ସକାଳୁ ସକାଳୁ ଗୋଟେ ଅଜଣା ନମ୍ବର ରୁ ଫୋନ ଦୁଇଥର ଆସିଲାଣି । ଅଜଣା ଫୋନ ମୁଁ ଉଠାଏନି । କାରଣ ଉଚ୍ଚ ପଦବୀରେ ରହିଲା ପରେ ଅନେକ ଲୋକ ନିଜର ଅସୁବିଧା ଜଣାଇ ସାହାଯ୍ୟ ମାଗୁଛନ୍ତି । ତେଣୁ ଘରେ ଥିଲା ବେଳେ ଏ ଅଜଣା ଫୋନ ସବୁକୁ ଏଡାଇ ଯାଏ । ଯାହାର ନିତାନ୍ତ ଦରକାର ସେ ଅଫିସରେ ଆସି ତାର କାମ କରାଇନେବ । କିନ୍ତୁ ତୃତୀୟ ଥର ଫୋନଟି ସୀମା ହାତରେ ପଡିଗଲା । ସେପଟୁ କେହିଜଣେ କହୁଥିଲା , ଆରେ ଏଇଟା ସୁବ୍ରତ ମହାପାତ୍ରର ନମ୍ବର ତ ? ମୁଁ ତା’ ସାଙ୍ଗ କହୁଛି । ସୀମା ମୋତେ ଫୋନ ଧରେଇ କହିଲା ନିଅ ତୁମ ସାଙ୍ଗଙ୍କର ଫୋନ । ସେପଟୁ କହୁଥିବା ବ୍ୟକ୍ତି ଜଣକ ପଚାରୁଥିଲା , କିଏ ସୁବ୍ରତ କହୁଚଟି ?
ହଁ କହୁଛି , ଆପଣ କିଏ କହୁଛନ୍ତି ?
ଆରେ ମୁଁ କୁନା କହୁଛି , ଜଗଧାତ୍ରୀ ମେସ୍ ର କୁନା , କୁନା କୁକୁର ।
ହସିପକେଇ କହିଲି ଆରେ କୁନା,ହଁ କହ , କଣ ହେଲା ?
ସେପଟୁ କୁନା କହୁଥିଲା ହେବ କଣ ଛେନା ଗୁଡ଼ , ୮୮ ଗୃପ ଗୋଟେ ବନ୍ଧୁମିଳନ ହେଉଛି ଅଗଷ୍ଟ ଏକ ତାରିଖ ରେ । ତତେ ନିଶୟ ଆସିବାକୁ ପଡିବ । ତାରିଣୀ ଠାକୁରାଣୀଙ୍କ ରାଣ ରହିଲା । ହଁ ଆମ ଗୃପରେ ଯୋଗଦାନ କରିଦେବୁ ।ତୁ କାଳେ ଆସିବୁନି ସେଥି ପାଇଁ ଧଉଳି ଟ୍ରେନରେ ଏସି ଟିକେଟ କରି ତୋ ଫୋନରେ ଦେଇଦେଇଛି । ସେପଟୁ ଫୋନ କଟିଯାଇଥିଲା ।
ମୁଁ କିଛି ଚିନ୍ତା ହିଁ କରିପାରୁନଥିଲି । ଇଏ କେମିତିକା ଜବରଦସ୍ତି । ମନେ ପଡିଲା, ମାସେ ତଳେ ଗୋଟେ ହ୍ଵାଟ୍ସଆପ ଗୃପରେ ଯୋଗଦାନ କରିବା ପାଇଁ ଅନୁରୋଧ ଟିଏ ପାଇଥିଲି । ଲେଖାଥିଲା “୧୯୮୮ ଗୃପରେ ଯୋଗଦାନ କରି ଆମକୁ ଅପଣଂକ ସାନିଧ୍ୟର ସୁଯୋଗ ଦିଅନ୍ତୁ” । ଏବେ ଏତେ ହ୍ଵାଟ୍ସଆପ ଗୃପ ହେଲାଣି ଯେ , ସବୁକୁ ପରିଚାଳନା କରିବା ସମ୍ଭବ ହେଉନି । ତେଣୁ ଅନୁରୋଧଟି ପାଇଲା ପରେ ନୀରବ ରହିଯାଇଥିଲି । କୁନାର କଥା ଶୁଣି ସେ ହ୍ଵାଟ୍ସଆପ ଗୃପର ଅନୁରୋଧକୁ ଖୋଲି ଦେଖିଲି । ମୋଟ ୩୦ ଜଣ ସଭ୍ୟ ସଭ୍ୟା ଅଛନ୍ତି । ଫୋଟୋ ରୁ କାହାକୁ ଚିହ୍ନି ପାରିଲିନି ।
କୁନା ମୋ ସହ କଲେଜରେ ପଢୁଥିଲା । ଛୋଟିଆ ବାଙ୍ଗରା ଡାଉଲଡାଉଲ ପିଲା ଟା । ଆକାରରେ ଯେତେ ଛୋଟ ତା ବୁଦ୍ଧି ସେତେ ପ୍ରଖର । ସତ କଥା ଛୋଟ ସାପର ଵିଷ ଅଧିକ । ମେସର କାହା ଡିବାରୁ ଚେନାଚୁର ତ କାହା ମୁଢି ନେଇ ଖାଇବା ତାର ଅଭ୍ୟାସ । ଯଉଠି ଭୋଜି ଭାତ ହେଉଥିବ ସେଠି କୁନାକୁ ଡାକ କି ନଡାକ ସେ ନିଶ୍ଚୟ ଉପସ୍ଥିତ ଥିବ ।ତେଣୁ ତାକୁ ମୁଁ ଚିଡ଼େଇବା ପାଇଁ କୁନା କୁକୁର ଡାକୁଥିଲି । ସମୟ କ୍ରମେ ସମସ୍ତେ ସେଇ ନାଁ ରେ ତାକୁ ଡାକି ଲେ I
ନିଷ୍ପତି କଲି ବନ୍ଧୁମିଳନକୁ ଯିବି । କର୍ମମୟ ଜୀବନରୁ ଟିକେ ବିରତି ନେଇ ଅତୀତର ସେ ସ୍ୱର୍ଣ୍ଣିମ ଅଧ୍ୟାୟରେ କିଛି ସମୟ ବିତେଇ ଆସିବି ।
ସେଦିନ ୧୯୮୮ ଗୃପର ବନ୍ଧୁମିଳନ ଭୋଜିରେ ଯୋଗଦାନ କରିଥିବା ସବୁ ବନ୍ଧୁ ମାନଙ୍କ ମଧ୍ୟରେ କେବଳ ମୁଁ ହିଁ ଥିଲି ସବୁଠୁ ପ୍ରତିଷ୍ଠିତ ସମୃଦ୍ଧିଶାଳୀ ଓ ସଫଳ ଛାତ୍ର ।
ଅବଶ୍ୟ ଉପରେ ନଦେଖେଇ ହେଲେ ବି ମୋ ମନରେ ଏଇଟିକକ ପାଇଁ ବହୁତ ଗର୍ବ ଥିଲା ।
ସେ ଭୋଜି ର ପୃଷ୍ଟପୋଷକ କୁନା ବି ମୋର ସତ୍କାରରେ କୌଣସି ତ୍ରୁଟି କରୁନଥିଲା । ସବୁ ସାଙ୍ଗ ମାନଂକ ମଧ୍ୟରେ ମୋତେ ଏତେ ପ୍ରାଧାନ୍ୟ ଦେବା ଦ୍ୱାରା ମୋର ମନ ଭିତରେ ଥିବା ଅହଂ ଭାବଟା ଧୀରେ ଧୀରେ ବଢିବାରେ ଲାଗିଥିଲା । କଥାବାର୍ତା ମଝିରେ ଜଣେ କିଏ ପଚାରିଲା ଭାଇ ଓ ଭଉଣୀ ମାନେ ଆଜି ପ୍ରାୟ ୩୦ ବର୍ଷ ପରେ ଆମେ ସବୁ ଏକାଠି ହେଇଛେ , ଏହାର ଶ୍ରେୟ ଆମ ପ୍ରିୟ କୁନା ଭାଇଙ୍କୁ ଦେବା । ଦୟାକରି ସମସ୍ତେ ନିଜ ଜୀବନର ଉପଲବ୍ଧି ତଥା କଣ ଅବଶୋଷ ରହିଯାଇଛି ଏଠି ପ୍ରକାଶ କରନ୍ତୁ ।ସବୁ ସIଙ୍ଗ ମାନେ ନିଜର କଥା କହୁଥାନ୍ତି । ଶେଷରେ କହିବା ପାଇଁ କେବଳ କୁନା ଆଉ ମୁଁ ଦୁଇଜଣ ଥିଲୁ। ମୋତେ ସମ୍ମାନ ଦେବାକୁ ଯାଇ କୁନା ଠିଆ ହେଇ କହିଲା , ଭାଇ ମାନେ ଜୀବନର ଉପଲବ୍ଧି କଣ ମୁଁ ଜାଣେନି । ମୋ ଜୀବନରେ ମୁଁ ସବୁ କିଛି ପାଇଛି କି ନା ତା ବି ମୁଁ ଜାଣେନି ।ମାତ୍ର ଏତିକି ଜାଣେ ମୋର ଗୋଟେ ଅବଶୋଷ ଯେ କିଛି ମୋର କିଛି ଅବଶୋଷ ହିଁ ନାହିଁ ।
କୁନା ନାମକ ଚରିତ୍ର ଟା ମୋତେ ବହୁତ ଅଜବ ଲାଗୁଥିଲା । ଇର୍ଷା ବି ହେଉଥିଲା । ଗୃପର ସମସ୍ତେ ସେଦିନର କୁନାକୁ ପ୍ରତ୍ୟକ କଥାରେ ପଚାରୁଥିଲେ ଏବଂ ବିନା ଦ୍ଵଧାରେ ମାନିଯାଉଥିଲେ ତା’ ର ସବୁ ନିର୍ଦେଶ, ସତେ ଯେମିତି ସେ ଏ ୮୮ ଗୃପର ହେଡ ମାଷ୍ଟର ।କାହାର ପ୍ରଧାନ୍ୟକୁ ସହ୍ୟ କରିବାର ମାନସିକତା ମୋର କେବେଠୁ ହଜିଯାଇଥିଲା । ତେଣୁ ଇର୍ଷା ହେଵାଟା ସ୍ୱାଭାବିକ।
ନିଜ କଥା କହି ସାରି କୁନା ମୋ ପାଇଁ ବି କହିବା ଆରମ୍ଭ କରିଦେଇଥିଲା ।ମୋର ଗତ ତିରିଶ ବର୍ଷର ସଫଳ ଜୀବନି ସବୁ ସେ ସଂଗ୍ରହ କରି ପ୍ରସଂଶାରେ ମୋତେ ପୋତି ପକାଇଲା ।
ମୋ ବିଷୟରେ ଏତେ କହିଥିଲା ଯେ ମୁଁ କେବଳ ଛିଡା ହେଇ ଧନ୍ୟବାଦ କହିଥିଲି ।
ସତରେ କୁନା ନାମକ ଚରିତ୍ର ଟା ମୋତେ ଏବେ ବହୁତ ଅଜବ ଲାଗୁଥିଲା। ତା ବିଷୟରେ ଜାଣିବା ପାଇଁ ଗୋଟେ ସାଙ୍ଗକୁ ପଚାରିଲି ।
ସାଙ୍ଗଟି କହିଚାଲିଥିଲା । ଜୀବନର ସବୁଠୁ କଠିନ ସମସ୍ୟା ହେଉଛି ନିଜକୁ ଚିହ୍ନି ପାରିବା । କୁନା ଏଇ ସମସ୍ୟାକୁ ଭଲରେ ସାମ୍ନା କରିପାରିଛି ।୧୯୯୩ ମସିହାରେ ସେ ସଫଳତାର ସହ ବି ଟେକ ପାସ କରି ଉଚ୍ଚ ଦରମାରେ ଚାକିରୀ କରିଥିଲା । ବିଦେଶ ଯିବା ପାଇଁ ବି ମନୋନୀତ ହେଇଥିଲା ।ହେଲେ ଘରେ ବୁଢା ବାପା ମାଆ , ଭଉଣୀ ଏମାନଙ୍କ ଦାଇତ୍ୱ ସବୁ କୁନା ଉପରେ ।ଚାଷୀ ଘରର ପିଲା ।ଏକର ଏକର ଜମି ଚାଷ ହେଉଛି । କୁନା ଯଦି ବିଦେଶ ଚାଲିଯିବ ତା ହେଲେ ଏସବୁ ସମ୍ଭାଳିବି କିଏ ? ସାମ୍ନାରେ ସୁନେଲି ଭବିଷ୍ୟତ , ପଛରେ ନିଜ ପ୍ରିୟଜନ ଓ ଗାଁର ଭିଟା ମାଟି । ସିଦ୍ଧାନ୍ତର ଦୋ ଛକି ରେ ଠିଆ ହେଇଥଲା କୁନା । ତା' ଜାଗାରେ ଆଉ କେହି ବି ଥିଲେ , ସେ ଭବିଷ୍ୟତକୁ ଅଗ୍ରାଧିକାର ଦେଇଥାନ୍ତା ।ହେଲେ କୁନା ଥିଲା ଅଲଗା ପ୍ରକାର ର । ସେ ସବୁକୁ ଜଳାଞ୍ଜଳି ଦେଇ , ନିଜ ବୁଢା ବାପା ମାଆ ଆଉ ନିଜ ଭିଟା ମାଟିକୁ ଚୟନ କଲା । ସତେ ଯେମିତି ଅନ୍ୟର ସେବା କରିବା ପାଇଁ ସେ ଏ ଦୁନିଆ କୁ ଆସିଛି ।
ଶୁଣିଲେ ଆଶ୍ଚର୍ଯ୍ୟ ହେବୁ କୁନା ବାହା ହେବା ପୂର୍ବରୁ ଝିଅ କୁ ହିଁ ଦେଖି ନଥିଲା । କାରଣ ସେ ଜାଣିଥିଲା ତା ବାବା ନିଶ୍ଚିତ ଏକ ଭଲ ଝିଅ କୁ ବୋହୁ କରି ଘରକୁ ଆଣିବେ । ସତ କୁ ସତ ସବୁଠୁ ସୁନ୍ଦରୀ ,ଗୁଣବତୀ ଏବଂ ସଂସ୍କାରି ବୋହୁ ଟିଏ ବାଛିଥିଲେ ତା ' ପାଇଁ । ଉଚ୍ଚଶିକ୍ଷିତ କୁନା ସବୁଠି ସମସ୍ତଙ୍କ ସହ ମିଶି ଏବେ ସମାଜ ସେବା କରୁଛି । କୁନା ସେଦିନ ଚାକିରୀ କରିଥିଲେ ଏବେ ମାସକୁ ଲକ୍ଷେ କି ଦେଢ଼ ଳକ୍ଷ ଟଙ୍କା ପାଉଥାନ୍ତା , କିନ୍ତୁ ଆଜି ସମାଜରେ ଯେଉଁ ସମ୍ମାନ ଶ୍ରଦ୍ଧା ପାଉଛି ତାହା ବୋଧ ହୁଏ କଦାପି ପାଇ ନ ଥାନ୍ତା । ଷ୍ଟେସନରେ ହେଉକି ରାସ୍ତା କଡ଼ରେ ଶୋଇଥିବା ଭିକାରୀ ହୁଅନ୍ତୁ ସବୁଦିନ ରାତିରେ ନିଜେ ବୁଲି ବୁଲି ସେ ଖାଇବା ବାଣ୍ଟେ ।ରକ୍ତଦାନ ଶିବିର ହେଉକି ସଫେଇ କାମ ହେଉ ସବୁଥିରେ କୁନା ଆଗରେ ।ଏମିତି ଏତେ କଣ କହିଲେ ସରିବନି ।ସତରେ କୁନା ଭାଇଟା ଗୋଟେ ଏକାଧାରରେ ଭାଗ୍ୟବାନ ପୁଅ , ଭାଇ ଆଉ ସ୍ୱାମୀ ଟିଏ ।
ଏସବୁ ଶୁଣିଲା ପରେ ମୋମନରେ ଥିବା ତୁଚ୍ଛା ଅହମିକା ପାଣି ଭଳି ମିଳେଇଯାଉଥିଲା । ମନେ ପଡୁଥିଲା । ମୁଁ ଯେଉଁଦିନ ପ୍ରଥମ ଚାକିରୀରେ ଯୋଗଦାନ କରିବାକୁ ଯାଉଥିଲି ସେ ଦିନ ବାବା ଙ୍କର ରକ୍ତ ଚାପ ବଢି ଥିବାରୁ ଡାକ୍ତରଖାନାରେ ଭର୍ତି ହେଇଥଲେ । ମୁଁ କିନ୍ତୁ ଡାକ୍ତରଖାନା ନ ଯାଇ ଭୁବନେଶ୍ୱର ଆସିଥଲି । ବାବା ଆଉ ଚାଷ କରିପାରୁନଥିଲେ ବୋଲି ଗାଁ ଜମି ସବୁ ଭାଗ ଦିଆହେଇଛି । ବାବା ମାଆଙ୍କୁ ବୟସ ହେଲାପରେ ବି ସେତେବେଳେ ପାଖରେ ନରଖି ଗାଁରେ ସମ୍ପର୍କୀୟଙ୍କ ହେପାଜତରେ ଛାଡିଦେଇଥିଲି । ମାସ କୁ ମାସ ଟଙ୍କା ପୁଳାଏ ପଠାଇ ଦେଇ ନିଶ୍ଚିନ୍ତ ହେଇ ଯାଉଥିଲି ।ଭୁଲିଯାଉଥିଲି ଯେ ସେମାନଙ୍କ ପାଇଁ ଟଙ୍କା ନୁହେଁ ମୋର ଉପସ୍ଥିତି ଜରୁରୀ ଥିଲା । ଏମିତିକି ବାବା ମାଆ ଶେଷ ସମୟରେ ବି ମୁଁ ପାଖରେ ନଥିଲି । ମୋତେ ପାଠ ପଢାଇ ଏତେ ଉଚ୍ଚରେ ପହଞ୍ଚେଇ ଦେଇଥିଲେ ଯେ ମୁଁ ଚାହିଁକି ବି ତଳକୁ ଆସୁ ପାରୁନଥିଲି । କୁନାର ତ୍ୟାଗ ପାଖରେ ମୋର ମିଥ୍ୟା ଅହମିକା ପୁରା ଫିକା ପଡିଯାଉଥିଲା ।
କୁକୁର ମାନେ ସତରେ ବିଶ୍ୱାସୀ । ଯାହାର ସ୍ନେହ ଶ୍ରଦ୍ଧା ପାଇଥିବେ , ତାକୁ ମଲା ଯାଏଁ ଛାଡ଼ି ଜାଆନ୍ତିନି ।
ଆଉ ଆମ ଭଳିଆ ଉଚ୍ଚାଭିଳାଷୀ ସ୍ୱାର୍ଥପର ପୁଅ ମାନେ ଯେଉଁ ମାନେ ନିଜ ସୁନେଲି ଭବିଷ୍ୟତ ପାଇଁ ସମସ୍ତଙ୍କୁ ପଛରେ ପକାଇ ମାଡିଯାନ୍ତି । ଆମେ ସବୁ କୁକୁର ପଦବାଚ୍ୟ ବି ନୁହଁ ।
ମୋ ଆଖିରେ ସେଦିନର କୁନା କୁକୁର ଆଜି ଗୋଟେ ଠାକୁର ଠୁ ବି କମ ନଥିଲା ।
ସମାଜରେ ଆଜି କୁନା କୁକୁରଙ୍କ ଘୋର ଅଭାବ ଯୋଗୁଁ ବହୁ ପିତାମାତାଙ୍କ ସୁଖ ଶାନ୍ତି ଆନନ୍ଦ ସ୍ବାସ୍ଥ୍ୟ ସମ୍ମାନ ସର୍ବୋପରି ଆୟୁଷ ଚୋରି ବଢିବାରେ ଲାଗିଛି । ଏ ପ୍ରଜାତିର କୁକୁରର ସଂରକ୍ଷଣ ଓ ପାଳନ ଉପରେ ଯଥେଷ୍ଟ ଗୁରୁତ୍ବ ଦିଆଯିବା ବିଧେୟ ।
ReplyDelete