(ସତ୍ୟ ଘଟଣା ଉପରେ ଆଧାରିତ)ଶିଶିର କୁମାର ସ୍ଵାଇଁ
ଅବାକ୍ ହୋଇ ଚାହିଁ ରହିଛନ୍ତି ପାଞ୍ଚ ବର୍ଷର ଝିଅ କବିତା ଆଉ ଦଶ ବର୍ଷର ପୁଅ ରମେଶ I ଆଖିର ଲୁହ ଗୁଡାକ ଝର ଝର ହୋଇ ଝରିବା ଛଡ଼ା ସେମାନଙ୍କ ଓଠରେ ଭାଷା ନାହିଁ I ମାଆ ବନିତା କାନ୍ଦି କାନ୍ଦି ବାରମ୍ବାର ଚେତା ବୁଡ଼ି ଯାଉଛି I ଜେଜେ ମାଆ ଅସ୍ପଷ୍ଟ ସ୍ଵରରେ କଣ ଗୁଡ଼ିଏ ବାହୁନି ହେଉଛି କିଛି ବୁଝି ପାରୁନାହାନ୍ତି ସେମାନେ I ଗାଆଁ ଦାଣ୍ଡରେ ଠାଏ ଠାଏ ଲୋକ ଯାତ୍ରା ଦେଖିଲା ଭଳି ରୁଣ୍ଡ ହୋଇ କେତେ କଣ ଆଲୋଚନା କରୁଛନ୍ତି I କିଏ ସରକାରଙ୍କୁ ଦୋଷ ଦେଉଛି ତ କିଏ ଦଲାଲକୁ ନିନ୍ଦା କରୁଛି I କିଏ ପୁଣି କହୁଛି ଡ୍ରାଇଭର୍ ମଦ ପିଇଥିବା ଯୋଗୁଁ ଏସବୁ ହେଲା I ପଡ଼ିଶା ଘର କନକ ମାଉସୀ ସବୁଦିନ ମାଆଙ୍କ ସହ ଝଗଡ଼ା କରୁଥିଲେ ମଧ୍ୟ ଆଜି ଆସି ପାଣି ଛାଟି ମାଆଙ୍କ ଚେତା ଫେରାଇ ଛାତିକୁ ଆଉଜାଇ ବସିଛି I ସମସ୍ତଙ୍କ ମୁହଁରେ ଆହା ଚୁ ଚୁ I କିଛି ବି ବୁଝି ପାରୁନାହାନ୍ତି ସେମାନେ I ସରକାର କଣ, ଦଲାଲ କଣ, କଣ ପାଇଁ ସବୁ ଦିନର ଶତ୍ରୁ କନକ ମାଉସୀ ଆଜି ବଦଳି ଯାଇଛି I ଛୁଆ ଦୁଇଟିର ମନରେ ଅନେକ ପ୍ରଶ୍ନ, କିନ୍ତୁ ତାହାର ଉତ୍ତର ସେମାନେ ଖୋଜି ପାଇ ପାରୁନାହାନ୍ତି I
ହଠାତ୍ ରମେଶର ସାଙ୍ଗ କୁନା ଦଉଡି ଆସି ଏକା ନିଃଶ୍ଵାସକେ ରମେଶକୁ କହିଲା, " ରମୁ ରେ, ମୋ ବୋଉ କହୁଥିଲା ମୋ ବାବା ଆଉ କେବେ ସୁରତ ଯିବେନି I ସୁରତ ଗଲେ କୁଆଡେ ସମସ୍ତେ ମରିଯିବେ ତୋ ବାବା ଭଳି l " କୁନାର କଥାରେ ଚମକି ପଡ଼ିଲା ରମେଶ I ପୁଣି ତା ମନରେ ଅନେକ ଗୁଡାଏ ପ୍ରଶ୍ନ I ସତରେ ତା ବାବା କଣ ମରିଯାଇଛନ୍ତି ? ଯଦି ସୁରତ ଗଲେ ସମସ୍ତେ ମରି ଯାଆନ୍ତି, ତାହେଲେ ତା ବାବା କଣ ସେଦିନ ଜାଣି ଜାଣି ମରିବା ପାଇଁ ସୁରତ ଯାଉଥିଲେ ? କଣ ପାଇଁ ତା ମାଆ, ଜେଜେ ମାଆ ତା ବାବାକୁ ସୁରତ ଯିବାକୁ ମନା ନ କରି ମରିବା ପାଇଁ ପଠେଇଦେଲେ ? ଏତେ ପ୍ରଶ୍ନର ଉତ୍ତର ନଥିଲା କାହା ପାଖରେ ବୋଧେ I
ଏକ ମଫସଲ ଗାଆଁର ଯୁବକ ପ୍ରଶାନ୍ତ ସ୍ଵାଇଁ I ସଂସାରକୁ ବୁଝିବା ଆଗରୁ କମ୍ ବୟସରେ
ହରାଇଥିଲା ପିତାଙ୍କୁ I ବିଧବା ମାଆ ମଧ୍ୟ ଅକ୍ଷମ ହୋଇ ପଡ଼ିଥିଲା ପ୍ରଶାନ୍ତର ମୁହଁରେ ଦୁଇ ଓଳି ଦୁଇ ମୁଠା ପଖାଳ ଦେବା ପାଇଁ I ବାଧ୍ୟ ହୋଇ ପ୍ରଶାନ୍ତ ଜଣେ ସମ୍ପର୍କୀୟ ଦାଦାଙ୍କ ସହ ଚାଲି ଯାଇଥିଲା ସୁଦୂର ଗୁଜୁରାଟର ସୁରତ ସହରକୁ I ସେଠାରେ ଯାଇ ସୁତା କଳରେ କାମ ଆରମ୍ଭ କରିଥିଲା I ବୟସ ବଢ଼ିବା ସାଙ୍ଗେ ସାଙ୍ଗେ ତା'ର କାର୍ଯ୍ୟ ଦକ୍ଷତା ମଧ୍ୟ ବୃଦ୍ଧି ପାଇଥିଲା I ବାର ଘଣ୍ଟାର ଖଟଣି ମଧ୍ୟରେ ଭଲ ଦୁଇ ପଇସା ମଧ୍ୟ ରୋଜଗାର ହେଉଥିଲା I ଗାଆଁର ଦଣ୍ଡ ଯାତ୍ରା କିମ୍ବା ଅଷ୍ଟ ପ୍ରହରି ସମୟରେ ବର୍ଷକୁ ଥରେ ଗାଆଁକୁ ଆସି ବିଧବା ମାଆଙ୍କୁ ଦେଖିଯାଉଥିଲା ସେ I କ୍ରମେ ମାଆଙ୍କ ବୟସ ବଢ଼ିବା ସାଙ୍ଗେ ସାଙ୍ଗେ ହାତ ଗୋଡ଼ ସବୁ ଅବଶ ହୋଇ ପଡ଼ିଲା I ବନ୍ଧୁ ବାନ୍ଧବଙ୍କ ପରାମର୍ଶ କ୍ରମେ ପାଖ ଗ୍ରାମର ବାପା ମାଆ ଛେଉଣ୍ଡ ବନିତା ସହ ବିବାହ ହୁଏ ପ୍ରଶାନ୍ତର I ପ୍ରଶାନ୍ତର ରୋଜଗାରରେ ସୁରୁଖୁରୁରେ ଚଳି ଯାଉଥିଲା ସଂସାର I ବିବାହର ଦୁଇ ବର୍ଷ ପରେ କୋଳକୁ ରମେଶ ଆସେ ଏବଂ ତା'ର ପାଞ୍ଚ ବର୍ଷ ପରେ କବିତା I କିନ୍ତୁ ଏ ଭିତରେ ମଧ୍ୟ ପ୍ରଶାନ୍ତ ଉପରେ ଅନ୍ୟ ଏକ ଝଡ଼ ବୋହି ଯାଇଥାଏ I ବିବାହ ସମୟରେ ଭୋଜି କରିବା ପାଇଁ ଗାଆଁ ସାହୁକାର ଠାରୁ ଧାର ଆଣିଥିବା ପଚାଶ ହଜାର ଟଙ୍କାର ସୁଧ ବଢ଼ି ବଢ଼ି ଦେଢ଼ ଲକ୍ଷ ଟଙ୍କାରେ ପହଞ୍ଚି ସାରିଥାଏ I ତେଣୁ ପ୍ରଶାନ୍ତ ଗତ ତିନି ବର୍ଷ ଧରି ଗାଆଁକୁ ନ ଆସି ହାଡ ଫଟା ପରିଶ୍ରମ କରୁଥିଲା ସାହୁକାରର ବାକି ଶୁଝିବା ପାଇଁ I ପଡ଼ିଶା ଘର ପିଲା ମାନେ ଇଂଲିଶ ମିଡିଅମ୍ ଘରୋଇ ବିଦ୍ୟାଳୟକୁ ଯିବାର ଦେଖି ସ୍ତ୍ରୀ କଥାରେ ପୁଅ ଝିଅ ଉଭୟଙ୍କ ନାମ ଲେଖାଇଥିଲା ଗାଆଁ ଠାରୁ ଦୁଇ କିଲୋମିଟର ଦୂର ଏକ ପବ୍ଲିକ ସ୍କୁଲରେ I ସାହୁକାରର ବାକି ପ୍ରାୟ ଅଶୀ ହଜାର ପର୍ଯ୍ୟନ୍ତ ସୁଝି ଯାଇଥିଲା I ପ୍ରଶାନ୍ତ ଭାବିଥିଲା ଆଉ ବର୍ଷଟିଏ ଗାଆଁକୁ ନ ଯାଇ କାମ କଲେ ସାହୁକାରର ସବୁ ବାକି ଶୁଝି ଯିବ ଏବଂ ତା'ର ସବୁ ଚିନ୍ତା ଯିବ I କିନ୍ତୁ କଥାରେ ଅଛି, " ଦଇବ ଦଉଡି ମଣିଷ ଗାଈ, ଯେଣିକି ଟାଣଇ ତେଣିକି ଯାଇ I" ମଣିଷ ସବୁବେଳେ ଯାହା ଭାବେ ଭଗବାନ କିନ୍ତୁ ତାହା କରେଇ ଦିଅନ୍ତି ନାହିଁ I ତା ମହତ୍ ଭାବନା ଭିତରକୁ ମାଡ଼ି ଆସିଲା ମହାମାରୀ କରୋନାର ତାଲା ବନ୍ଦ ରୂପକ ରାକ୍ଷସ I ତାଲା ବନ୍ଦ ଯୋଗୁଁ ସବୁ ସୁତାକଳ ବନ୍ଦ ହେବା ସହ ରୋଜଗାର ମଧ୍ୟ ଠପ୍ ହୋଇଗଲା I ଚାରି ଆଡେ ହାହାକାର ପଡିଗଲା I ପ୍ରଶାନ୍ତ ଭଳି ଖଟି ଖିଆଙ୍କ ପାଇଁ ସରକାରଙ୍କ ତାଲା ବନ୍ଦ ଘୋଷଣା ବଜ୍ରପାତ ସଦୃଶ ଥିଲା I ପରିବାର ପ୍ରତିପୋଷଣ ସାହୁକାରର ବାକି ଶୁଝିବା ପାଇଁ ନିଜର ଖାଇବା ରହିବା ଖର୍ଚ୍ଚ ବାଦ୍ ସବୁ ଟଙ୍କା ସେ ଗାଆଁକୁ ପଠେଇ ଦେଉଥିବାରୁ ତାଲା ବନ୍ଦ ସମୟରେ ବସି ଖାଇବା ପାଇଁ ତା ପାଖରେ ଫଟା ପାହୂଲାଏ ମଧ୍ୟ ନଥିଲା I ତେଣୁ ସେଠାରେ ବ୍ୟସ୍ତ ହୋଇ ସାଙ୍ଗସାଥୀଙ୍କ ଠାରୁ ଚାରି ହଜାର ଟଙ୍କା ଧାର କରଜ କରି ଗୁଜୁରାଟରୁ ବସ୍ ଯୋଗେ ଗାଆଁକୁ ଫେରି ଆସିଥିଲା I ଏ ଭିତରେ ଗାଆଁକୁ ଫେରିବାର ଚାରି ମାସ ବିତିଯାଇଥିଲେ ମଧ୍ୟ ତା ପାଖରେ କୌଣସି ରୋଜଗାରର ପନ୍ଥା ନଥିଲା I ତାଲା ବନ୍ଦ ଯୋଗୁଁ ନା ସେ କୌଣସି କାମକୁ ଯାଇ ପାରୁଥିଲା ନା ତା ପାଖରେ କୌଣସି ସରକାରୀ ଯୋଜନା ପହଞ୍ଚିଥିଲା I ରାସନ୍ ଦୋକାନ, ପରିବା ଦୋକାନ ଏବଂ ଔଷଧ ଦୋକାନରେ ମଧ୍ୟ ବାକି ବଢ଼ି ବଢ଼ି ଚାଲିଥିଲା I ଗାଆଁ ସାହୁକାର ମଧ୍ୟ ଦେଖାଇ ଶିଖାଇ ଅନେକ ସମାଲୋଚନା କରୁଥିଲେ I ବିଦ୍ୟୁତ୍ ବାଲା ଆସି ସାତ ମାସର ବକେୟା ବିଦ୍ୟୁତ୍ ଦେୟ ପାଇଁ ଦୁଇ ଥର ଧମକ ଦେଇ ଗଲେଣି I ସାହି ସ୍ତ୍ରୀ ଲୋକଙ୍କ ସହ ମିଶି ବନିତା ଏକ ଘରୋଇ ଅର୍ଥ ଲଗାଣ ସଂସ୍ଥାରୁ ଆଣିଥିବା ଗ୍ରୁପ୍ ଲୋନ୍ କିସ୍ତି ପୈଠ କରିବା ପାଇଁ ପ୍ରତିଦିନ ଗ୍ରୁପ୍ କର୍ମଚାରୀମାନେ ଆସି ଦାଣ୍ଡ ମଝିରେ ହୋ ହାଲ୍ଲା କରୁଥାଆନ୍ତି I ପବ୍ଲିକ ସ୍କୁଲ୍ ବାଲା ବି ବାରମ୍ବାର ଫୋନ୍ କରୁଛନ୍ତି ପିଲାମାନଙ୍କ ଛଅ ମାସର ବାକିଥିବା ସ୍କୁଲ୍ ଫି ସ୍କୁଲ୍ ରେ ଯଥା ଶୀଘ୍ର ପୈଠ କରିବା ପାଇଁ ଅନ୍ୟଥା ପିଲା ଦୁଇଟିର ନାମକୁ ସ୍କୁଲ୍ ରୁ କାଟିଦେବାର ଧମକ ମଧ୍ୟ ଦେଇଛନ୍ତି I ଏସବୁ ଭିତରେ ଖୁବ୍ ଅସହାୟ ହୋଇପଡିଥିଲା ପ୍ରଶାନ୍ତ I ହଠାତ୍ ଦିନେ ସ୍ତ୍ରୀକୁ ଆସି କହିଲା, " ବୁଝିଲ ରମୁ ବୋଉ , କାଲି ଆମ ସେଠ୍ ଆମ ପାଖ ସହରକୁ ବସ୍ ପଠାଇଛି I ସେଥିରେ ଆମେ ସବୁ ଆସନ୍ତା କାଲି ସୁରତ ବାହାରିଯିବୁ I ସେଠାରେ ସବୁ କଳ କାମ ଆରମ୍ଭ ହୋଇ ଗଲାଣି I ଆମ ସାହିର ସୁକୁଟା ଭାଇ ଆଉ ହରିଆ ଦାଦା ମଧ୍ୟ ଯିବେ I ଦେଖିବ ବନି ଏବର୍ଷ ଯେମିତି ହେଉ ସାହୁକାରର ବାକି ଶୁଝି ଦେବି I ସେଠାରେ କାମରେ ଲାଗିଗଲେ ସ୍କୁଲ୍ ଫି, ଗ୍ରୁପ୍ ଲୋନ୍ କିସ୍ତି ଆଉ ବକେୟା ବିଦ୍ୟୁତ୍ ବିଲ୍ ମଧ୍ୟ ଧୀରେ ଧୀରେ ଶୁଝି