✍ଶିଶିର କୁମାର ସ୍ଵାଇଁ
ଆଜି ବୁଧବାର I ସୋନି ଆମର ଭାରି ଆମିଷ ପ୍ରିୟ I ଏଣୁ ଆଜି ତା'ର ମନ ଭାରି ଖୁସି I ସକାଳୁ ଉଠୁ ଉଠୁ ମାମା ମାମା ରଡ଼ି ଛାଡିଲା ସେ I ବିନ୍ଦୁ ଦେବୀ ଶୁଣନ୍ତୁ କି ନ ଶୁଣନ୍ତୁ ଏକା ନିଃଶ୍ଵାସରେ କହି ଉଠିଲା ସେ, " ମାମା ! ଆଜି ଚିଲି ଚିକେନ୍ କରିବ, ବାବା ବଜାର ଗଲେଣି କି ନାହିଁ ?" କଥାଟା ରବିନ୍ଦ୍ର ବାବୁ ଶୁଣିବା ମାତ୍ରକେ ଚିହିଁକି ଉଠିଲେ I " ନା ଆଜି ଘରକୁ ଆମିଷ ଆସିବ ନାହିଁ, ଆଜି ପରା ରାମ ଜନ୍ମଭୂମି ଶିଳାନ୍ୟାସ ଉତ୍ସବ I ଆଜି ଭଳି ଏକ ପବିତ୍ର ଦିନରେ ଆମିଷ ନ ଖାଇଲେ କଣ ହେବ ନାହିଁ I" ବାବାଙ୍କର ଏହି କଥା ପଦକରେ ସତେ ଯେପରି ସୋନିର ସ୍ଵପ୍ନର ବାଲି ଘରଟା ଭାଙ୍ଗିଗଲା I ସେ ଗେହ୍ଲେଇ ହୋଇ ବିନ୍ଦୁ ଦେବୀଙ୍କୁ ପଚାରିଲା, "ମାମା ! ରାମ ଜନ୍ମଭୂମି କଣ ? " ନିଜ ପନ୍ଦର ବର୍ଷର ଅବୁଝା ଝିଅର ଆଗ୍ରହ ଦେଖି ବିନ୍ଦୁ ଦେବୀ ଆରମ୍ଭ କଲେ,
"ମାଆ ରେ ! ଯେତେବେଳେ ପୃଥିବୀରେ ଦୁଷ୍ଟମାନଙ୍କର ଅନ୍ୟାୟ ଅତ୍ୟାଚାର ବଢ଼ିଯାଏ ସେତେବେଳେ ଭଗବାନ ବିଭିନ୍ନ ଅବତାର ନେଇ ପୃଥିବୀ ପୃଷ୍ଠରେ ଜନ୍ମ ଗ୍ରହଣ କରନ୍ତି I ବିଭିନ୍ନ ବେଦ ଉପନିଷଦ କହେ ଚାରି ଯୁଗରେ ଭଗବାନ ବିଭିନ୍ନ ଅବତାର ନେଇଛନ୍ତି I ଯେପରି ଏବେ କଳି ଯୁଗରେ ଜଗନ୍ନାଥ ହୋଇ ଶ୍ରୀକ୍ଷେତ୍ରରେ ପୂଜା ପାଉଛନ୍ତି, ଠିକ୍ ସେହିପରି ଦ୍ଵାପରଯୁଗରେ ମଥୁରାରେ କୃଷ୍ଣ ରୂପରେ ଏବଂ ତ୍ରେତୟା ଯୁଗରେ ଅଯୋଧ୍ୟାରେ ଶ୍ରୀ ରାମ ଚନ୍ଦ୍ର ରୂପରେ ଜନ୍ମ ଗ୍ରହଣ କରିଥିଲେ I"
ଭାରତବର୍ଷକୁ କୁହାଯାଏ ପବିତ୍ର ଦେବଭୂମି I ଜପ, ତପ, ଧର୍ମ, କର୍ମ, ବିଶ୍ୱାସ, ବେଦ, ଉପନିଷଦ, ପୁରାଣ ସବୁ ଏହାର ପବିତ୍ର ମାଟିରୁ ହିଁ ସୃଷ୍ଟି ହୋଇଛି ବୋଲି ବିଶ୍ୱାସ କରାଯାଏ I ଏବେ ମଧ୍ୟ ଏହାର ଘଞ୍ଚ ଅରଣ୍ୟରୁ ପ୍ରତିଧ୍ଵନିତ ହୁଏ ତପସ୍ଵୀମାନଙ୍କ ଯଜ୍ଞ ମନ୍ତ୍ର ଉଚ୍ଚାରଣ I ମଧ୍ୟ ରାତ୍ରରେ ଗାଁ ଦାଣ୍ଡରେ ଠାକୁରାଣୀ ଚାଲି ଗଲା ବେଳେ ପାଉଁଜିର ଛମ ଛମ ଶବ୍ଦ ଶୁଣାଯାଏ ବୋଲି ଘରର ଗୁରୁଜନମାନେ ବିଶ୍ୱାସ କରନ୍ତି I ତେଣୁ ଏହିଭଳି ଏକ ମାଟିରେ ଜନ୍ମ ନେବାର ଲୋଭକୁ ଭଗବାନ ସମ୍ବରଣ କରି ନ ପାରି ବିଭିନ୍ନ ଦାନବର ବିନାଶ କରିବା ବାହାନାରେ ଅବତାର ଗ୍ରହଣ କରନ୍ତି ଯୁଗ ଯୁଗ ଧରି I
ବ୍ରହ୍ମାଙ୍କ ଠାରୁ ବର ପ୍ରାପ୍ତ କରିଥିବା ଦଶାନନ ରାବଣର ଦୌରାତ୍ମ୍ୟ ଦିନକୁ ଦିନ ବଢ଼ି ଚାଲିବା ପରେ ସେହି ଦୌରାତ୍ମ୍ୟରୁ ସାରା ପୃଥିବୀକୁ ରକ୍ଷା କରିବା ପାଇଁ ପୁରୁଷୋତ୍ତମ ଶ୍ରୀ ରାମ ଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ ଅଯୋଧ୍ୟା ନଗରୀରେ I ସୂର୍ଯ୍ୟବଂଶୀ ସମ୍ରାଟ୍ ଦଶରଥ ପୁତ୍ର୍ଯେଷ୍ଟି ଯଜ୍ଞ କରି ରାମ ଚନ୍ଦ୍ରଙ୍କୁ ପୁତ୍ର ରୂପରେ ଲାଭ କରିଥିଲେ I ବିଶ୍ଵାସ କରାଯାଏ କୌଶଲ୍ୟାଙ୍କ ଗର୍ଭରୁ ବିଷ୍ଣୁଙ୍କ ଅବତାରୀ ଭାବେ ରାମ ଚନ୍ଦ୍ର ଜନ୍ମ ଗ୍ରହଣ କରିଥିବା ବେଳେ କନିଷ୍ଠା ରାଣୀ ସୁମିତ୍ରାଙ୍କ ଗର୍ଭରୁ ଅନନ୍ତ ନାଗଙ୍କ ଅବତାରୀ ରୂପେ ଲକ୍ଷ୍ମଣ ଜନ୍ମ ଗ୍ରହଣ କରିଥିଲେ I ଲକ୍ଷ୍ମଣ ରାମ ଚନ୍ଦ୍ରଙ୍କର ପରମ ଅନୁଗାମୀ ଥିଲାବେଳେ ମଧ୍ୟମା ରାଣୀ କୈକେୟୀଙ୍କ ଗର୍ଭରୁ ଜନ୍ମ ଗ୍ରହଣ କରିଥିବା କୁମାର ଭରତଙ୍କ ପରମ ଅନୁଗାମୀ ଥିଲେ ସୁମିତ୍ରାଙ୍କ କନିଷ୍ଠ ପୁତ୍ର ଶତ୍ରୁଘ୍ନ I ଚାରି ଭାଇଙ୍କ ମଧ୍ୟରେ ଥିବା ଅନାବିଳ ସ୍ନେହ ଆଜି ମଧ୍ୟ ରାମାୟଣକୁ ଜୀବନ୍ତ କରି ଜନ ମାନସ ପଟରେ ସାଇତା ହୋଇ ରହିଛି I
ରାମ ଚନ୍ଦ୍ର ଥିଲେ ରାମାୟଣର ମହା ନାୟକ I ବାଲ୍ୟକାଳରୁ ଭଗବାନ ରାମ ଚନ୍ଦ୍ର ସାଧାରଣ ମାନବର ଜୀବନଯାପନ କରିଥିଲେ I ମହର୍ଷି ବିଶ୍ୱାମିତ୍ରଙ୍କ ଠାରୁ ବିଦ୍ୟା ଶିକ୍ଷା ପରେ ନିଜର ପ୍ରତିଟି କାର୍ଯ୍ୟରେ ସମାଜକୁ ସେ ଦେଇଥିଲେ ନିଜ ମହାନତାର ପରିଚୟ I ତାଡ଼କା ରାକ୍ଷସୀକୁ ନିଧନ କରି ଯୋଗୀଋଷିଙ୍କ ଯଜ୍ଞ ରକ୍ଷା, ଭକ୍ତ କୈବର୍ତ୍ତର ଭକ୍ତିରେ ବନ୍ଧା ପଡ଼ିବା, ଗୌତମ ଋଷିଙ୍କ ଧର୍ମପତ୍ନୀ ଅହଲ୍ୟାଙ୍କୁ ଶିଳାରୁ ତାରଣ କରିବା ପରେ ଶିବ ଧନୁ ଭାଙ୍ଗି ଜନକ ନନ୍ଦିନୀ ଜାନକୀଙ୍କୁ ନିଜର ଜୀବନ ସାଥୀ ରୂପେ ଗ୍ରହଣ କରିବା ଭଳି କାର୍ଯ୍ୟ ଗୁଡ଼ିକରେ ଶ୍ରୀ ରାମଙ୍କ ବୀରତ୍ଵ ପ୍ରକାଶ ପାଇଥିଲା I ଅଯୋଧ୍ୟାବାସୀଙ୍କ ପ୍ରିୟ ମଣିଷ ଭାବରେ ଅଯୋଧ୍ୟା ନରେଶ ଭାବେ ଅଭିଷିକ୍ତ ହେବାର ଯୋଜନା ଚାଲିଥିବା ବେଳେ ବିଧିର ବିଧାନକୁ ସମ୍ମାନ ଦେଇ ପିତୃ ସତ୍ୟ ପାଳିବା ପାଇଁ ପତ୍ନୀ ଜାନକୀ ଏବଂ ପ୍ରିୟ ଅନୁଜ ଲକ୍ଷ୍ମଣ ସହ ଚଉଦ ବର୍ଷ ପାଇଁ ବନ ଗମନ କରି ସେହି ସମୟ ମଧ୍ୟରେ ସାରା ସୃଷ୍ଟିର ରକ୍ଷା ପାଇଁ ସଂକଳ୍ପ ନେଇଥିଲେ I
ବନବାସର ପ୍ରଥମ ଭାଗରେ ମିତ୍ର ଶବର ରାଜା ଗୁହକର ଆତିଥ୍ୟ ସ୍ୱୀକାର କରି ସମାଜର ଜାତିଭେଦ ଭାବର ଯବନିକା ଟାଣିଥିଲେ ସେ I ପଞ୍ଚବଟୀ ଅରଣ୍ୟରେ ସୀତାଙ୍କୁ ମାୟାବୀ ରାବଣ ହରଣ କରି ନେବା ପରେ ରାସ୍ତାରେ ମିତ୍ର ପିତା ଜଟାୟୁଙ୍କ ଶବ ସଂସ୍କାର କରି ନିଜର ପୁତ୍ର ଧର୍ମ ପାଳିଛନ୍ତି ସେ I ଶବରୀ ମାତାଙ୍କ ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟାଇ ତାହାରି ହାତରୁ ଅଇଁଠା କୋଳି ଖାଇ ଏକ ନୂତନ ବନ୍ଧନ ସୃଷ୍ଟି କରିଥିଲେ ସେ I ପୁନଶ୍ଚ କିଷ୍କିନ୍ଧ୍ୟାର ବାନର ରାଜା ବାଳୀଙ୍କ ଅନୁଜ ସୁଗ୍ରୀବଙ୍କ ସହ ମିତ୍ରତା ସ୍ଥାପନ କରିସାରିବା ପରେ ମିତ୍ର ଧର୍ମ ପାଳନ କରିବାକୁ ଯାଇ ଭ୍ରାତୃ ପତ୍ନୀ ହରଣକାରୀ ବାଳୀକୁ ବଧ କରିଥିଲେ ସେହି ରଘୁକୁଳ ତିଳକ ରାମ ଚନ୍ଦ୍ର I କିମ୍ବଦନ୍ତୀ ରହିଛି ଲଙ୍କା ଯାତ୍ରା ସମୟରେ ସେତୁବନ୍ଧ ପ୍ରତିଷ୍ଠା ପାଇଁ ନିଜର ପରମ ଶତ୍ରୁ ରାବଣକୁ ହିଁ ନିମନ୍ତ୍ରଣ କରିଥିଲେ ଜଣେ ବ୍ରାହ୍ମଣ ଭାବରେ I ଏଥିରୁ ଜଣା ପଡ଼େ ଯେ, ଶତ୍ରୁ ହେଉ କି ମିତ୍ର ହେଉ ବ୍ରାହ୍ମଣ ଗୁରୁଜନ ପ୍ରତି ପ୍ରଭୁଙ୍କର ଅମାପ ଭକ୍ତି ଥିଲା I
