✍ ଅମରନାଥ ବାରିକ୍
ତୁଳସୀ ଗଛଟି ଦେଖିଲେ ମନରେ
ମହକ ତା ସୃଷ୍ଟି ହୁଏ
ପ୍ରଣିପାତ ହୋଇ ନମସ୍କାର ଟିଏ
ଆପେ ଆପେ ହୋଇଯାଏ ।
ତୁଳସୀ ଚଉଁରା ମୂଳରେ ସଳିତା
ଦିକି ଦିକି ଯେବେ ଜଳେ
ସନ୍ଧ୍ୟା ସମୟରେ ସେହି ଚିତ୍ର ଦେଖି
କବିର କଲମ ଚଳେ ।
ତୁଳସୀ ରହିଛି ବାଡି ବଗିଚାରେ
ସବୁଜ ରଙ୍ଗ ଓ କଳା
ଶ୍ମଶାନ ପାଖରେ ବୃନ୍ଦାବତୀପରେ
ମନ୍ଦିର ବେଢାରେ ତୋଳା ।
ହୁଏ ପୂଜା ଲାଗି ଆବଶ୍ୟକ ଏହା
ନିତି ସଞ୍ଜ ସକାଳରେ
ଜଗନ୍ନାଥଙ୍କର ଅତି ପ୍ରିୟ ସେହି
ଲାଗି ହୁଏ ନୈବେଦ୍ୟରେ ।
ପ୍ରତ୍ୟେକ କ୍ଷେତ୍ରରେ ଲୋଡ଼ା ହୁଏ ଏହା
ପୂଜା କର୍ମ ବିଧି ପାଇଁ
କମଳାଙ୍କ ପତି ଆନ ତୁଳସୀ ରେ
ସନ୍ତୁଷ୍ଟ କି ଥାନ୍ତି ହୋଇ !
ରହିଛି ଏହାର ଔଷଧୀୟ ଗୁଣ
ରୋଗ ଉପଶମ ପାଇଁ
କରିଲେ ସେବନ ମହୁ ସାଥେ ପେଶି
ଥଣ୍ଡା କାଶ ହୁଏ ନାହିଁ ।
ଜଗତ କଲ୍ୟାଣ ନିମନ୍ତେ ଏହାକୁ
ଗଢ଼ିଛି ଦଇବ ଜାଣ
ରୂପବତୀ କରି ବାସ ଚହଟାଇ
ଦେଲେ ତାକୁ କେତେ ଗୁଣ ।
ତା ବିନା ମୁକତି ନାହିଁ ଜୀବନରେ
ଯେତେ କଲେ ହୋମ ଯଜ୍ଞ
ତୁଳସୀ ର ଗୁଣ ତା ମହିମା କଥା
ଜାଣେ କି ଜଗତେ ଅଜ୍ଞ ।
ତା ପାଖେ ବିଜ୍ଞାନ ହାର୍ ମାନିଥାଏ
ନିଜ ମଥାଟିକୁ ନଇଁ
ଦୁଃଖିଟି ନିଜର ଦୁଃଖ ପ୍ରକାଶଇ
କାନ୍ଦି ସିଏ କଇଁ କଇଁ ।
ତୁଳସୀ ବାସଇ ଦୁଇ ପତରରୁ
ରହିଛି କାଳରୁ ଲେଖା
ବିଛୁଆତି ବାଇ ଆଜନ୍ମରୁ ବିଷ
କହେ ତା'ର ରୂପ ରେଖା ।
ତୁଳସୀ ଅଟନ୍ତି ପବିତ୍ର ଦେବୀଟେ
ବିଷ୍ଣୁଙ୍କ ପ୍ରାଣ ବଲ୍ଳଭା
ବୃନ୍ଦାବତୀ ଧରେ ମସ୍ତକରେ ତାଙ୍କୁ
ପଡେ ରବି କର ଆଭା ।
ତୁଳସୀ ଚଉଁରା ମୂଳରେ ଜାଳିଲେ
ଘିଅ ଦୀପ ସଞ୍ଜବତୀ
ହୁଅଇ ପୂରଣ ମନ ବାଞ୍ଛା ଯାହା
ସାର୍ଥକ ସଂସାର ଗତି ।
. ସମାପ୍ତ
____●◆●____
✍ ଅମରନାଥ ବାରିକ୍
💌 କୟାଁ,ମଙ୍ଗଳପୁର, ଯାଜପୁର
No comments:
Post a Comment