିବା, ଜଳରେ ବୁଡ଼ିବା ସବୁଥିରେ ସିଦ୍ଧହସ୍ତା । ସେବା କରି ରୋଗଶଯ୍ୟାରୁ ମୁଁ ମୁକୁଳାଇବି। ମୁଁ ତୁମ ଚିନ୍ତାର ବିଷୟ ନୁହେଁ ବାପା, ମୁଁ ୧୦ଟି ପୁଅର ଶକ୍ତି ଆଉ ସାମର୍ଥ୍ୟ ଯୋଗାଇବି ତୁମ ଲାଗି। ଏତେପରେ ବି ମୁଁ ତୁମର ଆଉ ମାଆର ମଧୁର ମିଳନ ଆଉ ରକ୍ତବିନ୍ଦୁରେ ତିଆରି। ତେଣୁ ନିଜ ରକ୍ତକୁ ନିଜଠୁ ଅଲଗା କରିବାର ସ୍ୱପ୍ନ ଦେଖୁଛ କିପରି !
ଦୟାକର ମତେ, ମୋର ସୃଷ୍ଟିକୁ ସମ୍ମାନପୂର୍ବକ ଗ୍ରହଣ କର। ଶାସ୍ତ୍ରରେ କନ୍ୟା ସନ୍ତାନ ଜନ୍ମକୁ ଭାଗ୍ୟର ଫଳ ମନେ କରନ୍ତି। ଆଜି ତ ସମାଜ ବହୁତ ଆଗରେ।ତଥାପି କାହିଁକି ଅନ୍ଧବିଶ୍ୱାସର ପରିସମାପ୍ତି ଘଟୁନାହିଁ। କାହିଁକି ଖୋଲୁନି ଶୈକ୍ଷିକ ଦୃଷ୍ଟି!
ଝିଅ ଆଉ ପୁଅ ମଧ୍ୟରେ ପ୍ରଭେଦ କଣପାଇଁ
କ'ଣ ଆମକୁ ଛାଡ଼ି ଏ ସମାଜକୁ ଆଗକୁ ନେଇପାରିବ ବାପା !
ଆଃ ଆଃ ବହୁତ ଯନ୍ତ୍ରଣା। ଏ କ'ଣ କିଏ ମୋ ହାତକୁ ନଷ୍ଟ କରୁଛି, କିଏ ମୋ ଗୋଡ଼କୁ ନଷ୍ଟ କରୁଛି ମାଆ। ତୁ ତ ସ୍ନେହର ମୂର୍ତ୍ତିମନ୍ତ ଅବସ୍ଥା। କେମିତି ସହୁଛୁ ସନ୍ତାନର ଦୁଃଖ ! ହେଇ ଦେଖ ମୋ ଆଖି, କାନ ଆଃ ଆଃ ମାରନା ମାରନା , ମାରନା ମତେ, ମତେ ବଞ୍ଚାଅ। ମୋର ବି ଅଧିକାର ଅଛି ବଞ୍ଚିବାର। ଏ ସୃଷ୍ଟି ମୋର ଆବଶ୍ୟକତାକୁ ଚାହିଁ ବସିଛି। ଆଃ ପ୍ରବଳ କଷ୍ଟ, ଏତେ ଧାରୁଆ ଅସ୍ତ୍ର ବହୁତ ବହୁତ କଷ୍ଟବୋଧ ହେଉଛି ମାଆ । ରକ୍ଷାକର ରକ୍ଷାକର ବାପା। ମୁଁ ତୁମର ଔରସରୁ ଜାତ। ପାପ ନୁହେଁ ପୁଣ୍ୟତାରୁ ସୃଷ୍ଟି। ଆଃ ଆଃ ,,ଆଃ,, । ଧୀରେଧୀରେ କ୍ଷୀଣ ଶବ୍ଦ। ନିଶେଷ ହୋଇଗଲା ସବୁକିଛି। ସାରା ଶରୀର ଟୁକୁଡ଼ା ଟୁକୁଡ଼ା ହୋଇଗଲା। କାଳର ଗର୍ଭରେ ଲୀନ ହୋଇଗଲା । ମାଆ କାନରେ ଏବେବି ଗୁଞ୍ଜରିତ ହୁଏ, ମାଆ ହୋଇ ଆଉ ଭାବୀ ମାଆର ପ୍ରାଣଘାତିନୀ କେମିତି ସାଜିଲୁ। ସତରେ କଣ ତୋର ପାପର ସନ୍ତାନ ମୁଁ "କନ୍ୟାଭ୍ରୂଣ" ।
**********
ସରସ୍ବତୀ ନାୟକ, ପୁରୀ
No comments:
Post a Comment