Tuesday, September 8, 2020

꧁ঔৣ💝©ଛାୟା©💝ঔৣ꧂

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଏଣେ ସେ ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡ ଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରିରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଭୟାବହ ମୁହଁଟିମାନ ଘନ ଘନ ବିଜୁଳି ଆଲୁଅରେ ଦିଶି ଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷ ନିକଟକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ତାକୁ କାନ୍ଧରେ ପକାଇ ସେ ସେହି ଶୂନ୍ଶାନ୍ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେହି ବେତାଳ କହିଲା, “ରାଜନ୍, ମୋର କାହିଁ ମନେ ହୁଏ ତୁମର ବୁଦ୍ଧି ଭ୍ରଂଶ ହୋଇଛି । ତୁମ ସହ କେହି ଶଠତା କରି ତୁମକୁ ଏଭଳି କାମରେ ନିଯୁକ୍ତ କରିଛି । ଅବଶ୍ୟ ଯେଉଁସବୁ ଲୋକଙ୍କ ସହ ତୁମର ସଂପର୍କ, ସେମାନେ ସମସ୍ତେ ଜ୍ଞାନୀ, ଗୁଣୀ ହୋଇଥିବା ତ ସ୍ୱାଭାବିକ । କିନ୍ତୁ ସେଭଳି ଲୋକେ ମଧ୍ୟ ଶଠତା ବା ପ୍ରବଂଚନା କରି ପାରନ୍ତି । ମଣିଷ ବାସ୍ତବିକ୍ ବଡ ବିଚିତ୍ର ଜୀବ । ମୋ କଥାଟିର ଉଚିତ୍ ପ୍ରମାଣ ଦେବା ନିମନ୍ତେ ତମକୁ ମୁଁ ଗୋଟାଏ ଦୃଷ୍ଟାନ୍ତ ଦେଉଛି । ମନଦେଇ ତାହା ଶୁଣ । କାହିଁକିନା ତାହା ଶୁଣିଲେ ତୁମର ଶ୍ରମଭାର ଲାଘବ ହେବ ।”

        ଏହାପରେ ବେତାଳ କହିଲା : ଅନେକ ଦିନ ତଳର କଥା । ସେତେବେଳେ ନୀଳଦ୍ୱୀପ ଏବଂ ଲାବଣ୍ୟ ଦ୍ୱୀପ ନାମରେ ଦୁଇଟି ଛୋଟ ଛୋଟ ରାଜ୍ୟ ଥିଲା । ଦୁର୍ଭାଗ୍ୟକୁ ସେ ଦୁଇ ରାଜ୍ୟ ଭିତରେ ବହୁଦିନ ଧରି ଶତ୍ରୁତା ଲାଗିରହିଥାଏ । ଅବଶ୍ୟ କେହି କାହାରି କିଛି ଅନିଷ୍ଟ କରୁ ନଥାନ୍ତି । ନୀଳ ଦ୍ୱୀପର ସୈନ୍ୟସଂଖ୍ୟା ଅଧିକା । କିନ୍ତୁ ଲାବଣ୍ୟ ଦ୍ୱୀପର ରାଜଗୁରୁ ଜଣେ ତନ୍ତ୍ରମନ୍ତ୍ରବିଦ୍ । ତେଣୁ ନୀଳ ଦ୍ୱୀପର ରାଜା ତାଙ୍କ କରାମତିକୁ ଭାରି ଭୟ କରୁଥାନ୍ତି ।
        ନୀଳ ଦ୍ୱୀପର ରାଜାଙ୍କର ଅନେକ ଦିନ ପର୍ଯ୍ୟନ୍ତ କୌଣସି ସନ୍ତାନ ସନ୍ତତି ନଥିଲେ । ଯାହାହେଉ, ଶେଷରେ ତାଙ୍କର ପୁଅଟିଏ ହେଲା । ସେ ଯେତିକି ଯେତିକି ବଡ ହେଲା, ନିଜ ବୁଦ୍ଧି ବିଦ୍ୟାରେ ସମସ୍ତଙ୍କୁ ସେ ସେତିକି ସେତିକି ମୋହିତ କରିବାକୁ ଲାଗିଲା । ରାଜା, ରାଣୀ, ପାତ୍ରମିତ୍ର ତାକୁ ନିଜ ନିଜର ନୟନ ପିତୁଳା ଭଳି ସର୍ବଦା ଗୋଡେ ଗୋଡେ ଜଗିଥାନ୍ତି ।

        ଦିନେ ସେ ରାଜକୁମାର ବଗିଚା ଭିତରେ ଗୋଟାଏ ପେଣ୍ଡୁ ଗଡେଇ ଗଡେଇ ଖେଳୁଥାନ୍ତି । ସେହି ବଗିଚାର ଚାରି ଦିଗରେ ଉଚ୍ଚ ପ୍ରାଚୀର । ପ୍ରାଚୀର ସେପଟେ ଜଗୁଆଳିମାନେ ଥା’ନ୍ତି । ବଗିଚାଟି ରାଜପ୍ରାସାଦକୁ ଲାଗିଥାଏ । ତହିଁ ଭିତରକୁ ବାହାର ଲୋକ ପଶି ଆସିବାର କୌଣସି ସମ୍ଭାବନା ନଥିଲା । ତେଣୁ ରାଜକୁମାରଙ୍କ ଦେହରକ୍ଷୀଜଣକ ସବୁବେଳେ ରାଜକୁମାରଙ୍କ ଉପରେ ଆଖି ରଖିବା ଜରୁରୀ ମନେ କରୁନଥିଲା ।

        ପେଣ୍ଡୁ ଗଡେଇ ଗଡେଇ ରାଜକୁମାର କୁଆଡେ ଗଲେ କେଜାଣି, କିଛି ସମୟ ପରେ ତାଙ୍କର ଆଉ କୌଣସି ଦେଖା ଦର୍ଶନ ମିଳିଲା ନାହିଁ । ଏହି କଥାକୁ ନେଇ ପ୍ରାସାଦରେ ଚାଂଚଲ୍ୟ ଖେଳିଗଲା । ଫଳରେ ଦାସଦାସୀଙ୍କଠୁଁ ଆରମ୍ଭକରି ପାତ୍ର ମନ୍ତ୍ରୀ ସେନାପତିଙ୍କ ପର୍ଯ୍ୟନ୍ତ ସମସ୍ତେ ସେହି ବଗିଚା ଭିତରକୁ ଧାଇଁଲେ । ଏଣେ ସମସ୍ତଙ୍କ ମନରେ ଭାରି ଉତ୍କଣ୍ଠା । ବଗିଚାସାରା ଖୋଜା ଚାଲିଲା । ତା’ପରେ ପ୍ରାସାଦ ଯାକ । ତା’ପରେ ପ୍ରାସାଦ ଚତୁର୍ଦ୍ଦିଗସ୍ଥ ଇଲାକା । କିନ୍ତୁ ଯେତେ ଯାହା କଲେ ବି ସେ ରାଜକୁମାର ଆଉ ମିଳିଲେ ନାହିଁ ।
ରାଜକୁମାର ସିନା ମିଳିଲେ ନାହିଁ, କିନ୍ତୁ ଆଉ ଜଣେ ବ୍ୟକ୍ତି ଧରା ହୋଇ ରାଜାଙ୍କ ଆଗକୁ ଅଣାହେଲେ । ତାଙ୍କୁ ଦେଖି ରାଜା ଓ ତାଙ୍କ ପାତ୍ରମିତ୍ରମାନଙ୍କର ବିସ୍ମୟର ଆଉ ସୀମା ରହିଲା ନାହିଁ । ସେ ବ୍ୟକ୍ତି ଜଣକ ହେଲେ ଲାବଣ୍ୟ ଦ୍ୱୀପର ରାଜଗୁରୁ ଦେବ ଶାସ୍ତ୍ରୀ । ଏହି ରାଜଗୁରୁଙ୍କ ଯୋଗୁଁ ଲାବଣ୍ୟଦ୍ୱୀପର ଗୌରବ । କାରଣ ସେ ଖାଲି ବିଦ୍ୱାନ୍ ନୁହଁନ୍ତି, ତାଙ୍କୁ ଅନେକ ତନ୍ତ୍ର ମନ୍ତ୍ର ବି ଜଣା ଥିଲା । ଏମିତିକି ସେ ପଶୁପକ୍ଷୀମାନଙ୍କ ଭାଷା ମଧ୍ୟ ବୁଝି ପାରୁଥିଲେ ତଥା ସେମାନଙ୍କୁ ବଶ ବି କରିପାରୁଥିଲେ ।

        ସମୁଦ୍ର କୂଳରେ ସନ୍ଦେହଜନକ ଭାବରେ ବିଚରଣ କରୁଥିବା ଅବସ୍ଥାରେ ସେ ଧରା ହେଲେ । ଫଳରେ ରାଜାଙ୍କର ଧାରଣା ହେଲା, ରାଜକୁମାର ଅଦୃଶ୍ୟ ହେବା ସହିତ ତାଙ୍କ ଶତ୍ରୁ ରାଜ୍ୟର ରାଜଗୁରୁଙ୍କର ତାଙ୍କ ଦ୍ୱୀପକୁ ଆସିବାର କିଛି ନା କିଛି ସମ୍ପର୍କ ଅବଶ୍ୟ ରହିଛି । କିନ୍ତୁ ରାଜଗୁରୁଙ୍କୁ ଜେରା କରି ବୁଝାଗଲା, ସେ ସମୁଦ୍ରରେ ଅନ୍ୟ ଏକ ଦ୍ୱୀପକୁ ରାଜକାର୍ଯ୍ୟରେ ଯିବା ବେଳେ ବୋଇତ ବୁଡିଯିବାରୁ ଦୈବାତ୍ ସେ ଆସି ନୀଳଦ୍ୱୀପରେ ପହଁଚିଥିଲେ । ରାଜା ବୁଝିଲେ ଯେ ବାସ୍ତବିକ୍ ସେ ରାଜକୁମାର ନିଖୋଜ ହେବା ବିଷୟରେ କିଛି ମଧ୍ୟ ଜାଣନ୍ତି ନାହିଁ ।

        ରାଜା ସେ ଅତିଥିଙ୍କୁ ଭଲ ଭାବରେ ସତ୍କାର କରାଇ ସୁସ୍ଥ କଲେ ଓ ତାଙ୍କୁ ଦରବାରକୁ ଆଣିଲେ ।
        ରାଜା କହିଲେ “ଦେବ ଶାସ୍ତ୍ରୀ! ଆପଣ ଯଦି ନିଜେ ମୋ ପୁଅକୁ ଅପହରଣ କରି ନାହାଁନ୍ତି, ତେବେ ଆଉ କିଏ ନେଇଛି, ସେ କଥା ଆପଣ ମନ୍ତ୍ରବିଦ୍ୟା ସାହାଯ୍ୟରେ ଜାଣି ଦୟାକରି ମୋ ପୁଅକୁ ଉଦ୍ଧାର କରନ୍ତୁ । ତାହା ନକରିବା ଯାଏଁ ଆପଣ ବନ୍ଦୀ ।”ଦେବ ଶାସ୍ତ୍ରୀଙ୍କୁ ବଗିଚାର ଗୋଟିଏ କୋଣରେ ଥିବା ଛୋଟ ପ୍ରାସାଦରେ ରଖା ହେଲା । ପ୍ରାସାଦ ସେପାରିରେ ସମୁଦ୍ର ।
        ଦେବଶାସ୍ତ୍ରୀ ଏଥର ମହାଅଡୁଆରେ ପଡିଲେ, କିନ୍ତୁ କୌଣସି ପରିସ୍ଥିତିରେ ସେ ହତାଶ ହେବା ଲୋକ ଆଦୌ ନୁହଁନ୍ତି । ଦ୍ୱିତୀୟ ଦିନ ସେ ପ୍ରାସାଦ ଛାତ ଉପରେ ବୁଲୁଛନ୍ତି, ଗୋଟିଏ ଶାଗୁଣା ଉଡିଯାଉଥିବାର ସେ ଦେଖିଲେ । ସେ ଏକ ମନ୍ତ୍ର ପଢି ତାକୁ ବଗିଚା ଭିତରକୁ ଆହ୍ୱାନ କରନ୍ତେ ସେ ଆସି ଗୋଟାଏ ଅତି ପୁରୁଣା ଗଛ ଉପରେ ବସି ପଡିଲା । ଦେବଶାସ୍ତ୍ରୀ ସଙ୍ଗେ ସଙ୍ଗେ ସେ ଗଛ ପାଖକୁ ଦୌଡିଗଲେ । ଶାଗୁଣା ବସି ପଡିବା ମାତ୍ରେ ସେ ଗଛରେ ରହିଥିବା ପକ୍ଷୀମାନେ ଛାନିଆ ହୋଇ କିଚିରି ମିଚିରି କରିବାକୁ ଆରମ୍ଭ କରିଦେଲେ । ଦେବଶାସ୍ତ୍ରୀ ତ ତାହାହିଁ ଚାହୁଁଥିଲେ ।
        ଜଣେ ପକ୍ଷୀ ତା ନିଜ ଭାଷାରେ ଏଇଆ କହୁଥାଏ ଯେ, “ଗତ କାଲି ଗଛ ତଳେ ଅଘଟଣ ଘଟିଗଲା, ଆଜି ଗଛ ଉପରେ ଅଘଟଣ!”

        ଦେବଶାସ୍ତ୍ରୀ ତତ୍କ୍ଷଣାତ୍ ଗଛ ତଳେ ତନ୍ନ ତନ୍ନ କରି ଅନୁସନ୍ଧାନ ଆରମ୍ଭ କଲେ । ସେହି ଗଛକୁ ନିବିଡ ବୁଦାମାଳ ଘେରି ରହିଥାଏ । ତାକୁ ଠେଲି ସେ ଦେଖିଲେ, ଗଛର ନିମ୍ନ ଭାଗରେ ଗୋଟାଏ କୋଟର । ସେ ସାବଧାନରେ ଅନାଇ ବୁଝି ପାରିଲେ, କୋଟରର ମୁହଁ ବିଶେଷ ବଡ ନହେଲେ ବି ତା’ଭିତରଟା ଖୁବ୍ ପ୍ରଶସ୍ତ । ସେ ଭିତରକୁ ପଶିଲେ । ତାଙ୍କ ଆଶଙ୍କା ସତ୍ୟ ପ୍ରମାଣିତ ହେଲା । କୋଟର ତଳେ ପେଣ୍ଡୁ; ଆଉ ତା’ପାଖରେ ରାଜକୁମାର ପଡିଛନ୍ତି ।

        ଦେବଶାସ୍ତ୍ରୀ ରାଜକୁମାରଙ୍କୁ ଖୁବ୍ ସନ୍ତର୍ପଣରେ ବାହାରକୁ ଆଣି ପରିଚାରକମାନଙ୍କୁ ଡାକ ପକାଇଲେ । ସେମାନେ ଦୌଡି ଆସିଲେ । ରାଜା ବି ଖବର ପାଇ ଆସିଲେ । ବଗିଚା ଭିତରର ପ୍ରାସାଦ ଭିତରକୁ ପଲଙ୍କ ଅଣା ହୋଇ ରାଜକୁମାରଙ୍କୁ ତହିଁ ଉପରେ ଶୁଆଇ ଦିଆଗଲା । ରାଜବୈଦ୍ୟ ଆସି ପରୀକ୍ଷା କରି କହିଲେ, “ଏହା ଏକ ବିଷମ ପରିସ୍ଥିତି । ରାଜକୁମାରଙ୍କ ଦେହରେ ତ ପ୍ରାଣ ରହିଛି ସତ, କିନ୍ତୁ ତାହା ଅତି କ୍ଷୀଣ ଭାବରେ । ଏଭଳି ଚେତାଶୂନ୍ୟ ଅବସ୍ଥାରୁ କେହି ବି ଚେତା ଫେରି ପାଆନ୍ତି ନାହିଁ ।”

        ରାଜା ଦେବଶାସ୍ତ୍ରୀଙ୍କୁ କହିଲେ, “ମହାଶୟ, ମୁଁ ଜାଣେ ଆପଣଙ୍କର ଅନେକ ତନ୍ତ୍ର ମନ୍ତ୍ର ଶକ୍ତି ରହିଛି । ଆପଣ ମୋ ପୁଅକୁ ବଂଚାନ୍ତୁ ।”
        ଦେବଶାସ୍ତ୍ରୀ କହିଲେ “ମହାରାଜ! ଜୀବନ ମରଣ ଉପରେ ମୋର ତ ଆଉ ହାତ ନାହିଁ । ଯଦି ରାଜକୁମାରଙ୍କ ଭାଗ୍ୟରେ ମୃତ୍ୟୁଯୋଗ ଥିବ, ତେବେ ସେଥିଲାଗି ମୋ ମନ୍ତ୍ର ବି କିଛି କାମ ଦେବ ନାହିଁ । ଆପଣଙ୍କ ବୈଦ୍ୟ ଯାହା କରିବାର କରନ୍ତୁ । ଏଥର ମୋତେ ମୋ ରାଜ୍ୟକୁ ଯିବାକୁ ଦିଅନ୍ତୁ ।”

        ଏକଥା ଶୁଣି ରାଜା କହିଲେ, “ଅସମ୍ଭବ । ରାଜକୁମାରଙ୍କ ଚେତା ଫେରାଇ ଆଣି ନପାରିଲେ ଆପଣ ଏଠାରେ ଚିରକାଳ ବନ୍ଦୀ ହୋଇ ରହିବେ ।”

        ସେଦିନ ଉପରଓଳି ବଗିଚା ଭିତରେ ବସି ଦେବଶାସ୍ତ୍ରୀ ଧ୍ୟାନ କରୁଥାନ୍ତି, ଧ୍ୟାନ ପରେ ସେ ଦେଖିଲେ, ଯୋଡିଏ ମାଙ୍କଡ ବୁଦାମାଳ ଭିତରେ ଯେମିତି ଲୁଚୁକାଳି ଖେଳୁଛନ୍ତି । ହଠାତ୍ ଗୋଟାଏ ମାଙ୍କଡ ଚିତ୍କାର କରି କଚାଡି ହୋଇ ପଡିଲା । ଦେବ ଶାସ୍ତ୍ରୀ ଦେଖିଲେ, ତାକୁ ଗୋଟାଏ ବିଷାକ୍ତ ସାପ ଦଂଶନ କରି ଲୁଚିଗଲା ।

        ମୂର୍ଚ୍ଛିତ ମାଙ୍କଡ ଚାରିପଟେ କିଛି ସମୟ ବୁଲି ଅନ୍ୟ ମାଙ୍କଡଟି କୁଆଡେ ଚାଲିଗଲା । କିଛି ସମୟ ପରେ ସେ ଖଣ୍ଡିଏ ଚେର ଧରି ଆସି ତାକୁ ଦୁଇ ହାତରେ ଦଳି ମକଚି ମୂର୍ଚ୍ଛିତ ମାଙ୍କଡର ନାକ ପାଖରେ ଧରିଲା ଓ ତା’ ମୁଣ୍ଡରେ କେତେଥର ଫୁଙ୍କିଲା । ଚାହୁଁ ଚାହୁଁ ତାର ଚେତା ଫେରି ଆସିଲା । ଏହାପେରେ ସେ ଉଠିବସିଲା ।

ଦେବଶାସ୍ତ୍ରୀ ଆବଶ୍ୟକ ମନ୍ତ୍ର ଉଚ୍ଚାରଣ କରି ଚେର ଧରିଥିବା ସେହି ମାଙ୍କଡଟିକୁ ଡାକିଲେ । ସେ ଆସି ତାଙ୍କୁ ଉଦ୍ବୃତ ଚେର ସମର୍ପି ଦେଲା । ଦେବଶାସ୍ତ୍ରୀ ତାହା ନେଇ ଯାଇ ରାଜକୁମାରଙ୍କ ନାକ ପାଖରେ ଧରିଲେ ଓ ତାଙ୍କ ମୁଣ୍ଡ ଫୁଙ୍କିଲେ । ଫଳରେ ସେ ରାଜକୁମାରଙ୍କ ଚେତା ଫେରି ଆସିଲା । ସେ କ୍ରମେ ସୁସ୍ଥ ହେଲେ । ଏହି ଖୁସିରେ ଆନନ୍ଦରେ ରାଜଧାନୀରେ ଉତ୍ସବ ଲାଗିଗଲା ।

ରାଜା ଦେବଶାସ୍ତ୍ରୀଙ୍କୁ ବହୁ ଧନରତ୍ନ ଯାଚିଲେ । କିନ୍ତୁ ଦେବଶାସ୍ତ୍ରୀ କହିଲେ, “ମୋର ଏସବୁ କିଛି ବି ଲୋଡା ନାହିଁ । ଖାଲି ଗୋଟାଏ ନୌକାର ବ୍ୟବସ୍ଥା କରି ମୋ ରାଜ୍ୟକୁ ମୋତେ ପଠାଇ ଦିଅନ୍ତୁ ।”

ରାଜା ଶୁଣାଇଦେଲେ “ଦେବଶାସ୍ତ୍ରୀ! ତାହା ତ ହୋଇ ପାରିବ ନାହିଁ । ତୁମେ ଯେତେ ଅସାଧାରଣ ମନ୍ତ୍ର ତନ୍ତ୍ର ଜାଣ, ସେସବୁ ରାଜକୁମାରଙ୍କୁ ଆଗେ ଶିଖାଇ ଦିଅ । ତା’ପରେ ଯାଇ ତୁମେ ଏଠାରୁ ମୁକ୍ତି ପାଇବ ।”

ଦେବ ଶାସ୍ତ୍ରୀ ଯେତେ ମିନତି କଲେ ବି କୌଣସି ଫଳ ମିଳିଲା ନାହିଁ । ଅଗତ୍ୟା ସେ ରାଜକୁମାରଙ୍କୁ ତାଙ୍କ ବିଦ୍ୟା ଶିଖାଇବାକୁ ଲାଗିଲେ । ରାଜକୁମାରଙ୍କ ସ୍ମରଣ ଶକ୍ତି ତୀବ୍ର । ତେଣୁ ସେ ଛଅମାସ ଭିତରେ ସବୁ ଶିଖିଗଲେ । ରାଜା ତାଙ୍କ ପରୀକ୍ଷା ନେଇ ସନ୍ତୁଷ୍ଟ ହେଲେ ।
ଅବଶେଷରେ ଦେବଶାସ୍ତ୍ରୀଙ୍କୁ ବିଦାୟ ଦିଆଗଲା । ନୌକାରେ ବହୁଧନରତ୍ନ ଦେଇ ରାଜା, ରାଣୀ ଓ ରାଜକୁମାର ତାଙ୍କୁ ବିଦାୟ ଦେବାବେଳେ ଦେବଶାସ୍ତ୍ରୀ ରାଜକୁମାରଙ୍କୁ କହିଲେ, “ମୁଁ ତମକୁ ଆଉ ଗୋଟାଏ ଛୋଟ ମନ୍ତ୍ର ଶିଖାଇବି । ଏହି ଗୋଟିକ ଦ୍ୱାରା ଉଭୟ ରାଜ୍ୟ ଭିତରେ ସଂଘର୍ଷ ନିବାରିତ ହେବ । ତମେ ଆଞ୍ଜୁଳାରେ ପାଣି ଧର । ମୋ ନୌକା ଅଦୃଶ୍ୟ ହୋଇଗଲେ ଯାଇ ପାଣି ବିସର୍ଜନ ଦେବ ।”

ରାଜକୁମାର ପାଣି ଧରିଲେ । ଶାସ୍ତ୍ରୀ ତାଙ୍କ କାନରେ ଛୋଟ ମନ୍ତ୍ରଟିଏ କହି ଚାଲିଗଲେ । ନୌକା ଅଦୃଶ୍ୟ ହେବା ପରେ ରାଜକୁମାର ପାଣି ବିସର୍ଜନ ଦେଲେ । ପରେ ପରେ ସେ ବୁଝିଲେ, ସେ ଯେ ଖାଲି ସେ ଛୋଟିଆ ମନ୍ତ୍ରଟି ଭୁଲି ଯାଇଛନ୍ତି, ସେତିକି ନୁହେଁ, ବରଂ ଦେବଶାସ୍ତ୍ରୀଙ୍କଠୁଁ ଶିଖିଥିବା ସବୁ ବିଦ୍ୟା ସେ ପାଶୋରି ଦେଇଛନ୍ତି ।
କାହାଣୀଟି ଶେଷ କରି ବେତାଳ ଦୃପ୍ତ କଣ୍ଠରେ କହିଲା, “ରାଜା! ଦେବଶାସ୍ତ୍ରୀ ଜ୍ଞାନୀ ଓ ଗୁଣୀ । କିନ୍ତୁ ତା’ ସଙ୍ଗେ ସଙ୍ଗେ ଶଠ, ଏଥିରେ ତ କୌଣସି ସନ୍ଦେହ ନାହିଁ । ସେ ଯାହାହେଉ, ସେ ରାଜକୁମାରଙ୍କୁ ଶେଷ ମନ୍ତ୍ର ଶିଖାଇବା ବେଳେ ତାହାଦ୍ୱାରା ଉଭୟ ରାଜ୍ୟ ଭିତରେ ସଂଘର୍ଷ ନିବାରିତ ହେବ ବୋଲି କହିବାର ଅର୍ଥ କ’ଣ? ପାରିଲେ ଏହାର ଉତ୍ତର ଦିଅ । ଉତ୍ତର ଜାଣି ମଧ୍ୟ ନୀରବ ରହିଲେ ତୁମ ଶିର ଏହିକ୍ଷଣି ସ୍କନ୍ଧଚ୍ୟୁତ ହେବ ।”

କାଳକ୍ଷେପଣ ନକରି ରାଜା ବିକ୍ରମାର୍କ ଉତ୍ତର ଦେଲେ, “ଦେବଶାସ୍ତ୍ରୀଙ୍କୁ ଶଠ ବୋଲି କହିବା ଅନ୍ୟାୟ । ରାଜକୁମାରଙ୍କୁ ସେ ଆବିଷ୍କାର କଲେ, ସେ ତାଙ୍କୁ ପ୍ରାଣଦାନ ଦେଲେ । ଏତିକିରେ ରାଜା ତାଙ୍କ ପ୍ରତି ଗଭୀର କୃତଜ୍ଞ ହେବା ଉଚିତ୍ । କିନ୍ତୁ ତାଙ୍କ ଅସହାୟତାର ସୁଯୋଗ ନେଇ ରାଜା ତାଙ୍କ ଜ୍ଞାନ ଶୋଷଣ କଲେ । ଦେବଶାସ୍ତ୍ରୀ ସେ ଜ୍ଞାନ ଫେରାଇ ନେଇ ଆଦୌ କିଛିବି ଅନ୍ୟାୟ କରି ନାହାଁନ୍ତି । ବାକି ରହିଲା ଉଭୟ ରାଜ୍ୟ ଭିତରେ ସଂଘର୍ଷ ନିବାରିତ ହେବା କଥା । ନୀଳ ଦ୍ୱୀପ ଅଧିକ ଶକ୍ତିଶାଳୀ ହୋଇ ମଧ୍ୟ ଲାବଣ୍ୟଦ୍ୱୀପ ଆକ୍ରମଣ ନ କରିବାର କାରଣ, ଲାବଣ୍ୟଦ୍ୱୀପର ରାଜପୁରୋହିତଙ୍କୁ ବହୁ ତନ୍ତ୍ର ମନ୍ତ୍ର ଜଣାଥିଲା । ସେସବୁ ତନ୍ତ୍ର ମନ୍ତ୍ର ନୀଳଦ୍ୱୀପର ରାଜକୁମାର ଜାଣିଗଲେ ଆଉ ଲାବଣ୍ୟଦ୍ୱୀପକୁ ଭୟ କରିବାର କୌଣସି ବି କାରଣ ରହିବ ନାହିଁ ଓ ନୀଳ ଦ୍ୱୀପ ଲାବଣ୍ୟଦ୍ୱୀପ ଆକ୍ରମଣ କରିବ । ସେ ଦୃଷ୍ଟିରୁ ଦେବଶାସ୍ତ୍ରୀ ରାଜକୁମାରଙ୍କୁ ମନ୍ତ୍ର ତନ୍ତ୍ର ଭୁଲାଇ ଦେଇ ତାଙ୍କର ପୂର୍ବାବସ୍ଥା ଅତୁଟ ରଖିଲେ ।”

ରାଜାଙ୍କର ମୌନ ଭଙ୍ଗ ହୁଅନ୍ତେ ପୂର୍ବ ସର୍ତ୍ତ ଅନୁସାରେ ବେତାଳ ତାଙ୍କ କାନ୍ଧରୁ ଖସିଯାଇ ପୁଣି ପୂର୍ବୋକ୍ତ ବୃକ୍ଷରେ ଝୁଲି ପଡିଲା ।🙏

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy