ବହୁ ପ୍ରାଚୀନ କାଳରୁ ପୁରୀଧାମ ଶ୍ରୀକ୍ଷେତ୍ର ଏକ ପରମପାବନ କ୍ଷେତ୍ର ରୂପେ ପ୍ରାଧାନ୍ୟ ଲାଭ କରିଆସିଛି । ଏହି କ୍ଷେତ୍ରର କ୍ଷେତ୍ରାଧିପ ଶ୍ରୀଜଗନ୍ନାଥ ଓ ଏହାଙ୍କର ପ୍ରସାଦ ମହାପ୍ରସାଦ ଆଜି ପୃଥିବୀ ବିଖ୍ୟାତ । ସମସ୍ତ ଦେବମନ୍ଦିରରେ ଦେବତାଙ୍କୁ ନିବେଦିତ ନୈବେଦ୍ୟକୁ ପ୍ରସାଦ କୁହାଯାଉଥିବା ବେଳେ ଶ୍ରୀଜଗନ୍ନାଥ ଦାରୁବ୍ରହ୍ମଙ୍କୁ ଅର୍ପିତ ନୈବେଦ୍ୟକୁ ମହାପ୍ରସାଦ ' କୁହାଯାଏ।
ମହାପ୍ରସାଦ ’ ଶବ୍ଦଟି ଗୋଟିଏ ତାନ୍ତ୍ରିକ ଶବ୍ଦ । ଦେବତାଙ୍କୁ ଭୋଗ ଦିଆଯିବା ନିମନ୍ତେ ଅଭିପ୍ରେତ ବସ୍ତୁକୁ ଅମୁଣିହା କୁହାଯାଏ । ତାହା ଭୋଗ ସାରିଲେ ପ୍ରସାଦ ବା ମହାପ୍ରସାଦ ହୁଏ । ଏହି ମହାପ୍ରସାଦର ବିଭିନ୍ନ ପର୍ଯ୍ୟାୟବାଚୀ ଶବ୍ଦ ମଧ୍ୟରୁ ନିର୍ମାଲ୍ୟ , କୈବଲ୍ୟ ଆଦି ପ୍ରଧାନ । ଦେବତାଙ୍କୁ ଅର୍ପିତ ବସ୍ତୁ ବିସର୍ଜନ ପୂର୍ବରୁ ନୈବେଦ୍ୟ ଓ ବିସର୍ଜନ ପରେ ନିର୍ମାଲ୍ୟ ହୁଏ ।
କିନ୍ତୁ କେବଳ ଭାବ ସହକାରେ ଯାହାକୁ ଗ୍ରହଣ କରାଯାଏ , ତାକୁ କୈବଲ୍ୟ କୁହାଯାଏ । କୈବଲ୍ୟ ଓ ମହାପ୍ରସାଦ ମଧ୍ୟରେ ପାର୍ଥକ୍ୟ ଏହି ଯେ କୈବଲକୁ ଦୁଇ ଆଙ୍ଗୁଠିରେ ଅର୍ଥାତ୍ କଣିକାଏ ଖାଇବାକୁ ହୁଏ , କିନ୍ତୁ ମହାପ୍ରସାଦ ହେଉଛି ମନମୁତାବକ ପେଟପୁରା ଖାଇବା ପ୍ରସାଦ । ଏହି ମହାପ୍ରସାଦକୁ ଶୁଖାଇଦେଲେ ତାହା ନିର୍ମାଲ୍ୟ ରୂପେ ପରିଗଣିତ ହୁଏ । କୈବଲ୍ୟ ଖାଇଲେ ବା ପାଇଲେ ତାହା ଶରୀର ମଧ୍ୟରେ ଲୀନ ହୁଏ , କିନ୍ତୁ ମଳମୂତ୍ର ବାଟେ ବାହାରକୁ ଚାଲିଯାଏନାହିଁ । ଏହି ମହାପ୍ରସାଦକୁ ନିର୍ମଳ ମନରେ ଖାଇବାକୁ ବା ପାଇବାକୁ ହୁଏ ।
ମହାପ୍ରସାଦର ପ୍ରଚଳନ କେବେଠାରୁ ହେଲା ସେ ସମ୍ବନ୍ଧରେ ଆଲୋଚନା କରିବାକୁ ହେଲେ ଆମକୁ ବିଶେଷ କରି ମାଦଳାପାଞ୍ଜି ,ବିଭିନ୍ନ ପୁରାଣଗ୍ରଛି ଓ ତନ୍ତ୍ରଗ୍ରନ୍ଥ ଆଦି ଉପରେ ନିର୍ଭର କରିବାକୁ ହେବ।ବିଭିନ୍ନ ପୁରାଣଗ୍ରଛ ଓ ତନ୍ତ୍ରଗ୍ରନ୍ଥରେ ମହାପ୍ରସାଦର ମାହାତ୍ମ୍ୟ ଉପରେ ବିଶେଷ ଜୋର ଦିଆଯାଇଛି।
ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ମତରେ ଜଗନ୍ନାଥଙ୍କଠାରେ ଅଳ୍ପ ମହାପ୍ରସାଦ ଓ ପୂଜାବି ବର୍ତ୍ତମାନ ଯେପରି ଚାଲୁଛି ତାହା ସବୁ ଯଯାତି ( ଖ୍ରୀ : ୫୫୨ ରୁ ୫୯୮ ) ବିଧାନ କରାଇଥିଲେ । ଏହି କାର୍ଯ୍ୟ ଲାଗି ଯଯାତିଙ୍କୁ ଦ୍ବିତୀୟ ଇନ୍ଦ୍ରଦ୍ୟୁମ୍ନ ବୋଲି କୁହାଯାଏ । ଅନିରୁଦ୍ଧ ଦାସଙ୍କ ମତରେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ଯଯାତିକେଶରୀ ଜଗନ୍ନାଥ ମହାପ୍ରଭୁ ଓ ମନ୍ଦିରର ଅନ୍ୟ ଦେବଦେବୀ ମାନଙ୍କର ପୂଜା ଓ ମନ୍ଦିରରେ ଅନ୍ନ ଭୋଗର ବ୍ୟବସ୍ଥା କରିଥିଲେ ।
ପୁନଶ୍ଚ ‘ ଜଗନ୍ନାଥ କୈଫିୟତ’ ଗ୍ରଛରେ ମହାପ୍ରସାଦର ମାହାନ୍ୟ ସମ୍ବନ୍ଧରେ ଯେଉଁ କିମ୍ବଦନ୍ତୀଟି ଉଲ୍ଲେଖ କରାଯାଇଛି , ସେଥିରୁ ଜଣାଯାଏ ଯେ ଯଯାତିଙ୍କ ସମୟରୁ ମହାପ୍ରସାଦର ପ୍ରଚଳନ ହୋଇଥିଲା । ଉପରୋକ୍ତ ଘଟଣାରୁ ଆଲୋଚନା କଲେ ଜଣାଯାଏ ଯେ ଅନ୍ନମହାପ୍ରସାଦର ବ୍ୟବସ୍ଥା ଯଯାତି ଙ୍କ ସମୟରୁ କରାଯାଇଥିଲା ବୋଲି ଅନ୍ୟ କୌଣସି ପ୍ରମାଣ ମିଳିବା ପର୍ଯ୍ୟନ୍ତ ଗ୍ରହଣ କରାଯାଇ ପାରେ ।
No comments:
Post a Comment