ଡ. ଧର୍ମବୀର ଭାରତୀ (ଜନ୍ମ: ୨୫ ଡିସେମ୍ବର୍ ୧୯୨୬; ମୃତ୍ୟୁ: ୪ ସେପ୍ଟେମ୍ବର୍ ୧୯୯୭)ଙ୍କୁ ୧୯୭୨ରେ ‘ପଦ୍ମ ଶ୍ରୀ’ ଏବ˚ ୧୯୮୮ରେ ‘ସ˚ଗୀତ ନାଟକ ଏକାଡେମି’ ପୁରସ୍କାର ପ୍ରଦାନ କରାଯାଇଥିଲା। ହିନ୍ଦୀ ସାହିତ୍ୟକୁ ତାଙ୍କର ଅବଦାନ ଉଲ୍ଲେଖନୀୟ। ସେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ ଓ ନାଟ୍ୟକାର। ପ୍ରୟାଗରାଜ ଜନ୍ମିତ ଧର୍ମବୀର ଶୈଶବରେ ପିତାଙ୍କୁ ହରାଇଥିଲେ। ତାଙ୍କ ଜୀବନର ଆଦ୍ୟ ଭାଗ ଘୋର ଦାରିଦ୍ର୍ୟ ମଧ୍ୟରେ କଟିଥିଲା। ସେ ‘ପ୍ରୟାଗ ବିଶ୍ବବିଦ୍ୟାଳୟ’ରେ ହିନ୍ଦୀ ଭାଷା-ସାହିତ୍ୟର ସ୍ନାତକୋତ୍ତର ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ନିଜ ମେଧାର ପରିଚୟ ଦେଇଥିଲେ। ଛାତ୍ରାବସ୍ଥାରେ ସେ ‘ଅଭ୍ୟୁଦୟ’ ଓ ‘ସଙ୍ଗମ’ ନାମକ ଦୁଇଟି ପତ୍ରିକାର ସହ-ସ˚ପାଦକ ଭାବେ କାର୍ଯ୍ୟ କରିଥିଲେ। ଉଚ୍ଚ ଶିକ୍ଷା ପରେ ‘ପ୍ରୟାଗ ବିଶ୍ବବିଦ୍ୟାଳୟ’ରେ ହିନ୍ଦୀ ବିଭାଗର ଅଧ୍ୟାପକ ଭାବେ ନିଯୁକ୍ତି ପାଇଥିଲେ। ଅଧ୍ୟାପକ ଜୀବନରେ ହିଁ ତାଙ୍କର ଶ୍ରେଷ୍ଠ ରଚନାଗୁଡ଼ିକ ସୃଷ୍ଟି ହୋଇଥିଲା। ‘ସୂରଜ କା ସାତୱଁା ଘୋଡ଼ା’(ନିର୍ମାତା-ନିର୍ଦେଶକ ଶ୍ୟାମ ବେନେଗଲ ଏହାକୁ ଚଳଚ୍ଚିତ୍ର ରୂପ ଦେଇଥିଲେ), ‘ଗୁନାହେଁା କା ଦେୱତା’, ‘ଗ୍ୟାରହ ସପନେଁା କା ଦେଶ’, ‘ଅ˚ଧା ଯୁଗ’ ଆଦିକୁ ତାଙ୍କର ଶ୍ରେଷ୍ଠ କୃତି ଭାବେ ଗ୍ରହଣ କରାଯାଇଛି।
୧୯୬୦ରେ ‘ଟାଇମ୍ସ ଗ୍ରୁପ୍’ ଦ୍ବାରା ପ୍ରକାଶିତ ସାପ୍ତାହିକ ପତ୍ରିକା ‘ଧର୍ମ ଯୁଗ’ର ମୁଖ୍ୟ ସ˚ପାଦକ ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା। ୧୯୯୭ରେ ପରଲୋକ ପର୍ଯ୍ୟନ୍ତ ସେ ଏହି ପତ୍ରିକାର ସ˚ପାଦକ ଦାୟିତ୍ବ ତୁଲାଇଥିଲେ। ଏହି ପତ୍ରିକା ଅତି ଲୋକପ୍ରିୟ ଥିଲା। ଭାରତ-ପାକିସ୍ତାନ ଯୁଦ୍ଧ ତଥା ବାଂଲାଦେଶ ସ୍ବାଧୀନତା ସଂଗ୍ରାମ କାଳରେ ଡ. ଭାରତୀ ନିଜେ ବାଂଲାଦେଶରେ କ୍ଷେତ୍ରୀୟ ସାମ୍ବାଦିକତା କରିଥିଲେ। ଆଖିରେ ଦେଖିଥିବା ଘଟନା ଆଧାରରେ ରିପୋର୍ଟ୍ ପ୍ରସ୍ତୁତ କରୁଥିଲେ। ସେ ମାର୍କ୍ସବାଦର ବିତ୍ତୀୟ ବ୍ୟବସ୍ଥାକୁ ପସନ୍ଦ କରୁଥିଲେ; କିନ୍ତୁ, ମାର୍କ୍ସବାଦୀମାନଙ୍କୁ ପସନ୍ଦ କରୁ ନ ଥିଲେ। ‘ଆର୍ଯ୍ୟ ସମାଜ’ର ଚିନ୍ତନ ଓ ତର୍କ ଶୈଳୀ ଦ୍ବାରା ଧର୍ମବୀର ପ୍ରଭାବିତ ଥିଲେ। ‘ରାମାୟଣ’, ‘ମହାଭାରତ’, ‘ଶ୍ରୀମଦ୍ଭଗବଦ୍ଗୀତା’ ଏବଂ ଓସ୍କାର୍ ୱାଇଲ୍ଡ, ଜୟଶଂକର ପ୍ରସାଦ ଓ ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ସାହିତ୍ୟ ତାଙ୍କର ପ୍ରିୟ ଥିଲା। ‘ସିଦ୍ଧ ସାହିତ୍ୟ’ ବିଷୟରେ ଗବେଷଣା କରି ସେ ପିଏଚ୍ଡି ଲାଭକରିଥିଲେ। ପୁଷ୍ପ ତାଙ୍କର ପ୍ରିୟ ଥିଲା। ତାଙ୍କ ରଚନାରେ ପୁଷ୍ପର ବିଭିନ୍ନ ରୋଚକ ଉପସ୍ଥିତି, ଏହା ପ୍ରମାଣିତ କରେ। ସେ ଥିଲେ ଚିନ୍ତାବାଦୀ। କହୁଥିଲେ- ପାଶ୍ଚାତ୍ୟର ଅନ୍ଧ ଅନୁକରଣ ବର୍ଜନୀୟ; ତେବେ, ପାଶ୍ଚାତ୍ୟ ସଂସ୍କୃତିକୁ ବିରୋଧ କରିବା ଆଳରେ, ଆମ ସଂସ୍କୃତିର ବର୍ଜନୀୟ ଅଂଶକୁ ଗ୍ରହଣ କରିବା ମଧ୍ୟ ନିନ୍ଦନୀୟ। କାନ୍ତା ଭାରତୀଙ୍କ ସହ ତାଙ୍କର ପ୍ରଥମ ବିବାହ ବିଚ୍ଛେଦରେ ପରିଣତ ହୋଇଥିଲା। ତାହା ପରେ ସେ ପୁଷ୍ପାଙ୍କୁ ଦ୍ବିତୀୟ ବିବାହ କରିଥିଲେ। ୧୯୯୯ରେ ‘କେନ୍ଦ୍ର ସାହିତ୍ୟ ଏକାଡେମି’ ପକ୍ଷରୁ ଉଦୟ ପ୍ରକାଶ ‘ଡ. ଭାରତୀ’ ନାମକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ।

No comments:
Post a Comment