ସରୋଜ କୁମାର ସାହୁ
ସବୁଜିମାଭରା ଗାଆଁଟି ମୋହର
ଲାଗେ ଭାରି ମନୋହର
ବିଲବଣ ସାଥେ ପାହାଡି ଝରଣା
ଅଟେ ସରଗରପୁର।
ଜାତି ଜାତିଆଣ ଭେଦଭାବ
ମୋର ଗାଆଁରୁ ଯାଇଛି ହଟି
ସ୍ନେହ ପ୍ରେମଭାବ ଅତୀତର ଗାଥା
ଝରି ପଡୁଅଛି ଲୋଟି।
ଅଜାଡି ଦେଉଛି ସୁନାର ଫସଲ
ଚାଷିର କର୍ମଠ ହାତେ
ଉର୍ବର ମାଟିଟି ଫୁଲଫଳ ଶସ୍ୟ
ବୁଣି ଦେଉଅଛି କ୍ଷେତେ।
ବାରମାସେ ତେର ପର୍ବପର୍ବାଣୀ
ଆୟୋଜିତ ହୁଏ ଏଠି
ଦଣ୍ଡନାଚ ଗୀତ ଖୁସିର ମାହୋଲ
ଗାଆଁ ସାରା ଦିଏ ଭେଟି।
ଗାଆଁରୁ ସହର ଯାତାୟତ କ୍ଷେତ୍ରେ
ସୁବିଧା ରହିଛି ଭରି
ବିଦ୍ୟାଳୟଟିର ଶୃଙ୍ଖଳା ଆଦର୍ଶ
ଲାଗେ ଦେବାଳୟ ପରି।
ଗାଆଁର ଯୁବକ ମତ୍ସ ଗୋପାଳନ
ସବୁକ୍ଷେତ୍ରେ ଆଗଭର
ଜ୍ଞାନବିଜ୍ଞାନର ଉନ୍ନତି ଧାରାରେ
ଦାରିଦ୍ର ହୋଇଛି ଦୂର।
କୋଠଘରୁ ସେହି ସଂଙ୍ଗୀତ ମୂର୍ଛନା
ଭକତିର ଭାବ ବହେ
ଗ୍ରାମଦେବତୀଙ୍କ ଘଣ୍ଟ ଧୂପ ଦୀପ
ହୃଦୟରୁ କ୍ଲାନ୍ତି ମୋହେ।
ସରୋଜ କୁମାର ସାହୁ
ଆଠଗଡ,କଟକ
ଆଠଗଡ,କଟକ
No comments:
Post a Comment