ଦେବି I ପିଲା ଦୁଇଟାର ନାଆଁ ସ୍କୁଲ୍ ରୁ କଟିଗଲେ ବହୁତ ଅସୁବିଧା ହେବ I ଗାଆଁ ସ୍କୁଲ୍ ରେ ମାତ୍ର ଦୁଇ ଜଣ ଦିଦି I ତା' ଭିତରେ ପୁଣି ସେମାନଙ୍କର ଦୁନିଆ ସରକାରୀ କାମ I ତେଣୁ ପିଲାମାନଙ୍କ ନାମ ଗାଆଁ ସ୍କୁଲ୍ ରେ ଲେଖାଇଲେ ସେମାନେ ମୂର୍ଖ ହୋଇଯିବେ I ମୁଁ କିନ୍ତୁ ଚାହୁଁନି ମୋ ପିଲାମାନେ ମୂର୍ଖ ହୋଇ ମୋ ଭଳି ପେଟ ଚାଖଣ୍ଡକ ପାଇଁ ବାର ଦୂଆର ହୁଅନ୍ତୁ I ଯେତେ କଷ୍ଟ ହେଉ ସେମାନେ ପବ୍ଲିକ ସ୍କୁଲ୍ ରେ ହିଁ ପାଠ ପଢିବେ I " ବନିତା ପାଖରେ ବସିଥିବା ପ୍ରଶାନ୍ତର ବିଧବା ମାଆ ଏସବୁ ଶୁଣିବା ମାତ୍ରକେ ତା ଆଖିରେ ଲୁହ ଆସିଗଲା I ମାଆର ଶୁଖିଲା ମୁହଁକୁ ଦେଖି ପ୍ରଶାନ୍ତ କହିଲା, " ଦୁଃଖ କରନାଲୋ ବୋଉ, ଏଇ ମଉକାରେ ଯଦି ମୁଁ ସୁରତ ନ ଯାଏ, ତାହେଲେ ଆଗକୁ କାମ ମିଳିବ ନାହିଁ I ଦେଖିବୁ ଏଇ ବର୍ଷ ମୁଁ ଶେଷ ଥର ପାଇଁ ସୁରତ ଯାଉଛି I ସାହୁକାରର ବାକି ଶୁଝିଗଲେ ଆଉ ସେ ସୁରତ ଯିବିନି I ଗାଆଁରେ କିଛି ଗୋଟେ କରିବି I" ପରଦିନ ପ୍ରଶାନ୍ତ ଦୁଇ ହଳ ପୋଷାକ ଧରି ବାହାରି ପଡ଼ିଲା I ଦୁଇ ପୁଅ ଝିଅକୁ କୁଣ୍ଢାଇ ଧରି ଉଭୟଙ୍କ କପାଳରେ ସ୍ନେହରେ ଚୁମ୍ବନ ଆଙ୍କି ଦେଇ କହିଲା, " ବେଶୀ ଦୁଷ୍ଟାମୀ କରିବନିରେ ପିଲେ I ସ୍କୁଲ୍ ଖୋଲିଲେ ପ୍ରତିଦିନ ସ୍କୁଲ୍ ଯିବ I ଜେଜେ ମାଆ ଆଉ ବୋଉର କଥା ଶୁଣୁଥିବ I" ଏତିକି କହି ଘର ଇଷ୍ଟ ଦେବୀ ଆଉ ମାଆକୁ ମୁଣ୍ଡିଆ ମାରି ଓହ୍ଲାଇଲା ବାରଣ୍ଡା ତଳକୁ I ବନିତା ସେମିତି ନିର୍ବାକ ଚାହିଁ ରହିଥାଏ I ବନିତାକୁ ଚାହିଁ ଧୀର ସ୍ଵରରେ କହିଲା ବ୍ୟସ୍ତ ହେବନି ରମୁ ବୋଉ I ବାକି ଶୁଝା ସରିଗଲେ ଏଥର ଶୀଘ୍ର ଫେରି ଆସିବି I ବୋଉ ଆଉ ପିଲାମାନଙ୍କର ଯତ୍ନ ନେଉଥିବ I ଧୀରେ ଧୀରେ ଗାଆଁ ଶେଷ ମୁଣ୍ଡ ଆଡକୁ ପ୍ରଶାନ୍ତର ଚେହେରା ଅଦୃଶ୍ୟ ହୋଇଗଲା I
ପରଦିନ ସକାଳୁ ସାହିରେ ଚର୍ଚ୍ଚା ପଡ଼ିଛି ଆମ ପ୍ରଶାନ୍ତ, ହରିଆ ଆଉ ସୁକୁଟା ଯେଉଁ ବସ୍ ରେ ଯାଉଥିଲେ ସେ ବସ୍ କୋଉ ଏକ ଟ୍ରକ୍ ଦେହରେ ବାଡେଇ ହୋଇ ସେଥିରୁ ସାତ ଜଣ ମରିଯାଇଛନ୍ତି I ଏସବୁ ଶୁଣି ପ୍ରଶାନ୍ତ, ହରିଆ ଆଉ ସୁକୁଟାର ପରିବାର ଲୋକେ ଅସ୍ତବ୍ୟସ୍ତ I ପ୍ରଶାନ୍ତର ବୁଢି ମାଆ ଗ୍ରାମ ଦେବତୀ , ଦଣ୍ଡ ଠାକୁରାଣୀଙ୍କୁ କେତେ କଣ ବଳି ଭୋଗ ଯାଚି ସାରିଲାଣି I ହଠାତ୍ ମୋବାଇଲ୍ ଫୋନ୍ ଟା ବାଜି ଉଠିବାରୁ ବନିତା ଦଉଡି ଯାଇ ହାଲୋ କହିବା ପରେ କଣ ଶୁଣିଛି କେଜାଣି, ସେହି ସମୟରୁ ସେ ମୂକ ପାଲଟି ଯାଇଛି I
ଏତେ ସବୁ ଘଟଣା ପରେ ପିଲା ଦୁଇଟି ଜାଣି ସାରିଥିଲେ ଯେ ତାଙ୍କ ବାବା ଆଉ ନାହାନ୍ତି I ରମେଶ ଖାଲି ଭାବୁଥାଏ , ଜେଜେ ମାଆ କହୁଥିଲା ଜେଜେ ବାପା ମରିଯିବାରୁ ବାବା ସୁରତ ଗଲେ ପଇସା ରୋଜଗାର କରିବା ପାଇଁ I ଏବେ ତ ବାବା ମରିଗଲେ , ତାହେଲେ ମୁଁ ମଧ୍ୟ କଣ ସୁରତ ଯିବି ପଇସା ରୋଜଗାର କରିବା ପାଇଁ ?
ମୁଁ ମଧ୍ୟ କଣ ଏମିତି ସୁରତ ଯିବା ସମୟରେ ମରିଯିବି ?
ମୋ ବୋଉ ମଧ୍ୟ କଣ ମୋ ପାଇଁ ଏମିତି କାନ୍ଦିବ ?
ବାହାରକୁ ନ ଯାଇ କଣ ସୀମା, ପପୁ ଆଉ ମୁନାର ବାବାମାନଙ୍କ ଭଳି ମୁଁ କଣ ଗାଆଁରେ ରହି ପଇସା ରୋଜଗାର କରି ପାରିବି ନାହିଁ ?
ନା, ସମସ୍ତେ କଣ ମରିବାକୁ ସୁରତ ଯାଆନ୍ତି ?
ସେମିତି କୁନି ଝିଅ କବିତାର ମନରେ ମଧ୍ୟ ଅନେକ ପ୍ରଶ୍ନ,
ମୁଁ ମଧ୍ୟ କଣ ବଡ଼ ହେଲେ ମୋ ବୋଉ ପରି କାନ୍ଦି କାନ୍ଦି ବେହୋସ୍ ହୋଇଯିବି ?
ମୋ ସହ ନିତି ଝଗଡ଼ା ଲାଗୁଥିବା ଲୋକ କଣ ମୋତେ ଏମିତି ପାଣି ଛିଞ୍ଚି ମୋର ଚେତା ଫେରାଇବ ?
ପିଲା ଦୁଇଟି ପ୍ରଶ୍ନ ପରେ ପ୍ରଶ୍ନ ଭାବି ଚାଲିଥିଲେ ମଧ୍ୟ ଏହାର ଉତ୍ତର କାହା ପାଖରେ ନଥିଲା I ପ୍ରଶ୍ନ ଗୁଡିକ ସେମିତି ଅସମାହିତ ହୋଇ ରହିଗଲା I
ହଠାତ୍ ରମେଶ ଭାବନା ରାଜ୍ୟରୁ ଫେରି ଆସିଲା ସନିଆ ଦାଦାର ପାଟି ଶୁଣି I ସେ ଖଇ ଗଣ୍ଡେ ରମେଶ ହାତକୁ ବଢାଇ କହୁଥିଲେ ଚାଲ ଯିବା, ଡେରି ହେଉଛି....... I
ଗାଆଁ ଦାଣ୍ଡରେ ଚାଲିଛି ପ୍ରଶାନ୍ତର ଶେଷ ଶୋଭାଯାତ୍ରା I ରାମ୍ ନାମ୍ ସତ୍ୟ ହେ, ହରି ନାମ ସତ୍ୟ ହେ ଶବ୍ଦରେ ଦାଣ୍ଡ ଉଛୁଳି ପଡ଼ୁଛି I ଶୋଭାଯାତ୍ରା ପଛରେ କାନ୍ଦି କାନ୍ଦି ଦଉଡି ଆସିଥିବା ଝିଅ କବିତାକୁ ଜୁରୀଆ ଦାଦା କାଖେଇ ନେଇ ଘରେ ଛାଡି ଆସିଲାଣି I ଶୋଭାଯାତ୍ରା ଆଗରେ ରମେଶ ଖଇ କଉଡ଼ି ବିଞ୍ଚି ବିଞ୍ଚି ଚାଲିଛି ଯେମିତି ଲାଗୁଛି ତା'ର ଆକାଶ ଛୁଆଁ ସ୍ଵପ୍ନ ଗୁଡିକୁ ସେ ଅସହାୟ ଭାବରେ ଫୋପାଡ଼ି ଚାଲିଛି I ବାରଣ୍ଡାରେ ସ୍ଵାଧୀନତା ସଂଗ୍ରାମୀ ତଥା ପଞ୍ଚାଅଶୀ ବର୍ଷର ବୁଢା ରଙ୍କ ଜେଜେ ବସି ଶୋଭାଯାତ୍ରାକୁ ଏକ ଲୟରେ ଚାହିଁ ରହିଥିବା ବେଳେ ଦୁଇ ଆଖିର କୋରଡ ଦେଇ ଲୁହ ଦୁଇ ଧାର ଖସି ଆସିଲା I ରଙ୍କ ଜେଜେ ମନରେ ବି ଅନେକ ପ୍ରଶ୍ନ I କେତେ ଦିନ ଏମିତି ଓଡ଼ିଆ ଯୁବକ ପେଟ ପୋଷିବା ପାଇଁ ଅକାଳରେ ତା ଜୀବନ ହାରୁଥିବ ?
କେତେ ଦିନ ପର୍ଯ୍ୟନ୍ତ ଲୋକେ ସରକାରୀ ଶିକ୍ଷା ବ୍ୟବସ୍ଥାରୁ ବିଶ୍ୱାସ ତୁଟାଇ ଘରୋଇ ବିଦ୍ୟାଳୟକୁ ନିଜ ଶକ୍ତି ବାହାରେ ମଧ୍ୟ ପିଲାଙ୍କୁ ପଠାଇ ସ୍କୁଲ୍ ଫି ଦେଇ ନ ପାରି ସ୍କୁଲ୍ କର୍ତ୍ତୃପକ୍ଷଙ୍କ ଧମକର ଶିକାର ହେଉଥିବେ ?
କେତେ ଦିନ ପ୍ରଶାନ୍ତ ଭଳି ଖଟିଖିଆ ମାନେ ନିଜ ସାମର୍ଥ୍ୟ ବାହାରେ ସାମାଜିକ ପ୍ରଥା ପରମ୍ପରା ନାମରେ ନିଜ ବାହାଘର ଭୋଜି ଦେଇ ଋଣ ଜାଲରେ ଛନ୍ଦି ହୋଇ ପଡ଼ୁଥିବେ ?
ଏମିତି ଅନେକ ଅସମାହିତ ପ୍ରଶ୍ନର ଇନ୍ଦ୍ର ଜାଲରୁ ମୁକୁଳିବାକୁ ଚେଷ୍ଟା କରୁଥିବା ସମୟରେ ଘର ଭିତରୁ ବିଧବା ବୋହୂ ସୁଷମା ଡାକ ଦେଲା, ବାପା ! ମଡ଼ା ତ ଗାଆଁ ବାହାରି ଗଲାଣି I ସକାଳୁ ପାଣି ଟୋପେ ମଧ୍ୟ ପାଟିରେ ଦେଇ ନାହାନ୍ତି I ଆସନ୍ତୁ କଣ ଟିକେ ଖାଇଦେବେ ........
ଗାଙ୍ଗପୁର
ଗଞ୍ଜାମ- ୭୬୧୧୨୩
No comments:
Post a Comment