Wednesday, September 2, 2020

ଭାଗବତ, ମୁକ୍ତିର ଦ୍ଵାର

 ✍କଳ୍ପନା ରାୟ

        ଭାଦ୍ରବ ପୂର୍ଣ୍ଣିମାକୁ ଭାଗବତ ଜନ୍ମ ଭାବରେ ପାଳନ କରାଯାଇଥାଏ ।  ପ୍ରତ୍ୟକ୍ଷ ଭଗବତ ଉପଲବ୍ଧି ଭାଗବତର ଭାବଧାରାରୁ ହିଁ ମିଳେ ।
ରାଜା ପରୀକ୍ଷିତ ମୁନିକୁମାରର ଅଭିଶାପରୁ ମୁକ୍ତି ପାଇବା ପାଇଁ ଭାଗବତ ଶୁଣିଥିଲେ।  ତ୍ରିତାପ ସନ୍ତାପିତ ପ୍ରାଣକୁ ପରମାନନ୍ଦ ପ୍ରଦାନ କରିବା ପାଇଁ ଭାଗବତ ଏକମାତ୍ର ମାଧ୍ୟମ।

         ଭାଗବତ, ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଏକ ମିଳନକାରୀ ସେତୁ।  ଅଷ୍ଟାଦଶ ଶତାବ୍ଦୀରେ ଵ୍ୟାସଦେଵଙ୍କ ଅମ୍ଳାନ ସୃଷ୍ଟି ଇଏ । ଏହାର ଶ୍ରବଣ ପଠନ ମନନ ରେ ସମସ୍ତ ପାପ ନାଶ ହୁଏ ।

         ପୂର୍ବେ ଓଡିଶାର ପ୍ରତ୍ୟେକ ଗାଁ ଗାଁରେ ଭାଗବତ ଟୁଙ୍ଗୀ ଥିଲା ।  ସନ୍ଧ୍ୟାରେ ଗାଁର ନରନାରୀମାନେ ସେଠି ଭାଗବତ ଶ୍ରବଣ କରୁଥିଲେ  ।  ଗାଁର ଛୋଟଠୁ ବଡ କଳିର ସେଠାରେ ସମସ୍ତଙ୍କ ଉପସ୍ଥିତିରେ ସମାଧାନ ହେଉଥିଲା  ।  ଭାଗବତ ଟୁଙ୍ଗୀରେ କୌଣସି ଲୋକ ମିଛ କହନ୍ତି ନାହିଁ, କାରଣ ଭାଗବତ ହିଁ ସ୍ବୟଂ ଭଗବାନ  ।  ତେଣୁ ଏ ଟୁଙ୍ଗୀ ଗ୍ରାମର  ନ୍ୟାୟାଳୟ କହିଲେ ଅତ୍ୟୁକ୍ତିହେବ ନାହିଁ  ।  ସେଥିପାଇଁ ଗାଁ ଲୋକେ ପୋଲିସ୍ କୋର୍ଟ କଚେରୀଠାରୁ ଦୂରେଇ ରହନ୍ତି  ।

        ଉଦ୍ଧବକୁ ଭଗବାନ, ଭକ୍ତଙ୍କ ଉଦ୍ଧାର ନିମିତ୍ତ ଭାଗବତରେ ସକଳ ଶକ୍ତି ନିହିତ କରି ରଖିଥିବା କଥା କହିଛନ୍ତି  ।  ଶ୍ରୀମଦ ଭାଗବତ ଏପରି ଏକ ମାର୍ଗ, ଯାହା କେବଳ ପରମାତ୍ମାପ୍ରାପ୍ତି ହିଁ କରାଏ  ।  ଆମ ସଂସ୍କୃତିରେ ଭାଗବତର ଆଦର ବହୁ ପୁରାତନ କାଳରୁ।

           ଥରେ ଜଗନ୍ନାଥ ଦାସଙ୍କ ମାଆ ଭାଗବତ ଶୁଣୁଥିଲା ଵେଳେ କଷ୍ଟକର ସଂସ୍କୃତ ଶବ୍ଦ ଵୁଝି ନ ପାରି ଭାଗବତ ପଢି ଶୁଣାଉଥିବା ଲୋକକୁ ତାର ଅର୍ଥ ପଚାରନ୍ତେ ସେ ତାର ଅର୍ଥ ନ କହି ଗାଳି କରିଥିଲା  ।  ମନଦୁଃଖରେ ଜଗନ୍ନାଥ ଦାସଙ୍କ ମାଆ ତାଙ୍କ ପରି ସବୁ ଓଡ଼ିଆଙ୍କ ପାଇଁ ଓଡ଼ିଆରେ ଭାଗବତ ଲେଖିବାକୁ କହିଲେ  ।  ମାଆର କଥାରେ ନାହିଁ ବା କରିଥାନ୍ତୃ କିପରି  ।  ହଁ ସିନା କରିଦେଲେ, କିନ୍ତୁ ସଂସ୍କୃତ ଭାଷାରେ ଲିଖିତ ଭାଗବତକୁ ଓଡ଼ିଆରେ ଲେଖିବା ପାଇଁ ସେ ବଡ଼ଠାକୁର ଜଗନ୍ନାଥଙ୍କୁ ପ୍ରାର୍ଥନା କଲେ  ।  ଜଗନ୍ନାଥ କହିଲେ, ତୁ ଲେଖ, ମୁଁ ତୋତେ ସବୁ ପଦ କହି କହି ଯିବି।   ପ୍ରକୃତରେ ଲେଖା ଆରମ୍ଭ କରି ଜଗନ୍ନାଥଙ୍କ ଦୟାରୁ ଜଗନ୍ନାଥ ଦାସ ଓଡ଼ିଆ ଭାଷାରେ ଭାଗବତ ରଚନା କରି କେବଳ ତାଙ୍କ ମାଆ ନୁହେଁ, ଓଡ଼ିଶାର ସବୁ ମାଆମାନଙ୍କ ଭାଗବତ ଵୁଝିବାର ପଥ ସୁଗମ କରିଥିଲେ  ।  ନବାକ୍ଷରୀ ଵା ଗୁଜ୍ଜରୀ ଛନ୍ଦରେ ରଚିତ ଭାଗବତ ଶ୍ରଵଣସୁଖଦାୟୀ।

       ଓଡ଼ିଆ ଭାଗବତରେ କୁହାଯାଇଛି, ପରମଗ୍ରନ୍ଥ ଭାଗବତ, ଅଭ୍ୟାସ କରୁଥିଵ ନିତ୍ୟ  ।  ପ୍ରତିଦିନ ଭାଗବତ ପାଠ କଲେ/ଶୁଣିଲେ ଜୀଵନଚକ୍ରରୁ ଅଵ୍ୟାହତି ମିଳେ, ଯାହା ମୁକ୍ତି ଅଟେ ।  ଜପ, ତପ, ଜ୍ଞାନ, ମୋକ୍ଷ ପ୍ରାପ୍ତିର ସାଧନ ହୋଇଥିବା ଵେଳେ କେବଳ ଭାଗବତ ପାଠ ମୁକ୍ତି ପ୍ରଦାନ କରେ ।

        ପ୍ରାୟ ଶୋଡଷ ଶତାବ୍ଦୀରୁ ଓଡ଼ିଆ ଭାଗବତ ଜନ୍ମ ନେଇ ଆଜି ପର୍ଯ୍ୟନ୍ତ ମୋକ୍ଷ ପ୍ରାପ୍ତିର ମାର୍ଗ ହୋଇ ଆସିଛି  ।  ମାନବ ହୃଦୟରେ ପରମାନନ୍ଦର ସ୍ରୋତସ୍ଵିନୀ ଗଙ୍ଗା ପ୍ରବାହିତ କରିବାରେ ଏହା ଅଦ୍ବିତୀୟ  । ପ୍ରେମ ଓ ଭକ୍ତି ଏହାର ମାର୍ଗ ଅଟେ । ଆଜି ମଧ୍ୟ କିଛି ଗାଁରେ ଭାଗବତ ଟୁଙ୍ଗୀ ରେ ଭାଗବତ ଗ୍ରନ୍ଥ ଶୋଭା ପାଏ  । ଘରେ ଘରେ ଏହି ଭାଗବତର ଚାହିଦା ଅନନ୍ୟ ଓ ଅସାଧାରଣ  ।
     ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ
     ପଦୁ ଗଳୁଛି ମକରନ୍ଦ
     ସେ ମକରନ୍ଦ ପାନକରି
     ହେଳେ ତରିଲେ ଵ୍ରଜନାରୀ
     ଏହି ପଦରୁ ସ୍ପଷ୍ଟ ଅନୁମେୟ ଯେ ଏହି ଭାଗବତ ରୂପକ ମକରନ୍ଦ ପାନ କଲେ ନିଶ୍ଚୟ ଏହି ଭବ ସାଗରରୁ ତରିଯିଵ ଅର୍ଥାତ୍ ମୁକ୍ତି ମିଳିଯିଵ

        ତେଣୁ ମୁକ୍ତିର ଏକମାତ୍ର ପଥ ଏହି ଭାଗବତର ପଠନ, ମନନ, ଚିନ୍ତନ ଓ ଶ୍ରବଣ କରିଵା  ଉଚିତ  ।

କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା ଵାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର  ।

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy