ସୂର୍ଯ୍ୟ ନାରାୟଣ ସାବତ
ବାହାନା କେବେ କିଏ କେତେବେଳେ କାହିଁକି କରିଥିଲା କେଜାଣି,
ଜନ୍ମ କ୍ଷଣେ ନକ୍ଷତ୍ର,
ବୃଦ୍ଧି ବେଳେ ଭାଗ୍ୟ,
ମୃତ୍ୟୁ କାଳେ ଲଗ୍ନ ବି ଛାଡ଼ ପାଇଲେନି।
ଏବେ ବାହାନା,
ସତ୍ୟକୁ ସାମନା କରିବାର ମିଥ୍ୟା ପ୍ରୟାସ,
ଏବେ ବାହାନା,
ଅସତ୍ୟ ସହ ବନ୍ଧୁତାର ଲୁପ୍ତ ଇତିହାସ,
ଏବେ ବାହାନା,
ଆସକ୍ତି ସହ ବଞ୍ଚିରହି ନିର୍ଲିପ୍ତତାର ଅଭିନୟ,
ଏବେ ବାହାନା,
ସବୁକିଛି ଆତ୍ମସ୍ଥକରି ତ୍ୟାଗର ତୁଚ୍ଛା ପରିଣୟ ।
କବେ କେବେ ଇଚ୍ଛା ହୁଏ,
ପାହାଡ଼ ସବୁ ଭାଙ୍ଗି ପାରନ୍ତି କି ?
ସମୁଦ୍ରର ସବୁତକ ଜଳ ଶୁଖାଇ ଦିଅନ୍ତି କି ?
ଦୁଇ ମେରୁକୁ ଯୋଡ଼ିଦେଇ ଗାମୁଛା ସାଜି କାନ୍ଧରେ ପକାଇ ପାରନ୍ତି କି ?
ବାମନ ରୂପୀ ଭଗବାନଙ୍କ ସବୁ ଶକ୍ତି ହାତେଇ ନିଅନ୍ତି କି ?
ମୁଁ ମୋ ପାଇଁ ଏକ ବାହାନା,
ବାହାନାରେ ମୋର ଆଦି ଆଉ ଵୃଦ୍ଧି,
ବାହାନାରେ ବଞ୍ଚିବାର କଳା ଓ କୌଶଳ,
ଏଣୁ ବାହାନା ହିଁ ମୋର ମରଣର ମୂଳ ।
ସହକାରୀ ଶିକ୍ଷକ,
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଗୁମ୍ମା(ବୈପାରିଗୁଡା)କୋରାପୁଟ ଜିଲ୍ଲା
No comments:
Post a Comment