Saturday, September 12, 2020

ସ୍ଵାଧୀନୋତ୍ତର ଭାରତର ଗ୍ରାମ୍ୟ ଜୀବନ

 ପ୍ରାବନ୍ଧିକ: ଶିଶିର କୁମାର ସ୍ଵାଇଁ (ଶିକ୍ଷକ) 

ଇତିହାସର ଗୌରବମୟ ପୃଷ୍ଠା କହେ 1947 ମସିହା ଅଗଷ୍ଟ ମାସ 15 ତାରିଖରେ ସାରା ଭାରତବର୍ଷ ଆଲୋକିତ ହୋଇଥିଲା ଏକ ନୂତନ ସୂର୍ଯ୍ୟର ଅଲୋକରେ I ପଲ୍ଲୀରୁ ଦିଲ୍ଲୀ ପ୍ରତିଟି ଜନତା ପ୍ରାଣରେ ଭରି ଯାଇଥିଲା ଏକ ଅନନ୍ୟ ଉନ୍ମାଦନା I କୋକିଳର କୁହୁ ତାନରେ ଗୁଞ୍ଜରିତ ହେଲା ସ୍ଵାଧୀନତାର ମଧୁ ମୁର୍ଚ୍ଛନା, ମୟୂରର ଚିତ୍ର ବିଚିତ୍ର ପୁଚ୍ଛରେ ପ୍ରତିଫଳିତ ହେଲା ସ୍ଵାଧୀନତାର ପ୍ରତିଛବି I ସ୍ଵାଧୀନତାର ଅର୍ଥ କିଏ କଣ ବୁଝିଲା କେଜାଣି,  ସମସ୍ତଙ୍କ ମୁଖରୁ ନିଃସୃତ ହେଲା ଆମେ ସ୍ଵାଧୀନତା ପ୍ରାପ୍ତ କଲୁ I

               ସ୍ଵାଧୀନତା ପ୍ରାପ୍ତିର ପରଦିନ ଠାରୁ ତଥାକଥିତ ମହାମନୀଷୀ ମାନଙ୍କର ଆରମ୍ଭ ହେଲା ଅନ୍ୟ ଏକ ସଂଗ୍ରାମ I ସଂଗ୍ରାମ ନା ତରବାରୀର ଥିଲା ନା ତୋପ କମାଣର I ସଂଗ୍ରାମ ଥିଲା ବିଚାରର, ସଂଗ୍ରାମ ଥିଲା ଯୋଜନାର I ସଂଗ୍ରାମର ଲକ୍ଷ୍ୟ ନଥିଲା ପଡ଼ୋଶୀ ଦେଶର ସୀମା ଦଖଲ କରିବା, ସଂଗ୍ରାମର ଲକ୍ଷ୍ୟ ଥିଲା ନିଜ ଦେଶର ଭବିଷ୍ୟତ ସଜାଡିବା, ସ୍ଵାଧୀନ ଭାରତର ରୂପରେଖ ପରିବର୍ତ୍ତନ କରିବା ଏବଂ ଦେଶକୁ ପ୍ରଗତି ପଥରେ ଆଗେଇ ନେବା ପାଇଁ ଦୃଢ଼ ଯୋଜନାର ନକ୍ସା ପ୍ରସ୍ତୁତ କରିବା I

ତେବେ ସେଇଠି ନିଶ୍ଚୟ ପ୍ରଶ୍ନ ଉଠିଥିବ ଯେ, ସଂଗ୍ରାମ ଆରମ୍ଭ ହେବ କେଉଁଠାରୁ ? କୁହାଯାଏ ଭାରତବର୍ଷର ଆତ୍ମା ଗାଆଁରେ ଅଛି Iତେଣୁ ମହା ମନୀଷୀ ମାନେ ଭାରତବର୍ଷର ପ୍ରଗତି ପାଇଁ ଗ୍ରାମକୁ ହିଁ ମୁଖ୍ୟ ଏକକ ରୂପେ ଗ୍ରହଣ କରିଥିଲେ I ଭାରତ ଏକ ଗ୍ରାମ ବହୁଳ ରାଷ୍ଟ୍ର ହୋଇଥିବାବେଳେ ସ୍ଵାଧୀନତାର ପରବର୍ତ୍ତୀ ଅବସ୍ଥାରେ ଏହାର ବିକାଶ ଘଟିଥିଲା ସତ କିନ୍ତୁ ସେ ବିକାଶ ଭିତରୁ କ୍ରମେ କ୍ରମେ ମାନବବାଦର ସତ୍ତା କ୍ରମଶଃ ହ୍ରାସ ପାଇବାରେ ଲାଗିଲା I ସ୍ଵାଧୀନତାର ପରବର୍ତ୍ତୀ ଅବସ୍ଥାରେ ଗ୍ରାମ ଗୁଡ଼ିକ ସାଧାରଣତଃ ଦୁଇ ଭାଗରେ ବିଭକ୍ତ ହୋଇଗଲା I

 ସ୍ଵାଧୀନତାର ସାତ ଦଶନ୍ଧି ଅତିକ୍ରମ କରିଥିଲେ ମଧ୍ୟ କିଛି ଗ୍ରାମାଞ୍ଚଳ ଆଜି ମଧ୍ୟ ତଥାକଥିତ ବସ୍ତୁବାଦୀ ବହୁ ଦୂରରେ I ଉପଯୁକ୍ତ ଶିକ୍ଷାର ଅଭାବରେ ଆଜି ବି ସେଠି ଜନ ସାଧାରଣ ବଳିପ୍ରଥା,ବାଲ୍ୟ ବିବାହ,ନାରୀ ଅଶିକ୍ଷା ଭଳି ବିଷ ବଳୟରେ ବନ୍ଦୀ I ଯୋଗାଯୋଗ ଗମନାଗମନର ଅବସ୍ଥା ତ ଅତି ଶୋଚନୀୟ I ଆଜି ସେଠାକାର ଲୋକେ ମୋବାଇଲ୍ ରେ କଥା ହେବା ପାଇଁ ଗଛ ଉପରକୁ ଚଢିଯାଆନ୍ତି I ଆଜି ବି ସେଠାରେ ପ୍ରସୂତିଟିଏ ଖଟିଆରେ ବୁହା ହୋଇ ସ୍ଵାସ୍ଥ୍ୟକେନ୍ଦ୍ରକୁ ଯାଏ I ସୁଷମ ଖାଦ୍ୟ କଥା ତ ଦୂରେ ଥାଉ ଆଜି ବି ଲୋକ ସେଠାରେ ଆମ୍ବ ଟାକୁଆର ଜାଉ ଖାଆନ୍ତି I କିନ୍ତୁ ସେହିଭଳି ଗ୍ରାମାଞ୍ଚଳ ଗୁଡ଼ିକରେ ସମ୍ପର୍କର ଡୋରି ଥାଏ ସ୍ଵତନ୍ତ୍ର I ପରସ୍ପର ମଧ୍ୟରେ ଥା ଏ ଭାଇ ଚାରାର ମଧୁର ସମ୍ପର୍କ Iଆଜି ବି ସେଠାରେ ଚୁଲୁବୁଲି କୁଆଁରୀ ଝିଅଟି ବିନା ଅନ୍ତଃବସ୍ତ୍ରରେ ସରଳ ମନରେ ବଣ ଜଙ୍ଗଲ ଘୂରି ବୁଲୁଥାଏ I ତା ' ପ୍ରତି ନା କାହାର ନିଘା ଥାଏ ନା କୌଣସି ବିକାର ଭାବନା ଥାଏ Iସେହିଭଳି ଗାଆଁ ଗୁଡ଼ିକରେ ନା ଅଛି ରାଜନୀତିର ବିବାଦ ନା ଅଛି ପଡ଼ୋଶୀ ପ୍ରତି ଅସୂୟା ଭାବ I ସମସ୍ତେ ଏକତାର ଡୋରିରେ ବନ୍ଧା ହୋଇ ଆଜି ପର୍ଯ୍ୟନ୍ତ ସଂସ୍କୃତି, ପରମ୍ପରାକୁ ବଜାୟ ରଖିଛନ୍ତି I ଦୁଃଖସୁଖରେ କାନ୍ଧକୁ କାନ୍ଧ ମିଳାଇ ସମସ୍ୟାର ସମାଧାନ କରନ୍ତି I ଗାଆଁର ଏହି ଭଳି ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶକୁ ଲକ୍ଷ୍ୟ କଲେ ଜଣା ଯାଏ ଯେ ସେଠାରେ ସ୍ଵାଧୀନତା ପହଞ୍ଚି ନାହିଁ କିନ୍ତୁ ଲୋକଙ୍କ ମନରେ ସ୍ଵାଧୀନ ଚେତନା ରହିଛି I

        କିନ୍ତୁ କିଛି ଗ୍ରାମରେ ମାଟି ପଥର ବି କହେ ଯେ ସେମାନେ ପ୍ରକୃତ ସ୍ଵାଧୀନତା ପାଇ ସାରିଛନ୍ତି I ଶିକ୍ଷା, କୃଷି, ସ୍ଵାସ୍ଥ୍ୟ, ଗମନାଗମନ, ଯୋଗଯୋଗ, ସାମାଜିକ ଚଳଣି ପ୍ରତିଟି କ୍ଷେତ୍ରରେ ସ୍ଵାଧୀନ ଭାରତର ପରବର୍ତ୍ତୀ ଅବସ୍ଥାକୁ ମନେ ମନେ ହୃଦୟଙ୍ଗମ କରି ହୁଏ I ସେହି ଗ୍ରାମାଞ୍ଚଳର ଶିଶୁ ସରକାରୀ ବିଦ୍ୟାଳୟକୁ ଛାଡି ବହୁତଳ କୋଠା ବିଶିଷ୍ଟ ଘରୋଇ ବିଦ୍ୟାଳୟକୁ ଯାଇ ନିଜକୁ ସ୍ଵାଧୀନ ଭାରତର ପ୍ରକୃତ ଶିକ୍ଷିତ ବୋଲି ଦାବି କରେ I କୃଷକଟିଏ ହଳ ଲଙ୍ଗଳର ଜଞ୍ଜାଳରୁ ମୁକ୍ତ ହୋଇ ଆଧୁନିକ କଳ ଲଙ୍ଗଳ ଏବଂ ଯନ୍ତ୍ରପାତିରେ ଜମିରେ ଚାରିଗୁଣ ଫସଲ ଅମଳ କରେ I ସ୍ଵାଧୀନତା ପରେ ଏହି ଗ୍ରାମ ଗୁଡ଼ିକରେ ଯୋଗାଯୋଗ ଏବଂ ଗମନାଗମନ କ୍ଷେତ୍ରରେ ଆକାଶ ଛୁଆଁ ପରିବର୍ତ୍ତନ ଘଟିଛି I ଖାଦ୍ୟପେୟ ଏବଂ ସାମାଜିକ ଚଳଣିରେ ସ୍ଵାଧୀନତାର ଛାପ ଦେଖା ଯାଉଛି I କିନ୍ତୁ ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଯେଉଁ ଗ୍ରାମ ସ୍ଵାଧୀନତାର ପ୍ରତିଟି ସୁବିଧା ଉପଭୋଗ କରନ୍ତି ସେଠାରେ ସ୍ଵାଧୀନତା ଧୀରେ ଧୀରେ ସ୍ଵେଚ୍ଛାଚାରୀତା ଆଡକୁ ଗତି କରିବାରେ ଲାଗିଛି I ସ୍ଵାଧୀନତା ପରେ ଏହି ଗ୍ରାମ ଗୁଡିକରେ ବହୁ ଶିକ୍ଷା ଅନୁଷ୍ଠାନ ଖୋଲିଛି କିନ୍ତୁ ନୈତିକ ଶିକ୍ଷା ବଦଳରେ କେବଳ ପରୀକ୍ଷାରେ ଅଧିକ ନମ୍ବର ରଖିବା ପାଇଁ ପ୍ରତିଯୋଗିତାମୂଳକ ଶିକ୍ଷା ଦିଆ ଯାଉଛି I ଗାଆଁର ଶିକ୍ଷିତ ଯୁବକ କୃଷି କ୍ଷେତ୍ରକୁ ଦେଖି ନାକ ଟେକୁଛି I ସ୍ଵାସ୍ଥ୍ୟକେନ୍ଦ୍ର ତ ଅଛି କିନ୍ତୁ ରାସାୟନିକ ସାର ଦିଆ ଖାଦ୍ୟ ଖାଇ ରୋଗୀ ସଂଖ୍ୟା ବି ବଢ଼ିଛି I ଗମନାଗମନ ପାଇଁ ଯାନବାହନ ସଂଖ୍ୟା ବଢ଼ିଛି କିନ୍ତୁ ସଡକ ନିରାପତ୍ତାର ଜ୍ଞାନ ଅଭାବରେ ଦୁର୍ଘଟଣାର ମାତ୍ରା ବୃଦ୍ଧି ପାଇଛି I ଯୋଗଯୋଗ କ୍ଷେତ୍ରରେ ଭାରତୀୟ ଗ୍ରାମୀଣ ଶିଶୁ ମୋବାଇଲ୍, ଟିଭି ଭଳି ଯନ୍ତ୍ରପାତିକୁ ଆବଶ୍ୟକ ଅପେକ୍ଷା ମନୋରଞ୍ଜନରେ ଅଧିକ ଉପଯୋଗ କରିଛି I ଏସବୁର ବହୁ ନିଷିଦ୍ଧ ଦୃଶ୍ୟ ତା'କୁ ଅସାମାଜିକ କରି ଗଢ଼ି ତୋଳିଛି I ସମ୍ପର୍କର ପରିଭାଷା ବଦଳିଛି I ପରସ୍ପର ପ୍ରତି ସ୍ନେହ, ଶ୍ରଦ୍ଧା ଭାବନାର ପରିବର୍ତ୍ତନ ଘଟି ଅନ୍ୟ ପ୍ରତି ଅସୂୟା, ଈର୍ଷା ଭାବନାର ଜାଗ୍ରତ ହୋଇଛି I ଏପରିକି ରକ୍ତର ଭାଇ ପାଖରେ ମଧ୍ୟ ଯୁବତୀ ଭଉଣୀଟିଏ ଏକା ରହିବାକୁ ସଙ୍କୋଚ ପ୍ରକାଶ କରୁଛି I ଚିକ୍ ଚିକ୍ କରୁଥିବା ରାସ୍ତା ଘାଟ, କୋଠା ବାଡିରେ ରାଜନୀତିର ଗନ୍ଧ ବାରି ହୋଇପଡୁଛି I ସ୍ୱର୍ଥବାଦୀ ରାଜନୀତିର ପ୍ରଭାବରେ ସ୍ଵାଧୀନତା ପରବର୍ତ୍ତୀ ଗ୍ରାମ ଗୁଡ଼ିକ ଆଜି ସଂପୂର୍ଣ୍ଣ କବଳିତ I ପ୍ରଥା, ପରମ୍ପରା, ଚଳଣି ସବୁ ନିଜର  ସାମାଜିକ ପ୍ରତିପତ୍ତିକୁ ପ୍ରଦର୍ଶନ କରିବାର ମାଧ୍ୟମ ପାଲଟିଯାଇଛି I

                 କଥାରେ ଅଛି "ମଝିଆ ପୁଅ କାହାରି ନୁହଁ " ଏବଂ "ଅଳ୍ପ ବିଦ୍ୟା ଭୟଙ୍କରୀ"I ସ୍ଵାଧୀନୋତ୍ତର ଭାରତୀୟ ଗ୍ରାମ ଗୁଡ଼ିକ ଆଜି ମଝିଆ ପୁଅର ଦୁର୍ଦ୍ଦଶା ଭୋଗ କରୁଛନ୍ତି I ଗ୍ରାମ ଗୁଡିକ ସହର ପଥରେ ଅନୁଗାମୀ ହେଉଥିଲେ ମଧ୍ୟ ନା ସହର ସହ ସମକକ୍ଷ ହୋଇପାରୁଛନ୍ତି ନା ନିଜର ପରିସୀମା ଭିତରେ ରହିପାରୁଛନ୍ତି I ଏହାର ଯୁବ ଶକ୍ତି ନାମ ମାତ୍ର ଉଚ୍ଚ ଶିକ୍ଷା ଲାଭ କରି ଶାରିରୀକ ଶ୍ରମ ପ୍ରତି ବିମୁଖ ହୋଇପଡୁଛନ୍ତି I ଫଳତଃ ନା ନିଜର ସୀମିତ ଶିକ୍ଷା ବଳରେ ଇପ୍ସିତ ବୃତ୍ତି ପାଇବାରେ ସକ୍ଷମ ହେଉଛନ୍ତି ନା ନିଜର କୌଳିକ ବୃତ୍ତିକୁ ସମ୍ମାନ ଦେଇ ନିଜର ପେଟ ପୋଷି ପାରୁଛନ୍ତି I ଏହିଭଳି ଗ୍ରାମରେ ଯୁବ ବେକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି I ଭାରତର ନେତାମାନେ ମଧ୍ୟ ଗ୍ରାମର ସରଳ ନିଷ୍ପାପ ଲୋକଙ୍କ ହୃଦୟରେ ରାଜନୀତିର ବିଷ ମଞ୍ଜି ବୁଣିଦେଇ ଆସନ ହାତେଇ ନେଇ ବନ୍ଧା ପଡ଼ି ଯାଆନ୍ତି ତଥାକଥିତ ସହରୀ ବାବୁ ଭାୟା ମାନଙ୍କ ପାଖରେ I ଫଳରେ ଗାଆଁ ଗୁଡ଼ିକର ଅବସ୍ଥା ଯେଉଁ ତିମିରେ କୁ ସେହି ତିମିରେ I

                ଉପରୋକ୍ତ ଆଲୋଚନା ଗୁଡିକୁ ଲକ୍ଷ୍ୟ କଲେ ଜଣାଯାଏ ଯେ ସ୍ଵାଧୀନତ୍ତୋର ଭାରତବର୍ଷରେ ଗ୍ରାମ ଗୁଡ଼ିକର ଯେଉଁ ଭଳି ଭାବରେ ପ୍ରଗତି ହେବା କଥା ସେହିଭଳି ଭାବରେ ହୋଇପାରିନାହିଁ I କେଉଁଠି ଲୋକଙ୍କ ପାଇଁ ସ୍ଵାଧୀନତା ଅପହଞ୍ଚ ତ କେଉଁଠି ସ୍ଵାଧୀନତା ଲୋକଙ୍କ ପାଇଁ ସ୍ଵେଚ୍ଛାଚାରୀତାରେ ପରିଣତ ହେଉଛି I ତେଣୁ ଗ୍ରାମ ଗୁଡ଼ିକୁ ପ୍ରକୃତ ସ୍ଵାଧୀନତା ଦେବାକୁ ହେଲେ ପ୍ରତିଟି କ୍ଷେତ୍ରରେ କିଛି କିଛି ସଂସ୍କାରର ଆବଶ୍ୟକତା ରହିଛି I


ଗାଙ୍ଗପୁର,
ଗଞ୍ଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy