ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଅର୍ଥାତ୍ ଜାନୁଆରି ୩୦କୁ ଆମ ଦେଶରେ ‘ସହିଦ ଦିବସ’ ତଥା ‘ସର୍ବୋଦୟ ଦିବସ’ ଭାବେ ପାଳନ କରାଯାଉଛି। ୧୯୪୮ ଏହି ଦିନରେ ନଥୂରାମ ଗୋଡ଼ସେ ହାତରେ ତାଙ୍କର ପ୍ରାଣ ଯାଇଥିଲା। ଏହି ଦିନରେ ଭାରତର ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି, ପ୍ରଧାନ ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ତିନି ପ୍ରତିରକ୍ଷା ବାହିନୀର ମୁଖ୍ୟମାନେ ନୂଆ ଦିଲ୍ଲୀସ୍ଥିତ ଗାନ୍ଧୀ ସମାଧି ପୀଠ ରାଜ ଘାଟରେ ମହାତ୍ମାଙ୍କୁ ଶ୍ରଦ୍ଧାର୍ଘ୍ୟ ଅର୍ପଣ ପରଂପରା ପ୍ରଚଳିତ। ତାହା ପରେ ପ୍ରତିରକ୍ଷା ବିଭାଗୀୟ କର୍ମଚାରୀଙ୍କ ଦ୍ବାରା ‘ଲାସ୍ଟ ପୋଷ୍ଟ୍’(ସହିଦଙ୍କ ଉଦ୍ଦେଶ୍ୟରେ ବାଦନ କରାଯାଉଥିବା ସାମରିକ ଶ୍ରଦ୍ଧାଞ୍ଜଳି) ବିଗୁଲ୍ ବଜାଯାଏ। ଦିନ ଏଗାରଟାରେ ସାରା ଦେଶବାସୀ, ସମସ୍ତ ସହିଦଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରନ୍ତି। ଉଲ୍ଲେଖଯୋଗ୍ୟ ଯେ, ୨୩ ମାର୍ଚ୍ ୧୯୩୧ରେ ଭଗତ ସିଂହ, ସୁଖଦେବ ଥାପର ଓ ଶିବରାମ ରାଜଗୁରୁଙ୍କୁ ଲାହୌର ଜେଲ୍ରେ ଫାଶୀ ଦିଆଯାଇଥିଲା, ୨୧ ଅକ୍ଟୋବର୍ ୧୯୫୯ରେ ଲଦାଖରେ ଚାଇନିଜ୍ ସେନା ଆକ୍ରମଣରେ କେନ୍ଦ୍ରୀୟ ରିଜର୍ଭ୍ ପୁଲିସ୍ ବଳ ବା ସିଆର୍ପିଏଫ୍ର କିଛି ଜବାନ ସହିଦ ହୋଇଥିଲେ, ୧୭ ନଭେମ୍ବର୍ ୧୯୨୮ରେ ‘ପଂଜାବ କେସରୀ’ ଲାଲା ଲାଜପତ ରାୟଙ୍କ ଦେହାନ୍ତ ହୋଇଥିଲା ଏବଂ ୧୯ ନଭେମ୍ବର୍ ୧୮୨୮ରେ ଜନ୍ମ ହୋଇଥିଲେ ଝଁାସୀର ରାଣୀ ଲକ୍ଷ୍ମୀବାଈ। ଏହି ଦିନଗୁଡ଼ିକୁ ମଧ୍ୟ ‘ସହିଦ ଦିବସ’ ଭାବେ ପାଳନ କରାଯାଏ।
ଗାନ୍ଧୀ ଜୟନ୍ତୀ ବା ୨ ଅକ୍ଟୋବର୍କୁ ‘ଅନ୍ତର୍ଜାତୀୟ ଅହିଂସା ଦିବସ’ ଭାବେ ପାଳନ କରାଯାଉଥିବା ବେଳେ, ୩୦ ଜାନୁଆରିରେ ତାଙ୍କ ତିରୋଧାନ ଦିବସକୁ ବିଶ୍ବ ସ୍ତରରେ ‘ବିଦ୍ୟାଳୟରେ ଅହିଂସା ଓ ଶାନ୍ତି ଦିବସ’ ବା ଇଂରେଜୀରେ ‘ସ୍କୁଲ୍ ଡେ ଅଫ୍ ନନ୍-ଭାଓଲେନ୍ସ ଆଣ୍ଡ୍ ପିସ୍’ ଭାବେ ପାଳନ କରାଯାଉଛି। ୧୯୬୪ରେ ମାୟୋର୍କାରେ ଏହି ଦିବସ ପାଳନ ଆରମ୍ଭ କରିଥିଲେ ସ୍ପାନିସ୍ କବି ଲୋରେନ୍ ଭିଡାଲ୍ ଭିଡାଲ୍। କୋମଳମତି ଛାତ୍ର-ଛାତ୍ରୀଙ୍କୁ ଅହିଂସା ଓ ଶାନ୍ତିର ଆଦର୍ଶ ଦ୍ବାରା ଅନୁପ୍ରାଣିତ କରିବା, ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ବହୁ ଇଉରୋପିଆନ୍, ଆଫ୍ରିକାନ୍ ଓ ଲାଟିନ୍ ଆମେରିକାନ୍ ରାଷ୍ଟ୍ରରେ ଏହି ଦିବସ ପାଳନକୁ ଗୁରୁତ୍ବ ଦିଆଯାଉଛି।
Informative
ReplyDelete