Wednesday, September 9, 2020

ପ୍ରବନ୍ଧ - ଗୁରୁଦିବସ

                         ✍କଳ୍ପନା ରାୟ

       ଶ୍ରୀମଦ୍ ଭଗବତ୍ ଗୀତା ଯାହା ଶ୍ରୀକୃଷ୍ଣଙ୍କ ମୁଖ ନିଃସୃତ ବାଣୀ, ଯାହା ନାହିଁ ଭାରତେ, ତାହା ନାହିଁ ଭାରତେ, ଅର୍ଥାତ୍ ଯାହା ମହାଭାରତରେ ନାହିଁ ତାହା ଭାରତରେ ନାହିଁ  ।  ସେହିଭଳି ଦିଗ୍ ଦର୍ଶନ ଦେଉଥିବା ଗ୍ରନ୍ଥ, ଯାହା କେବଳ ଭକ୍ତି, ଜ୍ଞାନ ଓ କର୍ମଯୋଗର ଵାଖ୍ୟା କରେ ନାହିଁ, ଅପରନ୍ତୁ ପ୍ରତ୍ୟେକ କରଣୀୟ କାର୍ଯ୍ୟର ବର୍ଣ୍ଣନା କରେ, ତାହାକୁ ଦାର୍ଶନିକ,ମହାନ୍ ଗୁରୁ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଇଂରାଜୀରେ ଅନୁବାଦ କରିଥିଲେ  ।

          ସେତିକି ସତ୍ୟାନୁରାଗୀ, ସଦାଚାରୀ, ମନନଶୀଳ ପାଠକ ଓ ଜ୍ଞାନୀ ଵିଦ୍ଵାନ୍ ନ ହେଲେ କେହି ଗୀତାର ବ୍ୟାଖ୍ୟା ଵା ଅନୁବାଦ କରି ନ ପାରେ  ।  ତା ପୁଣି ସଂସ୍କୃତରୁ ଇଂରାଜୀରେ  !!

        ୧୮୮୮ ସେପ୍ଟେମ୍ବର ୫  କି ଶୁଭଦିନ ଥିଲା ସତେ  !!!  ଆମ ଜନ୍ମଭୂମିକୁ ଗୌରବାନ୍ବିତ କରିଵାକୁ  ଜନ୍ମ ଗ୍ରହଣ କରିଥିଲେ ମହାନ୍ ବ୍ୟକ୍ତିତ୍ୱ ଯିଏକି ଏକାଧାରରେ ଜଣେ ଶିକ୍ଷାବିତ୍, ଦାର୍ଶନିକ ଓ କୂଟନୀତିଜ୍ଞ ।

         ୧୯୪୯ ରେ ସୋଭିଏତ ଋଷିଆକୁ ଭାରତୀୟ ରାଷ୍ଟ୍ରଦୂତ ଭାବେ ପ୍ରେରିତ ହୋଇଥିଲେ ଏବଂ ୧୯୫୪ ରେ ତାଙ୍କୁ ସମ୍ମାନଜନକ  ଭାରତ ରତ୍ନ ପ୍ରଦାନ କରାଯାଇଥିଲା  ।

      ଭାରତରେ ଗୁରୁ ଶିଷ୍ୟ ପରମ୍ପରା ଅତି ପ୍ରାଚୀନ ଓ ଅନନ୍ୟ  । ସେତେବେଳେ ସେମାନେ ଗୁରୁପୂର୍ଣ୍ଣିମାରେ ଗୁରୁପୂଜନ କାର୍ଯ୍ୟକ୍ରମ କରୁଥିଲେ  ।  ବର୍ତ୍ତମାନ ଆମେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ତାଙ୍କ ଜନ୍ମଦିନକୁ ଶିକ୍ଷକଙ୍କୁ ଅର୍ପଣ କଲାପରେ ତାଙ୍କ ଜନ୍ମଦିନକୁ ଆମେ ଗୁରୁଦିବସ ରୂପେ ପାଳନ କରିଆସୁଛୁ  । ଵେଦଵ୍ୟାସଠାରୁ ଦ୍ରୋଣାଚାର୍ଯ୍ୟ ସବୁଠି ମିଳିଛି ସେହି ଭକ୍ତି ଭାବ । ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଶିକ୍ଷକ ଜୀବନରେ ଭାରତୀୟ ଦର୍ଶନ, ତୁଳନାତ୍ମକ ଭାବେ ଧର୍ମଦର୍ଶନ ଓ ନୀତିଶିକ୍ଷା ଦାନ କରୁଥିଲେ  ।