ପୁଣି ସେତୁବନ୍ଧ ପ୍ରତିଷ୍ଠା ସମୟରେ ଗୁଣ୍ଡୁଚି ମୂଷା ପ୍ରତି ଅହେତୁକ ଅନୁକମ୍ପା ଢାଳିଦେଇ ଜୀବେ ଦୟାର ନିଚ୍ଛକ ପ୍ରତିଛବି ଉଦାହରଣ ଦେଇଛନ୍ତି ପ୍ରଭୁ ଶ୍ରୀ ରାମ I ରାବଣ ସହ ଯୁଦ୍ଧ ପୂର୍ବରୁ ତା'ର ଭାଇ ବିଭୀଷଣକୁ ବିନା ଦ୍ଵିଧାରେ ଶରଣ ଦେଇ କିଛି ଦାନବଙ୍କ ମଧ୍ୟ ପ୍ରିୟ ପାତ୍ର ହୋଇ ପାରିଛନ୍ତି ସେ I ପୁଣି ରାବଣ ଆଖି ବୁଜିବା ପୂର୍ବରୁ ତା' ଠାରୁ ସମ୍ମାନର ସହ ରାଜନୀତି ଶିକ୍ଷା କରି ଜଣେ ପ୍ରକୃତ କ୍ଷତ୍ରିୟର ପରିଚୟ ଦେଇଥିଲେ ସେ I
ଚଉଦ ବର୍ଷର ବନ ବାସ ସମାପ୍ତି ପରେ ଜଣେ ପ୍ରଜାବତ୍ସଳ ରାଜା ଭାବରେ ରଜକ ରଜକୀ କଳି ଆଧାରରେ ପ୍ରଜାଙ୍କ ସନ୍ଦେହ ମୋଚନ ପାଇଁ ନିଜର ପ୍ରାଣପ୍ରିୟା ସୀତାଙ୍କୁ ନିର୍ବାସିତା କରିବା ଥିଲା ପ୍ରଭୁଙ୍କ ଜୀବନରେ ସବୁଠାରୁ କଠୋର ପରୀକ୍ଷାର ସମୟ I
ଏହିପରି ଜଣେ ପିତୃ ଭକ୍ତ, ଉତ୍ତମ କ୍ଷତ୍ରିୟ, ଭକ୍ତ ପ୍ରିୟ, ଶରଣ ରକ୍ଷଣଙ୍କ ସ୍ମୃତିକୁ ସାଇତି ରଖିବା ପାଇଁ ଭାରତ ଭଳି ଦେବଭୂମି ହେଉଛି ଉତ୍କୃଷ୍ଟ ସ୍ଥାନ I ତେଣୁ ନିଜର ଜନ୍ମଭୂମି ସମ୍ମାନ ରକ୍ଷା ପାଇଁ ସେଠାରେ ଏକ ମନ୍ଦିର ନିର୍ମାଣ ପାଇଁ ଶହ ଶହ ବର୍ଷ ପୂର୍ବରୁ ପ୍ରଭୁଙ୍କ ନିର୍ଦ୍ଦେଶ ରହିଥିଲା I କିନ୍ତୁ କେତେ ଜଣ ବିଚାର ଶୂନ୍ୟ ତଥା ହୃଦୟ ହୀନ ଅମଣିଷଙ୍କ ଯୋଗୁଁ ସେହି କାର୍ଯ୍ୟରେ କିଛି ବାଧା ଆସିଥିଲା I
କିନ୍ତୁ ପ୍ରଭୁ ରାମଚନ୍ଦ୍ର ତ କାହାର ଜଣଙ୍କର ନୁହନ୍ତି ନା, ଯେ ସେ ଜଣଙ୍କୁ ପ୍ରତିରୋଧ କରିବାକୁ ଅନ୍ୟମାନେ ସମର୍ଥ ହୋଇ ପାରିବେ I ସେ ତ ମାନବର ଇଷ୍ଟ ଆଉ ଦାନବର ଶରଣ ଋକ୍ଷଣ I ସେ ତ ବ୍ରାହ୍ମଣର ଭକ୍ତ ଆଉ ଶବରୀର ପୁତ୍ର I ପୁଣି କ୍ଷୁଦ୍ର ଗୁଣ୍ଡୁଚି ହେଉକି ମହା ଶକ୍ତିଶାଳୀ ହନୁମାନ ଅବା ପରୋପକାରୀ ଜଟାୟୁ ପକ୍ଷୀ , ସେ ଥିଲେ ସମସ୍ତଙ୍କ ଆରାଧ୍ୟ I ପ୍ରଜାଙ୍କ ପାଇଁ ପ୍ରଜା ବତ୍ସଳ ରାଜା, ପିତାଙ୍କ ସତ୍ୟ ରକ୍ଷାକାରୀ ପୁତ୍ର, ଅନୁଜ ମାନଙ୍କ ଆଶୀର୍ବାଦର ଉତ୍ସ, ପତ୍ନୀଙ୍କ ପାଇଁ ରକ୍ଷା କବଚ ଆଉ ମାଆମାନଙ୍କ ପାଇଁ ଅବୋଧ୍ୟ ସୁନା ଶିଶୁ I ସମସ୍ତଙ୍କର ପ୍ରିୟ ଥିବା ସତ୍ତ୍ଵେ କାହାର ବା ଶକ୍ତି ଥିଲା ତାଙ୍କର ଭବ୍ୟ ମନ୍ଦିର ନିର୍ମାଣକୁ ଅଟକାଇବା I ପୁଣି ପ୍ରଭୁ ଶ୍ରୀ ରାମ ମର୍ମେ ମର୍ମେ ହୃଦୟଙ୍ଗମ କରିଥିଲେ ' ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ ' I ସେ କିପରି ନିଜ ଜନ୍ମଭୂମିର ଅସମ୍ମାନ ସହ୍ୟ କରି ପାରିଥାନ୍ତେ I ତେଣୁ ସମସ୍ତ ବାଦବିବାଦରୁ ଊର୍ଦ୍ଧ୍ଵକୁ ଯାଇ କେନ୍ଦ୍ର ସରକାର, ଭାରତର ଉଚ୍ଚତମ ନ୍ୟାୟାଳୟ ଜରିଆରେ ନିଜର ଲୀଳା ପ୍ରକଟ କରିଛନ୍ତି ସେ I ଶହ ଶହ ବର୍ଷ ଧରି ବିବାଦ ଜାଲରେ ଛନ୍ଦି ହୋଇ ପଡ଼ିଥିବା ଉତ୍ତର ପ୍ରଦେଶ ରାଜ୍ୟର ଅଯୋଧ୍ୟା ନଗରୀ ଆଜି ଉତ୍ସବମୁଖର I ଆଜି ସେହି ପବିତ୍ର ମାଟିରେ ଭାବଗ୍ରାହୀ ପ୍ରଭୁ ଶ୍ରୀ ରାମଙ୍କ ଏକ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଚାଲିଛି I ଆଜି ଏମିତି ପ୍ରତୀତ ହେଉଛି ସତେ ଯେପରି ପୁଣି ଥରେ ରାମ ରାଜ୍ୟ ପ୍ରତିଷ୍ଠା ହେଉଛି I ଏଇତ ଆମ ରାମ ରାଜ୍ୟ I"
ଏତିକି କହି ସାରିଲା ବେଳକୁ ବିନ୍ଦୁ ଦେବୀଙ୍କ ଆଖିରେ ଭାବର ଲୁହ ଜକେଇ ଆସିଥିଲା I ସୋନି ମାମା ମାମା ବୋଲି ଦୁଇଥର ଡାକିଲା ପରେ ପ୍ରକୃତିସ୍ଥ ହେଲେ ବିନ୍ଦୁ ଦେବୀ I ଉଭୟ ଜୟ ଶ୍ରୀରାମ, ଜୟ ଶ୍ରୀରାମ କହି ରୋଷେଇ ଘର ଆଡକୁ ଚାଲି ଯାଉଥିଲେ I
ଗଞ୍ଜାମ- ୭୬୧୧୨୩
No comments:
Post a Comment