ଶ୍ରୀରାମ ସାହୁ।
ସଂସାର ପଥର ମୁଁ ଜଣେ ବାଟୋଇ
ଚାଲିବାକୁ ଅଛି ବାକି।
ଜୀବନ ଜଞ୍ଜାଳ ଗ୍ରାସ କରିଲାଣି
ନ ପଡିବି ଆଉ ଥକି।୧
ସତ୍ୟ ଧର୍ମପଥ ଆଶ୍ରେ କରିସଦା
ନିତିି ଚାଲୁଥିବି ବାଟ।
ଅନ୍ୟାୟ ମାର୍ଗରେ ଯିବିନାହିଁ ଦିନେ
ଜୀବ ଥିବାଯାଏ ଘଟ।୨
ଝଡଝଞ୍ଜା ଯେତେ ଆସୁଏ ଜୀବନେ
ପଥଭ୍ରଷ୍ଟ ହେବିନାହିଁ।
ଲକ୍ଷ୍ୟ ସାଧନାକୁ ବ୍ରତବୋଲି ଭାବି
କର୍ତ୍ତବ୍ୟ କରିବି ମୁହିଁ।୩
ଷଢ଼ରିପୁ ଠାରୁ ନିଜକୁ ଦୂରେଇ
ସବୁବେଳେ ରଖୁଥିବି।
ଦୁଃଖୀ ଦରିଦ୍ରଙ୍କ ସେବାଯତ୍ନ ପାଇଁ
ମନ ମୋର ବଳାଇବି।୪
ଜୀବନ କାଳରେ କର୍ମଏକା ସାର
ସୁକର୍ମ ମୂଲ୍ୟ ଅପାର।
ଯୁଗଯୁଗ ଧରି ପୂଜା ପାଇଥାଏ
ମାନବ ହୁଏ ଅମର।୫
_________
ଫୁଲବାଣୀ।କନ୍ଧମାଳ।
No comments:
Post a Comment