       ପୃଥିବୀର ଅନ୍ୟତମ ପ୍ରଖ୍ୟାତ ଦାର୍ଶନିକ, ଶ୍ରେଷ୍ଠ ଜନନାୟକ, ବନ୍ଦନୀୟ ଶିକ୍ଷକ ତଥା ସ୍ଵାଧୀନ ଭାରତର ପ୍ରାତଃ ସ୍ମରଣୀୟ ରାଷ୍ଟ୍ରପତି ଡକ୍ଟର ସାର୍ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଏହି ଦିନଟିକୁ ପୂଜ୍ୟ ଗୁରୁଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ  ।  ଗୁରୁଭୂମି ଏହି ଭାରତ ବର୍ଷରେ ଵେଦ, ପୁରାଣ, ଉପନିଷଦରେ ଗୁରୁ ଗାରିମା ଵିଷୟରେ ଉଲ୍ଲେଖ ଅଛି  ।

        ଗୁ କାର ଅଜ୍ଞାନ ଅନ୍ଧକାରର ପ୍ରତୀକ ।  ରୁ କାର ସେହି ଅନ୍ଧକାରକୁ ଦୂର କରିଥାଏ  । ଅଜ୍ଞାନରୂପକ ଅନ୍ଧକାରକୁ ଦୂର କରି ଜ୍ଞାନରୂପକ ଆଲୋକ ଯିଏ ଦେଖାଇଥାଏ, ସିଏ ଗୁରୁ । ଶିକ୍ଷାଗୁରୁ, ଦୀକ୍ଷାଗୁରୁ ବା ସଦଗୁରୁ ଇତ୍ଯାଦି ଗୁରୁ ଶିଷ୍ୟ ପରମ୍ପରାକୁ କରିଛି ଗୌରବାନ୍ବିତ  । ଗୁରୁଙ୍କ ଯଶ କୀର୍ତ୍ତି ଅବର୍ଣ୍ଣନୀୟ ।

        ଵ୍ୟାସ, ବଶିଷ୍ଠ, ଶୁକ, ଵିଶ୍ବାମିତ୍ର ଓ ସନ୍ଦିପନୀ ଇତ୍ଯାଦି ପୁଣ୍ୟଶ୍ଳୋକ ଗୁରୁମାନେ ଭାରତୀୟ ଗୁରୁ ପରମ୍ପରାର ଚିର ନମସ୍ୟ । ଦ୍ରୋଣ, କୃପାଚାର୍ଯ୍ୟଙ୍କ ପରି  ମହାନ୍ ଆଜି ହୁଏତ ଵିରଳ  ।  ଆରୁଣି, ଏକଲବ୍ୟ, ଉପମନ୍ୟୁ, ଭୃଗୁ, ଭଗବାନ ରାମକୃଷ୍ଣଙ୍କ ଵିଵେକାନନ୍ଦ ଓ ବିବେକାନନ୍ଦ ଶ୍ରୀରାମକୃଷ୍ଣଙ୍କ ପାଇଁ ଵିଶ୍ବବନ୍ଦିତ ।

         ଶିକ୍ଷକ ଖଡି ଧରାଇଵାକୁ ଆରମ୍ଭ କରି ପ୍ରବଳ ପରାକ୍ରମୀ ହେବା ପର୍ଯ୍ୟନ୍ତ ପ୍ରତି କ୍ଷେତ୍ରରେ ସହାୟକ ହୋଇ ଆସିଛନ୍ତି  ।  ଶିକ୍ଷକ ଜାତି, ରାଜ୍ୟ ତଥା ସମାଜ ନିର୍ମାତା  ।

           ସମୟର ସ୍ରୋତରେ ଗୁରୁ ଆଜି ଆହତ  । ତଥାପି ଵିନା ଗୁରୁରେ କୌଣସି ଶିକ୍ଷା ପୂର୍ଣ୍ଣ ହୁଏନା  ।  ଗୁରୁ ନିର୍ମଳ, ଶାନ୍ତ, ସଜ୍ଜଳ, ମିଷ୍ଟଭାଷୀ, କାମକ୍ରୋଧମୁକ୍ତ, ସଦାଚାରୀ ହେଵା ଉଚିତ ।  କୌଣସି ଶକ୍ତି ସାମର୍ଥ୍ୟରେ  ଡରିଯିବା କଥା ନୁହେଁ  ।  ଗୁରୁ ଦିବ୍ୟତ୍ବର ସନ୍ଧାନ ଦିଅନ୍ତି  ।

      ଵୈଦିକ ଗୁରୁକୁଳାଶ୍ରମର ଗୌରବ ଆଜି ସ୍ଵପ୍ନ ହେଲେ ମଧ୍ୟ ଏବେ ଶିକ୍ଷକମାନଙ୍କୁ ରାଷ୍ଟ୍ରପତି ବିଭିନ୍ନ ସମ୍ମାନରେ ସମ୍ମାନିତ କରୁଛନ୍ତି  ।  ଯେଉଁ ଗୁରୁ ଶିଷ୍ୟ ହୃଦୟକନ୍ଦରକୁ ଆକର୍ଷଣ କରି ପାରିଛି, ତାକୁ କୌଣସି ସମ୍ମାନର ଆବଶ୍ୟକତା ହୁଏନା  ।

       ଦେଶର ମୁଖ୍ୟ ନାଗରିକମାନଙ୍କର ସୃଷ୍ଟିକର୍ତ୍ତା ଗୁରୁ ହିଁ ଅଟନ୍ତି  ।  ଯେ କୌଣସି ନାଗରିକ ଏହାକୁ ଅସ୍ବୀକାର କରି ପାରିବ ନାହିଁ ।  ଗୁରୁ ଧନୀଗରୀବ, ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଜ୍ଞାନ ପ୍ରଦାନ କରି ଛାତ୍ରଛାତ୍ରୀଙ୍କୁ କରିଥାନ୍ତି ବଳିଷ୍ଠ, ନୀତିନିଷ୍ଠ ଓ ମହିମାନ୍ବିତ  । 

          ଗୁରୁ, କଷଟି ପଥରରେ କଷିଲା ପରି ସବୁ ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ କରିଥାନ୍ତି ଶିଷ୍ୟକୁ ।  ମାନବୀୟ ଧାରାରେ ଉଦବୁଦ୍ଧ କରି ତିଆରି କରିଥାନ୍ତି ସରଳ ଅମାୟିକ ସ୍ନେହୀ ସ୍ବଭାବର ମଣିଷଟିଏ  ।

         ବିଦ୍ୟାରମ୍ଭ କରିଵାଠାରୁ ଆଜି ପର୍ଯ୍ୟନ୍ତ ମୋର ଯେତେ ଗୁରୁ ଅଛନ୍ତି ତାଙ୍କୁ ହୃଦୟରୁ ପ୍ରଣାମ କରୁଛି  ।

କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲ ଇଡା ଵାଳିକା ଉଚ୍ଚ ବିଦ୍ୟାଳୟ,
ଲ ଇଡା, ସମ୍ବଲପୁର ।

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy