ଆଉ କ'ଣ ଖାଇବେ ନା ରହିବେ,ମନ ଭିତରେ ଏତିକି ଉତ୍କଣ୍ଠା ଥାଏ ଯିଏ ତାଙ୍କୁ ଆଜି ଏ ସମ୍ମାନ ଦେବାରେ ଇନ୍ଧନ ଯୋଗାଇଛନ୍ତି ସେହି ମହାନ୍ ଦିଗଦ୍ରଷ୍ଟାଙ୍କୁ ଏ ସମ୍ମାନ ପାଇଁ କୃତଜ୍ଞତା ଜ୍ଞାପନ କରିବେ ଓ ଏ ସମ୍ମାନ ତାଙ୍କ ପାଦତଳେ ସମର୍ପିତ କରିବେ, ସେହି କଥା ହିଁ ଭାବୁଥାନ୍ତି।
ତରବର ହୋଇ ନିଜ ଉତ୍କଣ୍ଠାକୁ ନିୟନ୍ତ୍ରଣ କରି ଚାଲିଲେ ରେଲୱେ ଷ୍ଟେସନକୁ ଟିକେଟ କରିବେ ଓ ଶୀଘ୍ର ଜଗତସିଂହପୁର ରେ ପହଁଚି ଦେଖା କରିବେ ତାଙ୍କ ଗୁରୁ ମାର୍ଗଦର୍ଶକଙ୍କୁ।ଭିଡ଼ ଭିତରୁ ଟିକେଟ ଆଣି ପ୍ଲାଟଫର୍ମରେ ବସି ଆଉଥରେ ମାନପତ୍ରକୁ ପଢୁଥାନ୍ତି।କାହିଁକି ବା ପଢିବେନାହିଁ,ଏହା ତ ତାଙ୍କର ବହୁ ଦିନର ପ୍ରତୀକ୍ଷିତ ଦୁର୍ଲଭ ସମ୍ମାନ।ହଠାତ ଟେଲିଫୋନ ରିଂ ହେଲା।ତାହା ଥିଲା ଦିଲ୍ଲୀରେ ରହୁଥିବା ତାଙ୍କ ଭାଉଜ ସୁନୀତାଙ୍କର।ଭୟ ଓ ଆନନ୍ଦ ଫେଣ୍ଟାଫେଣ୍ଟି ଆବେଗର ମଝିରେ ଦଣ୍ଡାୟମାନ ସିଏ।କଣ ହେଲା?ହଁ ଭାଉଜ କୁହନ୍ତୁ,ମୁଁ ଏବେ ଗାଁକୁ ଯିବାପାଇଁ ଟିକେଟ କାଟି ଅପେକ୍ଷା କରିଛି।କିଛି କାମ ଥିଲା କି?ମୋ ଭାଇ,ମୁନା,ମୁନୀ ସମସ୍ତେ ଭଲରେ ଅଛନ୍ତି ତ? ଭାଉଜଙ୍କର ଥରା ଗଳା ଓ କାନ୍ଦ ପରି ଲାଗୁଥିବା କଣ୍ଠ ଧ୍ୱନି ତାଙ୍କୁ ବିଚଳିତ କରୁଥାଏ।ଜାଣିଲା ତାଙ୍କ ଭାଇ ଗାଡି ଆକ୍ସିଡେଣ୍ଟ ହୋଇ ମେଡିକାଲ୍ ରେ ଆଡ଼ମିଶନ ହୋଇଛନ୍ତି।ତାଙ୍କ ପାଖରେ ସେ ଅଛନ୍ତି,ଛୋଟ ପିଲା ଦୁଇଟିକୁ ନେଇ।ଆଉ କ'ଣ ଯିବେ ଗାଁକୁ,ତାଙ୍କ ଏ ଖୁସିଟା ତ ନିମିଷକେ ମିଳେଇଗଲା।ଭାଇ ଟା ମରଣ ସହ ଲଢେ଼ଇ କରୁଛି।ବାପା ଚାଲିଗଲା ପରେ ବାପାର ସ୍ନେହ ଦେଇ ସବୁ କଥା ବୁଝି ପାଠ ପଢେଇ ମଣିଷ କରିଛନ୍ତି ତାଙ୍କୁ।ସଂଗେ ସଂଗେ ଟିକେଟ ଏକ୍ସଚେଞ୍ଜ କରି ଚାଲିଲେ ଦିଲ୍ଲୀ ଅଭିମୁଖେ।ଭାଇଙ୍କ ଯତ୍ନ ନେଉ ନେଉ ସେ ମାସ ବି ଚାଲିଗଲା।ଭାଇ ଭାଉଜ ପୁତୁରା ଝିଆରୀ ସମସ୍ତଙ୍କୁ ତାଙ୍କ ସମ୍ବର୍ଦ୍ଧନା ଘଟଣା ଓ ତାଙ୍କ ମାର୍ଗଦର୍ଶକଙ୍କ କଥା ଜଣେଇ ସେଠାରୁ ବିଦାୟ ନେଇ ଫେରିଲେ ଗାଁ ଅଭିମୁଖେ।
ଟ୍ରେନ ଆଖି ପିଛୁଳାକେ ପହଞ୍ଚନ୍ତା ନାହିଁ।କେତେ ସେ ଅପେକ୍ଷା କରିବେ।ଟ୍ରେନ ରେ ବସି ଏସବୁ ଭାବି ଖୋଲିଲେ ସେ ସେହି ମାନପତ୍ର ଓ ମନେ ପକାଇଲେ ତାଙ୍କ ଅତୀତର ତା ସହ ବୋଳା କେତେ ଖଟା ମିଠା,ହସ ଲୁହର ସାହିତ୍ୟିକ ଘଟଣା ଦୁର୍ଘଟଣା।କଣ ଗୋଟାଏ ଭାବି ଦୀର୍ଘଶ୍ଵାସଟିଏ ପକାଇଲେ ଆଉ ସ୍ମୃତି ଫୁଲଚାଙ୍ଗୁଡିରୁ ଖୋଲିଲେ ସେ ଅଭୁଲା ଅଲିଭା ଗୋଲାପ-କଣ୍ଟାମିଶା ସ୍ମୃତି।
କାଲିପରି ଲାଗୁଛି ସେଦିନର କଥା।କୋଣାର୍କର ଏକ ସାହିତ୍ୟ ସମ୍ମିଳନୀରେ ସେ ଯୋଗଦେଇଥାନ୍ତି।ଚାଲିଥାଏ କବିତା ଆସର ପ୍ରତିଯୋଗିତାର।ତାଙ୍କ ନାମ ଡକାହେବାରୁ ସେ ଚାଲିଲେ କବିତା ପାଠ ଉଦ୍ଦେଶ୍ୟରେ।ଉତ୍ସାହିତ କରୁଥାନ୍ତି ପ୍ରଦେଶର ଭିନ୍ନ ଭିନ୍ନ ଜିଲ୍ଲାରୁ ଆସିଥିବା ସାରସ୍ୱତ ପ୍ରତିଭାଗଣ।ସମ୍ଭାଷଣ ପରେ ଆରମ୍ଭ କଲେ କବିତା ପଠନ।ସୁନ୍ଦର ଶୈଳୀ ଭାଵ ଭଙ୍ଗୀରେ ତାଙ୍କ ପଠନ ସମସ୍ତଙ୍କୁ ଆମୋହିତ କରିଥିଲା।ଆରୋହ ଅବରୋହ ସହ ଅଭିନୟ ଭାବଭଙ୍ଗୀ ବିଶ୍ଲେଷଣାତ୍ମକ ଓ ଭିନ୍ନ ଭିନ୍ନ ରସର ବୋଳା "ଫେରିଆରେ ଧରମା" ଶୀର୍ଷକ ସଭିଙ୍କ ତନ୍ତ୍ରୀକୁ ଥରାଇ ଦେଇଥିଲା।କରତାଳିର ତାଳେ ତାଳେ ତାଙ୍କୁ ଯେମିତି କିଏ ସମ୍ମାନ ଜଣାଇଦେଇ କହୁଥିଲା ସେ ହିଁ ଆଜି କବିତା ଆସରରେ ବିଜୟୀ ହେବେ।ତାଙ୍କ ପାର୍ଶ୍ଵ ଆସନରେ ବସି ଥିବା କବି କବୟିତ୍ରୀଙ୍କ ପ୍ରଶଂସା ତାଙ୍କୁ ବିମୋହିତ କରିଥିଲା।ସରିଗଲା ଆସର,କେବଳ ରହିଲା ବିଜୟୀଙ୍କ ନାମ ଘୋଷଣା। ନରୋତ୍ତମ ବାବୁ ଭାବୁଥାନ୍ତି ସେ ନିଶ୍ଚୟ ପ୍ରଥମ ହୋଇଥିବେ।ଉତ୍କଣ୍ଠା ଗୁଡିକ ସତେ ଯେମିତି ତାଙ୍କୁ ଅସ୍ତବ୍ୟସ୍ତ କରୁଥାନ୍ତି।ଶେଷରେ ତାଙ୍କ ଭାବନାର ଅନ୍ତ ହେଲା। ବିଜୟୀ ପ୍ରତିଯୋଗୀଙ୍କ ନାମ ଘୋଷଣା କରାଗଲା।ହେଲେ କାହିଁ? ପ୍ରଥମରୁ ପଞ୍ଚମ କ୍ରମ ଭିତରେ ଯେଉଁ ନାମ ଘୋଷଣା କରାଗଲା ସେଥିରେ ସେ ତ ନାହାନ୍ତି?ତାଙ୍କ ଆବେଗର ବେଗ ଧୀର ମନ୍ଥର ହୋଇଗଲା।ମୁହଁରେ ସତେ ଯେମିତି ହସଟା ନୀରବ ପ୍ରାର୍ଥନା କରୁଥାଏ।ଆଉ କାହାକୁ ଚାହିଁବା ତାଙ୍କ ପକ୍ଷରେ ଶୋଭନୀୟ ନ ଥିଲା।ଖାଲି ତାଙ୍କ କାନ ଶୁଣୁଥାଏ ବିଚାର ଠିକ୍ ହେଲାନାହିଁ।ଯିଏ ପ୍ରଥମ ହେବା କଥା ସେ ଆଦୌ କୌଣସି କ୍ରମରେ ରହିଲେ ନାହିଁ।ଏ ସାହିତ୍ୟରେ ବି ଅନ୍ୟାୟ।ତାଙ୍କ ମନ ଟିକିଏ ଓସାସ ଲାଗୁଥାଏ ଏ ସବୁ ଶୁଣି । ହେଲେ ତାଙ୍କର ଭୁଲ୍ କ'ଣ ରହିଲା ଜାଣିବାକୁ ସେ ମଞ୍ଚ ଉପରକୁ ଗଲେ,ଆଉ ଭଦ୍ର ଭାବରେ ତିନି ବିଚାରକଙ୍କୁ କ'ଣ ପଚାରିଲେ।ତାପରେ ମୁହୂର୍ତ୍ତେ ସେଠାରେ ନ ରହି ଅଖିଆ ଅପିଆ ଫେରିଗଲେ ନିଜ ଗାଁକୁ।ଗାଁକୁ ଆଉ ଥାଏ ୫କିମି ରାସ୍ତା।ରାସ୍ତା କଡରେ ଏକ ଅଶ୍ୱତ୍ଥ ବୃକ୍ଷ।ତା ମୂଳରେ ନଥୄ କରି ବସିପିଡ଼ିଲେ।
ଖରାଦିନ।ଦଗ୍ଧ ବୈଶାଖର ତାତି ସହ ତାଙ୍କ ହୃଦୟର ତାତି ତାଙ୍କୁ ପ୍ରତି ମୁହୂର୍ତ୍ତରେ ଜାଳି ଦେଉଥାଏ।ହଠାତ୍ ଏକ ଗାଡି ଆସି ରହିଲା ସେହି ଗଛ ପାଖରେ।ଗାଡିରୁ ଓହ୍ଲାଇ ପଡିଲେ ଜଣେ ଭଦ୍ର ବ୍ୟକ୍ତି।ନରୋତ୍ତମ ବାବୁ ତାଙ୍କୁ ଅଭିବାଦନ ଜଣାଇଲେ।ନରୋତ୍ତମ ବାବୁଙ୍କ ମୁଖ ମଣ୍ଡଳରେ ବିଷାଦ ଛାୟା ଦେଖି ତାଙ୍କୁ ଭଲ ଲାଗିଲା ନାହିଁ।ଡ୍ରାଇଭରକୁ କହିଲେ ତୁମେ ଯାଅ,ମୁଁ ନରୋତ୍ତମ ବାବୁଙ୍କ ସହ ଯାଉଛି।ବାବୁ ଆଗରୁ ତାଙ୍କୁ ଜାଣିଛନ୍ତି।ଫୋନରେ ହେଉ କି ସାକ୍ଷାତରେ ହେଉ ସେ କିଛି ସାହିତ୍ୟ କଥା ତାଙ୍କ ସହ ଆଲୋଚନା କରନ୍ତି। ନିଜ ଘରକୁ ଡାକିନେଲେ ସେ।ଧୁଆ ଧୋଇ କରି ଖାଇବାକୁ କହିଲେ।ହେଲେ ଯେଉଁ ଅସମ୍ମାନର ସୁସ୍ୱାଦୁ ଭୋଜନ ସେ ମଞ୍ଚରେ ପାଇଛନ୍ତି ତାକୁ କ'ଣ ହଜମ କରିଛନ୍ତି ସେ?ବାବୁ କହିଲେ ଆରେ କ'ଣ ହୋଇଛି ଆଲୋଚନା କରିବା,ବୁଝିବା,ତେବେ ଭୋକିଲା କାହିଁକି ରହିବ?ବାବୁ ସାଧାରଣ ଲାଗୁଥିଲେ ବି ଜଣେ ଅସାଧାରଣ ପ୍ରତିଭା।ବ୍ୟକ୍ତିତ୍ୱ ସମ୍ପନ୍ନ ବ୍ୟକ୍ତି ଜଣେ ସେ। ଉଡ଼ିଗଲା ଚଢ଼େଇର ମନ କଥା ବି ବୁଝିପାରନ୍ତି।ବହୁତ ବଡ଼ ଅନୁଭବୀ।ତେବେ ସେ ଅନୁମାନ କରିନେଲେ ନରୋତ୍ତମ ବାବୁଙ୍କୁ ବହୁତ ବାଧିଛି।ଘରୁ ଦହି ସରବତ ଗ୍ଲାସେ ଆଣି ଦେଇ ଅପେକ୍ଷା କରିବାକୁ କହିଲେ।୧୦/୧୫ମିନିଟ ପରେ ଧୁଆ ଧୋଇ ସାରି ଓ ପୋଷାକ ବଦଳାଇ ଆସିଲେ ସେ।ଏଥର ନରୋତ୍ତମ ବାବୁଙ୍କ ସହ ଆଲୋଚନା ଆରମ୍ଭ କଲେ।ନରୋତ୍ତମ ବାବୁ ଅନୁରୋଧ କରି କହିଲେ, ଆଜ୍ଞା ମୋ ଜାଣିବାରେ ଆପଣ ଜଣେ ବହୁତ ବଡ କବି,ତେବେ ମୋ କବିତାଟି ଆପଣ ଟିକେ ଶୁଣନ୍ତୁ।କବିତା ପାଠ କଲେ ଓ ବାବୁ ଶୁଣି ଖୁସି ହେଲେ?ବାବୁଙ୍କୁ ପଚାରିଲେ,ଆଜ୍ଞା ଏ କବିତାରେ କ'ଣ କିଛି ଭୁଲ ଅଛି ?ବାବୁ କବିତାଟିକୁ ଦୁଇ ତିନିଥର ତନ୍ନ ତନ୍ନ କରି ପଢିଲେ ଓ କହିଲେ ଅତି ଉତ୍ତମ,ଭାଵ ଭାଷା ସଂଯୋଜନା ପାଠ ସବୁ ଉତ୍ତମ।ତେବେ ଅସୁବିଧା କଣ?
ନରୋତ୍ତମ ବାବୁ କେଉଁଠିକୁ କାହିଁକି ଯାଇଥିଲେ ସମସ୍ତ ବୃତ୍ତାନ୍ତ ଜଣାଇଲେ।ଆଉ ଏହି କବିତା କଣ ଗଦ୍ୟ କବିତା ପଚାରିଲେ।ବାବୁ ପଚାରି ବୁଝିଲେ ଯେ ଆସରରେ ଥିବା ବିଚାରପତି ତିନିଜଣ ଏ କବିତାକୁ ତାଚ୍ଛାଲ୍ୟ କରିଛନ୍ତି।ସେ ଯେତେବେଳେ ବିଚାରପତିଙ୍କୁ ପଚାରିଲେ ମୋ କବିତା ଓ କବିତା ପାଠରେ କିଛି ଭୁଲ ରହିଲାକି ?
ଜଣେ ବିଚାରପତି କହିଲେ ଏହା ଏକ ଗଦ୍ୟ କବିତା।
ଆଉ ଜଣେ କହିଲେ ଯେଉଁ କବିତାରେ ଛନ୍ଦ ନାହିଁ ତାହା କବିତା ନୁହଁ।ଆପଣ ଏଣୁ ତେଣୁ ଗାରେଇ ଦେଇ ଏଠି ସେଠି କମାଦେଇ ଲେଖିଦେଲେ କ'ଣ ସେ କବିତା ହୋଇଯିବ। କବିତା କଣ ଚିହ୍ନନ୍ତୁ,ବୁଝନ୍ତୁ, ତାପରେ ପାଠ କରିବେ।
ତୃତୀୟ ଜଣଙ୍କ କହିଥିଲେ ଯେ ତାଙ୍କ କବିତା ଗଳ୍ପ କି ପ୍ରବନ୍ଧ ପରି ଲାଗିଲା।
ଏସବୁ ଶୁଣି ବାବୁ ହସିଦେଲେ ଆଉ ସେ ବିଚାରପତିଙ୍କ ନାମ ଶୁଣି ଆହୁରି ହସିଲେ।କହିଲେ ନରୋତ୍ତମ ବାବୁ ପ୍ରଥମ ବିଚାରପତି ଜଣେ କବିତା ଚୋର,ତାଙ୍କ ଶିକ୍ଷାଗତ ଯୋଗ୍ୟତା କାହାକୁ ଅଚ୍ଛପା ନାହିଁ।ସେ କେବଳ ନିଜର ପ୍ରଚାର କରନ୍ତି।ସାହିତ୍ୟକୁ ସେ ପାଖରୁ ଦେଖିନାହାନ୍ତି।ଦ୍ଵିତୀୟ ଜଣକ ନିଜକୁ ଜଣେ ଶ୍ରେଷ୍ଠ ବ୍ୟଙ୍ଗ କବି ବୋଲି ନାମ ପଛରେ ଉପାଧି ଯୋଡି ଅପପ୍ରଚାର କରନ୍ତି।ବ୍ୟବହାର,ଆଚରଣ,ଭଦ୍ରତା ତାଙ୍କ ଘର ପାଖ ରାସ୍ତା ଦେଇ ଯାଇନାହିଁ।ସେ ମଝିରେ ମଝିରେ ବ୍ୟଙ୍ଗ ଛାଡି କିଛି ଅଵ୍ୟର୍ଥ ପ୍ରେମ କବିତା ଲେଖନ୍ତି,ଯାହାର କୌଣସି ବାସ୍ତବତା କି ସଠିକତା ନ ଥାଏ।ଆଉ ଯେଉଁ ତୃତୀୟ ଜଣକ କଥା କହିଲ ସେ ହେଲେ ଜଣେ ମଦ ଗଞ୍ଜେଇ ଅଫିମ ଖିଆ ଲୋକ।ତାଙ୍କର ପ୍ରବଳ ମଇଳା ଦୋଷ ଅଛି,ସେ କେବଳ ମହିଳା ମାନଙ୍କୁ ପ୍ରଶଂସା କରନ୍ତି।ବାସ୍ତବରେ ତୁମ ଏ କବିତା କୁ ଶୁଣି ବୁଝି ତା'ର ଭାଵ ଭାଷା ଆସ୍ଵାଦନ କରି ମୂଲ୍ୟାୟନ କରିବାର କ୍ଷମତା ତାଙ୍କର ନାହିଁ।
ନରୋତ୍ତମ ବାବୁ କହିଲେ,ସତ କୁହନ୍ତୁ ଆଜ୍ଞା, ଆପଣ ମୋତେ ଆଶ୍ୱାସନା ଦେଉ ନାହାନ୍ତି ତ।ମୁଁ ଚିନ୍ତା କରିଛି ଯଦି ମୋର ଏ କବିତା ଗଦ୍ୟ ହୋଇଥାଏ ଓ ଏଟେ ଭୁଲ୍ ମୋର ଥାଏ ତେବେ ଆଜିଠାରୁ ମୁଁ କବିତା ଲେଖିବାକୁ କଦାପି ଲେଖନୀ ଧରିବି ନାହିଁ।
ବାବୁ କହିଲେ,ଆପଣ ଏକ ରୁଢୀ ଶୁଣିଥିବେ,ଚୋର ସାଙ୍ଗରେ ମାନ ମାରି ଖପରାରେ ଖାଇବା।ମୁଁ ଆଦୌ ସାନ୍ତ୍ୱନା କି ଆଶ୍ୱାସନା ଦେଉନି ଯାହା ସତ୍ୟ ତାହାହିଁ କହୁଛି।
ନରୋତ୍ତମ ବାବୁ ପଚାରିଲେ, ଆଜ୍ଞା ଏ ଗଦ୍ୟ କବିତା କଣ?ମୋର ଏହି କବିତାଗୁଡିକ କେତେକ ସାହିତ୍ୟିକ ଗଦ୍ୟ କବିତା କହି ଅଟ୍ଟହାସ୍ୟ କାହିଁକି କରନ୍ତି।ସତରେ ଏ କଣ ଗଦ୍ୟ କବିତା? ମୋ ଶଙ୍କା ମୋଚନ କରନ୍ତୁ ଆଜ୍ଞା।
ବାବୁ ହସିଲେ,କହିଲେ ନରୋତ୍ତମ ବାବୁ ଆପଣ କେବେ ଶୁଣିଛନ୍ତି କି ମାଈ ଷଣ୍ଢ,କି ଅଣ୍ଡିରା ଗାଈ? ନରୋତ୍ତମ ବାବୁଙ୍କ ମୁହଁରେ ସ୍ମିତ ହସଟା ଅମାବାସ୍ୟା ରାତିରେ ବିଜୁଳି ଆଲୁଅ ପରି ଶୋଭା ପାଇଲା।ଆରେ ସାହିତ୍ୟ ତ ଦୁଇ ଭାଗରେ ବିଭକ୍ତ ତାହା ଗଦ୍ୟ ଓ ପଦ୍ୟ।ତତ୍ପରେ ଯେପରି ଗଦ୍ୟ ଭିତରେ ଗଳ୍ପ,ପ୍ରବନ୍ଧ,ନିବନ୍ଧ,ଉପନ୍ୟାସ,ଏକାଙ୍କିକା,ନାଟକ,ରମ୍ୟରଚନା...ଏହିପରି ଅନ୍ତର୍ଭୁକ୍ତ ଠିକ୍ ସେହିପରି ପଦ୍ୟ ଭିତରେ ଆମର କବିତା,ସଂଗୀତ,ଲୋକଗୀତ.. ଏସବୁ ଆସେ। ତେବେ ଗଦ୍ୟ କବିତା କ'ଣ ?ସତରେ ଯିଏ ସାହିତ୍ୟର ଅର୍ଥ,ପ୍ରକୃତି,ସ୍ୱରୂପ ଜାଣେନା,ଗଦ୍ୟ ପଦ୍ୟର ସଂଜ୍ଞା କଣ ଆଦୌ ଜାଣେନା ସେ ହିଁ କହେ ଗଦ୍ୟ କବିତା।କବିତା ହେଉଛି ଭାବନାର ସ୍ୱତଃସ୍ଫୁର୍ତ୍ତ ସ୍ଫୁରଣ ଯାହା ପ୍ରଶାନ୍ତିକୁ ସଂଗ୍ରହ କରେ ଓ ମନର,ଅନ୍ତରର,ହୃଦୟର ବେଗକୁ ଉଦ୍ଭୁତ କରେ।ଏହା ଶବ୍ଦର ଧ୍ୱନିର ଏକ ପାରସ୍ପରିକ ପ୍ରକ୍ରିୟା।ଚିନ୍ତା,କଳ୍ପନା କିମ୍ବା ଅଙ୍ଗେନିଭା ଘଟଣାର ସ୍ୱପ୍ନିଳ ପରିପ୍ରକାଶ।ମରୁଭୂମିରେ ସୃଷ୍ଟିକରେ ଶ୍ୟାମ ଶସ୍ଯକ୍ଷେତ୍ର ଆଉ ଅମାବାସ୍ୟାର ତୋଳେ ଚାନ୍ଦିନୀର ଜ୍ୟୋତ୍ସ୍ନା।ପ୍ରକୃତରେ ପ୍ରକାର ଭେଦରେ ପଦ୍ୟକୁ ତିନୋଟି ତିନୋଟି କୋଠରୀରେ ସଜ୍ଜା ଯାଇଥାଏ ଯାହା ଗୀତି କବିତା,ବର୍ଣ୍ଣନାତ୍ମକ କବିତା ଓ ଅଭିନୟାତ୍ମକ କବିତା।ସାମଗ୍ରିକ ଭାବେ ଏସବୁକୁ ବିଭାଗିକରଣ କଲେ ଛନ୍ଦଯୁକ୍ତ ଓ ମୁକ୍ତଛନ୍ଦ ଏଇପରି ଦୁଇଟି ଭାଗରେ ବିଭକ୍ତ କରିପାରିବା।
ଯାହାକୁ ପଢିଲେ କବିତା ଆଉ ଗାଇଲେ ଗୀତ ପରି ଲାଗେ ସେଇ ପରା ଗୀତି କବିତା।ବାସ୍ତବରେ ଗୀତି କବିତା ହେଉଛି ଭାଷାର ଶ୍ରୀକ୍ଷେତ୍ର ଆଉ ଭାବର ମଧୁ ବୃନ୍ଦାବନ।ବର୍ଣ୍ଣନାତ୍ମକ କବିତା ଆମର ଜ୍ଞାନ କୋଷକୁ ବିସ୍ତାରିତ କରେ ଆଉ ଅଭିନୟାତ୍ମକ କବିତା ବାସ୍ତବ ଜୀବନର ସ୍ୱାଦକୁ ଯାଚିକରି ଦେଇଥାଏ।
ନରୋତ୍ତମ ବାବୁଙ୍କ ମୁହଁରେ ଖୁସିର ସୂର୍ଯ୍ୟୋଦୟ ହେଲାପରି ଲାଗୁଥାଏ।ତଥାପି ଛନ୍ଦଯୁକ୍ତ ଓ ମୁକ୍ତଛନ୍ଦ କବିତା ସମ୍ବନ୍ଧରେ ଆହୁରି ଜାଣିବାର ଆଭାସ ହେଉଥାଏ। ବାବୁ ଜାଣିପାରି କହିଲେ ଛନ୍ଦରେ ଅକ୍ଷର ସଂଖ୍ୟା,ଯତିପାତ,ପଦ୍ୟରୂପ ଉପରେ ଗୁରୁତ୍ୱ ଥାଏ।ହେଲେ ଆଜିକାଲି କେତେକ ଅକବି ନିଜକୁ ବଡ଼ କବି ଭାବି ଭାଷା ଭାବ ଉପରେ ଗୁରୁତ୍ୱ ନ ଦେଇ ରାସ୍ତାରେ ସେ ଯାଉଥିଲା, କଣେଇ କଣେଇ ଚାହୁଁଥିଲା,ମୋ ପାଖକୁ ଦୌଡ଼ି ଆସିଲା...କିମ୍ବା ମୁଁ ତୁମକୁ ଚିଠିଟେ ଦେଲି...ତୁମେ ଆମ ଘରକୁ କାଲି ଆସିବ ବୁଲି...ଏହିପରି ଅର୍ଦ୍ଧ ଗଦ୍ୟ ଥିବା ଅଶୁଦ୍ଧ ଛନ୍ଦ କବିତାଲେଖି ବହୁତ ବାହାଦୁରୀ ମାରୁଛନ୍ତି ସେମାନେ ତ ସମ୍ପୂର୍ଣ୍ଣ ଅଜ୍ଞ।ଅପର ପକ୍ଷରେ ମୁକ୍ତଛନ୍ଦରେ ରାଗ ଓ ତାଳ ନ ଥିଲେ ବି ଏହା ଛନ୍ଦହୀନ ନୁହେଁ।ଏଥିରେ ଅନେକ ଛନ୍ଦ ଲୁଚିକରି ଥାଏ।ଏହା ଶୃଙ୍ଖଳିତ ଆରୋହ ଅବରୋହକୁ ସମ୍ମାନ ଦିଏ।ଏଥିରେ ଆବେଗ,ସରାଗ,ଅନୁରାଗ ଓ ସମ୍ବେଦନଶୀଳତା ଥାଏ।
ନରୋତ୍ତମ ବାବୁ କହିଲେ ଆଜ୍ଞା,ସତରେ ଏ ଛନ୍ଦମୁକ୍ତ ଓ ମୁକ୍ତଛନ୍ଦ ଭିତରୁ କେଉଁଠି ଭଲ ଓ ଅଧିକ ଉପଯୁକ୍ତ?କେତେଜ ସାହିତ୍ୟିକ କାହିଁକି କହୁଛନ୍ତି ଛନ୍ଦଯୁକ୍ତ କବିତା କେବଳ ପଦ୍ୟ ,ଅନ୍ୟସବୁ ନୁହଁ?
ବାବୁ କହିଲେ ଦୁଇଟି ଯାକ ନିଜ ନିଜ ଜାଗାରେ ଶ୍ରେଷ୍ଠ।ଯିଏ ଯାହାକୁ ଭଲପାଏ ତା ରୁଚି ଅନୁସାରେ ତାକୁ ଶ୍ରେଷ୍ଠ ମଣେ।ଯାହାର ଦଖଲ ଯେତେ କମ୍ ତାର ସଙ୍କୁଚିତ ମନ, କବିତାର ବିସ୍ତୃତି ଓ ବ୍ୟାପ୍ତିକୁ ବୁଝି ସମ୍ମାନ ଦେଇପାରେନାହିଁ।କେତେକ ଅଳ୍ପ ଦଖଲଧାରୀ କେବଳ ପୂର୍ବଜଙ୍କ କଥା କହି ତାଙ୍କର ପଦିଏ ଦ୍ବିପଦ ଗାଇ ତାଙ୍କ ପିଠିରେ ଭରା ଦେଇ ଉନ୍ନତ ମହତ ଜିନିଷ ତଥ୍ୟକୁ ଗ୍ରହଣ କରିବାକୁ ନାରାଜ କାରଣ ସେମାନେ ଉଚ୍ଚ ମହାନ୍ ବିଶାଳ ର ଗୁରୁତ୍ୱ ବୁଝିପାରନ୍ତି ନାହିଁ।ସେମାନେ କେବଳ କବିତାକୁ କାନ୍ଦଣା,ରାଜଗୀତ,ଚଷାଗୀତ, ଘୋଡାନାଚ,କୁଆଁପୁନେଇଁ ଗୀତ ଭିତରେ ସିମୀତ ଓ ସଙ୍କୁଚିତ କରି ରଖନ୍ତି।ସେମାନେ ଜାଣନ୍ତି ନାହିଁ ସାହିତ୍ୟ ଆଧୁନିକ ସମୟରେ କେଉଁ ଉଚ୍ଚ ସ୍ଥିତିରେ ସୂକ୍ଷତାରେ ପହଂଚିଲାଣି।ଏହାହିଁ ଅକାଟ୍ୟ ସତ୍ୟ ଆମ ପୂର୍ଵଜ ସାହିତ୍ୟିକ ଚିର ନମସ୍ୟ କିନ୍ତୁ ଏହା ବି ଅସ୍ବୀକାର କରି ପାରିବାନି ଏବେ ଅନେକ ସାହିତ୍ୟିକ ସାହିତ୍ୟର ମହାକାଶ ଛୁଇଁଲେଣି। ଅବଶ୍ୟ ଛନ୍ଦ କବିତା ହେଲା ଜନ୍ମରୁ ଚିର ସବୁଜ ମାତ୍ର ମୁକ୍ତ ଛନ୍ଦ ମରୁଭୂମିକୁ କରିଥାଏ ଚିର ସବୁଜ। ମୁକ୍ତଛନ୍ଦ କବିତା ବୁଝିବା ପାଇଁ ପର୍ଯ୍ୟାପ୍ତ ଜ୍ଞାନ ନିତ୍ୟାନ୍ତ ଆବଶ୍ୟକ।ପୁରାଣ ଯୁଗରେ ଯେଉଁ ଅମିତ୍ରାକ୍ଷର ଛନ୍ଦରେ କବିତା ସୃଷ୍ଟି ହେଉଥିଲା ତାହା ଅତି ମନୋରମ।ଆଦିମ ଯୁଗର ଜୀର୍ଣ୍ଣ ଶୀର୍ଣ୍ଣ କୁଟୀର ଆଜି ନଭଶୁମ୍ବୀ ପ୍ରାସାଦ ହେଲେ ବି ଯେମିତି ବାସ କରିବା ଉଭୟରେ ମୌଳିକ ଠିକ୍ ସେହିପରି ଭାଷା ସାହିତ୍ୟର ଗବେଷଣା ଧୀରେ ଧୀରେ ବହୁତ ଗଭୀର ଗମ୍ଭୀର ଓ ଉଚ୍ଚତ୍ତରକୁ ଗଲାଣି ସେହି ଏଭରେଷ୍ଟ ଶୃଙ୍ଗର ନାମ ଯିଏ ଜାଣିନାହିଁ ସେ କିପରି ଏ ଶୃଙ୍ଗ ଜଣେ ଚଢିପାରେ ବିଶ୍ୱାସ କରନ୍ତା ?
ତତ୍ପରେ ସମ୍ପ୍ରତି କେତେକ ବ୍ୟକ୍ତି ମଜା ଖୁସି ଟାଇମ ପାଶ ନାମରେ ନିଜର ସାହିତ୍ୟିକ ଜ୍ଞାନ ନ ଥାଇ ଗଣମାଧ୍ୟମରେ ନିଜ ନିକୃଷ୍ଟ ଦକ୍ଷତାକୁ ଉତ୍କୃଷ୍ଟ ପ୍ରମାଣିତ କରିବାକୁ ଯାଇ ପ୍ରକୃତ ସାହିତ୍ୟିକ ମାନଙ୍କୁ ଅସମ୍ମାନ କରୁଛନ୍ତି ସେଭଳି ବ୍ୟକ୍ତିଙ୍କ କଥାରେ ବ୍ୟଥିତ ହେବା କି ପ୍ରଶଂସାରେ ଉତ୍ଠିତ ହେବା ନିର୍ବୋଧର ଏକ ଲକ୍ଷଣ।
ନରୋତ୍ତମ ବାବୁ କହିଲେ ଆଜ୍ଞା ଛନ୍ଦ କବିତା କୁ କଣ ମୁକ୍ତଛନ୍ଦ କରିହେବ ? ମୋତେ ଟିକେ ଶିଖେଇ ଦିଅନ୍ତୁ ଆଜ୍ଞା।
ବାବୁ କହିଲେ ନରୋତ୍ତମ ବାବୁ ବହୁତ ସୁନ୍ଦର ପ୍ରଶ୍ନଟିଏ କରିଛନ୍ତି।ଏହି ଗୋଟିଏ ଉଦାହରଣ ବୁଝାଇଦେଵ ଛନ୍ଦ ଓ ମୁକ୍ତ ଛନ୍ଦ ମଧ୍ୟରେ ପାର୍ଥକ୍ୟ କ'ଣ ?
"ଆକାଶ ଦିଶେ କି ସୁନ୍ଦର
ତାହାକୁ ରଚିଲେ ଈଶ୍ୱର।"
ଏ ହେଲା ଛନ୍ଦ କବିତା
ଏହାକୁ ମୁକ୍ତ ଛନ୍ଦ କଲେ ମୋ ହିସାବରେ ହେବ...
ହେ ଆକାଶ
ସତରେ ତୁ କେଡେ ସୁନ୍ଦର !
ସ୍ଵଛ ନିର୍ମଳ ତୋ ରୂପ
ସୁନୀଳ ବର୍ଣ୍ଣ କି ଅପରୂପ !
ତୋତେ ଆଦରେ ଗଢିଛନ୍ତି ପରା
ମୋ ପ୍ରଭୁ ପରମେଶ୍ୱର।
କହିଲେ ଦେଖି,ଏଥିରେ କ'ଣ ଛନ୍ଦ ନାହିଁ ?ଏହା ପରା ଛନ୍ଦର ଗନ୍ତାଘର।
ଟିକେ ଲକ୍ଷ୍ୟ କରନ୍ତୁ ସୁନ୍ଦର ଆଉ ପରମେଶ୍ୱର,ରୂପ ଆଉ ଅପରୂପ।ଏହି ମୁକ୍ତ ଛନ୍ଦରେ ଅଛି ଭାବ, ଭାଷା,ବର୍ଣ୍ଣନା, ଅଭିନୟ, ବ୍ୟାକରଣ ସବୁକିଛି।ପାଠ କରି ଜାଣିଲେ ପାଠକର ତନ୍ତ୍ରୀ ଥରି ଉଠିବ।ହେଲେ ଏସବୁ ଜଣେ ଅନଭିଜ୍ଞ ଜାଣନ୍ତା କିପରି ? ଅବଶ୍ୟ କବିତାର ଥିବା ନୀତି ନିୟମ ଆମେ ନିଶ୍ଚୟ ମାନିବା ଆବଶ୍ୟକ।
ନରୋତ୍ତମ ବାବୁଙ୍କ ହୃଦୟ ପୁଲକିତ ହୋଇଯାଉଥାଏ।ପୁନଶ୍ଚ ସେ ପ୍ରଶ୍ନ କଲେ, ଆଜ୍ଞା କେତେକ କବି କବିତାରେ ଖରାପ ଭାଷା ପ୍ରୟୋଗ କରି କହୁଛନ୍ତି ଏହା ବ୍ୟଙ୍ଗ।ତାଙ୍କୁ ଗଠନମୂଳକ ଭାବେ ଲେଖନ୍ତୁ କହିଲେ କହୁଛନ୍ତି, ବଳଦେବ ରଥ କିପରି ବ୍ୟଙ୍ଗ ଲେଖି କବିସୂର୍ଯ୍ୟ ହୋଇଗଲେ? ସତରେ ଏ ବିଷୟରେ କିଛି କହିବେ କି?
ବାବୁ କହିଲେ,ସାହିତ୍ୟ ବନ୍ଧୁ ସୃଷ୍ଟି କରେ, ଶତ୍ରୁ ନୁହଁ।ଅଶ୍ଲୀଳତାର ଅରଣ୍ୟରେ ନ ଥାଏ କବିତା,ହିଂସ୍ର ଭାବନାରେ ନ ଥାଏ କବିତା,ନଗ୍ନତାରେ ନ ଥାଏ କବିତା,ଆକ୍ଷେପରେ ନ ଥାଏ କବିତା।ବଳଦେବ ରଥଙ୍କର ବ୍ୟଙ୍ଗ ସାର୍ବଜନୀନ ଥିଲା,ସେଥିରେ କାହାକୁ ଆକ୍ଷେପ ନ ଥିଲା,ଥିଲା ଛୋଟ ଜୀବ ଛୋଟ ଜିନିଷ ଗୁଣ ନଥାଇ ବଡ଼ ହେବାର ବୃଥା ଆସ୍ଫାଳନ କଲେ କିପରି ଉପହସିତ ହୁଏ,ଏକ ଅସାଧାରଣ ସଚେତନତା ଯାହା ଜଗତେ କେଵଳରେ ବିଷଡଦଭାବେ ସୁସ୍ପଷ୍ଟ।ଜାତୀୟ କବି ବୀରକିଶୋରଙ୍କ ଭାଷାରେ ଥିଲା ଉଦ୍ବୋଧନ, ନ ଥିଲା ହିଂସୁକ ଶବ୍ଦର ବ୍ୟବହାର,କବି ଯଦୁମଣିଙ୍କ କବିତାରେ ଥିଲା ବାସ୍ତବ ବ୍ୟଙ୍ଗ,ରାଜା ଶୁଣି ଖୁସି ହୋଇ ତା ଭିତରୁ ନୀତି ଉପଦେଶ ଛାଣି ଗ୍ରହଣ କରୁଥିଲେ।ହେଲେ ଏବେ କେତେକ ନିଜକୁ ବ୍ୟଙ୍ଗ କବି କହି ଅଶ୍ଳୀଳ,ଅସାମ୍ବାଧନିକ ଶବ୍ଦ ପ୍ରୟୋଗ କରି ସ୍ବପରିଚୟ ଦିଅନ୍ତି ଯେ ସେମାନେ ସାହିତ୍ୟ ଇତିହାସର ଜୟଚନ୍ଦ୍ର କି ଜାହାଙ୍ଗୀର ପରି କୂଳାଙ୍ଗାର।ସେମାନଙ୍କର କୌଣସି ଶବ୍ଦ,ଵାକ୍ୟ କି ପଦେ କଥାକୁ ଆଦୌ କର୍ଣ୍ଣପାତ ନ କରିବା ସାଧୁର ମୌଳିକ କର୍ତ୍ତବ୍ୟ ହେବା ଉଚିତ।
କବି ହୁଅନ୍ତୁ ବା ଲେଖକ ସେମାନେ ଜଣେ ଜଣେ ସାଧାରଣ ସନ୍ଥ।ସୁସ୍ଥ ସମାଜ ସେତେବେଳେ ଗଢା ହେବ ଯେତେବେଳେ ସନ୍ଥ ଓ ଗ୍ରନ୍ଥର ଅସଲ ସମନ୍ୱୟ ଘଟିବ।ଲୋକଶ୍ରଦ୍ଧା ହେଲେ ସାହିତ୍ୟର ସିଦ୍ଧି ଘଟେ।କତାରେ ଅଛି ପରା ରବି ଠାରୁ କବି ବହୁତ ଆଦରଣୀୟ।
ତେବେ ସବୁଠୁ ବଡ଼ କଥାହେଲା ଆମର ସାହିତ୍ୟ କୃତି ପାଇଁ ଲୟ ରଖିବା, ଭୟ ନୁହଁ।ଯାହାକୁ ପ୍ରକୃତ ଦକ୍ଷ ବୋଲି ବିବେଚନା କରିବା ତାଙ୍କର ସମାଲୋଚନାକୁ ଚାଣକ୍ୟ ଶ୍ଳୋଜ କିମ୍ବା ତାଙ୍କ ନୀତିବାଣୀକୁ ଗାନ୍ଧୀଙ୍କର ଅମୃତବଚନ ମନେ କରିବା।ଯେଉଁମାନଙ୍କର ଅନ୍ତକରଣ ଅଶୁଦ୍ଧି,ତାଙ୍କ କ୍ୟାମେରାର ଛବିରେ ଛାୟାକୁ ନ ଧରି ବା ସେଭଳି ଲୋକଙ୍କ ଗଦ୍ୟ,ପଦ୍ୟର କଦର୍ଯ୍ୟ କଦାକାର ଅଯୌକ୍ତିକ ବିଶ୍ଳେଷଣ ଓ ସମୀକ୍ଷା ଶୁଣିବା ଯାହା ନର୍ଦ୍ଦମାରେ ପୋକ ସାଉଁଟିବା ତାହା।ତା ଅପେକ୍ଷା ସେ ସ୍ଥଳେ ଗାନ୍ଧୀଙ୍କର ତିନି ମାଙ୍କଡଙ୍କୁ ଗୁରୁ ମଣିବା ବହୁତ ଭଲ।
ନିଶା ଗରଜୁଥିବା କାଳ ରାତ୍ରିରେ ହଠାତ କଳା ବାଦଲ ଫାଂକରୁ ପୁନେଇଁ ଜହ୍ନଟା ଆସି ମନଖୋଲା ହସିଲା ପରି ନରୋତ୍ତମ ବାବୁଙ୍କ ହୃଦୟରୁ ଏକ ହସର ପ୍ରବଳ ଜୁଆର ଆସି ତାଙ୍କ ମୁଖମଣ୍ଡଳକୁ ପ୍ରଫୁଲ୍ଲତାରେ ଭିଜେଇଦେଲା।ତାଙ୍କ ଆଖିରେ ବନ୍ଧା କଳା ପଟି ସତେ ଯେମିତି ବାବୁଙ୍କ ଦିବ୍ୟଜ୍ଞାନ,ଆତ୍ମଜ୍ଞାନ ପ୍ରଦାନରେ ଆପେ ଖୋଲି ଗଲା।ଖୁସି ଗଦଗଦ ହୋଇ ବାବୁଙ୍କ ପାଦ ଛୁଇଁ ପ୍ରଣାମ ଜଣାଇଲେ।ମହାନତାର ପୁଣ୍ୟତୀର୍ଥ ସେ ମହତ ଲୋକ କ'ଣ କେଉଁ ପ୍ରତିଭାକୁ ପାଦ ଛୁଆଁଇ ଦେଇଥାନ୍ତେ।ସଂଗେ ସଂଗେ କୌଣସି ଆବିଳତା ନ ରଖି ସହୃଦୟେ ଆଲିଙ୍ଗନ କଲେ।କ୍ଷଣିକ ସମୟ ଲାଗୁଥିଲା ମହାନ୍ ଭାରତୀୟ ସଂସ୍କୃତିର ଗୁରୁଶିଷ୍ୟ ପରମ୍ପରାର ଏକ ଅପୂର୍ବ ଝଲକ। ନରୋତ୍ତମ ବାବୁଙ୍କ ଆଖିରୁ ବିଗଳିତ ହେଲା କେଇଟୋପା ଆନନ୍ଦାଶ୍ରୁ।ନରୋତ୍ତମ ବାବୁ ଘରେ ଖୁଆଇ ଓ ସାହିତ୍ୟରେ ଲେଖନୀ ଚାଳନା ପ୍ରଖର କରିବାକୁ ଆଶୀର୍ବାଦ ଦେଇ ବିଦାୟ ଦେଇଥିଲେ ତାଙ୍କୁ।ସେ ଆଉ କେହି ନୁହଁ ତାଙ୍କ ଆଦର୍ଶ ମାର୍ଗଦର୍ଶକ ଓଡ଼ିଆ ମାଟିର ବରପୁତ୍ର ପ୍ରଖ୍ୟାତ ବିପ୍ଲବୀ କବି ରବି ସିଂ।
ଏତିକି ଭାବୁଭାବୁ ସକାଳ ୭ଟା।ଟ୍ରେନ ପହଁଚିଲା ଷ୍ଟେସନରେ।
ଘରକୁ ସଅଳ ସଅଳ ଆସି ସାରି ଦେଇଥିଲେ ନିତ୍ୟକର୍ମ। ମନରେ ଉଙ୍କି ମାରୁଥାଏ ତାଙ୍କ ଆଦର୍ଶ ଗୁରୁ ମାର୍ଗଦର୍ଶକଙ୍କୁ କିପରି ଯଥାଶୀଘ୍ର ଯାଇ ଦେଖା କରିବେ।ମାଆଙ୍କୁ ଭାଇ ଭାଉଜ ପୁତୁରା ଝିଆରୀଙ୍କ କୁଶଳ ବାର୍ତ୍ତା ବଖାଣିଲେ ଆଉ ବାହାରିପଡିଲେ ଗୁରୁ ଆଦର୍ଶଙ୍କୁ ସାକ୍ଷାତ କରି ପାଦଧୂଳି ଟିକେ ଶୀଘ୍ର ନେବାକୁ। ମାଆ ବିଶ୍ରାମ ନେବାକୁ କହୁଥିଲେ ବି ଏହା ମୋର ଯଥାଶୀଘ୍ର କରିବା ଆଵଶ୍ୟଜ କହି ବାହାରିପଡିଲେ ସାଥିରେ ଧରି ପାଇଥିବା ମାନପତ୍ର।
ସେଦିନ ଫେବୃୟାରୀ ମାସ ଦୁଇ ତାରିଖ।ଶୀତର ପ୍ରକୋପ ସେଇମିତି ଆୟତ୍ତରେ ରଖିଥାଏ ଧରଣୀ ମାଆଙ୍କୁ।କୋହଲା ପବନ ମଝିରେ ମଝିରେ ଥରାଇଦେଉଥାଏ ତା ତନୁକୁ।ବାଡ଼ି ପାଚିଲା କଦଳୀ କେଇ ଫେଣା ନିଜ ବ୍ୟାଗରେ ଦେବାକୁ ତାଙ୍କ ମାଆ ଭୁଲି ନ ଥିଲେ।ନିଜ ବାଇକ ଧରି ଚାଲିଲେ ନରୋତ୍ତମ ବାବୁ।ଆଜି ତାଙ୍କ ମନ ମନ ପବନ ଘୋଡା ପରି ଉଡୁଥାଏ।ଜୀବନର ଶ୍ରେଷ୍ଠ ଖୁସି ମୁହୂର୍ତ୍ତ ଆଉ ଖୁସିର ନିର୍ମାତାଙ୍କ ଦର୍ଶନର ମୁହୂର୍ତ୍ତମାନ ହାତ ଠାରି ତାଙ୍କୁ ଡାକୁଥାଏ ଆତ୍ମାରୁ।ରାସ୍ତାରେ ଗାଡ଼ି ରଖି ବଜାରରୁ କିଛି ଅଙ୍ଗୁର ଓ ଗୁରୁଙ୍କ ଅତିପ୍ରିୟ କମଳା କେଇଟା କିଣି ଓ ତା ସହ ପାଖ ମିଠା ଦୋକାନରୁ କିଛି ଛେନାପୋଡ଼ ବ୍ୟାଗରେ ପୁରାଇ ଉଲ୍ଲସିତ ଭାବେ ଚାଲିଲେ ଗୁରୁ କବି ରବି ସିଂ ଙ୍କ ଗ୍ରାମ ଅଭିମୁଖେ।ସତରେ ଗୁରୁ ଏସବୁ ଶୁଣି କେତେ ଖୁସି ନ ହେବେ।ତାଙ୍କ ପାଦ ତଳେ ସେ ମାନପତ୍ରକୁ ସମର୍ପିତ କଲାବେଳେ ଗୁରୁ ନିଶ୍ଚେ ତାଙ୍କୁ ଛାଡିକୁ ଆଉଜେଇନେବେ।ଆଉ ଆଶୀର୍ବାଦ ଦେବେ, "ଅବଶିଷ୍ଟ ଜୀବନ କେବଳ ସଫଳତାର ସ୍ୱାଦ ଚାଖୁଥାଅ କହି।"
ଭାବନା ରାଇଜରେ ହଜୁ ହଜୁ କେତେବେଳେ ସେଇ ପୁରୁଣା ମିତ୍ର କିମ୍ବଦନ୍ତୀ ମୂକସାକ୍ଷୀ ଅଶ୍ୱତ୍ଥ ବୃକ୍ଷ ପାଖରେ ପହଂଚିଗଲେ।ଗାଡିରୁ ଓହ୍ଲାଇପଡି ଶୁଣିଲେ ପାଖରୁ ଶୁଭୁଥିବା ରାମ ନାମ ସତ୍ୟ ହେ,ହରି ନାମ ସତ୍ୟ ହେ ଧ୍ୱନି।କେତେକ ଦରଦୀ ଆତ୍ମୀୟଙ୍କ ଅନ୍ତର୍ଧ୍ଵନି ତାଙ୍କ ଛାତିକୁ ଥରାଇଦେଉଥିଲା।ଅଚିହ୍ନା ଅପରିଚିତ କେଉଁ ବ୍ୟକ୍ତିର ଶବ ଯାଉଥିଲେ ବି ତାଙ୍କୁ କାହିଁକି ଲାଗୁଥିଲା ସେ ଆଉ ତାଙ୍କ ସମ୍ପର୍କୀୟ ନୁହଁ ତ।ଧୀରେ ଧୀରେ ସେମାନେ ସେଠାରୁ ଦୂରେଇ ଗଲେ ଓ ରାମ ନାମ ସତ୍ୟ ହେ ଧ୍ୱନି କ୍ରମଶଃ କ୍ଷୀଣ ହୋଇଗଲା।ନରୋତ୍ତମ ବାବୁ ଚାଲିଲେ ଗୁରୁଙ୍କ ଗାଁ ଭିତରକୁ।ବହୁଦିନ ତଳେ ଆସିଥିଲେ ବି ଭୁଲିଯାଇନାହାଁନ୍ତି ସେଇ ମଣ୍ଡପ ପାଖର ବଉଲ ଗଛ ପାଖର ଘର।ଯେଉଁ ପାଠଶାଳାରୁ ସେଦିନ ସେ ପାଇଥିଲା ଜୀବନର ପ୍ରମୁଖ ପ୍ରଶ୍ନମାଳାର ଉପାଦେଉ ଉତ୍ତର।ବଉଳ ଗଛମୂଳେ ଗାଡି ରଖି ଧରିଲା ମାନପତ୍ର ଆଉ ଏକ ହାତରେ ଶରଧାରେ ଆଣିଥିବା କିଛି ମିଠା,ଫଳମୂଳ।ସେସବୁକୁ ଲୁଚେଇ ରଖିଥାଏ କାରଣ ଗୁରୁ ରବି ସିଂ ବଡ଼ ସ୍ୱାଭିମାନୀ ।ଏସବୁ ଦେଖିଲେ କହିବେ କାହିଁକି ଆଣିଲେ ଏସବୁ?ଦ୍ୱାର ନିକଟ ହେଲେ।ଆଶ୍ଚର୍ଯ୍ୟ ଲାଗିଲା ସେ ଘର ଭିତରୁ ଭାସି ଆସୁଥିବା କରୁଣ କ୍ରନ୍ଦନ ଶୁଣି ।ହୁଏତ ଦେଖିଥିବା ଶବ ସେହି ବ୍ୟକ୍ତିଙ୍କର ସମ୍ପର୍କୀୟ ହୋଇଥିବେ।ଘରର କଲିଂ ବେଲ୍ ଥରେ ଟିପିଦେଲେ।ହେଲେ କେହିବି ବାହାରିଲେ ନାହିଁ।ହୁଏତ କାନ୍ଦ ଓ କଥାବାର୍ତ୍ତା କଲିଂ ବେଲ ଶବ୍ଦକୁ ଶୁଣାଇ ଦେଉ ନଥିବ।ଆଉ ଥରେ ମାରିଲେ।ଏଥର କେହି ଜଣେ ଦ୍ୱାର ଖୋଲିଲେ।କହିଲେ କାହାକୁ ଖୋଜୁଛନ୍ତି ?
ନରୋତ୍ତମ ବାବୁଙ୍କ ପାଟିରୁ ବାହାରି ପଡ଼ିଲା ସାର୍ ନାହାଁନ୍ତି କି?
ରବି ସାର୍?
ଭୋ ଭୋ ହୋଇ କାନ୍ଦ ଭିତରୁ ସ୍ୱରଟିଏ ତାଙ୍କୁ ଶୁଭିଲା,ନାଁ ସେ ଆଉ ଏ ଦୁନିଆଁରେ ନାହାଁନ୍ତି।ଏହା କହି କବାଟ ବନ୍ଦ କରି ସେ ଚାଲିଗଲେ।ନରୋତ୍ତମ ବାବୁଙ୍କ ଭରସାର ନିର୍ମଳ ଆକାଶରେ ଦୁଃଖର ଧୂମକେତୁ ଉଭାହେଲା।ତାଙ୍କ ଭାଷା ସାହିତ୍ୟ କେନାଲକୁ ଯେଉଁ ମୁଖ୍ୟ ନଦୀ ଜଳ ଯୋଗାଉଥିଲା ଆଜି ସେ ନଦୀ ଶୁଷ୍କ ମରୁଭୂମି ପାଲଟିଗଲା।ହାତରେ ଧରି ଆଣିଥିବା ଫଳ ଓ ମିଠା ହାତରୁ ଆପେ ଆପେ ତଳେ ପଡ଼ିଗଲା।ଏକମୁହାଁ ହୋଇ କାନ୍ଦି କାନ୍ଦି ଫେରିଆସିଲେ ସେ ସ୍ଥାନରୁ ପୁଣି ସେଇ ଅଶ୍ୱତ୍ଥ ବୃକ୍ଷ ମୂଳକୁ।ମୁଣ୍ଡରେ ହାତଦେଇ କିଛି କ୍ଷଣ ବସି ପଡିଲେ ସେ।ଆଖୁବୁଜି ଗୁରୁଙ୍କୁ ଜଣାଇଲେ ଭକ୍ତି ଶ୍ରଦ୍ଧାଞ୍ଜଳୀ।ଆଉ ସେଇ ଭିତରୁ ସତେ ଯେମିତି ସିଏ ତାଙ୍କ ମୁଣ୍ଡରେ ହାତ ଆଉଁସି ଆଶୀର୍ବାଦ କରି ହସୁଥାନ୍ତି,ଆଉ କହୁଥାନ୍ତି ଏଇତ ସଫଳତା ଆରମ୍ଭ ହେଲା।ସାଧନା ଚାଲୁ ରଖିବେ।ଆଉ ଆଖି ଛଳ ଛଳ କରି ସତେ ଯେମିତି କହୁଥିଲେ, ମୁଁ ତ ଆଉ ନାହିଁ, ହେଲେ କେବେ ବି ଭାଙ୍ଗି ପଡିବେନି ,ଯଦି ବି କିଏ କହେ, କାହିଁକି ଲେଖୁଛ ଗଦ୍ୟ କବିତା ?
ନାରାୟଣ ଚନ୍ଦ୍ର ସେନାପତି,
ଜମ୍ଭରା,କେନ୍ଦୁଝର
No comments:
Post a Comment